Unknown

 

 

 

 

 

 

 

 

 

 

 

ଲୋକବନ୍ଧୁ ଗୋପବନ୍ଧୁ

ଶ୍ରୀ ନରସିଂହ ମିଶ୍ର

 

ପଦେ–

 

ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ଶତବାର୍ଷିକୀ ସାରା ଦେଶରେ ପାଳନ କରାଯାଉଛି । ୧୮୭୭ ମସିହା ଅକ୍ଟୋବର ମାସ ନଅ ତାରିଖରେ ଉତ୍କଳର ପୁଣ୍ୟ ଭୂମିରେ ଏହି ମହାତ୍ମାଙ୍କର ଜନ୍ମ । ୧୯୭୬ ମସିହା ଅକ୍ଟୋବର ନଅ ତାରିଖରେ ଶତବର୍ଷ ଆରମ୍ଭ ହୋଇଛି ଓ ୧୯୭୭ ମସିହା ଅକ୍ଟୋବର ନଅ ତାରିଖରେ ଏହା ସମାପ୍ତ ହେବ ।

 

ତାଙ୍କୁ ସ୍ମରଣ କରିବା ପାଇଁ ଓ ତାଙ୍କର ବାର୍ତ୍ତାକୁ ପୁରପଲ୍ଲୀର ପ୍ରତି ପ୍ରାଣରେ ପ୍ରତିଧ୍ୱନିତ କରିବା ପାଇଁ ଆଜିର ଏହି ଶତ ସାମ୍ବତ୍ସରିକ ଉତ୍ସବ ଏକ ସୁଚିନ୍ତିତ ପଦକ୍ଷେପ । ତାଙ୍କର ଅଖଣ୍ଡ ଜ୍ୟୋତି ଆଜି ପୁଣି ପ୍ରତି ପ୍ରାଣରେ ପ୍ରଜ୍ଜ୍ୱଳିତ ହେଉ ଓ ତାଙ୍କ ଆଦର୍ଶରେ ଉଦ୍‍ବୁଦ୍ଧ ହୋଇ ଏ ଜାତିର ପ୍ରାଣ ପ୍ରତିଷ୍ଠା ହେଉ ଏହାହିଁ କାମନା ।

 

ପୁଣ୍ୟାତ୍ମା ଗୋପବନ୍ଧୁ ଥିଲେ ସେବାର ଜୀବନ୍ତ ପ୍ରତିମୂର୍ତ୍ତି । ଅକାଳ ବନ୍ୟା ଓ ମରୁଡ଼ିରେ ଦେଶର ଦୁର୍ଗତ ଲୋକମାନଙ୍କୁ ସେବା କରିବା ତାଙ୍କର ପରମ କର୍ତ୍ତବ୍ୟ ଥିଲା । ଆଜି ସେଇ ଘୋର ଦୁର୍ଭିକ୍ଷର କରାଳ ଛାୟା ବହନ କରି ୧୯୭୬ ଏ ଦେଶକୁ ଆସିଛି । ମାର୍ଗଶିର ମାସର ଗୁରୁବାର ଲକ୍ଷ୍ମୀପୂଜା ପାଇଁ ଆଜି ତାକୁ କଣ୍ଟ୍ରୋଲ ଚାଉଳ ଉପରେ ନିର୍ଭର କରିବାକୁ ପଡ଼ୁଛି । ଖଳା, କୋଠି ପାଇଁ ଲକ୍ଷ୍ମୀ ଚଉଁରୀ ବାନ୍ଧିବାକୁ ଜମିରୁ ଧାନ କେରାଏ ପାଇନି । ଯେଉଁଠାରୁ ଧାନ ଗାଡ଼ିଏ ନେଉଥିଲା, ସେଠାରୁ ପାଳ ଗାଡ଼ିଏ ନେଉଛି । ଏହାହିଁ ଅଧିକାଂଶ ଜିଲ୍ଲାର ଅବସ୍ଥା ।

 

ଉତ୍କଳମଣି ସ୍ୱର୍ଗରେ ଥାଇ ଏ କରୁଣ ଚିତ୍ର ଦେଖୁଥିବେ । ଅଭିଶପ୍ତ ଉତ୍କଳର ଅଭିଶାପ ଏବେ ବି ମୋଚନ ହୋଇନି । ପ୍ରକୃତି ଯାହା ଉପରେ ନିସ୍କରୁଣ, ସରକାରଙ୍କ ମହଯୁଦ ଖାଦ୍ୟ ଭଣ୍ଡାର କେତେଦିନ ସେମାନଙ୍କୁ ସମ୍ଭାଳିବ ।

 

ଆଜି ଦେଶର ପ୍ରତ୍ୟେକ ସଚେତନ ବ୍ୟକ୍ତି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଏ ସମୂହ ବିପଦ ଘୁଞ୍ଚିଯିବ । ମାନବ ପ୍ରେମ ହିଁ ଦେବ ପୂଜା । ତାଙ୍କରି ଭାଷାରେ –

 

‘‘ପ୍ରେମ ଭାବ ଯା’ର

ଅନ୍ତରେ ପୂରିତ

ସର୍ବପ୍ରାଣୀ ହୃଦ

ତା’ ହୃଦେ ଅଙ୍କିତ ।’’

 

ଭୁବନେଶ୍ୱର

ବିନୀତ

ତା ୨୮-୧୨-୭୬

ଲେଖକ

Image

 

 

 

 

 

 

 

 

 

 

 

ଗୋପବନ୍ଧୁ ଶତବାର୍ଷିକୀ ଉପଲକ୍ଷେ ବାର୍ତ୍ତା ଓ ଅଭିଭାଷଣ

 

ରାଷ୍ଟ୍ରପତି ଫକିରୁଦ୍ଦିନ ଅଲ୍ଲୀ ଅହମ୍ମଦ

 

‘‘ଗୋପବନ୍ଧୁ କେବଳ ଜଣେ ଧୂରୀଣ ସ୍ୱାଧୀନତା ସଂଗ୍ରାମୀ ନ ଥିଲେ, ଜଣେ ମହାନ୍‍ ସମାଜ ସଂସ୍କାରକଭାବେ ମଧ୍ୟ ପ୍ରତିଷ୍ଠା ଅର୍ଜନ କରିଯାଇଅଛନ୍ତି । ଦେଶପାଇଁ ତାଙ୍କର ମହାନ୍ ଅବଦାନ ତାଙ୍କୁ ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନଭାଜନ କରିଛି ।

 

ପ୍ରାଧନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ;

 

ଗୋଟିଏ ଗୋଟିଏ ଅଭ୍ୟୁଥାନ ସମୟ ବିଶେଷ କରି ବହୁମୁଖୀ ପ୍ରତିଭାର ବ୍ୟକ୍ତିମାନଙ୍କ ପ୍ରତି ଅନୁକୁଳ । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଦେଶର ବିଭିନ୍ନ ଅଞ୍ଚଳରେ ବହୁ ବିଶିଷ୍ଟ ବ୍ୟକ୍ତି ଜନ୍ମଗ୍ରହଣ କରିଥିଲେ । ରାଜନୀତି, ସମାଜ ସଂସ୍କାର, ଶିକ୍ଷା, ଆଇନ ଓ ସାହିତ୍ୟ କ୍ଷେତ୍ରରେ ସେମାନଙ୍କର ପ୍ରତିଭା ଓ କୃତିତ୍ୱ ପ୍ରକୃତ ପକ୍ଷେ ଚମକପ୍ରଦ ।

 

ଗୋପବନ୍ଧୁ ଦାସ ଏଭଳି ଜଣେ ଜାତି ନିର୍ମାତା । ଓଡ଼ିଶାରେ ଜାତୀୟତାବାଦୀ ଆନ୍ଦୋଳନର ପଥ ପ୍ରଦର୍ଶକଭାବରେ ଏବଂ ମହାତ୍ମାଗାନ୍ଧୀଙ୍କର ଜଣେ ନିଷ୍ଠାପର ଅନୁଗାମୀ ଭାବରେ ସେ ବହୁ ଦୁଃଖ କଷ୍ଟ ସହିଛନ୍ତି ଏବଂ ଦେଶ ଓ ଜାତିର ଅକଳନୀୟ ସେବା କରିଛନ୍ତି ।

 

ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କଲାବେଳେ ଆମେ ତାଙ୍କର କର୍ମମୟ ଜୀବନର ପର୍ଯ୍ୟାଲୋଚନା କରିବା ଉଚିତ ଏବଂ ତାଙ୍କର କାମକୁ ଅବ୍ୟାହିତ ରଖିବାଲାଗି ସଂକଳ୍ପବଦ୍ଧ ହେବା ଉଚିତ ।

 

ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଭି. ଭି. ଗିରି;

 

ମୁଁ ବିଶେଷ ଆନନ୍ଦିତ ଯେ ଆସନ୍ତା ଅକ୍ଟୋବର ୯ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜନ୍ମ ଶତବାର୍ଷିକୀ ନୂଆଦିଲ୍ଲୀର ଲାଜପତ୍ ଭବନରେ ପାଳିତ ହେଉଛି । ମୁଁ ଖୁସି ଯେ ମୋର ସମ୍ମାନାସ୍ପଦ ବନ୍ଧୁ ଭାରତର ଉପରାଷ୍ଟ୍ରପତି ଶ୍ରୀ ବି. ଡ଼ି. ଜତ୍ତି ଏହି ଉତ୍ସବରେ ମୁଖ୍ୟ ଅତିଥି ହେଉଛନ୍ତି ।

ପଣ୍ଡିତ ଗୋପବନ୍ଧୁ ବୃହତ୍ତର ଓଡ଼ିଶା ଭିତ୍ତି ସ୍ଥାପୟିତା ବୋଲି ବର୍ଣ୍ଣନା କରାଯାଇପାରେ । ତାଙ୍କର କାର୍ଯ୍ୟ ଫଳରେ କଂଗ୍ରେସ ସରକାର ଭାଷା ଭିତ୍ତିରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶରୂପେ ଗ୍ରହଣ କଲେ । ସବୁ ଭଲ ଓ ମହତ ଗୁଣର ସେ ପ୍ରତୀକ ଥିଲେ । ଦୁଃଖୀ ଦରିଦ୍ର ଲୋକଙ୍କର ସେବା କରିବାପାଇଁ ସେ ସବୁବେଳେ ପ୍ରସ୍ତୁତ ଥିଲେ । ଆମ ଦେଶର ମହାନ୍‍ ନେତାମାନଙ୍କ ମଧ୍ୟରୁ ସେ ଅନ୍ୟତମ ବୋଲି କୁହାଯାଇପାରେ । ସ୍ନେହ, ସରଳତା ଓ ତ୍ୟାଗର ସେ ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ତାଙ୍କର ତିରୋଧାନ ସମୟରେ ଦେଶର ବିଶିଷ୍ଟ ନେତାମାନଙ୍କ ତାଙ୍କ ପ୍ରତି ବିପୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମହାତ୍ମା ଗାନ୍ଧୀ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତି ବିଶେଷ ସମ୍ମାନ ପ୍ରଦର୍ଶନ କରୁଥିଲେ ଏବଂ ତାଙ୍କୁ ଓଡ଼ିଶାର ବରପୁତ୍ର ବୋଲି ସବୁବେଳେ ମନେ କରୁଥିଲେ । ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା ଲାଲା ଲାଜପତ୍ ରାୟ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ‘‘ମହାତ୍ମା ଗାନ୍ଧୀଙ୍କୁ ଛାଡ଼ିଦେଲେ ସେ ଏଭଳି ଅନ୍ୟ କୌଣସି ଭାରତୀୟ ନେତାଙ୍କ ସଂସ୍ପର୍ଶରେ ଆସିନାହାନ୍ତି, ଯାହାଙ୍କର ସରଳତା ଦରିଦ୍ରତମ ଲୋକଙ୍କର ହୃଦୟକୁ ସ୍ପର୍ଶ କରିପାରୁଥିଲା ।

ଉତ୍କଳମଣିଙ୍କ ତିରୋଧାନରେ ଏକ ବାର୍ତ୍ତା ଦେଇ ନେତାଜୀ ସୁଭାଷଚନ୍ଦ୍ର ବୋଷ କହିଥିଲେ—‘‘ସରଳ ଜୀବନଯାପନ ଓ ଉଚ୍ଚ ଚିନ୍ତା ଗୋପବନ୍ଧୁଙ୍କ ଜୀବନର ଆଦର୍ଶ ଥିଲା ।’’ ରେଭରେଣ୍ଡ ଆଣ୍ଡୃଜ କହିଥିଲେ—‘‘ପ୍ରକୃତି ଓ ଜୀବନଯାପନ ପ୍ରଣାଳୀ ଦୃଷ୍ଟିରୁ ସେ ଜଣେ ଅତି ସରଳ ବ୍ୟକ୍ତି ଥିଲେ । ଅନ୍ୟର ସାହଯ୍ୟ ଓ ସେବା କଲାବେଳେ ସେ ନିଜ ବିଷୟରେ ମୋଟେ ଭାବୁ ନଥିଲେ ।’’

ସେ ପ୍ରକୃତରେ ଜଣେ ମାନବିକତାବାଦୀ ଥିଲେ । ସେ ମନେ କରୁଥିଲେ ଯେ, ମାନବିକତାବାଦ ହେଉଛି ପ୍ରକୃଷ୍ଟ ଧର୍ମ । ଯେ ପର୍ଯ୍ୟନ୍ତ ଭାରତ ବଞ୍ଚି ରହିଛି, ସେ ପର୍ଯ୍ୟନ୍ତ ପଣ୍ଡିତ ଗୋପବନ୍ଧୁଙ୍କ ନାମ ରହିଥିବ ଏବଂ ବହୁ ଦେଶବାସୀଙ୍କୁ ସାଧାରଣ ଲୋକଙ୍କୁ ସେବା କରିବା ଦିଗରେ ପ୍ରେରଣା ଯୋଗାଉଥିବ ।’’

ଉପରାଷ୍ଟ୍ରପତି ଶ୍ରୀ ବି .ଡ଼ି. ଜତ୍ତିଙ୍କ ଅଭିଭାଷଣର ଉଦ୍ଧୃତାଂଶ;

ସବୁ ଦୃଷ୍ଟିରୁ ବିଚାର କଲେ ଦେଖାଯିବ ଯେ, ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱ ଥିଲା ଅଦ୍ୱିତୀୟ । ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରି ସୁଦ୍ଧା ସେ ଜାତିଭେଦକୁ ଘୃଣା କରୁଥିଲେ । ସେ ସାଧାରଣ ମଧ୍ୟବିତ୍ତ ପରିବାରର ସନ୍ତାନ ହୋଇଥିଲେ ସୁଦ୍ଧା ଦରିଦ୍ର ଜନତା ସହ ଜଣେ ସମ୍ବଳହୀନ ବ୍ୟକ୍ତି ପରି ରହୁଥିଲେ । ତାଙ୍କର ଯାହା କିଛି ସମ୍ବଳ ଥିଲା, ତାହା ସେ ଜନହିତରେ ହିଁ ଅର୍ପଣ କରିଥିଲେ । ନିର୍ଯ୍ୟାତିତ ଜନସାଧାରଣଙ୍କ ପାଇଁ ତାଙ୍କର ହୃଦୟ କାନ୍ଦୁଥିଲା । ଦେଶର ମୁକ୍ତି ସଂଗ୍ରାମରେ ସେ ଜଣେ ନିର୍ଭୀକ ଯୋଦ୍ଧାପରି ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧୀ ତାଙ୍କର ଭୂୟସୀ ପ୍ରଶଂସା କରୁଥିଲେ ।

ଗୋପବନ୍ଧୁ ଦେଶର ମୁକ୍ତି ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ସହ ଯେପରି ଘନିଷ୍ଠ ସହଯୋଗ କଲେ ଏବଂ ନିଜ ସମ୍ବାଦପତ୍ର ସମାଜରେ ଯେପରି ଲେଖାଲେଖି କଲେ ତା ଫଳରେ ତତ୍‍କାଳୀନ ବ୍ରିଟିଶ ସରକାର ତାଙ୍କୁ ଗିରଫ କରିଥିଲେ । ଜେଲରୁ ଖଲାସ ହୋଇ ସେ ଆନ୍ଦୋଳନରେ ଅଧିକ ଉତ୍ସାହରେ ଲାଗି ପଡ଼ିଥିଲେ । ସମାଜିକ ସେବାରେ ନିଜକୁ ନିୟୋଜିତ କରିଥିବା ଅବସ୍ଥାରେ ହିଁ ସେ ଟାଇଫଏଡ଼ ରୋଗରେ ୧୯୨୮ ମସିହାରେ ପ୍ରାଣ ହରାଇଲେ ।

ମହାତ୍ମାଗାନ୍ଧୀ କହିଥିଲେ, ‘‘ଦୁଃଖ ଓ ଅଶ୍ରୁଭରା ଓଡ଼ିଶାର ଗୋପବନ୍ଧୁ ଦାସ ଜଣେ ମହାନ୍‍ ସନ୍ତାନ ।’’ ଲାଲା ଲାଜପତ ରାୟଙ୍କ ଅନୁରୋଧରେ ଗୋପବନ୍ଧୁ ଲୋକସେବକମଣ୍ଡଳରେ ଯୋଗ ଦେଇଥିଲେ । ଲାଲଜୀ ତାଙ୍କୁ ‘‘ମନୁଷ୍ୟ ଭିତରେ ରାଜା’’ ବୋଲି ବର୍ଣ୍ଣନା କରିଥିଲେ । ଗୋପବନ୍ଧୁ ତାଙ୍କର ଦେହ, ତାଙ୍କର ସମ୍ପତ୍ତି, ତାଙ୍କ ପ୍ରତିଭା, ତାଙ୍କ ଶକ୍ତି ଓ ଆତ୍ମା, ସମସ୍ତ କିଛି ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରିଥିଲେ ।

ଗୋପବନ୍ଧୁଙ୍କ କାର୍ଯ୍ୟବ୍ୟସ୍ତତା ଦେଖି ଠକ୍‌କର ବାପା ଉଦ୍‍ବେଗ ପ୍ରକାଶ କରିଥିଲେ ଓ ଅତିରିକ୍ତ ପରିଶ୍ରମ ନ କରିବାକୁ ତାଙ୍କୁ ଉପଦେଶ ଦେଇଥିଲେ । ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ ରାୟ ତାଙ୍କୁ ‘‘ଉତ୍କଳମଣି’’ ବୋଲି ବର୍ଣ୍ଣନା କରିଥିଲେ । ଦୀନବନ୍ଧୁ ଆଣ୍ଡୃଜ ଥିଲେ ଗୋପବନ୍ଧୁଙ୍କର ଜଣେ ପରମ ବନ୍ଧୁ । ସେ କହିଥିଲେ ଯେ, ଗୋପବନ୍ଧୁ ଅତି ସରଳ ଓ ସ୍ନେହୀ ବ୍ୟକ୍ତି । ସେ ସର୍ବଦା ଅସୀମ ତ୍ୟାଗ ସ୍ୱୀକାର କରିବାକୁ ପ୍ରସ୍ତୁତ । ଈଶ୍ୱରଙ୍କ ପ୍ରତି ତାଙ୍କର ଗଭୀର ନିଷ୍ଠା ଏବଂ ତାଙ୍କର ସମସ୍ତ ଆଧ୍ୟାତ୍ମିକ ଶରୀରଧାରା ଏହି ଭଗବତ ବିଶ୍ୱାସର ଉତ୍ସରୁ ହିଁ ପ୍ରବାହିତ । ଭାରତର ଜନସାଧାରଙ୍କ କଲ୍ୟାଣ ଓ ସୁଖସମୃଦ୍ଧି ପାଇଁ ତ୍ୟାଗ ଓ ନିଃସ୍ୱାର୍ଥ ସେବାର ପଥୁକୀ ଗୋପବନ୍ଧୁଙ୍କ ଜୀବନାଦର୍ଶ ସେମାନଙ୍କୁ ବରାବର ପ୍ରେରଣା ଦେବ ଓ ପଥ ପ୍ରଦର୍ଶନ କରିବ-

 

ଲୋକସେବକ ମଣ୍ଡଳର ସଭାପତି

ଶ୍ରୀଯୁକ୍ତ ବିଶ୍ୱନାଥ ଦାଶଙ୍କ ଉଦ୍‍ବୋଧନ

(ସମାଜ, ତା ୭-୧୨-୭୬)

 

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଶତବାର୍ଷିକୀ ସମାରୋହ ପାଳନ ଉପଲକ୍ଷେ ଭାଷଣ ପ୍ରସଙ୍ଗରେ କହିଥିଲେ ଯେ, ‘‘ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ସେବା ଓ ତ୍ୟାଗପୂତ ଜାତିଗଠନ ଉଦ୍ୟମ ଜଡ଼ ନିସ୍ପନ୍ଦ ଓଡ଼ିଆ ଜାତିକୁ ଜାଗୃତି ପଥରେ ଅଗ୍ରସର କରାଇଥିଲା । ମହାତ୍ମା ଗାନ୍ଧୀଙ୍କ କାର୍ଯ୍ୟକ୍ରମର ଅଗ୍ରଦୂତ ରୂପେ ଗୋପବନ୍ଧୁ ଓଡ଼ିଶାରେ ଶୋଷଣମୁକ୍ତ ସମାଜବାଦୀ ସମାଜ ଗଠନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଗୋପବନ୍ଧୁ କେବଳ ଦାରିଦ୍ର୍ୟ ନିପୀଡ଼ିତ ଜନତାର ସେବାରେ ନିଜକୁ ଉତ୍ସର୍ଗ କରିନଥିଲେ । ଜାତୀୟ ଭାବରେ ଉଦ୍‍ବୁଦ୍ଧ ଏକ ବଳିଷ୍ଠ ଜାତି ଗଠନ ଲକ୍ଷ୍ୟରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରି ତାହାରି ମାଧ୍ୟମରେ ସମଗ୍ର ଭାରତ କାହିଁକି ସମସ୍ତ ବିଶ୍ୱପାଇଁ ଏକ ନୂତନ ଆଦର୍ଶର ସୂତ୍ରପାତ କରିଥିଲେ ।

 

ଭାରତରେ ଇଂରେଜ ଜାତିର ଅନୁରକ୍ତ ଏକ ଗୋଷ୍ଠୀ ଗଠନ କରିବା ପାଇଁ ମେକଲେ ଯେଉଁ ଶିକ୍ଷାପ୍ରଣାଳୀ ପ୍ରଚଳନ କରାଇଲେ ତାହା ଭାରତର ଜାତୀୟ ଚେତନାକୁ ସମୂଳେ ଧ୍ୱଂସ କରି ଶିକ୍ଷା, ସଂସ୍କୃତି କ୍ଷେତ୍ରରେ ଇଂରେଜଙ୍କର ପ୍ରବଳ ପ୍ରଭାବ ରହିବାର ଏକ ପ୍ରୟାସ ହୋଇଥିଲା । ଏହା ଉପଲବ୍‍ଧି କରି ଗୋପବନ୍ଧୁ ସର୍ବପ୍ରଥମେ ଓଡ଼ିଶାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ କାଳରେ ଏହା ସମସ୍ତ ଚିନ୍ତା ଚେତନାକୁ ଉଦ୍‍ବୁଦ୍ଧ କରିଥିଲା । କାଙ୍ଗ୍ରୀଠାରେ ଥିବା ମହାତ୍ମା ମୁନିସରାମଙ୍କ ଗୁରୁକୁଳ ବିଦ୍ୟାଭବନର ପ୍ରଭାବ ଏହା ଉପରେ ପଡ଼ିଥିଲେ ମଧ୍ୟ ସତ୍ୟବାଦୀ ବନବିଦ୍ୟାଳୟର ପ୍ରଭାବ ଗୁଜରାଟ ବିଦ୍ୟାପୀଠ ଉପରେ ପଡ଼ିଥିଲା ।

 

ସତ୍ୟବାଦୀ ବନବିଦ୍ୟାଳୟ ସେତେବେଳେ ଭାରତର ଏକ ଆଦର୍ଶ ବିଦ୍ୟାପୀଠ ଥିଲା । ସାର ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧକ୍ରମେ ତଦାନୀନ୍ତନ ଶିକ୍ଷା ବିଷୟକ ରୟାଲ କମିଟିର ଅଧ୍ୟକ୍ଷ ଶ୍ରୀ ସେଡ଼ାଲାର ବନବିଦ୍ୟାଳୟ ପରିଦର୍ଶନ କରି, ଏହା ନିଶ୍ଚିତ ଭାବରେ ଜାତି ଗଠନରେ ସହାୟକ ହେବ ବୋଲି ମତ ଦେଇଥିଲେ । ଏଥିପାଇଁ ଶାସକବର୍ଗଙ୍କର କ୍ରୂର ଦୃଷ୍ଟି ଏହା ଉପରେ ପଡ଼ିଥିଲା ।

 

ସଂପ୍ରତି ଭାରତର ବିଦ୍ୟାଳୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସଂଖ୍ୟା ବଢ଼ିଛି ଏବଂ ତା ସହିତ ଖର୍ଚ୍ଚ ମଧ୍ୟ ବିପୁଳ ପରିମାଣରେ ବଢ଼ିଯାଇଛି । ତା ସତ୍ତ୍ୱେ ଶିକ୍ଷା କ୍ଷେତ୍ରରେ ମେକଲେଙ୍କ ପ୍ରବର୍ତ୍ତିତ ଆଭିମୁଖ୍ୟ ଅପରିବର୍ତ୍ତିତ ରହିଛି । ଆମ ଅତୀତ ପରମ୍ପରା, ଆଭିମୁଖ୍ୟ ଓ ଆଦର୍ଶର ପରିପନ୍ଥୀ ଶିକ୍ଷା ପଦ୍ଧତିର ଅନୁଶୀଳନ ଯୋଗୁଁ ଏହା ଆମ ସମାଜର ଶେଷ ସ୍ତର ପର୍ଯ୍ୟନ୍ତ ଯାଇ ପାରୁନାହିଁ ।

 

ଜ୍ଞାନ, ବିଜ୍ଞାନ ତଥା ବୈଷୟିକ ବିକାଶ ଦିଗରେ ଆମର ପ୍ରାଚୀନ ପଦ୍ଧତି ରାମାୟଣ ଓ ମହାଭାରତାଦି ପୁରାଣ ଗ୍ରନ୍ଥମାନଙ୍କ ଛତ୍ରେ ଛତ୍ରେ ଲିପିବଦ୍ଧ ହୋଇଥିବା ସତ୍ତ୍ୱେ ପ୍ରକୃତ ଗବେଷଣା ଅଭାବରୁ ବାହାରେ ତାର ପରିଚୟରର ଅଭାବ ରହିଯାଇଛି । ଏଥିପ୍ରତି ଆମ ଚିନ୍ତାଶୀଳ ଲୋକେ ଧ୍ୟାନ ଦେବା ଉଚିତ । ଜାତୀୟ ଶିକ୍ଷା ତଥା ସଂସ୍କୃତିର ଉତ୍‍ଥାନ ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଗାନ୍ଧୀ, ଗୋପବନ୍ଧୁଙ୍କ ଆଦର୍ଶ ମାର୍ଗରେ ପରିଚାଳିତ ହେବାକୁ ଉଦ୍ୟମୀ ହେବା ଦରକାର ।

 

ସମାଜ ସମ୍ପାଦକ ଶ୍ରୀଯୁକ୍ତ ରାଧାନାଥ ରଥଙ୍କ ଉଦ୍‍ଭାଷଣ

(ସମାଜ, ତା ୭-୧୨ ଓ ୮-୧୨-୭୬)

 

ଗୋପବନ୍ଧୁ ଶତବାର୍ଷିକୀ ଉପଲକ୍ଷେ ଶିକ୍ଷା ସଂକ୍ରାନ୍ତ ଆଲୋଚନା ଚକ୍ର ଉଦ୍‍ଘାଟନ ଉତ୍ସବରେ କେନ୍ଦୁଝରଠାରେ କହିଥିଲେ, ‘‘ଆଜି ଆମ୍ଭେମାନେ ଗୋପବନ୍ଧୁଙ୍କ ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ । ଏତେବେଳେ ଆମର ଚିନ୍ତା କରିବାର କଥା, ପୁଣ୍ୟାତ୍ମା ଗୋପବନ୍ଧୁ ଥିଲାବେଳେ ଦେଶର ପରିସ୍ଥତି କ’ଣ ଥିଲା ଓ ଆଜିର ପରିସ୍ଥତି କିପରି ଅଛି । ତାଙ୍କ ଭଳି ତ୍ୟାଗୀ, ମନୀଷୀ, ଦେଶସେବକ ଓଡ଼ିଶାର ଶିକ୍ଷା, ଚାରିତ୍ର୍ୟ, ନୈତିକତାର ଉନ୍ନତି ଲାଗି ପ୍ରାଣପାତ କରିଯାଇଛନ୍ତି । ତାଙ୍କର ଏତେ ଉଦ୍ୟମ ପରେ ଆମ୍ଭେମାନେ ଆଜି କିପରି ଅବସ୍ଥାରେ ଅଛୁ, ଏହା ସମସ୍ତଙ୍କର ଆତ୍ମପରୀକ୍ଷା କରିବାର କଥା । ଆମ୍ଭେମାନେ ତାଙ୍କ ପଦାଙ୍କ ଅନୁସରଣ କରି ଚାଲିଛୁ ନା ତାକୁ ପୂରା ଭୁଲିଗଲୁଣି ? ତା ସଙ୍ଗେ ସଙ୍ଗେ ଆମର କାର୍ଯ୍ୟକଳାପ ଦ୍ୱାରା ଆମେ ଭବିଷ୍ୟତ ବଂଶଧରଙ୍କ ପାଇଁ କ’ଣ ଛାଡ଼ିଯାଇଛୁ ତା’ ମଧ୍ୟ ବିଚାର କରିବାର କଥା । ଚରିତ୍ରବତ୍ତା, ତ୍ୟାଗ, ସାଧୁତା, ମାନବ ପ୍ରୀତି, ସ୍ୱଦେଶୀ ପ୍ରୀତି, କର୍ତ୍ତବ୍ୟ ନିଷ୍ଠା ଆଦି ଯେଉଁ ସବୁ ଗୁଣ ଯୋଗୁଁ ଗୋପବନ୍ଧୁ ବଡ଼ ହୋଇଥିଲେ, ସେ ସବୁକୁ ଆମେ କେତେଦୂର ପାଳନ କରୁଛୁ ତାହା ପରୀକ୍ଷା କରି ଦେଖିବାର କଥା । ତାଙ୍କର ତ୍ୟାଗ ବଳରେ ଆଜି ଆମେ ଖାଲି ଭୋଗ କରୁଛୁ ନା ତାଙ୍କୁ ଅନୁସରଣ କରି ଭବିଷ୍ୟତ ବଂଶଧରଙ୍କ ପାଇଁ ଯୋଜନାବଦ୍ଧ ଭାବରେ କାଯ୍ୟ କରି ଯାଉଛୁ ? ଏହି ଶତବାର୍ଷିକୀ ଅବସରରେ ଯଦି ଆମେମାନେ ଏହି ବିଷୟରେ ଚିନ୍ତା କରି ଗୋପବନ୍ଧୁ କରି ଯାଇଥିବା କାର୍ଯ୍ୟର ପରିପୂରଣ ଲାଗି କାର୍ଯ୍ୟ କରିବୁ, ତେବେ ତାଙ୍କର ଯଥାର୍ଥ ଶତବାର୍ଷିକୀ ପାଳନ କରିଛୁ ବୋଲିବାକୁ ହେବ । ତା ନହେଲେ ଏ ଶତବାର୍ଷିକୀ କେବଳ କଥାରେ ରହିଯିବ ।

 

ପଣ୍ଡିତ ଗୋପବନ୍ଧୁ ପ୍ରକୃତରେ ଜଣେ ଶିକ୍ଷାବିତ୍‍ ଓ ଯଥାର୍ଥ ଶିକ୍ଷକ ଥିଲେ । ଶିକ୍ଷା ବିଷୟରେ ସେ ଯାହା ଓଡ଼ିଶା ପାଇଁ କରିଯାଇଛନ୍ତି, ତାହା ଆଜି ସ୍ମରଣୀୟ । କର୍ମାଭିମୁଖୀ ଶିକ୍ଷା ପ୍ରଚାର ଥିଲା ତାଙ୍କର ଧ୍ୟେୟ । ତେଣୁ ସେ ସର୍ବପ୍ରଥମେ ଓକିଲାତି ପାଶ୍ କରିବା ପରେ ତତ୍‍କାଳୀନ ଗଡ଼ଜାତ ନୀଳଗିରିରେ ଗୋଟିଏ ସ୍କୁଲ ପ୍ରତିଷ୍ଠା କରି ତାହାକୁ ଉଚ୍ଚ ଆଦର୍ଶରେ ପରିଚାଳିତ କରିଥିଲେ ଏବଂ ପରେ ସର୍ବଜନବିଦିତ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରି ଦେଶରେ ଶିକ୍ଷାର ଏକ ଉଚ୍ଚ ମାନ ଦର୍ଶଇ ଯାଇଛନ୍ତି । ସେଠାରେ ପିଲାମାନେ ପାଠ ପଢ଼ା ସଙ୍ଗେ ସଙ୍ଗେ କୃଷି, ବଢ଼େଇ କାମ, ହସ୍ତକର୍ମ କରି ରୋଜଗାର କରିଥିଲେ । ଆହୁରି ମଧ୍ୟ ପିଲାଙ୍କ ଭିତରେ କିପରି ସମାଜସେବା ମନୋଭାବ ସୃଷ୍ଟି ହେବ, ସେଥିପାଇଁ ଗ୍ରାମ ସଫେଇ, ପୁରୀ ରଥଯାତ୍ରାରେ କଲେରା ଓ ହଇଜା ରୋଗୀଙ୍କ ସେବା କରିବା ଓ ଔଷଧ ବାଣ୍ଟିବା ଆଦି କାର୍ଯ୍ୟ ସେ ସତ୍ୟବାଦୀର ତ୍ୟାଗୀ ଶିକ୍ଷକମାନଙ୍କ ନେତୃତ୍ୱରେ କରୁଥିଲେ । ତେଣୁ ଗୋପବନ୍ଧୁଙ୍କଦ୍ୱାରା ପ୍ରବର୍ତ୍ତିତ ଶିକ୍ଷା ଯୋଜନାରେ ବିଦ୍ୟାଧ୍ୟୟନ, ଶରୀରଶ୍ରମ କରି ଅର୍ଥୋପାର୍ଜନ ଏବଂ ନିଃସ୍ୱାର୍ଥ, ସମାଜସେବା ଏକାଧାରରେ ସମନ୍ୱିତ ହୋଇଥିଲା, ତାହାହିଁ ଯଥାର୍ଥ ଶିକ୍ଷାର ଆଦର୍ଶ ହେବା ଉଚିତ । କିନ୍ତୁ ତାଙ୍କ ପ୍ରଦର୍ଶିତ ପଥ ଆମେ ଗ୍ରହଣ କରିନାହୁଁ ।

 

ଶିକ୍ଷକମାନେ ନିଜର ଚରିତ୍ରବତ୍ତା ଉନ୍ନତି କରି ଆଜି ଛାତ୍ରମାନଙ୍କ ଆଗରେ ଆଦର୍ଶ ଉପସ୍ଥାପିତ ନ କରୁଥିବାରୁ ଛାତ୍ରମାନେ ବିପଥଗ୍ରାମୀ ହେଉଛନ୍ତି । ସେମାନେ ନିଜର ଚାରିତ୍ର୍ୟ, କର୍ତ୍ତବ୍ୟନିଷ୍ଠ ସେବା ମନୋବୃତ୍ତି ଏବଂ ସ୍ୱଦେଶ ପରାୟଣତା ଦେଖାଇପାରିଲେ, ତାହାରି ପ୍ରଭାବରେ ଛାତ୍ରମାନଙ୍କ ମଧ୍ୟରେ ପରିବର୍ତ୍ତନ ଆସିବ ଓ ଗୋପବନ୍ଧୁଙ୍କ ପରିକଳ୍ପିତ ସମାଜ ଚେତନାରେ ସେମାନେ ଅଂଶ ଗ୍ରହଣ କରିପାରିବେ ।

 

ପଶ୍ଚିମବଙ୍ଗ ଉତ୍କଳମଣି ଗୋପବନ୍ଧୁ ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରଥ ପୁଣି ଭାଷଣ ପ୍ରସଙ୍ଗରେ କହିଥିଲେ, ‘‘୧୯୦୫ରେ ଯେତେବେଳେ ବନ୍ଦେମାତରଂ ଆନ୍ଦୋଳନ ଆରମ୍ଭ ହେଲା, ଯେତେବେଳେ ଯୋଗୀ ଅରବିନ୍ଦଙ୍କ ନେତୃତ୍ୱରେ ବନ୍ଦେମାତରଂ ଆନ୍ଦୋଳନ ଚାଲିଲା, ଯେତେବେଳେ ସ୍ୱଦେଶୀ ଆନ୍ଦୋଳନ ଏବଂ ଅନୁଶୀଳନ ଓ ଯୁଗାନ୍ତର ଦଳଦ୍ୱାରା ଗୁପ୍ତ ଭାବରେ ବୈପ୍ଳବିକ କାର୍ଯ୍ୟକ୍ରମ ଚାଲିଲା, ସେତେବେଳେ ଭାରତବର୍ଷରେ ଯେଉଁମାନେ ଏହି ବୈପ୍ଳବିକ ଆନ୍ଦୋଳନରେ ଯୋଗ ଦେଇଥିଲେ, ସେମାନଙ୍କ ମଧ୍ୟରେ ଓଡ଼ିଶାର ସର୍ବପ୍ରଥମ ଥିଲେ ପଣ୍ଡିତ ଗୋପବନ୍ଧୁ । ୧୯୦୩ରେ ବି.ଏ ପାଶକରି ୧୯୦୪-୫ ବେଳକୁ ଯେତେବେଳେ ସେ କଲିକତାରେ ବି.ଏଲ ପଢ଼ୁଥିଲେ, ସେତେବେଳେ ଭୁବନେଶ୍ୱରରେ ଜଣେ ବଙ୍ଗାଳୀ ବିପ୍ଳବୀଙ୍କ ସହିତ ତାଙ୍କର ଘନିଷ୍ଠ ପରିଚୟ ହୋଇଥିଲା । ସେ ହେଉଛନ୍ତି ଶଶିଭୂଷଣ ରାୟ ଚୌଧୁରୀ । ସେ ଯୁଗାନ୍ତର ସଂଗଠନର ଜଣେ ବିପ୍ଳବୀ ଥିଲେ । ଶଶିବାବୁ କେତେଦିନ ସିଂହଭୂମିରେ ଆତ୍ମଗୋପନ କରିବା ପରେ ପୁରୀ ଓ ଭୁବନେଶ୍ୱରରେ ଆତ୍ମଗୋପନ କରି ଗୃହଶିକ୍ଷକରୂପେ କାର୍ଯ୍ୟ କରୁଥିଲେ । ସେତେବେଳେ ଶଶିବାବୁଙ୍କ ପ୍ରେରଣାରେ ଦଳେ ଯୁବକ ବିପ୍ଳବୀ ଭାବରେ ସେମାନଙ୍କ ସହିତ ଯୋଗ ଦେଇଥିଲେ । ସେ ଭିତରେ ମୁଖ୍ୟ ଥିଲେ ପଣ୍ଡିତ ଗୋପବନ୍ଧୁ । × × ×

 

× × × ଶ୍ରୀ ଚୈତନ୍ୟ ଦେବ ଓ ଅତିବଡ଼ି ଜଗନ୍ନାଥ ଦାସଙ୍କ ପ୍ରଭାବ ଗୋପବନ୍ଧୁ ଦାସଙ୍କ ଉପରେ ପିଳାବେଳୁ ପଡ଼ିଥିଲା ।

Image

 

Unknown

ଲୋକବନ୍ଧୁ-ଗୋପବନ୍ଧୁ

ଅମୃତ ସନ୍ତାନ

 

କୁଆଁ କୁଆଁ ଡାକରେ ଘର ଉଛୁଳି ଉଠିଲା । ସତେ ଯେପରି ସେଇ ନବାଗତ ଶିଶୁଟିର କୁଆଁ କୁଆଁ ଡାକ ଭିତରେ କହି ଉଠୁଥିଲା–ନୂଆ, ନୂ...ଆ ନୂଆ ଅତିଥି...ନୂଆ ଅତିଥି ।

 

ସ୍ୱର୍ଣ୍ଣମୟୀଙ୍କ କୋଳରେ ଗୋଟିଏ ସ୍ୱର୍ଣ୍ଣସୂର୍ଯ୍ୟ । ହସରେ ଉଛୁଳି ଉଠୁଛି ତାଙ୍କର କୋଳ ସିଂହାସନ, ନବ ସନ୍ତାନ ଆଜି ଜନ୍ମ ନେଇଛି । ମା’ର ହୃଦୟରେ ଆଶା ଉଦ୍ଦୀପନାର ଲହରୀ, ଜନନୀ ଜୀବନ ଆଜି ସାର୍ଥକ ହୋଇଛି ତାଙ୍କର । ସ୍ୱର୍ଣ୍ଣମୟୀ ଆଜି ସୌଭାଗ୍ୟମୟୀ ଜନନୀ ।

 

ଏ ସଂସାରରେ ସମସ୍ତେ ସନ୍ତାନ ପାଆନ୍ତି, କିନ୍ତୁ ‘ଅମୃତ ସନ୍ତାନ’ ମିଳେ କେତେ ଜଣଙ୍କୁ-? ସେ ସେଇ ଅମୃତ ସନ୍ତାନର ଜନନୀ ।

 

ନବଜାତକର ପିତା ଦୈତ୍ୟାରି ଦାଶ । ମନରେ ତାଙ୍କର ଗଭୀର ଉଲ୍ଲାସ । ସେ କ’ଣ ଜାଣିଥିଲେ ଯେ, ସେ ହୋଇଛନ୍ତି ଏପରି ଏକ ତେ ଜାମୟ ଦୀପ୍ତ ସୂର୍ଯ୍ୟର ପିତା, ଯେ କି ଜନ୍ମଭୂମିର ଦୁଃଖ ଅନ୍ଧକାର ତା’ର ମଣିଷ ପଣିଆର ଆଲୋକ ଦ୍ୱାରା ଦୂର କରି ଦେଇପାରିବ ! ଭାଗ୍ୟବାନ ସେ-। ଦେବତାପରି ଏକ ସନ୍ତାନକୁ ଜନ୍ମଦେଇ କିଏ ବା ସେ ସୌଭାଗ୍ୟରେ ଆତ୍ମହରା ନ ହେବ-!

 

ପୁରୀର ସୁଆଣ୍ଡୋ ଗ୍ରାମରେ ଆଜି ଶିଶୁଟିର ଜନ୍ମଉତ୍ସବ । ଭବିଷ୍ୟତର ଜଣେ ଯୋଗଜନ୍ମା ଯୋଗୀ ପୁରୁଷଙ୍କୁ ଜନ୍ମ ଦେଇ ସୁଆଣ୍ଡୋ ଗ୍ରାମ ଇତିହାସ ପୃଷ୍ଠାରେ ସ୍ଥାନ ପାଇବାକୁ ଯାଉଛି । ଗାଁ ଜାଣେନା, ତାର ଏଇ ନୂତନ ଅତିଥିଟିର ମାହାତ୍ମ୍ୟ କେତେ ! ସୁଆଣ୍ଡୋର ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ଜଣେ କର୍ମଯୋଗୀ ଯେ ଜନ୍ମ ନେଇଛନ୍ତି, ତାହା କେବଳ ‘ଭବିଷ୍ୟତ’ ଜାଣିଥିଲା; କିନ୍ତୁ ‘ବର୍ତ୍ତମାନ’ ଜାଣି ଥିଲା–ତା’ର ଶିଶୁହିଁ ଶିଶୁ ।

 

ଗାଁର କଡ଼େ କଡ଼େ ବହିଯାଉଛି ଭାର୍ଗବୀ ନଈ । ସେ ବି ଆଜି କମ୍ ଉତଲା ନୁହେଁ । ତା’ର ଜଳଦର୍ପଣରେ ସତେ ଯେପରି ଭବିଷ୍ୟତର ଏକ ମହାନ୍ ପୁରୁଷଙ୍କର ଦିବ୍ୟଜ୍ୟୋତି ଫୁଟିଉଠିଛି । ନାଚି ନାଚି ବହିଯାଉଛି ତା’ର ଲହରୀମାଳା । ଏତେ ଦିନକେ ସେ ପାଇଛି ଏକ ଜ୍ୟୋତିର୍ମୟ ଦେବଶିଶୁ, ଯେ କି ସେହି ତଟିନୀ ତଟରେ ହସି ହସି, ନାଚି ନାଚି, କୁଦି କୁଦି ତା’ର ବାଲ୍ୟଜୀବନକୁ ଉପଭୋଗ କରିବ । ବାଲିଶେଯରେ ଖେଳଘର ତୋଳିବ । ମିଛିମିଛିକା ଲୁଚୁଲୁଚାଣି ଖେଳିବ । ଖାଲି ସେତିକି ନୁହେଁ, ଭାର୍ଗବୀର ଶୀତଳ ଜଳଧାରରେ ସେ ତା’ର ଲବଣୀ ପିତୁଳା ତୁଲ୍ୟ କୋମଳ ଶରୀରଟିକୁ ପଖାଳିଦେବ । ଦେବଶିଶୁର ସ୍ପର୍ଶରେ ଭାର୍ଗବୀ ହେବ ପବିତ୍ର...ପୁଣ୍ୟତୋୟା ।

 

ଅକ୍ଟୋବର ମାସ ନଅ ତାରିଖ ।

 

ଠିକ୍ ଶହେ ବର୍ଷ ତଳେ ୧୮୭୭ ମସିହାରେ ଏହି ମହାପୁରୁଷଙ୍କର ଜନ୍ମ । ଅନେକ ତାରିଖ ସମୟ ସ୍ରୋତରେ ଆସେ ଆଉ ଚାଲିଯାଏ; କିନ୍ତୁ ଏପରି ଗୋଟିଏ ଗୋଟିଏ ତାରିଖ ଆସେ, ଯାହାର ସ୍ମୃତିକୁ ସମସ୍ତେ ସାଇତି ରଖନ୍ତି । ସେ ଦିନଟି ହୋଇଯାଏ ବହୁଜୀବନ, ବହୁଯୁଗର ସ୍ମରଣୀୟ ଦିନ । ‘ବର୍ତ୍ତମାନ’ ତା’କୁ ଭୁଲିପାରେନା, ‘ଅତୀତ’ ତାର ସ୍ମୃତି ପୋଛିଦେଇ ପାରେନା, କିମ୍ୱା ‘ଭବିଷ୍ୟତ’ ବାଟବଣା ହୋଇ ସେ ଦିନଠୁ ଦୂରକୁ ଘୁଞ୍ଚିଯାଏନା । ସେଇଦିନ ପାଖରେ ସମୟ ଅଟକିଯାଏ ନି ସତ, କିନ୍ତୁ ତା’ର ପଦଚିହ୍ନକୁ ଆହୁରି ଗଭୀର ଭାବରେ ଆଙ୍କି ଦେଇଯାଏ । ବହୁ ଅକ୍ଟୋବର ଆସିଛି ତା’ର ତାରିଖ ବନ୍ଧୁମାନଙ୍କୁ ନେଇ । କିନ୍ତୁ ଓଡ଼ିଶାର ଇତିହାସରେ ଅଠର ଶହ ସତସ୍ତରୀ ମସିହା ଅକ୍ଟୋବର ନଅ ତାରିଖର ମହତ୍ତ୍ୱ ସବୁଠ ବେଶି । ସେଇଦିନଟି ହେଇଛି ଏଇ ଦେବଶିଶୁ ଉତ୍କଳର କୃତିସନ୍ତାନ ଉତ୍କଳମଣି ଗୋପବନ୍ଧୁଙ୍କର ଜନ୍ମଦିବସ ।

 

ଗୋପବନ୍ଧୁ ସତରେ ଥିଲେ ଉତ୍କଳ ଜନନୀର ମୁକୁଟମଣି, କୋଟିଏ ସନ୍ତାନଗହଣରେ ଗୋଟିଏ ଅଖଣ୍ଡ ଜ୍ୟୋତି । ସେ ଜ୍ୟୋତିର ଶରୀର ସତ୍ତା କେଉଁଦିନୁ ଲିଭିଗଲେ ବି ତା’ର ପ୍ରାଣସତ୍ତା ଅମର ହୋଇ ରହିଛି । ତାହା ମରିନାହିଁ, ମରିବ ନାହିଁ କିମ୍ବା ମରିପାରିବ ନାହିଁ । ଯାହା ସତ୍ୟ ଶାଶ୍ୱତ, ତାର ମୃତ୍ୟୁ ନାହିଁ । ଯୁଗ ଯୁଗର ସେ ଅଲିଭା ବର୍ତ୍ତିକା–ଅମ୍ଳାନ ଜ୍ୟୋତି ବିକୀରଣ କରି ସେଇପରି ଜଳି ରହିଥିବ ।

 

ଗୋପବନ୍ଧୁଙ୍କ ନାମକରଣ ପଛରେ ତାଙ୍କ ନାମର ସାର୍ଥକତା ଲୁଚିରହିଛି । ଶ୍ରୀକୃଷ୍ଣ ଥିଲେ ପ୍ରକୃତରେ ଗୋପର ବନ୍ଧୁ, ଗୋପପ୍ରାଣ ଓ ଗୋପୀପ୍ରାଣୀ । ସେ ମହାଭାରତ ଯୁଦ୍ଧର ମଧ୍ୟ ସୁତ୍ରଧର ଥିଲେ । ସେ ଯୁଦ୍ଧ ଥିଲା ନୀତି ଅନୀତିର ଯୁଦ୍ଧ, ସାମ୍ରାଜ୍ୟବାଦ ଓ ସାମ୍ୟବାଦର ଯୁଦ୍ଧ, ସ୍ୱେଚ୍ଛାଚାରୀ ଓ ଗଣତନ୍ତ୍ରୀର ଯୁଦ୍ଧ । ଏଥିରେ କୃଷ୍ଣଙ୍କର ଭୂମିକା ଚିରଉଜ୍ଜ୍ୱଳମୟ । ଏ ଯୁଦ୍ଧରେ ଧର୍ମ ଓ ନୀତିର ବିଜୟ ହୋଇଛି ।

 

ଗୋପବନ୍ଧୁ ଥିଲେ ଉତ୍କଳ-ଗୋପର ମହାନ୍ ପୁରୁଷ । ସେ ତାଙ୍କର କରୁଣା କଣିକା ଦେଇ ଏ ମାଟିର ଅସରନ୍ତି ସନ୍ତାନଙ୍କୁ ଦୁଃଖତାପରୁ ରକ୍ଷା କରିଥିଲେ । ସତ୍ୟବାଦୀର ବକୁଳବନ ତାଙ୍କର ଥିଲା ଧର୍ମକ୍ଷେତ୍ର—କୁରୁକ୍ଷେତ୍ର । ଓଡ଼ିଶାର ମହାନ ରଥୀମାନଙ୍କୁ ସେ ଏଇଠାରେ ବନ୍ଧୁ ରୂପେ ଗ୍ରହଣ କରି ବିଦେଶୀ ସରକାରଙ୍କ ଅନ୍ୟାୟ ବିରୁଦ୍ଧରେ ନୈତିକ ଯୁଦ୍ଧର ସୂତ୍ରପାତ କରିଥିଲେ-। ତାଙ୍କର ପ୍ରତ୍ୟେକ ଛାତ୍ରୀ ଥିଲେ ସତେ ଯେପରି ପାଣ୍ଡବସେନା । ସଂଘର୍ଷମୟ ଜୀବନ ଯୁଦ୍ଧରେ ସେ ସେମାନଙ୍କୁ ତାଲିମ ଦେଉଥିଲେ ତ୍ୟାଗପୂତ ମହାନ୍ ଜୀବନର ଅଧିକାରୀ ହେବାକୁ । ଗୋପବନ୍ଧୁ ଯଥାର୍ଥରେ ଥିଲେ ଲୋକବନ୍ଧୁ.....ଗୋପବନ୍ଧୁ ।

 

ପିଲାପରି ପିଲାଟିଏ

 

ଗୋପବନ୍ଧୁଙ୍କର ବାଲ୍ୟଜୀବନରୁ ଆରମ୍ଭ କରି ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କଲେ ଜଣାଯାଏ ଯେ, ତାଙ୍କର ଜୀବନ କେବଳ ସମୟସ୍ରୋତ ମଧ୍ୟରେ ସୀମିତ ନଥିଲା । ତା’ ଭିତରେ ଥିଲା, ଅସୀମ ସାଧନା, କର୍ତ୍ତବ୍ୟନିଷ୍ଠା ଓ କର୍ମପ୍ରତି ଆତ୍ମସମର୍ପଣ ଭାବ ।

 

ମଞ୍ଜିର ଗୁଣରେ ବୃକ୍ଷମାଟିରୁ ଅମୃତ୍ ବା ବିଷ ପାନ କରି ନିଜକୁ ଗଢ଼ିଥାଏ । ଏ ସଂସାରରେ ଭଲମନ୍ଦ, ପାପପୁଣ୍ୟ, ନୀତିଅନୀତି, ଆଲୋକ ଅନ୍ଧକାର ସବୁ ଭରିରହିଛି । ବ୍ୟକ୍ତି ନିଜର ସାମର୍ଥ୍ୟ ଭିତରେ ଏଥିରୁ ଯାହା ଆହରଣ କରିନେଇ ପାରିବ; ତାହାହିଁ ହେବ ତା’ର ନିଜସ୍ୱ । ଏଥିରେ କାହାକୁ ଦୋଷ ଦେବାର କିଛି ନାହିଁ, ଲିମ୍ବଗଛ ପିତା ହେଲା ବୋଲି ମାଟିକୁ ନିନ୍ଦା କରାଯାଇ ପାରିବ ନାହିଁ, କିମ୍ବା କଦଳୀ ଅମୃତମୟ ହେଲା ବୋଲି ମାଟିକୁ ପ୍ରଶଂସା କରାଯାଇ ପାରିବ ନାହିଁ । ମଞ୍ଜି ଯାହା ଗ୍ରହଣ କରେ ଗଛ ତାହାହିଁ ହୁଏ । ଗୋପବନ୍ଧୁଙ୍କ କ୍ଷେତ୍ରରେ ଠିକ୍ ସେଇ କଥାହିଁ ଘଟିଛି ।

 

ମହାନ ପୁରୁଷମାନଙ୍କ ଜୀବନ ବିପଦର ରୋଷାଗ୍ନିରେ ଜଳିଜଳି ଶୁଦ୍ଧ ସୁବର୍ଣ୍ଣ ପରି ଦୀପ୍ତିମୟ ହୁଏ । ଗୋପବନ୍ଧୁଙ୍କ ଜୀବନ ସେ ନିୟମର ବ୍ୟତିକ୍ରମ ହୋଇଥାନ୍ତା କିପରି ?

 

ସ୍ୱର୍ଣ୍ଣମୟୀ ତାଙ୍କର ପ୍ରାଣାଧିକ ସନ୍ତାନଟିକୁ ଭାଗ୍ୟର ନିଷ୍ଠୁର ବେଳା ଭୂମିରେ ଛାଡ଼ିଦେଇ ଅସମୟରେ ଚିରବିଦାୟ ନେଇଥିଲେ । ସେ ହେଲେ ମାତୃହରା । ମାତୃହରା ସନ୍ତାନର ସଂସାର ଜ୍ୱାଳାମୟ । ତାଙ୍କପରି ଏକ କଅଁଳ କଳିକାରଜୀବନ ଜାତକରେ ସବୁଠାରେ ବଳି ଏହାହେଲା ଭାଗ୍ୟର ପ୍ରଥମ ପ୍ରଚଣ୍ଡ ଆଘାତ । ଶିଶୁ କ’ଣ କୌଣସି ଅଭିଶାପର ଅର୍ଥ ବୁଝେ, ନା କୌଣସି ଆଘାତର ହିସାବ ରଖେ ! ତା’ର ସରଳ ତରଳ ନିଷ୍କପଟ ହୃଦୟରେ ସରଳତାର ଗଙ୍ଗା ଛଳଛଳ । ସବୁରି ଭିତରେ ନିଜକୁ ଏକୀଭୂତ କରିଦେବାର ଶକ୍ତି ଅବୋଧ ଶିଶୁଠାରେ ଅଧିକ ।

 

ମାତୃବିୟୋଗ ପରେ ଅବଶ୍ୟ ସେ ପିତାଙ୍କ ଦ୍ୱାରା ଅବିହେଳିତ ହୋଇ ନଥିଲେ । ମାତୃସମା ଖୁଡ଼ୀ ଏ ଶିଶୁଟିକୁ କୋଳକୁ ଟେକି ନେଇଥିଲେ ନିଜର କରି । ତାଙ୍କରି ସ୍ନେହମୟ ଲାଳନପାଳନ ଭିତରେ ସେ ମାତୃତ୍ୱର ସ୍ପର୍ଶ ପାଇଥିଲେ ।

 

ଫୁଲଟି ଫୁଟିଲା, ତା’ର ବାସ ଚହଟାଇ, ସୌନ୍ଦର୍ଯ୍ୟ ଉକୁଟାଇ ସଂସାରକୁ ମୁଗଧ କଲା । ପିତା ଦୈତ୍ୟାରି ଦାଶ ଏଇ ମାତୃହରା ସନ୍ତାନଟିକୁ ଗଭୀର ଯତ୍ନର ସହ ପାଳନ କଲେ ମଧ୍ୟ, ବାପ ମା ହୋଇ ପାରେନା, ଖୁଡ଼ୀ ଜନନୀ ହୋଇପାରେନା, କିଛି ଅପୂର୍ଣ୍ଣ ରହିଯାଏ । ଗୋପବନ୍ଧୁଙ୍କ ଜୀବନରେ ସେଇ ଅପୂର୍ଣ୍ଣତା ବୋଧହୁଏ ପୂର୍ଣ୍ଣତାର ପାଥେୟ ଥିଲା । ଈଶ୍ୱରଙ୍କର ଅଭିଶାପ ଆଳରେ ଏହା ଥିଲା ଆଶୀର୍ବାଦର ସୁରଧୁନି । ମା’ଙ୍କୁ ହରାଇବା ଭିତରେ ସେ ମାତୃତ୍ୱର ଅଭାବ ଅନୁଭବ କରିବାପାଇଁ ସମର୍ଥ ହୋଇଥିଲେ । ସେଇଥିପାଇଁ ତା’ଙ୍କ ହୃଦୟ କନ୍ଦରରେ ବୋଧହୁଏ ମାତୃତ୍ୱର ମନ୍ଦାକିନୀ ପ୍ରବାହିତ ହୋଇଥିଲା । ସେ ମର୍ମେ ମର୍ମେ ଅନୁଭବ କରିଥିଲେ ପ୍ରକୃତରେ ଦୁଃଖଯାତନା କ’ଣ ଓ ତେଣୁ ପରଦୁଃଖରେ ତାଙ୍କର ପ୍ରାଣ ବିଗଳିତ ହେଉଥିଲା । ହରାଇବା ଭିତରେ ପାଇବାର କି ଶୁଭାଶିଷ ।

 

ଗ୍ରାମ୍ୟ ବିଦ୍ୟାଳୟ ଥିଲା ତାଙ୍କ ବାଲ୍ୟଜୀବନର ଶିକ୍ଷାସ୍ଥଳୀ । ସେଠାରେ ଶିକ୍ଷକମାନଙ୍କର ପ୍ରଭାବ ତାଙ୍କ ଉପରେ ଗଭୀର ଭାବରେ ପଡ଼ିଥିଲା । ସେ ସ୍ୱାଭାବିକ ଭାବରେ ଥିଲେ ଗମ୍ଭୀର, ହାସ୍ୟମୟ ଓ ଶ୍ରଦ୍ଧାଶୀଳ । ଅନେକ ସମୟରେ ପ୍ରକୃତିର ନିର୍ଜନତା ମଧ୍ୟରୁ ସେ ଅଧିକ ଆନନ୍ଦ ଅନୁଭବ କରୁଥିଲେ; କିନ୍ତୁ ଲୋକଚରିତ୍ର ଅଧ୍ୟୟନ କରିବା ଓ ଲୋକଜୀବନ ସହିତ ନିଜକୁ ମିଶାଇଦେବାର ଆଗ୍ରହ ତାଙ୍କଠାରେ ଥିଲା ଅଧିକ । ତାଙ୍କର ଜୀବନ ଥିଲା ସମାଜମୁଖୀ ।

 

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ସେ ବିଭୋର ହେଉଥିଲେ, ସତେ ଯେପରି ତାଙ୍କର ଆତ୍ମା ମାତୃତ୍ୱର ମଧୁସ୍ପର୍ଶ ଏଇ ପ୍ରକୃତି ଭିତରୁ ପାଉଥିଲା । ପ୍ରକୃତିହିଁ ଥିଲା ତାଙ୍କର ମା, ଗୁରୁ ଏବଂ ପଥପ୍ରଦର୍ଶକ । ତାଙ୍କର ଶିଶୁ ପ୍ରକୃତି ଭିତରେ କବିସୁଲଭ ଜିଜ୍ଞାସା, ଦାର୍ଶନିକତା, ସୌନ୍ଦର୍ଯ୍ୟ ଲୋଲୁପତା, ଶାନ୍ତି, ସରଳତା ଓ ସ୍ନିଗଧତା ବିରାଜିତ ଥିଲା । ଯାହାର ପ୍ରାଣ ଯେତେ ପ୍ରକୃତିଗତ, ସେ ସେତେ ପରିମାଣରେ ସରଳ, ସ୍ନେହଶୀଳ ଓ ସୃଜନକ୍ଷମ ।

 

ଗ୍ରାମ୍ୟ ବିଦ୍ୟାଳୟର ଶିକ୍ଷା ସମାପ୍ତ କଲାପରେ ପିତା ଦୈତ୍ୟାରି ଦାଶ ଉଚ୍ଚଶିକ୍ଷା ନିମିତ୍ତ ପୁତ୍ରକୁ ପୁରୀଜିଲ୍ଲା ସ୍କୁଲକୁ ପଠାଇଥିଲେ । ସେତେବେଳେ ଆଖପାଖରେ କୌଣସି ଉଚ୍ଚ ବିଦ୍ୟାଳୟ ନ ଥିଲା । ପୁରୀଜିଲ୍ଲା ସ୍କୁଲର ସେତେବେଳେ ଯଥେଷ୍ଟ ସୁନାମ ଥିଲା । ଭକ୍ତକବି ମଧୁସୂଦନଙ୍କପରି ବହୁ ଖ୍ୟାତନାମା ବ୍ୟକ୍ତି ଏଠାରେ ଶିକ୍ଷକତା କରୁଥିଲେ । ନିଜ ଆଦର୍ଶରେ ସେମାନେ ବହୁ କୃତୀ ଛାତ୍ରଙ୍କୁ ଗଢ଼ୁଥିଲେ । ସେହି ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ମିଳିଲା ଗୋପବନ୍ଧୁଙ୍କୁ ।

 

ତୁଳସୀ ଦୁଇପତ୍ରରୁ ବାସେ ।

 

ସେ ଛାତ୍ରାବସ୍ଥାରେ ତାଙ୍କ ଭବିଷ୍ୟତ ଜୀବନର ସୂଚନା ଦେଇଥିଲେ ନିଜର କର୍ମ ଓ ଉଚ୍ଚ ଚିନ୍ତାଧାରା ମାଧ୍ୟମରେ । ଜଣେ ରକ୍ଷଣଶୀଳ ହିନ୍ଦୁ ବ୍ରାହ୍ମଣ ପରିବାରର ସନ୍ତାନ ହେଲେ ମଧ୍ୟ ତାଙ୍କ ଭିତରେ ମାନସିକ ସଂକୀର୍ଣ୍ଣତା ନ ଥିଲା । ତତ୍କାଳୀନ କୁସଂସ୍କାରଗ୍ରସ୍ତ ସମାଜର ପ୍ରଭାବ ତାଙ୍କ ଉପରେ ପଡ଼ିନଥିଲା । ଛାତ୍ର ଅବସ୍ଥାରୁ ସେ ଥିଲେ ସମ୍ପୂର୍ଣ୍ଣ ଭାବରେ ସଂସ୍କାରବାଦୀ ଓ ସେବାଶୀଳ । ନିର୍ଭୀକ ଭାବରେ ମତ ବ୍ୟକ୍ତ କରିବାକୁ ସେ ପଛଉ ନଥିଲେ । ସଭାସମତିରେ ତାଙ୍କର ମୌଳିକ ଚିନ୍ତାଧାରା ସୂଚନା ମିଳୁଥିଲା ।

 

ଛାତ୍ର ଅବସ୍ଥାରେ ସେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ସେବାମୂଳକ ଗଠନାତ୍ମକ କାର୍ଯ୍ୟରେ ସର୍ବଦା ଲିପ୍ତ ରହୁଥିଲେ । ଛାତ୍ରବନ୍ଧୁମାନଙ୍କୁ ନେଇ ସେ ଏକ ସେବାଦଳ ଗଠନ କରିଥିଲେ । ସେମାନେ ପୁରୀର ରଥଯାତ୍ରା ସମୟରେ ଯାତ୍ରୀମାନଙ୍କ ଗହଣରେ ବୁଲିବୁଲି ସୁବିଧା ଅସୁବିଧା ବଝୁଥିଲେ । ରୋଗୀ, ଅସମର୍ଥ ଓ ବିପଦଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବା ତାଙ୍କ ସେବା ବାହିନୀର କର୍ତ୍ତବ୍ୟ ଥିଲା ।

 

୧୮୯୯ ସାଲରେ ସେ ଏନଟ୍ରାନ୍‍ସ ପରୀକ୍ଷାରେ ସଫଳତା ହାସଲ କରିଥିଲେ । ସେତେବେଳେ ପିଲାମାନେ ଆଜିର ପିଲାମାନଙ୍କ ପରି ବୋର୍ଡ଼ ଅଧୀନରେ ପରୀକ୍ଷା ଦେଉନଥିଲେ-। ପ୍ରବେଶିକା ପରୀକ୍ଷାଠାରୁ ଆରମ୍ଭକରି ଅନ୍ୟାନ୍ୟ ସମସ୍ତ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ହେଉଥିଲା । ଆଜି ସିନା ଓଡ଼ିଶାରେ ଚାରି ଚାରିଟା ବିଶ୍ୱବିଦ୍ୟାଳୟ ଓ ଚାରି ଚାରିଟା ଆଇନ କଲେଜ; କିନ୍ତୁ ସେତେବେଳେ ଓଡ଼ିଶାରେ ଗୋଟିଏ ବି ବିଶ୍ୱବିଦ୍ୟାଳୟ ନଥିଲା । ଏଇ କେତେଟା ଦିନ ଭିତରେ କି ବିରାଟ ପରିବର୍ତ୍ତନ ! ଗୋପବନ୍ଧୁ ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ । ତା’ପରେ ରେଭେନସା ମହାବିଦ୍ୟାଳୟରେ ପଡ଼ି ୧୯୦୪ ମସିହାରେ ବି.ଏ. ପାସ୍‍ କଲେ । ସେତେବେଳେ ଓଡ଼ିଶାରେ ଆଇନ କଲେଜ ନ ଥାଏ । ଓକିଲାତି ପଢ଼ିବା ପାଇଁ ତାଙ୍କୁ କଲିକତା ଯିବାକୁ ପଡ଼ିଥିଲା ।

 

ଏହି ସମୟ ଭିତରେ ତାଙ୍କୁ ଏକ କୋଳାହଳମୟ କର୍ମବହୁଳ ଜୀବନଯାପନ କରିବାକୁ ପଡ଼ିଥିଲା । ସେ ଛାତ୍ର ଥିଲେ ସତ; କିନ୍ତୁ ବିରାଟ ସଂସାରର ବୋଝ ତାଙ୍କ ମୁଣ୍ଡ ଉପରେ ଥିଲା । ତା ବ୍ୟତୀତ ବିଭିନ୍ନ ଛାତ୍ର ସଂଗଠନ, ସଭା ସମିତି, ସାଂସ୍କୃତିକ ଅନୁଷ୍ଠାନ ଓ ରାଜନୈତିକ କାର୍ଯ୍ୟାବଳୀ ସହିତ ନିଜକୁ ଓତପ୍ରୋତ ଭାବରେ ଜଡ଼ାଇ ରଖିଥିଲେ । ଏସବୁ ଭିତରେ ଜାତୀୟ ଜୀବନର ଉନ୍ନତି, ସାହିତ୍ୟର ଉନ୍ନତି, ସାମାଜିକ ସଂସ୍କାର ଓ ସେବା ତାଙ୍କର ଜୀବନର ପରମବ୍ରତ ଥିଲା ।

 

Unknown

ଅସଂସାରୀର ସଂସାର

 

ସେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଯେଉଁ କର୍ମମୟ ଜୀବନ ଆରମ୍ଭ ହେଲା, ପାରିବାରିକ ଜୀବନ ସେ ପଥରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥିଲା । ମା’ଙ୍କ ବିୟୋଗ ପରେ ତାଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନର ସୂତ୍ରପାତ ହୋଇଥିଲା । ପିତା ଦୈତ୍ୟାରି ଦାଶ ସ୍ତ୍ରୀଙ୍କର ବିୟୋଗ ପରେ ଅତ୍ୟନ୍ତ ବିଚଳିତ ହୋଇ ପଡ଼ିଥିଲେ । ସେ ଭାବୁଥିଲେ ଏ ସଂସାରରେ ତାଙ୍କର ରହଣି ବା କେତେ ଦିନ, ସେଇଥିପାଇଁ ସେ ନୈତିକ କର୍ତ୍ତବ୍ୟ ତୁଲାଇବା ନିମିତ୍ତ ବ୍ୟାକୁଳ ହୋଇଥିଲେ ।

 

ସେ ଅତି ଅଳ୍ପବୟସରେ ତାଙ୍କ ଶିଶୁ ପୁତ୍ରର ବିବାହ ପାଇଁ ବ୍ୟବସ୍ଥା କଲେ । ହୁଏତ ଆଜି ଶୁଣିଲା ବେଳକୁ ଏହା ଗପପରି ଜଣାପଡ଼ିଛି, କିନ୍ତୁ ସେତେବେଳେ ବାଲ୍ୟବିବାହ ହିନ୍ଦୁପରିବାରର ସାମାଜିକ ପ୍ରଥା ଥିଲା । ମାତ୍ର ବାରବର୍ଷ ବୟସରେ ଧୂଳିଖେଳରତା ଏକ ଅଜ୍ଞାନ ବାଳିକା ସହିତ ତାଙ୍କର ବିବାହ ହୋଇଥିଲା । ବାଳିକା ବଧୂଟିର ନାମ ଥିଲା ମୋତି । ପ୍ରକୃତରେ ମୋତି ମୋତିଟିଏ ଥିଲା । ରୁପ, ଗୁଣ, ଚଳଣି କେଉଁଥିରେ ମୋତି ନାଁଟି ମଳିନ ହୋଇନଥିଲା ।

 

ଏନଟ୍ରାନ୍‍ସ ପାସକଲା ବେଳକୁ ତାଙ୍କର ବୟସ ପ୍ରାୟ ବାଇଶ ବର୍ଷ ଓ ସେ ଏଥିଭିତରେ ଦୁଇଟି କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନର ଜନକତ୍ୱ ଲାଭକରି ସାରିଥିଲେ । ରେଭେନ୍‌ସା କଲେଜରେ ପ୍ରବେଶ କଲାବେଳକୁ ସେ ଏକ ପକକା ସଂସାରୀ ବ୍ୟକ୍ତି । କିନ୍ତୁ ଅନ୍ୟ ଗୋଟିଏ ଦୃଷ୍ଟିରୁ ବିଚାର କଲେ ପୂରା ଅସଂସାରୀ । ତାଙ୍କଠାରେ ସାଂସାରିକ ଜ୍ଞାନ ଯଥେଷ୍ଟ କମ୍ ଥିଲା । ସେ ସଂସାରର ହାନିଲାଭ ଭଲମନ୍ଦ ବିଷୟରେ ନିଜକୁ ବ୍ୟସ୍ତ ରଖି ପାରୁନଥିଲେ । ଏ ସଂସାର ଭିତରେ ଥାଇ ମଧ୍ୟ ସେ ଥିଲେ ଅନ୍ୟ ଏକ ସଂସାରର ବ୍ୟକ୍ତି ।

 

ଅଶାନ୍ତ ସମୁଦ୍ରରେ ଗୋଟିକ ପରେ ଗୋଟିଏ ଲହରୀ ମାଡ଼ିଆସି ବେଳା ବୁକୁରେ ଲୀନ ହୋଇଯାଏ । ଲହରୀ ପରେ ଲହରୀର ସୃଷ୍ଟି । ସମୁଦ୍ର ଥାଏ କୂଳରେ ଅଶାନ୍ତ ଭିତରେ ଥାଏ ଗଭୀର ପ୍ରଶାନ୍ତି । ଗୋପବନ୍ଧୁଙ୍କ ଜୀବନ ସମୃଦ୍ରରେ ବିପଦ ତରଙ୍ଗର ବିଶ୍ରାମ ନାହିଁ । ଗୋଟିକ ପରେ ଗୋଟିଏ ମାଡ଼ିଆସିଛି ଭୟଙ୍କର ଗର୍ଜ୍ଜନ କରି । ତଥାପି ସେ ଅବିଚଳିତ ।

 

କଲେଜରେ ପ୍ରବେଶ କରିବା ଅବସ୍ଥାରେ ତାଙ୍କର ପିତା ଇହ ସଂସାରରୁ ଚିରବିଦାୟ ନେଲେ । ଏହା ଥିଲା ଗୋପବନ୍ଧୁଙ୍କ ଜୀବନ ପାଇଁ ଆଉ ଏକ ମସ୍ତବଡ଼ ଧକକା । ମାତୃବିୟୋଗ ପରେ ପିତୃବିୟୋଗ ତାଙ୍କର ଜୀବନ ସ୍ଥିତିକୁ ଚହଲାଇ ଦେଇଥିଲା । ଗଭୀର ମର୍ମଦାହ ଭିତରେ ତଥାପି ସେ ସାଧନାପଥରୁ ବିଚଳିତ ହେଲେ ନାହିଁ । ପୁଣି ଆଗେଇ ଚାରିଲେ ନିଜ ପଥରେ । ପିତୃମାତୃହୀନ ଜୀବନ, ଗାଁରେ ତରୁଣୀ ଭାର୍ଯ୍ୟା ଓ ଶିଶୁ ସନ୍ତାନଗୁଡ଼ିଙ୍କୁ ଛାଡ଼ିଦେଇ ସେ ତାଙ୍କର ସାଧନାପଥରେ ଆଗେଇ ଚାଲିଲେ । ପୁଣି ସେଇ ପାଠପଢ଼ା, ଜନସେବା, ସମାଜସଂସ୍କାର–ସବୁକାମ ଏକସଙ୍ଗେ ଚାଲିଲା ।

 

ରେଭେନସା କଲେଜରେ ପଢ଼ୁଥିବା ସମୟରେ ସେ ତାଙ୍କର ବନ୍ଧୁ ବ୍ରଜସୁନ୍ଦର ଦାସଙ୍କ ସାହାଯ୍ୟରେ ‘‘Central Young Utkal Association’’ କେନ୍ଦ୍ର ଯୁବ ଉତ୍କଳ ସଂଗଠନ) ଗଢ଼ିଥିଲେ । ରେଭେନ୍‍ସା କଲେଜର ତତ୍‍କାଳୀନ ଅଧ୍ୟକ୍ଷ ଏହି ସଂଗଠନର ସଭାପତି ଥିଲେ ଓ ଗୋପବନ୍ଧୁ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ଓ ଗୋପବନ୍ଧୁ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ । ଏହାର ସେବାମୂଳକ କାର୍ଯ୍ୟ ଏତେ ଲୋକପ୍ରିୟ ହୋଇଉଠିଥିଲା ଯେ ଓଡ଼ିଶାର ଅନ୍ୟାନ୍ୟ କଲେଜ ଓ ସ୍କୁଲଗୁଡ଼ିକରେ ଏ ସଂଗଠନର ଶାଖା ଖୋଲିଲା ! ବନ୍ୟାଦୁର୍ଗତ ଅଞ୍ଚଳରେ ଲୋକସେବା କରିବା ଠାରୁ ଆରମ୍ଭକରି ସାହିତ୍ୟ, ଜନସେବା, କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଏ ସଂଗଠନର ମୂଳ ଲକ୍ଷ୍ୟ ଥିଲା । ୧୯୦୮ ମସିହାରେ ହୋଇଥିବା ପ୍ରବଳ ବନ୍ୟାବେଳେ ଏହାର ସଭ୍ୟମାନେ ଅକ୍ଳାନ୍ତ ପରିଶ୍ରମ କରି ବନ୍ୟାକ୍ଳିଷ୍ଟ ଲୋକମାନଙ୍କୁ ସାହାଯ୍ୟ କରିଥିଲେ ।

 

ଛୁଟିଦିନ ଗୁଡ଼ିକରେ ବନ୍ଧୁମାନଙ୍କର ସମାବେଶ ହେଉଥିଲା ଗୋପବନ୍ଧୁଙ୍କର ଗ୍ରାମ ସୁଆଣ୍ଡୋର ଭାର୍ଗବୀ କୂଳରେ । ସେମାନଙ୍କର ବିଚାର ଆଲୋଚନା, ବର୍ତ୍ତମାନ ଓ ଭବିଷ୍ୟତର କାର୍ଯ୍ୟ ଯୋଜନା, ଏସବୁ ଏଠାରେ ସ୍ଥିର ହେଉଥିଲା । କିପରି ବଢ଼ି ଅଞ୍ଚଳରେ କାର୍ଯ୍ୟ କରାଯିବ, ଦୁର୍ଭିକ୍ଷପ୍ରପୀଡ଼ିତ ଅଞ୍ଚଳର ଲୋକମାନଙ୍କୁ ଆସନ୍ନ ମୃତ୍ୟୁମୁଖରୁ କିପରି ରକ୍ଷା କରାଯିବ, ସଂକ୍ରାମକ ରୋଗଗୁଡ଼ିକର ସଂକ୍ରମଣକୁ କିପରି ପ୍ରତିହତ କରାଯିବ, ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ପ୍ରଭୃତି ସାମାଜିକ ଦୁଷ୍ଟବ୍ରଣଗୁଡ଼ିକୁ କିପରି ଧ୍ୱଂସ କରାଯିବ, ତାହା ଥିଲା ତାଙ୍କ ବିଚାର ଆଲୋଚନାର ବିଷୟ । ଏହା ବ୍ୟତୀତ ବିଧବାବିବାହ ଆଇନସମ୍ମତ କରିବା, ସମାଜରେ ସାକ୍ଷରତା ପ୍ରଚାର କରିବା ଓ ଗ୍ରାମେ ଗ୍ରାମେ ଗ୍ରାମସଂଗଠନର ମୌଳିକ ନୀତିଗୁଡ଼ିକ ପରିପ୍ରଚାର କରିବାଦିଗରେ ଏମାନେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପ ନେଇଥିଲେ । ଜାତୀୟ ମହାସ୍ରୋତରେ ଓଡ଼ିଶାର ଭାଗ୍ୟକୁ ସାମିଲ କରିବାପାଇଁ ଏମାନେ ନିରଳସ ଉଦ୍ୟମ କରିବାକୁ ବଦ୍ଧପରିକର ହୋଇଥିଲା ।

 

୧୦୯୪ ମସିହାର ଏକ ଅବିସ୍ମରଣୀୟ ଘଟଣା । ପୁରୀଜିଲ୍ଲାରେ ଭୟଙ୍କର ବନ୍ୟା ହେବା ଫଳରେ ଦୟା, ଭାର୍ଗବୀ ପ୍ରଭୃତି ନଦୀ ପ୍ରଳୟଙ୍କରୀ ରୂପ ଗ୍ରହଣ କରି ଶହ ଶହ ଲୋକଙ୍କୁ ଗୃହଶୂନ୍ୟକରିଥିଲା । ବନ୍ୟା ପ୍ରପୀଡ଼ିତ ଲୋଙ୍କର ସେବାପାଇଁ ସେ ଚୂଡ଼ା ଚାଉଳ ନେଇ ବନ୍ୟାଗ୍ରସ୍ତ ଅଞ୍ଚଳକୁ ବାହାରିପଡ଼ିଲେ । ସେତେବେଳକୁ ତାଙ୍କର ପ୍ରାଣସମ ଏକମାତ୍ର ପୁତ୍ରସନ୍ତାନ ସଂଘାତିକ-ଭାବରେ ରୋଗଗ୍ରସ୍ତ । ପତ୍ନୀଙ୍କର କେତେ ବିକଳ ଅନୁରୋଧ, ନିଷ୍ଫଳ ହେଲା । ଇଶ୍ୱରଙ୍କ ଉପରେ ପୁତ୍ରର ଭାଗ୍ୟ ସମର୍ପଣ କରି ଧୋୟା ଅଞ୍ଚଳକୁ ବହାରିଗଲେ । ଶହ ଶହ ଲୋକଙ୍କୁ ଆସନ୍ନ ମୃତ୍ୟୁ ମୃଖରୁ ରକ୍ଷା କରିବା ପରେ ଘରକୁ ଫେରି ଆସି ଦେଖିଲେ, ତାଙ୍କର ପ୍ରିୟପୁତ୍ର ନିଷ୍ଠୁର ପିତାପ୍ରତି ଅଭିମାନ କରି ଚାଲିଯାଇଛି । ପତ୍ନୀର ସ୍ୱାସ୍ଥ୍ୟ ଭଗ୍ନପ୍ରାୟ । ଅଭିମାନ, ଅନୁତାପ, ଅନୁଶୋଚନାରେ ହୃଦୟ ବିଗଳିତ । ସ୍ୱାମୀଙ୍କୁ ଦେଖି ନୟନର ଲୋତକରେ ସେ ପ୍ରାଣର ବ୍ୟଥିତ ବାଣୀ ପ୍ରକାଶ କରିଥିଲେ । ଗୋପବନ୍ଧୁଙ୍କ ନୟନରୁ ମଧ୍ୟ ଝରି ଆସିଥିଲା ସମବେଦନାର ଅଶ୍ରୁ । ତଥାପି ସେ ନୀରବ, ନିସ୍ପନ୍ଦ । ବୁକୁ ଚହଲାଇ କେବଳ ଗୋଟିଏ କଥା ବାହାରି ଆସିଥିଲା– ‘ଗୋଟିଏ ଜୀବନର ବିନିମୟରେ କୋଟିଏ ଜୀବନର ରକ୍ଷା’ ।

 

ଦୁର୍ଯୋଗର ଅଧ୍ୟାୟ ସେତିକିରେ ଶେଷ ହୋଇନଥିଲା । ୧୯୦୬ ମସିହାରେ ସେ ଆଇନ୍ ପରୀକ୍ଷାରେ ପାସ୍‍ କଲେ । ସେତେବେଳକୁ ତାଙ୍କର ବୟସ ଅଣତିରିଶ ବର୍ଷ । ସେ ଦେଶସେବାରେ ନିଜକୁ ଓତପ୍ରୋତ ଭାବରେ ଏପରି ଜଡ଼ିତ କରିଥିଲେ ଯେ ସ୍ତ୍ରୀ, ସଂସାର ପ୍ରତି ଯଥେଷ୍ଟ ଧ୍ୟାନ ଦେଇପାରୁ ନଥିଲେ । ଫଳରେ ପତ୍ନୀଙ୍କର ସ୍ୱାସ୍ଥ୍ୟଭଗ୍ନ ହେଲା ଏବଂ ତାଙ୍କର ମାନସିକ ଗ୍ଳାନି, ପୁତ୍ର ବିୟୋଗ ଜନିତ ଦାରୁଣ ଦୁଃଖ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ବିପନ୍ନ କରାଇଥିଲା । ସେ ମଧ୍ୟ ଅଭିମାନ କରି ଚାଲିଗଲେ । ଅସଂସାରୀର ସଂସାର ସରିଗଲା । ବାକୀ ରହିଲେ ଦୁଇଟି କନ୍ୟା, ସେ ଦୁହେଁ କିନ୍ତୁ ତା’ ପୂର୍ବରୁ ପରଗୋତ୍ରୀ ହୋଇ ସାରିଥିଲେ । ଆଇନ୍ ପରୀକ୍ଷାର ପାସ୍‍ ଖବର ଓ ସ୍ତ୍ରୀଙ୍କ ବିୟୋଗ ସମ୍ବାଦ ସେ ଏକାସାଙ୍ଗେ କଟକଠାରେ ପାଇଥିଲେ । ଗୋପବନ୍ଧୁଙ୍କ ଭାଷାରେ ତାଙ୍କରି ବେଦନାମୟ ଜୀବନର ଚିତ୍ର ଫୁଟି ଉଠିଛି । ବ୍ୟଥାତପ୍ତ ହୃଦୟରେ ସେଇଥିପାଇଁ ଗାଇଛନ୍ତି–

 

‘‘ଦେଖିନାହିଁ ମାତୃମୁଖ ଅଜ୍ଞାନ ଶୈଶବେ

ପିତାପୁତ୍ର ନ ପତ୍ନୀ ବନ୍ଧୁ ବିୟୋଗ ବିତ୍ପାତ

ବାର ବାର ତଡ଼ିନେଇ ଶୋକ ମହାର୍ଣ୍ଣବେ

ବୁଡ଼ାଇ ଦେଇଛି ବୁକେ ତୀବ୍ର କଷାଘାତ ।’’

 

(କାରାକବିତା)

 

୧୯୨୪ ମସିହାରେ ନିଜ ବିଷୟରେ ଏକ ନାରୀ ସମ୍ମିଳନୀରେ ଯେଉଁ ପରିଚୟମୂଳକ ଭାଷଣ ଦେଇଥିଲେ, ସେଥିରୁ ତାଙ୍କ ବିଷୟରେ ଆମେ ଧାରଣା ସୃଷ୍ଟି କରିବା ସହିତ ସେ ସମୟର ସାମାଜିକ ଜୀବନର ଚିତ୍ର ଦେଖିବାକୁ ପାଉ । ସେ ଭାଷଣ ପ୍ରସଙ୍ଗରେ କହିଥିଲେ–‘‘ମୁଁ ପିଲାଦିନୁ ମାତୃହୀନ, ମା’ର ସ୍ନେହ, ମା’ର ଲାଳନ ପାଳନ ମୁଁ ମୋର ଜୀବନରେ ପାଇନାହିଁ । ମୋ ଜୀବନରେ ସ୍ତ୍ରୀ ଜାତି ସହିତ ଏକପ୍ରକାର ସମ୍ପର୍କ ନାହିଁ କହିଲେ ଚଳେ । ଅବଶ୍ୟ ପିଲାଦିନୁ ବିବାହ କରିଥିଲି; କିନ୍ତୁ ମୋର ଛାତ୍ରଜୀବନ ଶେଷ ହୋଇ ଗୃହସ୍ଥାଶ୍ରମ ଆରମ୍ଭ ହେଲା ବେଳକୁ ମୋର ସ୍ତ୍ରୀର ମୃତ୍ୟୁ ହେଲା । ୨୯ ବର୍ଷ ବୟସରେ ଯେଉଁଦିନ ଓକିଲାତି ପାଶ ଖବର ଶୁଣିଲି, ସେ ଦିନ ମୋ ସ୍ତ୍ରୀର ମୃତ୍ୟୁଖବର ମଧ୍ୟ ଶୁଣିଲି । ତେଣୁ ମୁଁ ପତିପତ୍ନୀର ସାଂସାରିକ ସୁଖ ଏକପ୍ରକାର ଅନୁଭବ କରିନାହିଁ । ସେ ଅଭିଜ୍ଞତା ମୋର ନାହିଁ । ଅବଶ୍ୟ ଛାତ୍ରଜୀବନରେ କିଛି ସମୟ ମୋର ଭାର୍ଯ୍ୟା ଥିଲା । ତୁମେମାନେ ଜାଣ, ପୁରୀର ରକ୍ଷଣଶୀଳ ବ୍ରାହ୍ମଣ ଶାସନରେ ମୋର ଜନ୍ମ । ପଢ଼ିବା ଅବସ୍ଥାରେ କେବେ ବର୍ଷରେ ୧୫ ଦିନ ଛୁଟି ମିଳିଲେ ଗ୍ରାମକୁ ଅବା ଆସେ । ସେ ପନ୍ଦରଦିନ ଭିତରେ ଭାର୍ଯ୍ୟାସହିତ ମୋର ଯେ ସାକ୍ଷାତ ହୁଏ, ତାହା ରାତିରେ ଘୋର ଅନ୍ଧକାରପୂର୍ଣ୍ଣ ଘର ଭିତରେ । ତୁମେମାନେ ଜାଣ, ଆମ ସମାଜରେ ଯେ ନିୟମ, ସେଥିରେ ସେ ଘରେ ଦୀପ ବା ଆଲୁଅ ରହେନାହିଁ । ତେଣୁ ଜୀବନରେ ମୁଁ ମୋ ସ୍ତ୍ରୀ ମୁଖ ଦେଖିଛି କି ନାହିଁ ସନ୍ଦେହ । ସମାଜର ରୀତିନୀତି ଅନୁସାରେ ମୁଁ ଉଚ୍ଚରେ ପଦେଅଧେ କଥାବାର୍ତ୍ତା ମଧ୍ୟ ମୋ ସ୍ତ୍ରୀ ସହିତ ହୋଇ ପାରିନାହିଁ-। ସ୍ତ୍ରୀ ବିୟୋଗ ଦିନଠାରୁ ଆଜିସୁଦ୍ଧା ଏ ମୁହୂର୍ତ୍ତ ପର୍ଯ୍ୟନ୍ତ କୌଣସି ସ୍ତ୍ରୀ ଲୋକ ମୁହଁକୁ ମୁହାଁମୁହିଁ ମୁଁ ଚାହିଁପାରେ ନାହିଁ ମଧ୍ୟ ।’’

 

ଏଇ ହେଲା ତାଙ୍କ ପାରିବାରିକ ଜୀବନର ଅତି ସଂକ୍ଷିପ୍ତ ବିବରଣ ।

 

ବନ୍ଧନ କଟିଗଲା । ମୋତିର ସଂସାରରୁ କର୍ମଯୋଗୀ ଗୋପବନ୍ଧୁଙ୍କୁ ମୁକ୍ତି ମିଳିଗଲା । ବର୍ତ୍ତମାନ ସେ ଏକାକୀ । ବାଧାବନ୍ଧନ ହୀନ ଜୀବନ । ଆଖି ଆଗରେ ଆଜି ବହୁଜୀବନର ଦୁଃଖଯନ୍ତ୍ରଣା, ବ୍ୟାକୁଳ ବେଦନାର ଆର୍ତ୍ତ ହାହାକାର । ସେ ସେଇ ପଥରେ ଆଗେଇଯିବେ । ସେବାର ସଲିଳ ସିଞ୍ଚି, ସ୍ନେହର ଚନ୍ଦନ ମାଖି, ତପ୍ତପ୍ରାଣକୁ ଶୀତଳ କରିବେ ସଂସାରକୁ ହରାଇବା ଭିତରେ ଗୋଟିଏ ଦିବ୍ୟ ସଂସାରର ଜ୍ୟୋତି ତାଙ୍କୁ ମିଳିଗଲା । ସେହିଠାରୁ ସେ ହେଲେ ଜିତେନ୍ଦ୍ରୟ ବ୍ରହ୍ମଚାରୀ । ବ୍ରହ୍ମୋପାସନାର ଅର୍ଥ ଦରିଦ୍ର ନାରାୟଣର ସେବା, ଜନତା ଜନାର୍ଦ୍ଦନର ସେବା । ଜନସେବାଠାରୁ ଅଧିକ ପବିତ୍ର ପୂଜାବିଧି ଆଉ କିଛି ଅଛିବୋଲି ସେ ଅନୁଭବ କରୁ ନଥିଲେ । ଦାର୍ଶନିକ ରାଧାକୃଷ୍ଣନଙ୍କ ପରି ସେ ଭାବୁଥିଲେ, ‘‘ଆଭ୍ୟନ୍ତରୀଣ ଜୀବନର ସଫଳ ରୂପାୟନ ହେଉଛି ଜୀବନର ଅଭିପ୍ରାୟ । ମଣିଷ ଯଦି ତା’ର ଅନ୍ତରସ୍ଥ ସତ୍ୟକୁ ଉପଲବଧି କରିବାରେ ଜାଣିଶୁଣି ଅବହେଳା କରେ, ତେବେ ସେ ଗୋଟିଏ ସୁଯୋଗ ହରାଇବସେ ।’’

 

ଛାତ୍ରଜୀବନ ଓ ଜନସେବା

 

୧୮୯୮ ମସିହାର ସେଇ ଅବିସ୍ମରଣୀୟ ସଂଧ୍ୟା । କଟକର ବିନୋଦବିହାରୀ ଠାକୁରଙ୍କ ପାଖରେ ସମବେତ କେତେ ଜଣ ଜିଜ୍ଞାସୁ ଯୁବକ । ଗୋପବନ୍ଧୁ ସେମାନଙ୍କ ମଧ୍ୟରେ ଅଗ୍ରଣୀ । ଠାକୁରଙ୍କୁ ସାକ୍ଷୀରଖି ସେଇଠାରେ ଗଢ଼ାଗଲା ଗୋଟିଏ ସଭା । ସେ ସଭାର ନାମ ରହିଲା ‘‘କର୍ତ୍ତବ୍ୟବୋଧିନସଭା’’ । ସମସ୍ତେ ଶପଥ ନେଲେ ଜନତାର ସେବାରେ ଜୀବନ ଉତ୍ସର୍ଗ କରିବେ । ଏ ସଭା କର୍ତ୍ତବ୍ୟ ବିଷୟରେ ସେମାନଙ୍କୁ ସଜାଗ ଓ ସତର୍କ କରିବ ଏବଂ ସେମାନେ ଏହାର ସ୍ଥରୀକୃତ ନୀତି ଅନୁସାରେ କାମ କରିବେ । ଠାକୁରଙ୍କୁ ମନ୍ଦିରକୁ ଲାଗି ଜଣେ ବଦ୍ଧୁଙ୍କର ଘର । ମନ୍ଦିରରୁ ଫେରିବା ପରେ ତାଙ୍କର ଘରେ ଏ ସଭାକାର୍ଯ୍ୟ ଚାଲିଲା । ସମସ୍ତେ ପ୍ରାଣଭରା ଆନ୍ତରିକତା ପ୍ରକାଶ କଲେ । ବନ୍ଧୁ ବ୍ରଜସୁନ୍ଦର ଥିଲେ ଏ ସଭାର ଜଣେ ପ୍ରଧାନ ଉଦ୍ୟୋକ୍ତା ।

 

ଗୋପବନ୍ଧୁଙ୍କର ଜନ୍ମ ସମୟକୁ ଓଡ଼ିଶାର ସ୍ୱାତଂନ୍ତ୍ର୍ୟ ନଥିଲା, ଓଡ଼ିଶା ଥିଲା ଅନ୍ୟ ପ୍ରଦେଶର ଅଙ୍ଗୀଭୂତ ରାଜ୍ୟ । ସେତେବେଳେ ଦେଶପ୍ରାଣ ମଧୁସୂଦନ ଏହାର ସ୍ୱାତଂନ୍ତ୍ର୍ୟ ପାଇଁ କାମ କରିବାକୁ ଜୀବନ ଉତ୍ସର୍ଗ କରିଥିଲେ । ବର୍ତ୍ତମାନ ଆମେ ଯେଉଁ ଉତ୍କଳକୁ ଦେଖୁଛୁ, ସେତେବେଳେ ତାହା ଏତେ ସୁବିସ୍ତୃତ ଓ ସୁସଂଗଠିତ ନଥିଲା । ଉତ୍କଳର ଅନେକ ଅଞ୍ଚଳକୁ ଗ୍ରାସ କରିଥିଲା ଦକ୍ଷିଣରେ ବର୍ତ୍ତମାନର ଆନ୍ଧ୍ରଅଞ୍ଚଳ, ଉତ୍ତରପାଖେ ବିହାର ସଙ୍ଗେ ବହୁ ଅଞ୍ଚଳ ମିଶି ଯାଇଥିଲା । ଆଜି ବି ସେଥିରୁ ଅନେକ ଅଂଶ ବିହାରର ଅନ୍ତଗତ । ଷଢ଼େଇକଳା, ଖରସୁଆଁ ପ୍ରଭୃତି ଆଜି ଓଡ଼ିଶାରେ ନାହିଁ । ତେବେ ସେତେବେଳେ ଓଡ଼ିଶା ଖଣ୍ଡିତ ଶରୀର ନେଇ ବିକଳାଙ୍ଗ ଅବସ୍ଥାରେ ଥିଲା । ଓଡ଼ିଆ ଭାଷାଭାଷୀ ଲୋକମାନେ ଅନ୍ୟ ପ୍ରଦେଶରେ ରହିଯିବା ଫଳରେ ସେମାନଙ୍କର ସାମାଜିକ ଜୀବନ, ଭାଷା, ଚଳଣି ଓ ଜୀବନଯାପନ ପ୍ରଣାଳୀ ଉପରେ ନିର୍ମମ ଅତ୍ୟାଚାର ଚାଲିଥିଲା ।

 

ମଧୁବାବୁ ବିଖଣ୍ଡିତ ଉତ୍କଳକୁ ଏକତ୍ର କରି ଓଡ଼ିଆ ଜାତି ଓଡ଼ିଆଭାଷାର ଉନ୍ନତିକଳ୍ପେ ‘ଉତ୍କଳସମ୍ମିଳନୀ’ ଗଠନ କରିଥିଲେ । ଗୋପବନ୍ଧୁ ସେହି ଲକ୍ଷ୍ୟ ପୂରଣ କରିବା ଦିଗରେ ତାଙ୍କର ପୂର୍ଣ୍ଣ ସମର୍ଥକ ଥିଲେ ।

 

ଉତ୍କଳ ସମ୍ମିଳନୀ

 

୧୯୦୫ ଖ୍ରୀଷ୍ଟାବ୍ଦରେ ପ୍ରଥମ ଉତ୍କଳ ସମ୍ମଳନୀ ଆରମ୍ଭ ହୋଇଥିଲା । ତତ୍କାଳୀନ ମୟୂରଭଞ୍ଜର ମହାରାଜା ଶ୍ରୀଯୁକ୍ତ ରାମଚନ୍ଦ୍ର ଭଞ୍ଜ ଦେଓ ଉତ୍କଳ ସମ୍ମଳନୀର ସଭାପତି ତଥା ପ୍ରଧାନ ପୃଷ୍ଠପୋଷକ ଥିଲେ । ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରିବା ପାଇଁ ଏହି ସମ୍ମିଳନୀ ଦୃଢ଼ଭାବରେ ଦାବୀ ଉପସ୍ଥାପିତ କରୁଥିଲା । ଏହା ଥିଲା ଗଣବିପ୍ଳବର ଏକ ନୀର୍ଦ୍ଦିଷ୍ଟ ପୃଷ୍ଠଭୂମି । ମଧୁବାବୁ ତାଙ୍କର ତେଜୋଦୀପ୍ତ ଭାଷଣ, ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓ ଅକାଟ୍ୟ ଯୁକ୍ତିଦ୍ୱାରା ଜନମନ ହରଣ କଠୋର । ବହୁବ୍ୟକ୍ତି ତାଙ୍କ ଆଡ଼କୁ ଆକୃଷ୍ଟ ହୋଇଥିଲେ । ସେ ଥିଲେ ଇଂରେଜ ସରକାରଙ୍କ ପାଇଁ ସତର୍କଘଣ୍ଟି ।

 

ପ୍ରଥମ ଉତ୍କଳ ସମ୍ମିଳନୀ କଟକରେ ବସିଥିଲା । ଗୋପବନ୍ଧୁ ସେତେବେଳକୁ ଆଇନ କଲେଜର ଛାତ୍ର । ସେ ଗଭୀର ଉନ୍ମାଦାନା ମଧ୍ୟରେ ଏହି ସମ୍ମିଳନୀରେ ଯୋଗଦେବାକୁ କଲିକତାରୁ କଟକ ପର୍ଯ୍ୟନ୍ତ ଦୌଡ଼ି ଆସିଥିଲେ । ତାଙ୍କ ସାଥିରେ ଥିଲେ ଜାତୀୟ ଭାବାପନ୍ନ ତାଙ୍କର ଆଉ କେତେଜଣ ବଙ୍ଗୀୟ ବନ୍ଧୁ । ନିର୍ଦ୍ଦଷ୍ଟ ସମୟରେ ସେମାନଙ୍କ ଗହଣରେ ଗୋପବନ୍ଧୁ ସଭାମଞ୍ଚ ନିକଟରେ ଆସି ପହଞ୍ଚିଲେ । କିନ୍ତୁ ଦୁଃଖର କଥା, ସମ୍ମଳନୀରେ ଯୋଗଦେବା ପାଇଁ ତାଙ୍କୁ ଅନୁମତି ମିଳିଲା ନାହିଁ । ମଧୁବାବୁ ଏହାର ତୀବ୍ର ବିରୋଧ କଲେ । କୌଣସି କାରଣରୁ ବଙ୍ଗାଳୀ ଲୋକମାନଙ୍କ ପ୍ରତି ତାଙ୍କର ତିକ୍ତ ମନୋଭାବ ଥିଲା । ଗୋପବନ୍ଧୁଙ୍କୁ ବାରଣ କରାଯିବାର ଏହାହିଁ ଥିଲା ମୁଖ୍ୟ କାରଣ । ଗୋପବନ୍ଧୁ ବନ୍ଧୁମାନଙ୍କୁ ନେଇ ସଭାମଞ୍ଚରୁ ଫେରି ଯାଇଥିଲେ । କିନ୍ତୁ ତାଙ୍କର ମନଭିତରେ ବିଦ୍ରୋହର ଅଗ୍ନି ପ୍ରଜ୍ଜ୍ୱଳିତ ହୋଇ ଉଠିଥିଲା । ସେ ମଧୁସୂଦନଙ୍କର ବାରଣ ମାନିଲେ ମଧ୍ୟ ଏହି ଘଟଣାରେ ତାଙ୍କର ବିପ୍ଳବୀ ପ୍ରାଣ ପାଇଥିଲା ପ୍ରଚଣ୍ଡ ଆଘାତ ।

 

ଚିଠି ଲେଖା ଆରମ୍ଭ ହେଲା ।

 

ଏହି ଚିଠିଟି ଥିଲା ତାଙ୍କ ମନର ପ୍ରତିକ୍ରିୟାର ଏକ ମର୍ମସ୍ପର୍ଶୀ ଉଚ୍ଛ୍ୱାସ । ସେ ଲେଖିଥିଲେ, ‘ଜନ୍ମଭୂମିର ସେବାପାଇଁ ଯେଉଁ ଉତ୍କଳ ସମ୍ମିଳନୀ ଉଦ୍ଦିଷ୍ଟ, ସେଠାରେ ଏପରି ସଂକୀର୍ଣ୍ଣ ପ୍ରାଦେଶିକ ମନୋଭାବ ଆଦୌ ଶୋଭାନୀୟ ନୁହେଁ । ତା’ ବ୍ୟତୀତ ମଧୁସୂଦନନଙ୍କ ପରି ଏକ ମହାନ୍ ବ୍ୟକ୍ତିତ୍ୱ ପକ୍ଷରେ ଏହା ଏକ ଗର୍ହିତ ଆଚରଣ । ଆମେ ସମସ୍ତେ ପ୍ରଥମେ ଭାରତୀୟ ଓ ପରେ ଓଡ଼ିଆ । ଭାରତୀୟ ଜାତୀୟ ଚେତନାକୁ ଉପେକ୍ଷା କରି ଉତ୍କଳର ଅସ୍ତିତ୍ୱକୁ ଅନୁଭବ କରିବା ଏକ ଗୁରୁତର ଭ୍ରମ ।

 

ଏ ପତ୍ରଟି ମଧୁବାବୁଙ୍କୁ ଦିଆଗଲା । ଏହାକୁ ପାଠକରି ସେ ଘୋର ଲଜ୍ଜିତ ହେଲେ । ସେ ତତ୍‍କ୍ଷଣାତ୍‍ ଗୋପବନ୍ଧୁ ଡକାଇ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୁଲ ବୁଝାମଣା ଦୂରକଲେ । ଗୋପବନ୍ଧୁ ଯେତେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନା କାହିଁକି ମଧୁବାବୁଙ୍କ ବ୍ୟକ୍ତିତ୍ୱ ପାଖରେ ସେ ନିଜକୁ ସମର୍ପଣ କରିଥିଲେ । ତାଙ୍କର ଶ୍ରଦ୍ଧାଭରା ଆଲୋଚନାରେ ଗୋପବନ୍ଧୁଙ୍କର ଦୁଃଖ ଓ ଅଭିମାନ ମଉଳି ଯାଇଥିଲା । ବରଂ ମଧୁବାବୁଙ୍କ ମନରେ ଆଘାତ ଦେଲାପରି ଏକ ପତ୍ର ଲେଖିଥିବାରୁ ସେ ଦୁଃଖିତ ହୋଇଥିଲେ । ତା’ପରେ ସେ ‘ଉତ୍କଳସମ୍ମିଳନୀର’ ସ୍ୱେଚ୍ଛାସେବକ ଭାବରେ କାମ କରିଥିଲେ । ଏହି ଅବସରରେ ମୟୂରଭଞ୍ଜର ମହାରାଜାଙ୍କ ସଂସ୍ପର୍ଶରେ ସେ ଆସିବାର ସୁଯୋଗ ପାଇଥିଲେ ।

 

ବିପ୍ଳବୀ ଖୁଦୀରାମ ଓ ତାଙ୍କର ସହଯୋଗୀ ବନ୍ଧୁ ବଙ୍ଗଳାର ବିପ୍ଳବୀ ନେତା ଶଶୀଭୂଷଣ ରାୟ କଟକରେ ଆତ୍ମଗୋପନ କରିଥା’ନ୍ତି । ସେତେବେଳେ ସେମାନଙ୍କର ଅଗ୍ନିମୟୀ ବିପ୍ଳବବାଣୀ ସାରାଦେଶରେ ଖେଳିଯାଇଥାଏ । ଇଂରେଜ ସରକାର ବଡ଼ ଆତଙ୍କିତ ଅବସ୍ଥାରେ ଥାଆନ୍ତି । ଗୋପବନ୍ଧୁ ଭାରତୀୟ ଜାତୀୟ ଆନ୍ଦୋଳନର ଏଇପରି ମହାନ ରଥୀମାନଙ୍କ ସଂସ୍ପର୍ଶରେ ଆସିଥିଲେ । ଖୁଦୀରାମ ପ୍ରଭୃତି କଟକରେ ଥାଇ ଇଂରେଜ ସରକାରଙ୍କ ବିରୁଦ୍ଧରେ ଯେଉଁ ବିଦ୍ରୋହାତ୍ମକ କାର୍ଯ୍ୟ କରୁଥିଲେ, ତାହା ଗୋପବନ୍ଧୁଙ୍କ ଜୀବନକୁ ବହୁ ଭାବରେ ପ୍ରଭାବିତ କରିଥିଲା-। ବିପ୍ଳବୀ ଖୁଦିରାମ ଥିଲେ ଗୋପବନ୍ଧୁଙ୍କର ଜାତୀୟ ମହାଭାବର ଜନକ । ତାଙ୍କରି ପ୍ରେରଣାରେ ସେ ମହାଭାରତୀୟ ଭାବଧାରାରେ ଉଦ୍‍ବୁଦ୍ଧ ହୋଇଥିଲେ ।

 

ଜୀବନର ଆରମ୍ଭରୁ ସେ ଥିଲେ ସେବାପଥର ପର୍ଥକ । ସାରା ଜୀବନ ସେ ସେବାପୀଠରେ ନିଜକୁ ଉତ୍ସର୍ଗ କରିଥିଲେ । ୧୯୦୬ ମସିହାରେ ସେ ଓକିଲାତି ପାସ୍‍ କଲେ । ବର୍ତ୍ତମାନ ଛାତ୍ରଜୀବନର ସମାପ୍ତି ଘଟିଲା । ଆଖିଆଗରେ ତାଙ୍କର କର୍ମମୟ ଜୀବନର ଦୀର୍ଘ ପଥ । ଜୀବନ ସମ୍ମୁଖରେ ନାନା ପ୍ରଲୋଭନର ହେମମୃଗ ନାଚି ଉଠୁଥିଲା । କିନ୍ତୁ ତାଙ୍କର ଦେଶାନୁଗତ ପ୍ରାଣକୁ ତାହା ପ୍ରଲୁବ୍‍ଧ କରିପାରିଲା ନାହିଁ । କର୍ମଯୋଜନାର ସଂକଳ୍ପ ନେଇ କର୍ମମୟ ପଥରେ ଆଗେଇଗଲେ । ଉତ୍କଳ ସମ୍ମିଳନୀ ସହିତ ଜଡ଼ିତ ହୋଇ କଣ କରିଥିଲେ ତାର ଚିତ୍ର ବର୍ଣ୍ଣନା ‘‘ଉତ୍କଳ ସମ୍ମିଳନୀ ଓ ଗୋପବନ୍ଧୁଙ୍କ ଭୂମିକା’’ ସ୍ତମ୍ଭରେ କରାଯାଇଛି ।

 

କର୍ମମୟ ଜୀବନ

 

‘‘ମନୁଷ୍ୟ ଦେହେ ଦିବ୍ୟଜ୍ଞାନ ।

ଦେଖି ସନ୍ତୋଷ ଭଗବାନ ।’’

(ଭାଗବତ)

ଭାଗବତର ଏହି ଚିରନ୍ତନ ବାଣୀ ଗୋପବନ୍ଧୁଙ୍କ ଜୀବନରେ ମହାନ ମନ୍ତ୍ରରୂପେ କାର୍ଯ୍ୟ କରିଥିଲା । ମଣିଷ ଜୀବନ କିପରି ମହିମାମୟ ଓ ତା’ ଭିତରେ ମହାସତ୍ତାର ଯେ ସନ୍ଧାନ ଅଛି, ସେ ଶିକ୍ଷା ଭାଗବତ ତାଙ୍କୁ ଦେଇଥିଲା । ପ୍ରତିଦିନ ଭାଗବତ ପାଠରୁ ଜନତାର ସେବାପାଇଁ ମହାନୀୟ ପ୍ରେରଣା ଲାଭ କରିଥିଲେ ।

କର୍ମଯୋଗୀର କର୍ମମୟ ଜୀବନ ଆରମ୍ଭ ହୁଏ ଆତ୍ମବିଶ୍ୱାସ ତଥା ଈଶ୍ୱରବିଶ୍ୱାସ ଭିତରେ-। ଗୋପବନ୍ଧୁ ସେବାର ମହାମନ୍ତ୍ର ନେଇ ବିଭୁପଦରେ ଜୀବନକୁ ଉତ୍ସର୍ଗ କଲେ । ସେବା ହିଁ ହେଲା ତାଙ୍କ ଜୀବନର ଈଶ୍ୱରପୂଜା । ନିଜ ଭିତରେ ଈଶ୍ୱରସତ୍ତାର ସେ ସନ୍ଧାନ ପାଇଥିଲେ । ମନୁଷ୍ୟ ଆତ୍ମଦର୍ଶନ କରିପାରିଲେ ନିଜ ଭିତରେ ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିବାର ସୁଯୋଗ ପାଇପାରିବ-। ସେଇଥିପାଇଁ ସେ ଭକ୍ତିଗଦ୍‍ଗଦ୍‍ କଣ୍ଠରେ ଗାଇଥିଲେ–

‘‘ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ,

ନିଜ ଅଭ୍ୟନ୍ତର ଦେଖ ଫେଡ଼ିଣ ନୟନ ।

ହୃଦ କପିଳାସେ ତୋର ବହେ ପ୍ରେମଝର,

ବିଜେ କରିଛନ୍ତି ରହିଁ ସ୍ୱୟମ୍ଭୁ ଶଙ୍କର ।’’

 

ପ୍ରେମ ଓ ଭକ୍ତି ହିଁ ଥିଲା ତାଙ୍କ ଜୀବନର ପାଥେୟ । ତା’କୁ ସାଥୀକରି ସେ କର୍ମପଥରେ ଆଗେଇ ଯାଇଥିଲେ । ସେ ଭଲରୂପେ ଜାଣିଥିଲେ ଯେ ଭକ୍ତିର ପଥ ସୁଗମ ନୁହେଁ । ଏହା ସାଧନାସାପେକ୍ଷ । ଦୁଃଖଯନ୍ତ୍ରଣା, କଷ୍ଟ ନିନ୍ଦା, ଅପବାଦ ଏ ପଥର ସାଥୀ । ପ୍ରେମବଳରେ ଏ ସବୁକୁ ଆୟତ୍ତ କରିବାର ହେବ । ଏ ବିଶ୍ୱରେ ପ୍ରେମର ଅଜେୟ କେହି ନୁହେଁ । ବିଭୁପଦରେ ଆତ୍ମ ସମର୍ପଣ କରି ସେ ତ୍ୟାଗର ପଥ ବରଣ କଲେ ।

 

ଗୋପବନ୍ଧୁଙ୍କର କର୍ମମୟ ଜୀବନକୁ ଅନୁଧ୍ୟାନ କଲେ ଜଣାଯିବ ଯେ, ସେ ଜୀବନମଞ୍ଚରେ ବହୁ ଭୂମିକାରେ ଅଭିନୟ କରିଛନ୍ତି । ଶିକ୍ଷକ, ସଂସ୍କାରକ, ସେବକ, ରାଜନୀତିଜ୍ଞ, ସାହିତ୍ୟକ, ସଂଗଠକ ରାଷ୍ଟ୍ରନିର୍ମାତା ହିସାବରେ ସବୁ କ୍ଷେତ୍ରରେ ତାଙ୍କର ସଫଳତା ସୃଷ୍ଟି ହୋଇଛି । ଆତ୍ମବିଶ୍ୱାସ ଥିଲେ ଜଣେ ସାଧାରଣ ମଣିଷ ଅସମ୍ଭବକୁ କିପରି ସମ୍ଭବ କରିପାରେ, ତାହା ତାଙ୍କ ଜୀବନରେ ପ୍ରମାଣିତ । ଭକ୍ତ ଓ ପ୍ରେମିକ ପାଖରେ ଅସମ୍ଭବ ବୋଲି କିଛି ନାହିଁ । ଅବଶ୍ୟ ବିଫଳତା ଯେ ଆସେନି ତା’ ନୁହେଁ କିନ୍ତୁ ତାହା ସଫଳତାର ସୌଧଗଠନ ଦିଗରେ ସାହାଯ୍ୟ କରିଥାଏ । ପ୍ରତ୍ୟେକ ବିଫଳତା ଖଣ୍ଡିଏ ଖଣ୍ଡିଏ ଇଟା ପଥର । ତାକୁଇ ନେଇ ଶକ୍ତ ମୂଳଦୁଆ ଗଢ଼ାଯାଏ ଓ ତାର ଉପରେ ମୁଣ୍ଡ ଟେକେ ଉତ୍ସର୍ଗୀକୃତ ଜୀବନର ସଫଳ ସୌଧ ।

 

ଗୋପବନ୍ଧୁଙ୍କର ଭାଷଣ ଅତ୍ୟନ୍ତ ହୃଦୟସ୍ପର୍ଶୀ । ଏହାର ପ୍ରତ୍ୟେକ ପଦରେ ଦେଶାତ୍ମବୋଧ ଓ ବିଭୁପ୍ରେମର ବନ୍ଦନା ଶୁଣିବାକୁ ମିଳେ । ମଣିଷହୃଦୟର ବ୍ୟାକୁଳ ନିବେଦନ ତାଙ୍କରି କଣ୍ଠରେ ଫୁଟି ଉଠିଥାଏ । ତାହାକୁ ପ୍ରତ୍ୟାଖ୍ୟାନ କରିବା କାହାରି ପକ୍ଷରେ ସେତେ ସମ୍ଭବ ନୁହେଁ । ସେ ଚିରସତ୍ୟର ପ୍ରଖ୍ୟାପକ ଥିଲେ । ତାଙ୍କର ପ୍ରତିଟି କଥା ଭିତରେ ସତ୍ୟର ସ୍ପର୍ଶ ଦେଖିବାକୁ ମିଳେ ।

 

ତାଙ୍କ ସାହିତ୍ୟ ବିଳାସୀର ସାହିତ୍ୟ ନୁହେଁ, ତାହା ଜନଗଣର ସାହିତ୍ୟ । ସେ ସାହିତ୍ୟରେ ବିଭୁଆରାଧନା ଛତ୍ରେ ଛତ୍ରେ ପ୍ରସ୍ଫୁଟିତ । ତାହାକୁ ଆରାଧନାର ସାହିତ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାନବ ହିଁ ଦେବତା ଏବଂ ତାର ପୂଜା ହିଁ ପ୍ରକୃତି ପୂଜା—ଏହା ଥିଲା ସାହିତ୍ୟର ମର୍ମବାଣୀ । ତାଙ୍କର ବ୍ୟାକୁଳିତ ପ୍ରାଣର ବିହ୍ୱଳବନ୍ଦନା ସାହିତ୍ୟବୁକୁରେ ଗଙ୍ଗାର ପବିତ୍ର ଜଳଧାର ପରି ପ୍ରବାହିତ ହେଉଥିଲା । ତାଙ୍କ ସାହିତ୍ୟ ଥିଲା ମାନବର ସାହିତ୍ୟ, ପ୍ରାଣର ସାହିତ୍ୟ, ହୃଦୟର ସାହିତ୍ୟ, ମାନବିକତାର ପ୍ରଚାର ଏହାର ମୂଳମନ୍ତ୍ର ଥିଲା ।

 

ଗୋପବନ୍ଧୁଙ୍କର ରାଜନୀତିରେ ତଥାକଥିତ କୁଟିଳତାର ପ୍ରଶ୍ନ ନ ଥିଲା । ଧର୍ମ ହିଁ ଥିଲା ତାଙ୍କ ରାଜନୀତିର ପ୍ରାଣାଧାର । ତାଙ୍କ ମତରେ ଆଧ୍ୟାତ୍ମିକତାଠାରୁ ରାଜନୀତି ଦୂରରେ ରହି ପାରେନା । ଯଦି ରହିବ, ତାକୁ ପ୍ରକୃତ ଓ ପ୍ରକୃଷ୍ଟ ରାଜନୀତି ବୋଲି କୁହାଯାଇ ପାରିବ ନାହିଁ । ରାଜନୀତିର ଅର୍ଥ ଆଧ୍ୟାତ୍ମିକତା ପୂର୍ଣ୍ଣ ରାଜନୀତି । ବିଶ୍ୱର ଇତିହାସ ପୃଷ୍ଠାରେ ଏହା ଏକ ଅଭିନବ ଘଟଣା । ଏହା ଗୋପବନ୍ଧୁଙ୍କର ବିଳାସମୟ କଳ୍ପନା ନ ଥିଲା, ସେ ଏଇ ଓଡ଼ିଶା ମାଟିରେ ଏହାର ପରୀକ୍ଷା ଓ ପ୍ରୟୋଗ କରିଥିଲେ । ଏହା ଥିଲା ବିଶ୍ୱ ରାଜନୀତିର କଳ୍ପନାର ବାହାରେ । କିନ୍ତୁ ପରେ ଦେଖାଗଲା ମହାତ୍ମା ଗାନ୍ଧୀ ରାଜନୀତି ସହ ଧର୍ମନୀତିକୁ ଏକତ୍ର କରି ଭାରତର ଚିର ଆକାଙ୍‌କ୍ଷିତ ସ୍ୱାଧୀନତା ହାସଲ କଲେ । ଏଥିପାଇଁ ରକ୍ତାକ୍ତ ସଂଘର୍ଷ କରିବାକୁ ପଡ଼ି ନଥିଲା । ଯେଉଁ ହିଂସାପୂର୍ଣ୍ଣ ରାଜନୀତି ଆଜି ପର୍ଯ୍ୟନ୍ତ ବିଶ୍ୱକୁ ଗ୍ରାସ କରିଛି, ସେ ତାକୁ ଗ୍ରାସକରି ଅହିଂସା ମାଧ୍ୟମରେ ଭାରତର ସ୍ୱାଧୀନତା ହାସଲ କଲେ । ଯେଉଁ ବିଶ୍ୱବାସୀ ଦିନେ ଗାନ୍ଧୀଜୀଙ୍କର ଏ ନୀତିକୁ ସମାଲୋଚନା ତଥା ଅବିଶ୍ୱାସ କରୁଥିଲେ, ସେମାନେ ପରେ ନିଜର ସ୍ୱର ବଦଳାଇ ସମର୍ଥିତ କଣ୍ଠରେ କହିଲେ, ‘କେବଳ ଭାରତରେ ଏହା ହିଁ ସମ୍ଭବ ହୋଇ ପାରିଲା, କାରଣ ଭାରତୀୟମାନେ ଧର୍ମପ୍ରାଣ’ । ଏହା ବିଶ୍ୱରେ ପ୍ରମାଣିତ କରିଦେଲା ଯେ, ପଶୁବଳ ଦ୍ୱାରା ଜୟ ଜୟ ନୁହେଁ, ପ୍ରେମର ଜୟ ପ୍ରକୃତ ଜୟ । ତେବେ ବିଚାର କରିବା ମାହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଏହି ସମଚିନ୍ତନ ଗୀତା, ଭାଗବତ, ମହାଭାରତ, ଉପନିଷଦ ପ୍ରଭୃତି ଭାରତୀୟ ଧର୍ମଗ୍ରନ୍ଥରୁ ଲାଭ କରିଥିଲେ । ମହାତ୍ମା ଗାନ୍ଧୀ ଗୋପବନ୍ଧୁଙ୍କ ଅନୁସୃତ ନୀତିକୁ ଅଧିକ ସଫଳତାର ସହିତ ମହାଭାରତୀୟ ସ୍ତରରେ ପ୍ରମାଣିତ କରିଥିଲେ । ଏ କ୍ଷେତ୍ରରେ ଗାନ୍ଧୀ ଏବଂ ଗୋପବନ୍ଧୁ ଗୋଟିଏ ଟଙ୍କାର ଏପାଖ ସେପାଖ ମୁଦ୍ରାଙ୍କ ପରି ।

 

ଗୋପବନ୍ଧୁ ଆଜନ୍ମ ସେବକ ଥିଲେ । ସେ ନିଜର ସ୍ୱାର୍ଥ ସାଧନା କିମ୍ବା ପ୍ରଶଂସା ଲାଭ କରିବାପାଇଁ ସେବାକୁ ଏକ ଅବଲମ୍ବନ ରୂପେ ଗ୍ରହଣ କରି ନ ଥିଲେ । ତାଙ୍କର ପ୍ରାଣ ଥିଲା ପ୍ରେମର ନିର୍ଝରିଣୀ । ଦୁଃଖମଥିତ ବିକ୍ଷୁବ୍‍ଧ ପ୍ରାଣରେ ଶାନ୍ତିଶୀତଳତାର ପ୍ରଲେପ ଦେବାପାଇଁ ତାହା ସର୍ବଦା ବ୍ୟାକୁଳିତ ଥିଲା । ପରର ଦୁଃଖରେ ସେ ଅଶ୍ରୁମୁଞ୍ଚନ କରୁଥିଲେ । ହୃଦୟ ବ୍ୟଥିତ, ବ୍ୟାକୁଳିତ ଓ ବିମଥିତ ନ ହେଲେ ଅଶ୍ରୁ ନିର୍ଗତ ହୁଏନାହିଁ । ପରର ଦୁଃଖ ଦୂର କରିବା ପାଇ ପ୍ରୀତିପୂର୍ଣ୍ଣ ହୃଦୟ ଓ ଭକ୍ତିପୂର୍ଣ୍ଣ ପ୍ରାଣର ଆବଶ୍ୟକତା ରହିଛି । ପ୍ରତ୍ୟେକେ ଏ ପ୍ରକାର ଜୀବନର ଅଧିକାରୀ ହୋଇପାରନ୍ତି ନାହିଁ । ଯେଉଁମାନେ ସ୍ୱାର୍ଥତ୍ୟାଗୀ, ସେବାଶୀଳ କେବଳ ସେହିମାନଙ୍କୁ ଏହି ପ୍ରୀତିପୁଷ୍ପିତ ନିସ୍ୱାର୍ଥ ଜୀବନର ଆଶୀର୍ବାଦ ମିଳିଥାଏ । ଗୋପବନ୍ଧୁ ଥିଲେ ଏଇପରି ଏକ ପ୍ରୀତିପୂତ ଜୀବନର ଅଧିକାରୀ । ଆର୍ତ୍ତ ବ୍ୟଥିତର କରୁଣ ଚିତ୍କାର ତାଙ୍କର ଅନ୍ତଃସ୍ଥଳକୁ ବିଦୀର୍ଣ୍ଣ କରୁଥିଲା । ସେ ଥିଲେ ପରମ କାରୁଣିକ ଦୀନବନ୍ଧୁ । ସେଇଥିପାଇଁ ବିବ୍ୟ ଜୀବନର ସମ୍ଭାର ତାଙ୍କୁ ମିଳିଥିଲା ।

 

ଗୋପବନ୍ଧୁଙ୍କ ଭିତରେ ସଂଗଠନ କ୍ଷମତା ଅସମ୍ଭବ ପ୍ରକାରର ଥିଲା । ତାଙ୍କ ଚରିତ୍ରରେ ଚମକ ଥିଲା । ବ୍ୟକ୍ତିତ୍ୱରେ ଐନ୍ଦ୍ରଜାଲିକତା ଥିଲା । କଥାରେ କୁହୁକ ଥିଲା, ଦୃଷ୍ଟିରେ ଦୟା, ଦାନ, ଦାମ୍ବିକତାର ବିଶାଳତା ଥିଲା । ସେ ଯାହାକୁ ଚାହିଁ ଦେଉଥିଲେ ସେ ବଶୀଭୂତ ହେଉଥିଲା ସେଇ ବ୍ୟକ୍ତିତ୍ୱ ପାଖରେ । ସେତେବେଳର କେତେ କେତେ ମହାନ୍ ରଥୀ ଗୋପବନ୍ଧୁଙ୍କ ଇଙ୍ଗିତରେ ଜାତୀୟ ଯଜ୍ଞରେ ଜୀବନକୁ ଆହୁତି ଦେଇଥିଲେ । ପଦିଏ ପଦିଏ କଥା କେତେ ଶକ୍ତିଶାଳୀ ! ସତେ କ’ଣ ତା’ ଭିତରେ ଏତେ ତେଜଷ୍କ୍ରିୟ ଶକ୍ତି ପ୍ରବାହିତ ! ସେ କ’ଣ ସତରେ ଥିଲେ ଜଣେ ତାନ୍ତ୍ରିକ ଯୋଗୀ ? କି ସମ୍ମୋହନ ଥିଲା ସେ ଭାଷାରେ । କେତେ ଯୁବକ ଚାକିରୀ ଜୀବନର ତୁଙ୍ଗ ସ୍ଥାନରୁ, ବିଳାସ, ବିଭବ ଓ ଐଶ୍ୱର୍ଯ୍ୟର ସିଂହାସନରୁ ମାଟି ମେଦିନୀକୁ ଓହ୍ଲାଇ ଆସିଥିଲେ ଫକିର ଭାବରେ । ବିଭବର ବିଭୂତିରୁ ସେ କ’ଣ କିଛି ପାଇଲେନି । ଏହି କର୍ମଯୋଗୀର ବଚନ ବିଭବରେ କ’ଣ ଏତେ ବିଭୁତି ଭରି ରହିଛି ! ଗୋଟିଏ ଜାତିର ସଂଗଠନ ପାଇଁ ବନ୍ଧୁ, ସଖା, ସାଥୀ ଭାବରେ ସେମାନେ ଓହ୍ଲାଇ ଆସିଥିଲେ ତାଙ୍କ ପର୍ଣ୍ଣକୁଟୀରକୁ । ସ୍ୱପ୍ନ ସାର୍ଥକ ହେଲା-ଉତ୍କଳ ସ୍ୱତନ୍ତ୍ର ପ୍ରଦେଶ ହେଲା । ପରେ ଭାରତ ସ୍ୱାଧୀନ ହେଲା । ଓଡ଼ିଆ ଜାତିର ଅସ୍ତିତ୍ୱ, ଓଡ଼ିଆ ଭାଷାର ପ୍ରାଣସତ୍ତା କିଛି ନଷ୍ଟ ହେଲାନି । ବଞ୍ଚିବାର ମନ୍ତ୍ର ନେଇ ବଞ୍ଚିଲା । ଆଜିର ରାଷ୍ଟ୍ରନିର୍ମାତାମାନଙ୍କ ମଧ୍ୟରେ ଗୋପବନ୍ଧୁଙ୍କର ସ୍ଥାନ କୌଣସି ଦୃଷ୍ଟିରେ ନ୍ୟୂନ ନୁହେଁ । ଈଶ୍ୱରବିଶ୍ୱାସ ହିଁ ତାଙ୍କୁ ଏ ଦିଗରେ ବିଜୟୀ କରିଥିଲା ।

 

ଶିକ୍ଷକ ହିସାବରେ ସେ ଥିଲେ ତାଙ୍କ ପ୍ରିୟ ଛାତ୍ରମାନଙ୍କ ପାଖରେ ଆଦର୍ଶର ଧ୍ରୂବତାରା । ସତ୍ୟବାଦୀରେ ଯେଉଁ ବନବିଦ୍ୟାଳୟ ସେ ପ୍ରତିଷ୍ଠା କରିଥିଲେ, ତାହା ଥିଲା ବୈଦିକ ଯୁଗର ଗୁରୁକୁଳାଶ୍ରମଠାରୁ ଅନେକ ଦିଗରେ ଉନ୍ନତ । ଯେତେବେଳେ ସାରାଦେଶରେ ଗତାନୁଗତିକ ଶିକ୍ଷାର ରୁଦ୍ଧ ବାୟୁମଣ୍ଡଳରେ ଛାତ୍ରମାନଙ୍କର ଶ୍ୱାସରୁଦ୍ଧ ହେଉଥିଲା, ଠିକ୍ ସେଇ ମୁହୂର୍ତ୍ତରେ ତାଙ୍କର ଅଭିନବ ଶିକ୍ଷା ପ୍ରଣାଳୀ ନୈରାଶ୍ୟ ଭିତରେ ଆଶା ସଞ୍ଚାର କରିଥିଲା । ଛାତ୍ରମାନଙ୍କର ଭକ୍ତିଗଦ୍‌ଗତ କଣ୍ଠର ଗୀତଗୁଞ୍ଜନ ବକୁଳବନର ଅନ୍ତଃସ୍ଥଳରେ ପ୍ରତିଧ୍ୱନିତ ହୋଇ ସାରା ଦେଶର ପ୍ରାଣକେନ୍ଦ୍ରକୁ ଶିହରିତ କରୁଥିଲା । ସେ ଶିକ୍ଷା ଥିଲା ତ୍ୟାଗର ଶିକ୍ଷା, ଭୋଗର ନୁହେଁ । ମାନବିକତାର ମନ୍ତ୍ରରେ ତାହା ଅଭିମନ୍ତ୍ରିତ ହୋଇଥିଲା । ନୀତି, ନିୟମ, ସ୍ନେହ, ଶ୍ରଦ୍ଧା, ସାଧନା ଭିତରେ ସଚ୍ଚା ମଣିଷ ତିଆରି କରିବା ଥିଲା ସେହି ଶିକ୍ଷାର ପବିତ୍ର ଆଦର୍ଶ । ଯେଉଁ ଇଂରେଜମାନେ ଦର୍ପିତ କଣ୍ଠରେ ନିଜ ଶିକ୍ଷାର ଜୟଗାନ କରୁଥିଲେ, ସେମାନଙ୍କ ମଧ୍ୟରୁ ଶ୍ରେଷ୍ଟ ବ୍ୟାଖ୍ୟାକାରମାନେ ଏହି ବନବିଦ୍ୟାଳୟର ଶିକ୍ଷା-ପଦ୍ଧତିରେ ବିମୋହିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅନେକେ ବିଶେଷତଃ ସେ ସମୟର ଶିକ୍ଷାନିର୍ଦ୍ଦେଶକ ସତ୍ୟବାଦୀ ବନବିଦ୍ୟାଳୟ ଶିକ୍ଷାକୁ ଭୁୟସୀ ପ୍ରଶଂସା କରିଥିଲେ । ଶିକ୍ଷା ମଣିଷକୁ ମଣିଷ କରି ନ ପାରିଲେ ସେ ଶିକ୍ଷାର କି ମୂଲ୍ୟ ଅଛି ? ଏଇ କଥା ହିଁ ସମସ୍ତଙ୍କ ତୁଣ୍ଡରୁ ବାହାରୁଥିଲା ।

 

ଗୋପବନ୍ଧୁଙ୍କର ଜୀବନ ଗୋଟିଏ ମହାକାବ୍ୟ । ସେ କାବ୍ୟର ପ୍ରତ୍ୟେକ ଅଧ୍ୟାୟ ଭିତରେ ଅସରନ୍ତି ଘଟଣାପ୍ରବାହ ଲୁଚିରହିଛି । ତା’ର ପ୍ରତ୍ୟେକ ପୃଷ୍ଟାରେ ମଣିଷ ଜୀବନର ସୁଖ ଦୁଃଖ, ଆଶା ନିରାଶା, କଳ୍ପନା ଓ ସ୍ୱପ୍ନ ରୁପାୟିତ । ତାଙ୍କ ଜୀବନ ଓଡ଼ିଶାର ଅର୍ଦ୍ଦଶତାବ୍ଦୀର ଇତିହାସ କହିଲେ ଅତୁକ୍ତି ହେବ ନାହିଁ । ତାଙ୍କ ଜୀବନୀକୁ ପାଠ କରିବା ଅର୍ଥ, ସ୍ୱାଧୀନତା ପୂର୍ବର ଓଡ଼ିଶା ତଥା ଭାରତର ତତ୍କାଳୀନ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଅବସ୍ଥା ବିଷୟରେ ଜ୍ଞାନଲାଭ କରିବା-। ସେ ଥିଲେ ବିପ୍ଳବର ସୂତ୍ରଧର, ଓଡ଼ିଶା ମାଟିରେ ଏହାର ସୂତ୍ରପାତ କରି ଭାରତର ଜାତୀୟ ମହାସ୍ରୋତରେ ଏହାକୁ ସାମିଲ୍ କରି ଦେଇଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ଜଣେ ଶକ୍ତିଶାଳୀ ସୈନିକ ଥିଲେ । ଅବଶ୍ୟ ସ୍ୱାଧୀନତାର ମଧୁପାନ ସେ କରିପାରିଲେ ନାହିଁ; କିନ୍ତୁ ଯାହାପାଇଁ ସେ ଜୀବନ ଉତ୍ସର୍ଗ କରିଥିଲେ, ସେମାନେ ଆଜି ତାଙ୍କ ସାଧନାର ସୁଧାକୁ ପାନ କରୁଛନ୍ତି ।

 

ବନ୍ଧନ ଛାଡ଼ିଲା ନାହିଁ

 

୧୯୦୬ ସାଲର ଘଟଣା ।

 

ଗୋପବନ୍ଧୁ କଲିକତାରୁ ଓକିଲାତି ପାସ୍ କରିଥାନ୍ତି । ଠିକ୍ ଏତିକିବେଳେ ମୟୁରଭଞ୍ଜ ମହାରାଜାଙ୍କ ତରଫରୁ ଗୋଟିଏ ପ୍ରସ୍ତାବ ଆସିଲା ଯେ, ସେ ନୀଳଗିରି ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିବେ ଓ ତାହାର ପ୍ରଧାନ ଶିକ୍ଷକରୂପେ କାର୍ଯ୍ୟ କରିବେ । ଏହି ବିଦ୍ୟାଳୟଟି ଭାରତର ତତ୍କାଳୀନ ମହାନ୍ ନେତା ଗୋପାଳକୃଷ୍ଣ ଗୋଖେଲଙ୍କ ଆଦର୍ଶ ଓ ଭାବଧାରା ଅନୁସାରେ ପ୍ରତିଷ୍ଠିତ ହେବ । ତାହା ହିଁ କାର୍ଯ୍ୟତଃ ହେଲା । ମହାରାଜା ଗୋପବନ୍ଧୁଙ୍କୁ ଏହାର ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କଲେ ।

 

ଗୋପବନ୍ଧୁଙ୍କର ମହାରାଜାଙ୍କ ସହିତ ପୂର୍ବରୁ ସୁସମ୍ପର୍କ ଥିଲା ଏବଂ ସେ ଗୋପବନ୍ଧୁଙ୍କ ଉପରେ ଅଗାଧ ବିଶ୍ୱାସ ସ୍ଥାପନା କରିଥିଲେ । ଏହିପରି ଏକ ଆଦର୍ଶ ବିଦ୍ୟାଳୟରେ ଗୋପବନ୍ଧୁଙ୍କ ପରି ଜଣେ ଆଦର୍ଶ ବ୍ୟକ୍ତିଙ୍କର ଆବଶ୍ୟକତା ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ଗୋପବନ୍ଧୁ କିନ୍ତୁ ଏଥିପାଇଁ ନିଜର ସମ୍ମତି ଦେଲେ ନାହିଁ । ବରଂ ତା’ ବଦଳରେ ତାଙ୍କର ପ୍ରିୟବନ୍ଧୁ ଉମାଶଙ୍କର ଦାସଙ୍କ ନାମ ସେ ମହାରାଜାଙ୍କୁ ସୁପାରିଶ କଲେ । ଉମାଶଙ୍କର ଥିଲେ ସେ ସମୟର ଜଣେ ଉଚ୍ଚଶିକ୍ଷିତ ମେଧାବୀ ବ୍ୟକ୍ତି । ମହାରାଜ ଗୋପବନ୍ଧୁଙ୍କ ସୁପାରିଶକ୍ରମେ ତାଙ୍କୁ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତ କଲେ ।

 

ସରକାରୀ ଚାକିରୀର ମୋହ ଅଧିକାଂଶ ଶିକ୍ଷିତ ଯୁବକଙ୍କୁ ସେତେବେଳେ ଆକର୍ଷଣ କରୁଥିଲା । ପଦମର୍ଯ୍ୟାଦା, ଅର୍ଥ ଓ କ୍ଷମତା ଲୋଭରେ ଶିକ୍ଷିତ ଯୁବକମାନେ ସେ ଆଡ଼କୁ ଢଳୁଥିଲେ-। ବହୁ ପ୍ରଲୋଭନ ଏଡ଼ି ଉମାଶଙ୍କର ନୀଳଗିରି ବିଦ୍ୟାଳୟରେ କେତେଦିନ କାମ କରିବା ପରେ ସରକାରୀ ଚାକିରୀ ପ୍ରତି ପ୍ରଲୋଭିତ ହେଲେ ଏବଂ ଡେପୁଟି ଚାକିରୀ ପାଇ ପ୍ରଧାନଶିକ୍ଷିତ ପଦ ପରିତ୍ୟାଗ କଲେ ।

 

ବର୍ତ୍ତମାନ ମହାରାଜା ଗୋପବନ୍ଧୁଙ୍କୁ ପ୍ରଧାନଶିକ୍ଷକତା ପାଇଁ ନିମନ୍ତ୍ରଣ ଜଣାଇଲେ । ସେ ଅନ୍ୟ ଉପାୟ ନ ଦେଖି ବନ୍ଧୁଙ୍କ ସ୍ଥାନ ବାଧ୍ୟହୋଇ ପୂରଣ କଲେ । ବର୍ତ୍ତମାନ ସେ ନୀଳଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ।

 

ଗୋପବନ୍ଧୁଙ୍କର ବାଲ୍ୟ ବନ୍ଧୁ ଥିଲେ ଆାଚାର୍ଯ୍ୟ ହରିହର ଦାଶ । ସେ ତାଙ୍କଠାରୁ ବର୍ଷେ-ଦୁଇ ବଡ଼ ହେଲେ ମଧ୍ୟ ଅନେକ ସମୟରେ ବନ୍ଧୁ ଭାବରେ ତାଙ୍କୁ ଆନ୍ତରିକ ସମ୍ମାନ ଦେଉଥିଲେ ଏବଂ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟାଗୁଡ଼ିକ ବିଷୟରେ ତାଙ୍କ ସହିତ ଆଲୋଚନା କରୁଥିଲେ-। ହରିହର ସେତେବେଳକୁ ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ଏହି ବିଦ୍ୟାଳୟର ସହକାରୀ ଶିକ୍ଷକରୂପେ ଯୋଗ ଦେବାପାଇଁ ସେ ତାଙ୍କୁ ଅନୁରୋଧ କଲେ । ଆାଚାର୍ଯ୍ୟ ହରିହର ବିନା ଦ୍ୱିଧାରେ ତାହା ଗ୍ରହଣ କରି ନୂତନ ନିଯୁକ୍ତିରେ ଯୋଗଦାନ କଲେ । ନୀଳଗିରି ଉଚ୍ଚ ବିଦ୍ୟାଳୟ ଦୁଇଜଣ ଆଦର୍ଶ ଶିକ୍ଷକଙ୍କର ପରିଚାଳନାରେ ଏକ ନୂତନ ପରମ୍ପରା ସୃଷ୍ଟି କଲା । ମୟୁରଭଞ୍ଜର ମହାରାଜା ଗୋପବନ୍ଧୁଙ୍କଠାରୁ ଅଦ୍ଭୁତ ସଂଗଠନ-ଶକ୍ତିର ସନ୍ଧାନ ପାଇଥିଲେ ।

 

କିଛିଦିନ ପରେ ପଣ୍ଡିତ ଗୋପବନ୍ଧୁ ବାରିପଦା ମ୍ୟୁନିସିପାଲିଟିର ସଭ୍ୟ ଓ ପ୍ରଥମ ଭାଇସ୍‌ଚେୟାରମ୍ୟାନ୍ ହେଲେ । ସେତେବେଳେ ଏହାର ଚେୟାରମ୍ୟାନ ଥିଲେ ହରିଶ୍ଚନ୍ଦ୍ର ଭଞ୍ଜଦେଓ, ଯେ କି ମୟୁରଭଞ୍ଜ ମହାରାଜା ରାମଚନ୍ଦ୍ରଙ୍କର ଖୁଡ଼ତା ପୁଅ ଭାଇ । ତାଙ୍କରି ସମୟରେ ସୁସଂଗଠିକ ଭାବରେ ପ୍ରଶାସନ ବ୍ୟବସ୍ଥା ପ୍ରଚଳିତ ହେଲା ।

 

୧୯୦୯ ସାଲର କଥା ।

 

ମୟୁରଭଞ୍ଜର ସରକାରୀ ଓକିଲ ଶ୍ରୀ ସୁରେନ୍ଦ୍ରନାଥ ମୁଖାର୍ଜୀ ସବ୍‌ଜଜ୍ ପଦକୁ ଉନ୍ନୀତ ହେଲେ । ଫଳରେ ଏହି ପଦ ଖାଲି ପଡ଼ିଲା । ରାଜା ରାମଚନ୍ଦ୍ର ଜଣେ ଉପଯୁକ୍ତ ଓଡ଼ିଆଙ୍କୁ ଏହି ପଦରେ ରଖିବାକୁ ମନସ୍ଥ କରିଥିଲେ; କିନ୍ତୁ କେହି ଜଣେ ହେଲେ ବି ଏଥିପାଇଁ ପ୍ରାର୍ଥୀ ହେଲେ ନାହିଁ-। ଯାହା ହେଲେ ସବୁ ଅଣଓଡ଼ିଆ ଲୋକ । ମହାରାଜା ମଧୁବାବୁ ଓ ଗୋପାଳଚନ୍ଦ୍ର ପ୍ରହରାଜଙ୍କୁ ଜଣେ ଓଡ଼ିଆ ଓକିଲ ଠିକ୍ କରିଦେବାକୁ ଅନୁରୋଧ କରିଥିଲେ । ପ୍ରହରାଜଙ୍କ ଆଖି ପଡ଼ିଲା ଗୋପବନ୍ଧୁଙ୍କ ଉପରେ । ସେ ତାଙ୍କୁ ବହୁବାର ଅନୁରୋଧ କରିବା ପରେ ସେ ଶେଷରେ ରାଜି ହେଲେ । ତାପରେ ସେ ମୟୁରଭଞ୍ଜ ଶାସନସଂସ୍ଥାର ଆଇନ ପରାମର୍ଶଦାତା ହିସାବରେ କାମ କଲେ ।

 

ଗୋଟିକ ପରେ ଗୋଟିଏ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ ଆସି ଲଦିହେଲା । ଗୋପବନ୍ଧୁଙ୍କର ଆଇନଜ୍ଞାନ ରାଜା ରାମଚନ୍ଦ୍ରଙ୍କୁ ଅତ୍ୟନ୍ତ ମୁଗ୍‌ଧ କରିଥିଲା । ଏହା ବ୍ୟତୀତ ତାଙ୍କର କର୍ତ୍ତବ୍ୟନିଷ୍ଠା ବଳରେ ସେ ଅନେକ ଶାସନ ସଂସ୍କାର କରି ପାରିଥିଲେ । ୧୯୧୦ ମସିହାରେ ଶାସନ ପରିଷଦରେ ସ୍ଥିର ହେଲା ଯେ ରାଜ୍ୟର ସରକାରୀ ଓକିଲ ତଥା ଆଇନ ପରାମର୍ଶଦାତା ଶ୍ରୀ ଗୋପବନ୍ଧୁ ଦାଶ ଏହାର ସଭ୍ୟରୂପେ କାମ କରିବେ ଏବଂ ତାହାହିଁ ହେଲା । ମୟୁରଭଞ୍ଜର ଶାସନପରିଷଦ ସହିତ ସେ ଓତପ୍ରୋତ ଭାବରେ ଜଡ଼ିତ ହେଲେ ।

 

୧୯୧୨ ମସିହାର ଘଟଣା ।

 

ଦିନେ ମୟୁରଭଞ୍ଜର ରାଜା ଶୀରାମଚନ୍ଦ୍ର ଭଞ୍ଜଦେଓ ଶିକାରକୁ ଯାଇଥିଲେ । ଦୈବୀ ଦୁର୍ଯୋଗରୁ ହଠାତ୍ ତାଙ୍କ ବନ୍ଧୁକରୁ ଗୁଳି ଫୁଟିଯାଇ ତାଙ୍କୁ ମୁତ୍ୟୁମୁଖରେ ପକାଇଥିଲେ । ଏ ଘଟଣା ଶୁଣିବା ପରେ ବନ୍ଧୁ ପ୍ରତିମ ମହାରାଜାଙ୍କ ବିୟୋଗ ତାଙ୍କ ପ୍ରାଣରେ ଗଭୀର ଆଘାତ ଦେଲା ଏବଂ ସେ ଅନୁଶୋଚନା ଓ ବ୍ୟଥାଭରା ହୃଦୟରେ ମୟୁରଭଞ୍ଜ ଆଉ ଅଧିକ ଦିନ ରହିବେ ନାହିଁ ବୋଲି ସ୍ଥିର କଲେ । ଏଥିପାଇଁ ତାଙ୍କୁ କୌଣସି ଘଟଣା ଓ ସୁଯୋଗର ଅପେକ୍ଷାରେ ରହିବାକୁ ପଡ଼ିଥିଲା ।

 

ରାଜାଙ୍କ ମୃତ୍ୟୁପରେ ମୟୁରଭଞ୍ଜର ଶାସନଭାର କିଛିକାଳ ପାଇଁ ଇଂରେଜମାନଙ୍କ ହାତକୁ ଆସିଥିଲା । ଇଂରେଜମାନଙ୍କ ସହିତ ଗୋପବନ୍ଧୁଙ୍କର ମନ ମିଳିଲା ନାହିଁ । ସେ ନିଜକୁ ପ୍ରତି ମୁହୂର୍ତ୍ତରେ ଅଣନିଃଶ୍ୱାସୀ ଅନୁଭବ କରୁଥିଲେ ।

 

ଦିନକର ଘଟଣା ।

 

ବରିପଦା ବାଳିକା ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁସ୍ଥିତ ହେଉଥିଲା । ସେହି ଉତ୍ସବରେ ଗୋରା ସୁପରିଣ୍ଟେଣ୍ଡେଣ୍ଟ ସଭାପତିତ୍ୱ କରିଥିଲେ । ସଭା ଶେଷରେ ସେ ଯେତେବେଳେ ବିଦାୟ ନେଲେ, ସେତେବେଳେ ରାଭ୍ୟର ସର୍ବୋଚ୍ଚ ଶିକ୍ଷା ଅଫିସରଙ୍କୁ ତାଙ୍କ ସହିତ ଯିବାପାଇଁ ନିର୍ଦ୍ଦେଶ ଦେଲେ । ଆଜିକାଲି ପରି ସେତେବେଳେ ମୋଟର ଗାଡ଼ିର ବିଶେଷ ପ୍ରଚଳନ ନ ଥିଲା । ସାହେବ ଘୋଡ଼ାଗାଡ଼ିରେ ଚଢ଼ି ଯାତାୟତ କରୁଥିଲେ । ସେ ତାଙ୍କ ଘୋଡ଼ାଗାଡ଼ିରେ ଯାଇଥିବାବେଳେ ତାଙ୍କୁ ନିଜ ପାଖରେ ନ ବସାଇ କଚୁଆନ ପାଖରେ ବସିବାକୁ ନିର୍ଦ୍ଦେଶ ଦେଲେ । ସେ ମହାଶୟ ତାହା ହିଁ କଲେ । ଗୋପବନ୍ଧୁ ଗୋରା ସାହେବଙ୍କର ଏ ପ୍ରକାର ଶାଳୀନତାହୀନ ବ୍ୟବହାରରେ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇଥିଲେ । ସେ ସେହି ମୁହୂର୍ତ୍ତରେ ଚାକିରୀ ଛାଡ଼ିଦେବା ପାଇଁ ସ୍ଥିର କଲେ ଏବଂ ପରେ ମୟୁରଭଞ୍ଜ ତ୍ୟାଗ କରି କଟକରେ ଓକିଲାତି କଲେ ।

 

ସତ୍ୟବାଦୀ ବନବିଦ୍ୟାଳୟର ପରିକଳ୍ପନା

 

ଶୟନେ ସ୍ୱପନେ ଜାଗରଣେ ସେଇ ଗୋଟିଏ ଚିନ୍ତା.....ସେଇ ଗୋଟିଏ ସ୍ୱପ୍ନ.....ଗୋଟିଏ ନୂତନ ବିଦ୍ୟାଳୟ ପ୍ରତିଷ୍ଠିତ ହେବ । ତାହା ହେବ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର । ସେ ହେବ ଏ ଜାତିର ସୌଭାଗ୍ୟ-ସୂର୍ଯ୍ୟ; ଯାହାର କିରଣ ରାଶିରେ ପ୍ରତ୍ୟେକର ହୃଦୟ ଉଦ୍ଭାସିତ ହୋଇ ଉଠିବ । ତା’ର ତେଜୋପୁଞ୍ଜରେ ଦେଶ ହେବ ଉଜ୍ୱ୍ୱଳମୟ । ଏହି ବିଦ୍ୟାଳୟର ଉଚ୍ଚ ଆଦର୍ଶ ବଳରେ ମଣିଷ ହେବ ତ୍ୟାଗର ପ୍ରତିମୂର୍ତ୍ତି । ମାନବିକତାର ଜୟଗାନ ଧନିତ ହେବ ପ୍ରତ୍ୟେକ ମାନବର ମନମନ୍ଦିରରେ ।

 

ସ୍ୱପ୍ନଜୀବୀ ଗୋପବନ୍ଧୁ ସେ ସ୍ୱପ୍ନରେ ବିହଳ । ଏକାକୀ କ’ଣ ଏ ସ୍ୱପ୍ନକୁ ସାର୍ଥକ କରିବା ସମ୍ଭବ ? ସେଥିପାଇଁ ଦରକାର ତ୍ୟାଗପୂତ, ଏକନିଷ୍ଟ ସାଧନାରତ ଆଦର୍ଶ ଶିକ୍ଷକ, ଯେଉଁମାନେ, କୁମ୍ଭାର ମାଟିପିଣ୍ଡୁଳାରୁ ଦେବପ୍ରତିମା ଗଢ଼ିଲା ପରି ମନୁଷ୍ୟ ପିଣ୍ଡରୁ ପ୍ରକୃତ ମନୁଷ୍ୟ ଗଢ଼ିପାରିବେ । ଗୋପବନ୍ଧୁଙ୍କର ଏକାନ୍ତ ଅନୁଗତ ବନ୍ଧୁ ଥିଲେ ପଣ୍ଡିତ ନୀଳକଣ୍ଠ, ଗୋଦାବରୀଶ ଓ ହରିହର । ଏ ସ୍ୱପ୍ନକୁ ସାର୍ଥକ କରିବେ ବୋଲି ସେ ତାଙ୍କ ସହିତ ଶପଥ କଲେ । କେତେ ବିଚାର ଆଲୋଚନା, କେତେ ଖଣ୍ଡନ ମଣ୍ଡନ ପରେ ସବୁ ବନ୍ଧୁ ଗୋଟିଏ ନିଷ୍ପତ୍ତିରେ ପହଞ୍ଚିଥିଲେ । ସବୁ କଥାକୁ କାନପାରି ଶୁଣିଥିଲା ଭାର୍ଗବୀ ନଈ । ସେ ତା’ର କୁଳୁସଙ୍ଗୀତ ମଧ୍ୟରେ ଏହି ନବଯୁବକମାନଙ୍କର ନବୀନ ଭାବଧାରାକୁ ସ୍ୱାଗତ ଜଣାଇଥିଲା ।

 

ଉୀଷ୍ମ ପ୍ରତିଜ୍ଞା

 

ବିଦେଶୀ ସରକାର ଅଧୀନରେ ସାରାଜୀବନ ଚାକିରୀ କରିବେ ନାହିଁ । ଦେଶସେବା ପାଇଁ ପ୍ରାଣ ଉତ୍ସର୍ଗ କରିବେ । ‘ମାତା ଭୂମିଃ ପୁତ୍ରୋଽହମ୍ ପୃଥିବ୍ୟାଃ’, ଏହି ବେଦବାକ୍ୟ ସେମାନଙ୍କୁ ପାଳନ କରିବାକୁ ହେବ । ମାତୃଭୁମି ସାକ୍ଷାତ୍ ମା’ ସହିତ ସମାନ । ଆମେ ସବୁ ପୃଥବୀର ପୁତ୍ର । ବିଦ୍ୟାଳୟ ହିଁ ମହାନ୍ ଜାତୀୟତାର ପ୍ରସୂତିଶାଳା । ସେ ଏପରି ଏ ବିଦ୍ୟାଳୟ ଗଠନ କରିବେ, ଯାହ ମଧ୍ୟରେ ଆର୍ଯ୍ୟ ଜୀବନଧାରା ପ୍ରଧାବିତ ହେବ ।

 

ତିନିବନ୍ଧୁଙ୍କର ନୈତିକ ସମର୍ଥନ କ୍ରମେ ଗୋପବନ୍ଧୁ ତାଙ୍କର କର୍ତ୍ତବ୍ୟ ପଥରେ ଆଗେଇ ଗଲେ । ସେ ଦେଖିଲେଣି, ସେବା ଓ ତ୍ୟାଗ ପଥରେ ସେ ଏକାକୀ ନୁହନ୍ତି.....ସାଥୀଶୂନ୍ୟ ନୁହନ୍ତି ।’ ବହୁଜନ ସମର୍ଥନ ମଧ୍ୟ ସେମାନଙ୍କୁ ମିଳୁଛି ।’

 

ନାନା ସଭା ସମିତି କରାଗଲା ।

 

ଗୋପବନ୍ଧୁ ତାଙ୍କର ମନୋଗତ ଭାବ ଦେଶବାସୀଙ୍କ ସମକ୍ଷରେ ପ୍ରକାଶ କଲେ । ଲୋକମାନଙ୍କର ପ୍ରେମ, ପ୍ରତିକ୍ରିୟା, ଆଗ୍ରହ ଓ ଉତ୍ସାହ ବିଷୟର ଜାଣିବା ପାଇଁ ଏହା ସାହାଯ୍ୟ କଲା । ସେ ପ୍ରତି କ୍ଷେତ୍ରରେ ବିପୁଳ ପ୍ରେରଣା ଲାଭକଲେ । ତାଙ୍କ ପରିକଳ୍ପିତ ବିଦ୍ୟାଳୟ ପାଇଁ ଚାନ୍ଦା ଆଦାୟ କରାଗଲା । ସ୍ଥିର ହେଲା, ସାକ୍ଷୀଗୋପାଳର ପବିତ୍ର ବକୁଳ ବନରେ ଆଶ୍ରମ ବିଦ୍ୟାଳୟଟି ସ୍ଥାପିତ ହେବ ।

 

ତାଙ୍କୁ ବହୁ ବନ୍ଧୁ ବିଦ୍ୟାଳୟ ବିଷୟରେ ବହୁ ପ୍ରଶ୍ନ ପଚାରୁଥିଲେ । ‘‘ଦେଶରେ ତ ଏତେ ବିଦ୍ୟାଳୟ ଅଛି, ଏ ବିଦ୍ୟାଳୟ ପ୍ରତିଷ୍ଠା ହେଲେ ଆଉ ଅଧିକା କଣ ହେବ ?’’ ସମସ୍ତଙ୍କୁ ତାଙ୍କର ସେଇ ଗୋଟିଏ ଉତ୍ତର ଥିଲା, ଯାହା ଥିଲା ତାଙ୍କ ସ୍ୱପ୍ନର ପରିପ୍ରକାଶ, କଳ୍ପନାର କଳାମୟ କାବ୍ୟ ।

 

‘‘ମୁଁ ଭାରତର ସ୍ୱାଧୀନତା ପାଇଁ ଏ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛି । ଏଠାରେ ଯେଉଁ ଛାତ୍ରମାନେ ଗଢ଼ା ହେବେ, ସେମାନେ ହେବେ ଜାତିର ଆଦର୍ଶ ଶିକ୍ଷକ ଆଜିର ଯୁବକସମାଜକୁ ସେମାନେ ଏପରି ଭାବରେ ନୀତି ଓ ଆଦର୍ଶରେ ଉଦ୍‌ବୁଦ୍ଧ କରିବେ, ଯାହା ଫଳରେ ଭାରତ ତାର ସ୍ୱାଧୀନତା ହାସଲ ପାଇଁ ରକ୍ତାକ୍ତ ସଂଘର୍ଷ କରିବାକୁ ପଡ଼ିବ ନାହିଁ । ପଶୁବଳରେ ବଳୀୟାନ ବିଦେଶୀ ସରକାର ଶେଷରେ ଶକ୍ତିଶାଳୀ ଅହିଂସ ଆନ୍ଦୋଳନ ପାଖରେ ତାର ମସ୍ତକ ଅବନତ କରିବ । ଭାରତର ମୁକ୍ତିରେ ଉତ୍କଳ ଜନନୀର ମୁକ୍ତି ଓ ମଙ୍ଗଳ ନିହିତ ।’’

 

ଏହି ଜାତୀୟ ଭାବନାରେ ଉଦ୍‌ବୁଦ୍ଧ ହୋଇ ଦେଶର ପ୍ରତ୍ୟେକ କୋଣରୁ ସାହାଯ୍ୟ ସମର୍ଥନ ଓ ଶୁଭେଚ୍ଛା ମିଳିଥିଲା । ଯେଉଁମାନେ ଏହାର ତାତ୍ପର୍ଯ୍ୟ ବୁଝିଥିଲେ ସେମାନେ ଅକୁଣ୍ଠ ସାହାଯ୍ୟ ଦେଇଥିଲେ, ତେବେ ସେମାନଙ୍କର ସଂଖ୍ୟା ଅଧିକ ନୁହେଁ । ଯେଉଁମାନେ ନ ବୁଝିଲେ ସେମାନେ ମଧ୍ୟ ଗୋପବନ୍ଧୁଙ୍କର ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ତ୍ୟାଗମୟ ଜୀବନ ଉପରେ ଆସ୍ଥା ରଖି ସେମାନଙ୍କର ସମର୍ଥନ ଦେଇଥିଲେ । ଯେଉଁମାନଙ୍କର ତଥାପି ସଫଳତା ଉପରେ ସନ୍ଦେହ ଥିଲା, ସେମାନେ ପ୍ରଗତି ପଥର ପ୍ରତିବନ୍ଧକ ନ ହୋଇ ବିପ୍ଳବର ରଥକୁ ବାଟ ଛାଡ଼ି ଦେଇଥିଲେ ସଂଘର୍ଷ ପାଇଁ । ଅପେକ୍ଷା କରିଥିଲେ ଫଳାଫଳ କଣ ହେଉଛି ଦେଖିବାକୁ । ତେବେ ବହୁ ବ୍ୟକ୍ତିଙ୍କର ଆଶା, ଆଶଙ୍କା, ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠିତ ହେବାର ଉଦ୍ୟମ ଅବ୍ୟାହିତ ରହିଲା । ଗୋପବନ୍ଧୁଙ୍କର ‘‘ଶିବରାତ୍ରି’’ କବିତାଟି ପାଠକଲେ ଲକ୍ଷ୍ୟ ପଥରେ ସେ କେତେ ଅଟଳ ଥିଲେ, ତାହା ଅନୁମେୟ । ସେ ଆଶାଭରା କଣ୍ଠରେ ଗାଇଥିଲେ–

 

‘‘ରାତ୍ରି କରେ ଉଜାଗର କିସ ପ୍ରୟୋଜନ,

ନିଦ୍ରା ବିମୋହିତ ମୋର ସମସ୍ତ ଜୀବନ ।

× × ×

ଉଜାଗର ରହି କର ତାଙ୍କୁ ପ୍ରିୟକର୍ମ,

ପାଇବାକୁ ବାଞ୍ଛା ଯେବେ ଶିବରାତ୍ରି ଧର୍ମ ।

ସମସ୍ତ ଜୀବନ କର ଏକ ଶିବରାତ୍ରି,

ଅନ୍ଧାରେ ନ ହୁଡ଼ ପଥ ସ୍ୱରଗର ଯାତ୍ରି ।’’

 

ଗୋପବନ୍ଧୁ ପ୍ରଚଳିତ ଶିକ୍ଷାପ୍ରଣାଳୀରେ ନିଜେ ବଢ଼ିଥିଲେ ମଧ୍ୟ ଏହାର ଅସାରତା ମର୍ମେ ମର୍ମେ ଅନୁଭବ କରିଥିଲେ । ସେ ଭଲରୂପ ବୁଝିଥିଲେ ଯେ ଆଜିର ଶିକ୍ଷାପ୍ରଣାଳୀ ମାନସିକ ଦାସତ୍ୱ ଦିଗରେ ମଣିଷକୁ ଟାଣି ନେଉଛି; ଫଳରେ ତାର ସ୍ୱାଧୀନ ଚିନ୍ତା ଓ ସ୍ୱାଧୀନ ମତ ବ୍ୟକ୍ତି କରିବାର ଶକ୍ତି ନଷ୍ଟ ହୋଇଯାଉଛି । ଏ ଶିକ୍ଷା ଦ୍ୱାରା ଛାତ୍ରମାନେ ପରାଙ୍ଗପୁଷ୍ଟ ହେଇ ଉଠୁଛନ୍ତି ଓ ସମାଜ ସେମାନଙ୍କୁ ଭାର ବହନ କରିବାକୁ ଅସମର୍ଥ ହେଉଛି । ଏହି ଶିକ୍ଷାଧାରାକୁ ପରିବର୍ତ୍ତନ କରା ନ ଯିବା ପର୍ଯ୍ୟନ୍ତ ଭାରତର ଭାଗ୍ୟର ପରିବର୍ତ୍ତନ କରାଯାଇ ପାରିବ ନାହିଁ । ତାଙ୍କ ମତରେ, ଯେଉଁ ଶିକ୍ଷା କେବଳ ଦାସ ସୃଷ୍ଟି କରିବାପାଇଁ ଅଭିପ୍ରେତ, ତାଦ୍ୱାରା ନବଭାରତ ଗଠନ କରିବାର ପ୍ରୟାସ ବାଚଳତା ବ୍ୟତୀତ ଆଉ କିଛି ନୁହେଁ । ସେ ଏପରି ଏକ ଶିକ୍ଷାର ପ୍ରବର୍ତ୍ତନ କରିବାକୁ ଚାହୁଁ ଥିଲେ, ଯାହା ଥିଲା ତାଙ୍କର ପୂର୍ବ ସୂରୀମାନଙ୍କର ମହନୀୟ ଦାନ, ଯାହା ଥିଲା ଅତୀତ ଭାରତର ଗର୍ବ ଓ ଗୌରବ ଯାହା ପ୍ରକୃତ ମଣିଷ ଗଠନ କରିବା ଦିଗରେ ସାହାଯ୍ୟ କରୁଥିଲା । ସେ ଶିକ୍ଷା ହେଉଛି ପ୍ରାଚୀନ ଭାରତର ଗୁରୁକୂଳ ଶିକ୍ଷା ।

 

ତାଙ୍କରି ପରି ଆଜିର ଆଉ କେତେକ ମହାନ୍‌ ଗୁରୁ ‘ଗୁରୁକୁଳାଶ୍ରମ’ ଢାଞ୍ଚାରେ ସେମାନଙ୍କର ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । କବିଗୁରୁ ରବୀନ୍ଦନାଥଙ୍କ ଶାନ୍ତିନିକେତନ ଓ କାଙ୍ଗ୍ରୀର ଗୁରୁକୁଳ ଶିକ୍ଷାନୁଷ୍ଠାନ ତା’ମଧ୍ୟରେ ଅନ୍ୟତମ । ଏହା ଗୋପବନ୍ଧୁଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ତାଙ୍କ କଳ୍ପନା ଯେ ଆଦୌ ଅବାସ୍ତବ ନୁହେଁ ଓ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ହିଁ ଏକମାତ୍ର ସୁଚିନ୍ତିତ ଶିକ୍ଷାଯୋଜନା, ଏହା ଏସବୁ ଅନୁଷ୍ଠାନରେ ପ୍ରମାଣିତ ହୋଇଛି । ଜନସମାଜ ଏହାକୁ ଅନ୍ତରର ସହିତ ସମର୍ଥନ କରିଛନ୍ତି, ଓଡ଼ିଶାରେ ତାହା ଅସଫଳ ହେବ କାହିଁକି-?

 

ଆଉ ଗୋଟିଏ ବିଦ୍ୟାଳୟର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା—ତା ହେଉଛି ମହାରାଷ୍ଟ୍ରର ଫର୍ଗୁସନ ବିଦ୍ୟାଳୟ । ମହାରାଷ୍ଟର ବିଚକ୍ଷଣ ବ୍ୟକ୍ତି ଓ ଧନିକ ଗୋଷ୍ଟୀ ସେମାନଙ୍କ ତ୍ୟାଗ ବଳରେ ଏହା ଆଦର୍ଶ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ଅର୍ଥାଭାବରେ ଏହା ମଉଳି ପଡ଼ି ନ ଥିଲା । ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଏହି ଅନୁଷ୍ଠାନରେ ଶିକ୍ଷକତା କରି ଏକ ନୂତନ ଉଜ୍ଜ୍ୱଳମୟ ପରମ୍ପରା ସୃଷ୍ଟି କରିଥିଲେ । ଏହାର ଶିକ୍ଷାଧାରା ଥିଲା ବାସ୍ତବ ଓ ଜୀବନମୂଳକ । ଉନ୍ନତ ମାନବ ଗଠନ ଏ ଅନୁଷ୍ଠାନର ପ୍ରଧାନ ଲକ୍ଷ୍ୟ ଥିଲା । ଗୋଖେଲଙ୍କ ପରି ମହାନ୍ ବ୍ୟକ୍ତି ଏ ବିଦ୍ୟାଳୟରେ ପ୍ରାୟ କୋଡ଼ିଏ ବର୍ଷ ଶିକ୍ଷକତା କରିଥିଲେ ।

 

ଏତେ ପ୍ରେରଣା, ଏତେ ଉତ୍ସାହ, ଏତେ ବିଚାର ଆଲୋଚନା କ’ଣ ବ୍ୟର୍ଥ ଯାଇଥାନ୍ତା । ଫର୍ଗୁସନ ମହାବିଦ୍ୟାଳୟ ଢାଞ୍ଚାରେ ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପିତ ହେବାର ସ୍ଥିର ହେଲା । ଗୋପବନ୍ଧୁ ସର୍ବଦା ଶିକ୍ଷକ ଓ କର୍ମୀମାନଙ୍କୁ ଉଦ୍‌ବୁଦ୍ଧ କରିବା ନିମିତ୍ତ ଏହି ଅନୁଷ୍ଠାନର ଉଦାହରଣ ଦେଉଥାନ୍ତି ।

 

ସେ ସ୍ଥିର କଲେ, ତାଙ୍କ ପ୍ରତିଷ୍ଠିତ ବିଦ୍ୟାଳୟରେ ଶିକ୍ଷା ହେବ ବାୟୁ, ଜଳ ଓ ସୂର୍ଯ୍ୟାଲୋକ ପରି ସମସ୍ତଙ୍କର ଅତି ଦରକାରୀ ଓ ସହଜଲଭ୍ୟ । ତା ଉପରେ ଧନୀ, ଦରିଦ୍ର, ଉଚ୍ଚ-ନୀଚ ଶ୍ରେଣୀ ନିର୍ବିଶେଷରେ ସମସ୍ତଙ୍କର ଅଧିକାର ରହିବ । ତାଙ୍କ ଶିକ୍ଷା ହେବ ଜୀବନ ଉପଯୋଗୀ-। ତାହା ହେବ ହୃଦୟଗ୍ରାହୀ ଓ ତାହା ହେବ ମାନବିକ ମୂଲ୍ୟରେ ପରିପୂର୍ଣ୍ଣ ।

 

ଏ ଶିକ୍ଷା ଅଧିକ ଭାବରେ ପୁସ୍ତକଗତ ନ ହୋଇ ବରଂ ପ୍ରକୃତିଗତ ହେବ । ଉନ୍ମୁକ୍ତ ପ୍ରକୃତି ହେବ ଛାତ୍ରମାନଙ୍କର ଶିକ୍ଷାଗୁରୁ । ବାଚନିକ ଶିକ୍ଷା ଅପେକ୍ଷା ଶିକ୍ଷାର୍ଥୀମାନେ ଅଧିକ ଭାବରେ ନିଜର ଅଭିଜ୍ଞତାରୁ ସବୁ ଶିକ୍ଷା କରିବେ । ପ୍ରକୃତିର ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଶିଶୁପ୍ରାଣକୁ ଆକର୍ଷଣ କରିବ ଓ ଶିଶୁ ତାରି ମଧ୍ୟରୁ ଶିକ୍ଷାଲାଭ କରିବ ।

 

ବିଦ୍ୟାଳୟ ପାଇଁ ବ୍ୟୟବହୁଳ କୋଠାବାଡ଼ି ନିର୍ମାଣ କରିଯିବ ନାହିଁ । ମୁକ୍ତ ଆକାଶ ତଳେ, ବୃକ୍ଷଛାୟା ଭିତରେ, ବକୁଳ ବନର କୁଞ୍ଜ କାନନରେ ପ୍ରକୃତିର ରମଣୀୟତା ଉପଭୋଗ କରି ଛାତ୍ରମାନେ ପାଠ ପଢ଼ିବେ । ବର୍ଷା ତଥା ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ସୁଲଭ ବିଦ୍ୟାଳୟଗୃହ ସ୍ଥାପନା କରାଯିବ । ଏହାର କାନ୍ଥବାଡ଼ ଓ ପରିବେଶ ଶିକ୍ଷଣୀୟ । କାନ୍ଥରେ ଭାରତମାତା ଓ ଉତ୍କଳ ଜନନୀଙ୍କର ଚିତ୍ର ରହିବ । ଦେଶସେବୀ ବୀରମାନଙ୍କର ଫଟୋ-ଚିତ୍ର ପିଲାମାନଙ୍କ ଆଖି ଆଗରେ ସର୍ବଦା ରହିବ ଓ ନୀତିବାକ୍ୟଗୁଡ଼ିକ ଶ୍ରେଣୀ କକ୍ଷରେ ରହିବ । ମୋଟ ଉପରେ ବିଦ୍ୟାଳୟର ପରିବେଶ ହେବ ଆମୋଦକର, ଶିକ୍ଷଣୀୟ ।

 

ବନ ବିଦ୍ୟାଳୟ ପ୍ରତିଷ୍ଠା ଓ ଦେଶସେବା ପାଇଁ ଏକ କର୍ମୀ-ବାହିନୀ ଦରକାର । ସେମାନେ ହେବେ ତାଙ୍କ ଅଭିନବ କଳ୍ପନାର ରୂପକାର । ଗୋପବନ୍ଧୁ ମହା ଉତ୍ସାହ ମଧ୍ୟରେ ପ୍ରାୟ ୪୦/୫୦ ଜଣ ଆଗ୍ରହୀ ଯୁବକମକର୍ମୀଙ୍କୁ ସ୍ଥିର କଲେ । ଶପଥ ନେବାପାଇଁ ଗୋଟିଏ ପଟୁଆର ଚାଲିଲା ଧବଳେଶ୍ୱର ମନ୍ଦିର ଆଡ଼କୁ ।

 

ଡଙ୍ଗାରେ ବସିଲେ କର୍ମୀଗଣ । ତାଙ୍କ ଗହଣରେ ଗୋପବନ୍ଧୁ, ଗୋଦାବରୀଶ, ନୀଳକଣ୍ଠ-। ସମସ୍ତଙ୍କ ଭିତରେ ଗଭୀର ଉନ୍ନାଦନା, ଆମାପ କର୍ମପ୍ରବଣତା, ଅଦମ୍ୟ ପ୍ରେରଣା । ଦେଶ ସେବାରେ ଜୀବନ ଉତ୍ସର୍ଗ କରିବେ । ମାତୃଭୂମିର ମାନ ରକ୍ଷା କରିବେ—ଜୀବନ ସାର୍ଥକ ହେବ ।

 

ହରିବୋଲ ନାଦରେ ମହାନଦୀର ବକ୍ଷ ଉଛୁଳି ଉଠୁଥାଏ । ଉତ୍କଳଜନନୀର ଜୟ ନାଦରେ ଗଗନ ପବନ ନିନାଦିତ ହେଉଥାଏ । ଡଙ୍ଗା ଯାଇ ଲାଗିଲା ଧବଳେଶ୍ୱରଙ୍କ ପାଖରେ । ସମସ୍ତେ ଡଙ୍ଗାରୁ ଓହ୍ଲାଇ ଭକ୍ତିଗଦ୍‌ଗଦ ଅନ୍ତରରେ ମନ୍ଦିରରେ ପ୍ରବେଶ କଲେ । ପ୍ରାଣପୂତ ପ୍ରତିଜ୍ଞାର ବାର୍ତ୍ତା ନେଇ ଠାକୁରଙ୍କ ପଦରେ ପ୍ରମାଣ ଢାଳିଲେ । ଧବଳେଶ୍ୱରଙ୍କ ପଦ ସ୍ପର୍ଶକରି ପ୍ରତିଜ୍ଞା ଉତ୍ସବ ସାଧିତ ହେଲା । ଏ ଉତ୍ସବର ପୁରୋହିତ ସ୍ୱୟଂ ଗୋପବନ୍ଧୁ ।

 

ଠାକୁରଙ୍କ ପାଖରେ କେତେ ଅଳି । କେତେ କାକୁତି ମିନତି, କିଏ ପ୍ରାର୍ଥନା କଲା, ‘‘ହେ ଠାକୁରେ ! ମୋତେ ତ୍ୟାଗବୀର କର, ଆଉ କିଏ କହିଲା—ମୋତେ ସାହାସୀ କର; କିଏ କହିଲା–ମୋତେ ସେବାଶୀଳ କରାଅ ।’’ ଶେଷରେ ପାଳି ପଡ଼ିଲା ଗୋଦାବରୀଶଙ୍କର । ସେ ଦେଖିଲେ, ସମସ୍ତେ ଯେ ଯାହା ମାଗିନେଇ ସାରିଲେଣି, ସେ ବା କ’ଣ ମାଗିବେ ! କେବଳ ଗୋଟିଏ କଥା ବାକି ଅଛି ଯାହା କେହି ମାଗି ନାହାନ୍ତି—ତା’ ହେଉଛି ‘‘ସତ୍ୟ’’ । ସେ ତାହାହିଁ ଭିକ୍ଷାକଲେ । ସେ ଭକ୍ତି ଗଦ୍‌ଗଦ୍‌ କଣ୍ଠରେ ଠାକୁରଙ୍କ ଶ୍ରୀଚରଣ ସ୍ପର୍ଶକରି କହିଲେ, ‘‘ହେ ଶୁଭ୍ରେଶ୍ୱର ! ତୁମ ପଦରେ ମୋର ଏତିକି ମାଗୁଣି—ମୋର ଅନ୍ତର ସତ୍ୟର ଶୁଭ୍ରତାରେ ଭରିଦିଅ । ଏ ଜୀବନ ହେଉ ଚିର ସତ୍ୟର ଉପାସକ । ଏ ଶରୀର ହେଉ ସତ୍ୟ ସାଧନାର ମନ୍ଦିର । ଏ ମନ ହେଉ ସତ୍ୟର ପରୀକ୍ଷାସ୍ଥଳୀ । ଏ ଜୀବନ ସତ୍ୟମୟ ହେଉ । ’’

 

ତାଙ୍କ ଅନ୍ତରରେ ସେହି ପବିତ୍ର ବେଦବାକ୍ୟ ଝଙ୍କୃତ ହୋଇ ଉଠିଲା ।

 

‘‘ସତ୍ୟମ୍‌ ବୃହଦୃତମୁଗ୍ଳମ୍ ଦୀକ୍ଷାତପୋବ୍ରହ୍ମ ଯଜ୍ଞଃ ପୃଥିବୀମ୍ ଧାରୟନ୍ତି

ସାନୋଭୁସ୍ୟେ ଭବସ୍ୟ ପତ୍ନ ଭୁମ୍ ଲୋକମ୍ ପୃଥିବୀଃ ନକୁଣୋତୁ ।’’

 

ଅଥର୍ବ ବେଦ, ୧୨-୧୧

 

ସତ୍ୟ ପାଳନ କରିବା ପ୍ରତ୍ୟେକଙ୍କର ସର୍ବପ୍ରଥମ ରାଷ୍ଟ୍ରଧର୍ମ । ରାଷ୍ଟ୍ରକୁ ଉଦ୍ଧାର କରିବାପାଇଁ ପ୍ରତ୍ୟେକ ନାଗରିକ ସତ୍ୟାନୁବର୍ତ୍ତୀ ହେବା ଉଚିତ । ସରଳତା ସତ୍ୟ ପରି ମହତ୍ତ୍ୱପୂର୍ଣ୍ଣ । ତଦ୍ଦ୍ୱାର ମନୁଷ୍ୟ ରାଷ୍ଟ୍ରର ସମସ୍ତ ଉନ୍ନତି ବିଧାନ କରିଥାଏ । ଯଜ୍ଞ ହିଁ ଏହି ପୃଥିବୀକୁ ଧାରଣ କରିଛି, ଏହା ମନୁଷ୍ୟର ଶ୍ରେଷ୍ଟ କର୍ତ୍ତବ୍ୟ ।

 

ଠାକୁରଙ୍କୁ ଯେ ଯାହା ମାଗିଥିଲେ ସେ ସବୁର ଏକାନ୍ତ ସମାବେଶ ହୋଇଥିଲା ଗୋପବନ୍ଧୁଙ୍କ ଭିତରେ । ସେ ଥିଲେ ସତେ ଯେପରି ସୂର୍ଯ୍ୟ ଓ ଅନ୍ୟମାନେ ତାଙ୍କର ପରିବାର । ଏହି କ୍ରାନ୍ତିକାରୀ ପରିବାରକୁ ନେଇ ତାଙ୍କର ବିପ୍ଳବ ଆରମ୍ଭ ହେଲା ।

 

ବନବିଦ୍ୟାଳୟ ପ୍ରତିଷ୍ଠା–

 

୧୯୦୯ ମସିହା ଅଗଷ୍ଟ ମାସ ୧୨ ତାରିଖ । ସେହି ଶୁଭ ଦିବସରେ ଆର୍ଯ୍ୟସଂସ୍କୃତିର ସ୍ପନ୍ଦନ ନେଇ ପ୍ରତିଷ୍ଟିତ ହେଲା ସତ୍ୟବାଦୀର ‘‘ବନ ବିଦ୍ୟାଳୟ’’ । ଗୋପବନ୍ଧୁଙ୍କ ଗୁପ୍ତ ବୃନ୍ଦାବନ ଥିଲା ଏଇ ସତ୍ୟବାଦୀ ବହୁଦିନର ପରିକଳ୍ପନା ଆଜି ରୂପ ନେବାକୁ ଯାଉଛି ଏହାର ବିପୁଳ ଶ୍ୟାମଳ ବନବୁକୁରେ । ମୋଟରେ ୧୯ ଜଣ ଛାତ୍ରଙ୍କୁ ନେଇ ଏହି ଶିକ୍ଷାନୁଷ୍ଠାନଟିର ପ୍ରାଣ ପ୍ରତିଷ୍ଠା ହେଲା । ଗୋପବନ୍ଧୁ ନିଜେ ଏହାର ସମ୍ପାଦକ ହେଲେ । ଅବଶ୍ୟ ସେତେବେଳକୁ ସରକାରୀ ଓକିଲ ଭାବରେ ସେ ମୟୁରଭଞ୍ଜରେ ଥିଲେ ମଧ୍ୟ ଏହି ନବୀନ ଅନୁଷ୍ଠାନଟିର ଦାୟିତ୍ୱ ତାଙ୍କୁ ତୁଲାଇବାକୁ ପଡ଼ୁଥିଲା ।

 

୧୯୧୨ ମସିହାରେ ଏଥିରେ ଚତୁର୍ଥ ଶ୍ରେଣୀ ଖୋଲିଲା ଓ ଏହା ଉଚ୍ଚ ବିଦ୍ୟାଳୟରୂପେ ପରିଗଣିତ ହେଲା । ସେ ସମୟରେ ଏପରି ଚଳୁଥିଲା । ଏହି ସମୟକୁ ନୀଳକଣ୍ଠ ଏମ୍‌.ଏ. ପାଶ୍ କରି ଆସିଥାନ୍ତି । ଗୋପବନ୍ଧୁଙ୍କ ଅନୁରୋଧକ୍ରମେ ସେ ଆସି ଏହି ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକରୂପେ ଯୋଗଦାନ କଲେ । ଓଡ଼ିଶାର ଜଣେ ମହାନ୍ ପଣ୍ଡିତ, ସ୍ୱନାମଧନ୍ୟ ସାହିତ୍ୟିକ, ବାଗ୍ମୀ ନୀଳକଣ୍ଠଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି ବିଦ୍ୟାଳୟ ଉନ୍ନତି ପଥରେ ଆଗେଇ ଚାଲିଲା । ଏହା ହେଲା ଜାତୀୟ ଜୀବନର ପ୍ରାଣପୀଠ ।

 

ଶିକ୍ଷାବିଭାଗର ତଥାକଥିତ ନିୟମ କାନୁନ ମଧ୍ୟରେ ବାନ୍ଧିହୋଇ ରହି ଏହି ନୂତନ ଅନୁଷ୍ଠାନଟିକୁ ଚଳାଇବା ପାଇଁ ଗୋପବନ୍ଧୁ ପସନ୍ଦ କଲେ ନାହିଁ । ସେ ଭାବୁଥିଲେ, ଏହାଦ୍ୱାରା ତାଙ୍କର ସ୍ୱାଧୀନତା ସଙ୍କୁଚିତ ହେବାର ଆଶଙ୍କା ଅଛି । ଏହି ଦୃଷ୍ଟିରୁ ସେ ସରକାରୀ ସାହାଯ୍ୟ ଆଣି ନ ଥିଲେ । ଲୋକମାନଙ୍କର ସ୍ନେହ, ଶ୍ରଦ୍ଧା, ସହାନୁଭୂତି ମଧ୍ୟରେ ଅନୁଷ୍ଠାନଟି ଗଢ଼ିଉଠିଲା । ଓଡ଼ିଶା ମହାରାଷ୍ଟ୍ର ନୁହେଁ, ଯାହାର ବିତ୍ତଶାଳୀ ବ୍ୟକ୍ତିମାନେ ଅକୁଣ୍ଠ ଚିତ୍ତରେ ବିଦ୍ୟାଳୟ ପାଇଁ ସାହାଯ୍ୟ ଦାନ କରିପାରିବେ । ଏହାର ବ୍ୟୟଭାର ବହନ କରିବାକୁ ଧନିକଗୋଷ୍ଠୀ ତରଫରୁ ଆଶାନୁରୂପ ଆଗ୍ରହ ପ୍ରକାଶ ପାଇ ନ ଥିଲା । ଆର୍ଥିକ ଦୁଃସ୍ଥିତି ଭିତରେ ସଂଘର୍ଷ କରି ତାଙ୍କୁ ଆଗେଇବାକୁ ପଡ଼ିଥିଲା ।

 

ଆର୍ଥିକ ଅନଟନ ସତ୍ତ୍ୱେ ଛାତ୍ରମାନେ ନୈରାଶ୍ୟରେ ପ୍ରପୀଡ଼ିତ ହୋଇ ନ ଥିଲେ । ତାଙ୍କ ଶିକ୍ଷକମାନଙ୍କର ଗୋଟିଏ ଗୋଟିଏ ଭାଷଣ ଓ ପଦିଏ ପଦିଏ କଥା ସେମାନଙ୍କ ମନରେ ଗଭୀର ଉତ୍ସାହ ସୃଷ୍ଟି କରିଥିଲା । ସେମାନେ ଅସରନ୍ତି ମନୋବଳ ନେଇ ନିଜ ପଥରେ ଆଗେଇଗଲେ ।

 

ନୀଳକଣ୍ଠଙ୍କ ପରେ ପରେ ୧୯୧୩ ମସିହା ଅପ୍ରେଲ ମାସ ୨୯ ତାରିଖରେ ପଣ୍ଡିତ ଗୋଦାବରୀଶ ମିଶ୍ର ଆସି ଏହି ବିଦ୍ୟାଳୟରେ ଯୋଗ ଦେଲେ । ସେତେବେଳକୁ ସେ ବିଶ୍ୱବିଦ୍ୟାଳୟରୁ ସର୍ବୋଚ୍ଚ ଡିଗ୍ରୀ ହାସଲ କରି ଆସିଥାନ୍ତି । ସରକାରୀ ଚାକିରୀ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିଥିଲା; କିନ୍ତୁ ସେ ସେଥିରେ ପ୍ରଲୋଭିତ ନ ହୋଇ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ପୂର୍ବ ପ୍ରତିଶ୍ରୁତି ଓ ପ୍ରତିଜ୍ଞା ସଫଳ କରିବାକୁ ଗୋପବନ୍ଧୁଙ୍କ ଆହ୍ୱାନକ୍ରମେ ନାମମାତ୍ର ଭତ୍ତା ନେଇ ଏହି ବିଦ୍ୟାଳୟରେ ଶିକ୍ଷକରୂପେ ଯୋଗଦେଲେ । ମଣିକାଞ୍ଚନର ସଂଯୋଗ ହେଲା । ନୀଳକଣ୍ଠ ଓ ଗୋଦାବରୀଶ ଦେଶର ଦୁଇଟି ଅଜେୟ ପ୍ରତିଭା । ଗୋପବନ୍ଧୁଙ୍କ ସାହର୍ଯ୍ୟରେ ତାଙ୍କ କଥିତ ଗୁପ୍ତ ବୃନ୍ଦାବନ ବୁକୁରେ ତ୍ରିବେଣୀର ଉତ୍ସ ନିର୍ଗତ ହେଲା ।

 

ପଣ୍ଡିତ ଗୋଦାବରୀଶ ଥିଲେ ବହୁ ଦିଗରୁ ଗୋପବନ୍ଧୁଙ୍କର ଏକ ଅସଲି ସଂସ୍କରଣ । ସେ ଜାତୀୟ ଚେତନାରେ ଏପରି ଉଦ୍‍ବୁଦ୍ଧ ହୋଇଥିଲେ ଯେ, ତାଙ୍କ ଲେଖନୀ ମୁନରୁ ଏକ ଶାଶ୍ୱତ ଉଦ୍‌ବୋଧନ-ସଙ୍ଗୀତ ପ୍ରବାହିତ ହୋଇଥିଲା । ସେ ସଙ୍ଗୀତଟି ଓଡ଼ିଆ ସାହିତ୍ୟର ଏକ ଶାଶ୍ୱତ ସାରସ୍ୱତ ସମ୍ପତ୍ତି । ତାହା ସତ୍ୟବାଦୀ ବନ-ବିଦ୍ୟାଳୟରେ ପ୍ରଥମେ ଗାନ କରାଯାଇଥିଲା । ଏହାର ଗୋଟିଏ ପଦ ନିମ୍ନରେ ଦିଆଗଲା ।

 

‘‘ତୁଙ୍ଗ ଶିଖରୀ ଚୂଳ

କୁଞ୍ଜ କାନନମାଳ

ପୁଣ୍ୟ ଜଳଧି ଜଳ

ଖେଳିଉଠୁ ସଘନେ

ପ୍ରାଚୀ ଗଗନ ଶିରେ

ଭାସି କନକ ନୀରେ

ଆସ ତପନ ଉଇଁ

ଏ ଉତ୍କଳ ଭୁବନେ ।

 

ଓଡ଼ିଆ ସାହିତ୍ୟ ବଞ୍ଚିଲେ ଏଇପରି କେତେକ ପ୍ରାଣମୟ ଭାବଭାଷାଦ୍ୟୋତକ ଲେଖାପାଇଁ ହିଁ ବଞ୍ଚିବ ।

 

ଗୋପବନ୍ଧୁ ପରମ ସାଥୀ ହରିହର । ସେ ସେତେବେଳେ କଟକ ମିସନ୍‍ ସ୍କୁଲରେ ଶିକ୍ଷକତା କରୁଥିଲେ । ତା’ ପୂର୍ବରୁ ସେ ତ ନୀଳଗିରିରେ ଥିଲେ; କିନ୍ତୁ ପରେ କେତେକ ଘଟଣା ନେଇ ସେ ସେଠାରୁ ଚାଲିଆସି ପ୍ୟାରୀମୋହନ ଏକାଡ଼େମୀ ସ୍କୁଲରେ ଶିକ୍ଷକତା କଲେ । ସେତେବେଳେ ଜଣେ ଆଦର୍ଶ ଶିକ୍ଷକ ଭାବରେ ତାଙ୍କର ସୁନାମ ପ୍ରଚାରିତ ହୋଇଥିଲା ।

 

ହରିହର ନିଜର ଗୁରୁପ୍ରତିମ ଗୋପବନ୍ଧୁଙ୍କର ଅନୁରୋଧ ରାକ୍ଷାକରି ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗ ଦେଇଥିଲେ । ଏହି ବିଦ୍ୟାଳୟରେ ସେ ଆଚାର୍ଯ୍ୟ ପଦବୀରେ ମଣ୍ଡିତ ହେଲେ ଓ ଆଚାର୍ଯ୍ୟ ହରିହର ନାମରେ ନାମିତ ହେଲେ । ପୂର୍ବରୁ ଏହି ବନବିଦ୍ୟାଳୟର ଶିକ୍ଷକମାନଙ୍କ ନାମ ପୂର୍ବରେ ପଣ୍ଡିତ ପଦବୀ ରହିଥିଲା, କିନ୍ତୁ ଏକମାତ୍ର ହରିହର ଆଚାର୍ଯ୍ୟ ଶବ୍ଦର ଅର୍ଥ ଶିକ୍ଷାଗୁରୁ ଓ ଅଗ୍ରପୂଜ୍ୟ ।

 

ଆଚାର୍ଯ୍ୟ ହରିହର ଥିଲେ ଅତ୍ୟନ୍ତ ଆଦର୍ଶବାଦୀ । ସେ ନିଜର ବ୍ୟବହାର ପାଇଁ, ନିଜ ହାତତିଆରି ସୂତାରେ ଲୁଗା ବୁଣାଉଥିଲେ । ଖଦଡ଼ ଥିଲା ତାଙ୍କର ପରିଧେୟ ବସ୍ତ୍ର । ରାଗ, ରୋଷ, ଅଭିମାନ ତାଙ୍କର ହୃଦୟକୁ ସ୍ପର୍ଶ କରି ନ ଥିଲା । ସେ ଥିଲେ ଶାନ୍ତ ଓ ସରଳତାର ପ୍ରତିମୂର୍ତ୍ତି । ସେ ଥିଲେ ଅତ୍ୟନ୍ତ ଛାତ୍ରବତ୍ସଳ ।

 

ଏହି ବିଦ୍ୟାଳୟର ଅନ୍ୟତମ କୃତିଶିକ୍ଷକ ହେଉଛନ୍ତି ପଣ୍ଡିତ କୃପାସିନ୍ଧୁ ହୋତା । ସେ ଥିଲେ ତତ୍କାଳୀନ ପ୍ରଖ୍ୟାତ ଐତିହାସିକ । ସେ ଅତ୍ୟନ୍ତ ମେଧାବୀ ଓ ତୀକ୍ଷ୍‍ଣ ବୁଦ୍ଧିସମ୍ପନ୍ନ ବ୍ୟକ୍ତି ଥିଲେ । ଗୋପବନ୍ଧୁଙ୍କର ଅନୁରୋଧକ୍ରମେ ସେ ଆସି ଏହି ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକରୂପେ ଯୋଗ ଦେଲେ ୧୯୧୯ ମସିହାରେ । ସେ ଖୋର୍ଦ୍ଧା ହାଇସ୍କୁଲରୁ ଇସ୍ତପା ଦେଇ ସତ୍ୟବାଦୀରେ ଯୋଗ ଦେଇଥିଲେ ।

 

ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, ହରିହର ଓ କୃପାସିନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟରେ ପଞ୍ଚସଖା । ସେମାନଙ୍କର ଉଜ୍ଜ୍ୱଳ ଆଦର୍ଶ, ତ୍ୟାଗ ଓ ମହନୀୟ ସେବା ବଳରେ ମାନବିକତାର ଏକ ସ୍ୱର୍ଣ୍ଣମନ୍ଦିର ସତ୍ୟବାଦୀରେ ପ୍ରତିଷ୍ଠିତ ହେଲା । ମନେହେଲା ସତେ ଯେପରି ଅତୀତର ନାଳନ୍ଦା ଏଇ ମାଟି ବୁକୁରେ ପୁଣି ଥରେ ମୁଣ୍ଡ ଟେକିଛି ।

 

ଥରେ ବାରିଷ୍ଟର ମଧୁବାବୁ ଏହି ବିଦ୍ୟାଳୟର ଛାତ୍ରମାନଙ୍କୁ ଉଦ୍‌ବୋଧନ ଦେବାକୁ ଯାଇ ଆବେଗାପ୍ଲୁତ କଣ୍ଠରେ କହିଥିଲେ-

 

‘‘ପିଲାମାନେ ! ଏ ବିଦ୍ୟାଳୟ ଧନରେ ଗଢ଼ା ହେଉନାହିଁ । ରକ୍ତ, ମାଂସ, ମସ୍ତିଷ୍କରେ ଗଢ଼ା ହେଉଛି । ଗୋପବନ୍ଧୁ ଓ ନୀଳକଣ୍ଠଙ୍କୁ ମୁଁ ବହୁତ ଦିନରୁ ଚିହ୍ନେ । ସେ ଦୁହେଁ, କୃପାସିନ୍ଧୁ ଓ ଗୋଦାବରୀଶ ଏମାନେ କେବଳ ଏ ବିଦ୍ୟାଳୟରେ ସଂପୃକ୍ତ ନୁହନ୍ତି । ପରାଧୀନ ଭାରତର, ଖଣ୍ଡବିଖଣ୍ଡିତ ଓଡ଼ିଆଜାତିର ମୁକ୍ତି ସାଧନ ପାଇଁ ଏମାନେ ପ୍ରାଣବଳି ଦେଉଛନ୍ତି । ତୁମେ ପିଲାମାନେ, ଏମାନଙ୍କ ପାଖରେ ବସି, ଶୋଇ, କାମକରି, ପାଠପଢ଼ି ଯେତେବେଳେ ଯୁବକ ହେବ, ସେତେବେଳେ ଉତ୍କଳଜନନୀର ଶହ ଶହ ଗୁଣୀ ସନ୍ତାନ ଏ ଦେଶର ନାୟକ ହେବେ ।’’

 

ଏଇ ହେଲା ସତ୍ୟବାଦୀ ବିଦ୍ୟାଳୟ ଉପରେ ମଧୁବାବୁଙ୍କର ଧାରଣା । ସେ କେବଳ ନୁହନ୍ତି, ଭାରତର ବହୁ ବ୍ୟକ୍ତି ଏହି ବିଦ୍ୟାଳୟର ପରମ୍ପରା, ଆଦର୍ଶ ଓ ଶିକ୍ଷାନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ପର ପାଠରେ ଏହାର ଆଲାଚନା ହେବ ।

 

ଅଳ୍ପଦିନ ମଧ୍ୟରେ ବହୁ ବିଜ୍ଞବ୍ୟକ୍ତି, ଶାସକ ରାଜନୈତିକ ବ୍ୟକ୍ତି ଏ ଅନୁଷ୍ଠାନ ପ୍ରତି ଆକର୍ଷିତ ହେବା ପରମ ସୌଭାଗ୍ୟର କଥା ।

 

ସତ୍ୟବାଦୀ ବନବିଦ୍ୟାଳୟର ଆକର୍ଷଣୀ

 

ସେତେବେଳକୁ ସତ୍ୟବାଦୀ ବିଦ୍ୟାଳୟ ସ୍ଥାପିତ ହୋଇ ସାରିଥାଏ । ଏହାର ଯଶସୌରଭରେ ଦେଶର ଦିଗଦିଗନ୍ତ ଆମୋଦିତ ହେଲାଣି । ଏହା ଥିଲା ସତେ ଯେପରି ଏକ ଉଦୀୟମାନ ଅରୁଣ । ତା’ରି ଆଡ଼କୁ ସମସ୍ତଙ୍କର ଦୃଷ୍ଟି ଥିଲା । ସେ ସବୁରି ହୃଦୟକୁ ଆକର୍ଷଣ କରି ପାରିଥିଲା ତା’ରି ଆଡ଼କୁ ।

 

ବିହାର-ଓଡ଼ିଶାର ତତ୍କାଳୀନ ଶିକ୍ଷା ଡିରେକ୍ଟର ଏହି ବନବିଦ୍ୟାଳୟର ସଂସ୍କୃତ ଶିକ୍ଷାନୀତିରେ ଏପରି ଭାବରେ ମୁଗ୍‌ଧ ହୋଇଥିଲେ ଯେ, ପରିଦର୍ଶନ କରିବାର ଆଳରେ ସେ ବହୁବାର ଏହି ଅନୁଷ୍ଠାନକୁ ଆସୁଥିଲେ । ଏହାର ସଂସ୍କାର ପାଇଁ ନିଜର ସ୍ୱାଧୀନ ମତାମତ ଦେବା ତେଣିକି ଥାଉ, ଏଠାରୁ ନୂତନ ପରିକଳ୍ପନାର ସମ୍ଭାର ନେଇ ସେ ଫେରୁଥିଲେ ଏବଂ ଅନ୍ୟାନ୍ୟ ବିଦ୍ୟାଳୟରେ କାର୍ଯ୍ୟକାରୀ କରିବାପାଇଁ ଚେଷ୍ଟିତ ହେଉଥିଲେ । କିନ୍ତୁ ସରକାରୀ କଳର କୁହୁକ ଏପରି ଯେ, ତା’ ଭିତରକୁ ଆଦର୍ଶର କଞ୍ଚାମାଲ ଯୋଗାଇ ଦିଆଗଲେ ସେଥିରୁ ଉଭଟ ପ୍ରକାରର ସାମଗ୍ରୀ ସୃଷ୍ଟି ହୋଇ ବାହାରକୁ ଆସେ । ତାହା ହିଁ ହୋଇଥିଲା । ସରକାର ବନବିଦ୍ୟାଳୟ ଛାଞ୍ଚରେ ଦେଶର ବିଭିନ୍ନ କେନ୍ଦ୍ର ଜାଗାରେ ମୁକ୍ତ ବାୟୁ ବିଦ୍ୟାଳୟ ପ୍ରତିଷ୍ଠା କଲେ । ପ୍ରଥମଟିରେ ଆଦୌ ଅର୍ଥ ଖର୍ଚ୍ଚ ହେଉ ନଥିବା ବେଳେ ଦ୍ୱିତୀୟଟିରେ ଲକ୍ଷାଧିକ ପରିମାଣର ଅର୍ଥ ବ୍ୟୟ ହେଲା । ବିଦ୍ୟାଳୟରେ ବିଳାସପୂର୍ଣ୍ଣ ସୌଧ ନିର୍ମିତ ହୋଇ ଏପରି ଭାବରେ କାଚ ସେଥିରେ ଖଞ୍ଜାହେଲା ଯେ, ତାହା ଆଲୋକର ବନ୍ୟାରେ ଉଛୁଳି ଉଠିଲା । କିନ୍ତୁ ତା’ ଭିତରକୁ ମୁକ୍ତବାୟୁ ପ୍ରବେଶ କରିପାରିଲା ନାହିଁ ।

 

ଗୁରୁକୁଳ ଶିକ୍ଷାପଦ୍ଧତି ସହିତ ସତ୍ୟବାଦୀ ବିଦ୍ୟାଳୟର ଶିକ୍ଷାଧାରାର ଅଭୁତ ସାମଞ୍ଜସ୍ୟ ଥିଲା । ଲର୍ଡ଼ କର୍ଜନ ଗୁରୁକୁଳ ଶିକ୍ଷାର ଉଚ୍ଛ୍ୱସିତ ପ୍ରଶଂସା କରି କହିଛନ୍ତି, ‘‘ବସ୍ତୁତଃ ଗୁରୁ ଯେଉଁଠାରେ ଶିଷ୍ୟକୁ ସୁଖ ଦୁଃଖ, ହର୍ଷ ଆମୋଦ ମଧ୍ୟରେ ପରୀକ୍ଷା କରି ପାରନ୍ତି, ତାହାର ସମସ୍ତ ଚିତ୍ତବୃତ୍ତିକୁ ନିୟନ୍ତ୍ରିତ କରନ୍ତି ଏବଂ ତା’ର ଭବିଷ୍ୟତ ଜୀବନକୁ ନିଜ ଅଙ୍ଗୁଳିରେ ଗଠନ କରନ୍ତି, ସେହିଠାରେ ହିଁ ପ୍ରକୃତ ବିଦ୍ୟାଳୟ, ସେହିଠାରେ ହିଁ ବାଳକ ତା’ର ଉପଯୁକ୍ତ ଶିକ୍ଷା ପାଏ । ’’

 

ବଙ୍ଗଳାର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍‍ ସତ୍ୟବାଦୀ ବନବିଦ୍ୟାଳୟ ପରିଦର୍ଶନ କରି ବିହ୍ୱଳ ହୋଇଥିଲେ ଓ ସେ ଲେଖିଥିଲେ, ‘‘ମୋଟ ଉପରେ ସବୁଦିଗରୁ ଯହିଁରେ ବାଳକମାନେ ସର୍ବାଙ୍ଗୀନ ଶିକ୍ଷା ଲାଭ କରି ଭାରତର ମୁଖ ଉଜ୍ଜ୍ୱଳ କରିପାରିବେ, ସେ ବିଷୟରେ ସତ୍ୟବାଦୀ ବିଦ୍ୟାଳୟର ଶିକ୍ଷକମାନେ ଅକ୍ଳାନ୍ତ ଭାବରେ ଯତ୍ନ କରୁଛନ୍ତି ।’’

 

ବଙ୍ଗଳାର ବିଖ୍ୟାତ ପଣ୍ଡିତ ଶ୍ରୀଯୁକ୍ତ ଯୋଗେଶଚନ୍ଦ ରାୟବାହାଦୁର ବିଦ୍ୟାନିଧି ବଙ୍ଗଳା ଭାଷାର ପତ୍ରିକା ‘ଭାରତବର୍ଷ’ ୧୩୨୨ ସାଲର ଜ୍ୟେଷ୍ଠ ସଂଖ୍ୟାରେ ସତ୍ୟବାଦୀ ବନବିଦ୍ୟାଳୟର ଗୌରବ ଓ ଏହାର ମହନୀୟତା ଉପରେ ଏକ ପ୍ରବନ୍ଧ ଲେଖି ଉତ୍କଳମଣି ଗୋପବନ୍ଧୁଙ୍କ ପରାକାଷ୍ଠା ଓ ମହାନୀୟତା ପ୍ରତିପାଦନ କରିଥିଲେ । ନିମ୍ନରେ ସେଥିରୁ କିଛି ଅଂଶ ଦିଆଗଲା ।

 

‘‘କିନ୍ତୁ କି ପରିଶ୍ରମ କରିବାକୁ ପଡ଼ୁଛି । ନବ୍ୟ ଶିକ୍ଷକମାନେ ଛାତ୍ରାବସ୍ଥାରେ ଯେପରି ହୃଷ୍ଟପୁଷ୍ଟ ଥିଲେ ସେମାନଙ୍କୁ ସେପରି ଦେଖିଲି ନାହିଁ । ସେଦିନ ସେମାନଙ୍କୁ ଶୀର୍ଣ୍ଣ ଦେଖି କଷ୍ଟ ହେଲାଆନନ୍ଦ ବି ହେଲା । ଏକଦିନରେ ଏକବର୍ଷରେ ପରାର୍ଥପରତା ଆସେ ନାହିଁ । ଆମ୍ଭେମାନେ ନଗଣ୍ୟ ନିର୍ଦ୍ଧନ ଅଥଚ ଦେଶପାଇଁ କଅଣ କରିପାରିବା ଏହି ଚିନ୍ତାରୁ ବିଦ୍ୟାଳୟର ପ୍ରତିଷ୍ଠା । ଚେଷ୍ଟା ସଫଳ ହେବ କି ନାହିଁ, ଆଦର୍ଶ ଠିକ୍ ଅଛି କି ନାହିଁ କିଏ ଜାଣେ ? କିନ୍ତୁ ଏ କଥାଟି ଠିକ୍—ଆମ୍ଭମାନଙ୍କର ପ୍ରେମ ବ୍ୟତୀତ ଆଉ କିଛି ଦରକାର ନାହିଁ ।’’

 

ସେତେବେଳେ ପୁରୀରେ ଉତ୍କଳ ସମ୍ମଳନୀ ବସିଥାଏ । ଦେଶପ୍ରାଣ ମଧୁସୂଦନ ଦାସ ଏହି ସମ୍ମିଳନୀରେ ସତ୍ୟବାଦୀ ବିଦ୍ୟାଳୟ ଉପରେ ଏକ ଚମତ୍କାର ଭାଷଣ ଦେଇଥିଲେ । ଭାଷଣ ପ୍ରସଙ୍ଗରେ ସେ କହିଥିଲେ, ‘‘ମୁଁ ନୀଳକଣ୍ଠକୁ ଅନେକ ଦିନରୁ ଚିହ୍ନେ । ତା’ ପ୍ରତି ଅନେକ ପ୍ରକାର ସନ୍ଦେହପୂର୍ଣ୍ଣ ଧାରଣା ମୋ ମନମଧ୍ୟରେ ଅତୀତରେ ଥିଲା ଓ ତା’ ବିଷୟରେ ମୋର ମଧ୍ୟ ଘୋର ଆଶଙ୍କା ଥିଲା । କିନ୍ତୁ ସୁଖର କଥା, ସେସବୁ ବର୍ତ୍ତମାନ ମୋ ମନରୁ ଘୁଞ୍ଚି ଯାଇଛି, ଭ୍ରମ ଧାରଣା ଦୂର ହୋଇଛି । ତାଙ୍କ ସହିତ ମୋର ଆଲୋଚନା ପରେ ମୁଁ ତାଙ୍କ ବିଷୟରେ ମନରେ ବହୁ ଉଚ୍ଚଭାବ ପୋଷଣ କରିଛି । ଏମାନଙ୍କ ଦ୍ୱାରା ବହୁ ଜାତୀୟ ଉନ୍ନତି ସାଧିତ ହେବ; ଏଥିରେ ସନ୍ଦେହ ନାହିଁ । ମୁଁ ସେମାନଙ୍କ କାର୍ଯ୍ୟରେ ସହଯୋଗ କରିବି । ସେମାନେ ମନୁଷ୍ୟ ଗଢ଼ିବା ପାଇଁ ସଂକଳ୍ପବଦ୍ଧ । ଜଗନ୍ନାଥ ମୂର୍ତ୍ତି ସମସ୍ତେ ଗଢ଼ିପାରିବେ; କିନ୍ତୁ ତା’ ଭିତରେ ଯେଉଁ ବ୍ରହ୍ମ ଅଛି ତାକୁ କେହି ଗଢ଼ିପାରିବେ ନାହିଁ । ସେ ଆମ ଦେଶର ଯୁବକମାନଙ୍କ ହୃଦୟରେ ପ୍ରାଣବ୍ରହ୍ମ ପ୍ରତିଷ୍ଠା କରିବାକୁ ବ୍ରତ ରୂପେ ଗ୍ରହଣ କରିଛନ୍ତି ।

 

ଗୋପବନ୍ଧୁ-ନୀଳକଣ୍ଠ ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି । ସେମାନଙ୍କ କାର୍ଯ୍ୟ ଦେଖି ଗଭର୍ଣ୍ଣମେଣ୍ଟ ଓ ଦେଶବାସୀ ଯଥାସମୟରେ ସାହାଯ୍ୟ କରିବାକୁ ଅଗ୍ରସର ହେବେ, ସନ୍ଦେହ ନାହିଁ । ସେମାନେ ଯେଭାବରେ କାର୍ଯ୍ୟ କରୁଛନ୍ତି ଓ ନାନାବିଧ ବିଘ୍ନ ସତ୍ତ୍ୱେ ଅବିଚଳିତ ଚିତ୍ତରେ ଉକ୍ତ କର୍ମରେ ଲାଗିପଡ଼ିଛନ୍ତି ସେଥିରେ ସେମାନେ ଯେ ସମସ୍ତଙ୍କର ପ୍ରଶଂସାଭାଜନ ହେବେ, ଏହା ବୋଲିବା ବାହୁଲ୍ୟ । ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଆପଣମାନେ ଯେ ସେମାନଙ୍କ କାର୍ଯ୍ୟକୁ ଅନ୍ତରର ସହିତ ଗ୍ରହଣ କରିଛନ୍ତି । ସେଥିପାଇଁ ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛି-।’’

 

ଏହି ସମ୍ମିଳନୀରେ ଗୋପବନ୍ଧୁ ତାଙ୍କ ବନ୍ଧୁମାନଙ୍କ ଗହଣରେ ଉପସ୍ଥିତ ଥିଲେ । ସେ ମଧୁସୂଦନଙ୍କ ଅଭିଭାଷଣରେ ଅଭିଭୂତ ହୋଇ ଏହାର ଉତ୍ତର ପ୍ରସଙ୍ଗରେ ସଭାମଞ୍ଚରେ କହିଥିଲେ–

 

‘‘ଭାଇମାନେ ! ସତ୍ୟବାଦୀ ବିଦ୍ୟାଳୟର କଳ୍ପନା ଆଜିକାଲିର ନୁହେଁ, ଏହା ଗତ ଦୀର୍ଘ ବାରବର୍ଷ ପୂର୍ବର କଳ୍ପନା । ଆମ୍ଭମାନଙ୍କ ସମସ୍ତ ଦୁରବସ୍ଥା ବିଷୟରେ ପ୍ରସ୍ତାବକ ଓ ଅନୁମୋଦକମାନେ ଆପଣମାନଙ୍କୁ ଜଣାଇ ଦେଇଛନ୍ତି । ଉନ୍ମୁକ୍ତ ଆକାଶର ନିମ୍ନରେ ଥାଇ ମଧ୍ୟ ଆମ୍ଭେମାନେ ଦୃଢ଼ ବିଶ୍ୱାସ କରିଥିଲୁ ଯେ, ଦିନ ଆସିବ ଯେତେବେଳେ ଭଗବାନ ଆମ୍ଭମାନଙ୍କର ଏହି ଦୁର୍ଦ୍ଦଶା ଦୁର କରିବେ ।

 

ଆମ୍ଭେମାନେ ମନୁଷ୍ୟର ସେବା କରୁଛୁ । ମାତ୍ର ଏଥିରେ କି ଇଷ୍ଟ ଓ ଅନିଷ୍ଟ ଅଛି ସେଥିପ୍ରତି ତିଳେମାତ୍ର ଭ୍ରୂକ୍ଷେପ କରିନାହୁଁ । ଆମ୍ଭେମାନେ ବିଶ୍ୱାସ କରୁ ମାନବସେବା ହିଁ ଭଗବାଙ୍କର ସେବା ଏବଂ ତାହା ହିଁ ପ୍ରତ୍ୟେକ ମାନବର କର୍ତ୍ତବ୍ୟ । ଏହି ମାନବିକ କର୍ତ୍ତବ୍ୟ ପାଳନ କରିବା ନିମନ୍ତେ ଆପଣମାନେ ଆମ୍ଭମାନଙ୍କ ପ୍ରତି ଯେ ଆଦର ସହାନୁଭୂତି ଦେଖାଇଛନ୍ତି, ଆାମ୍ଭମାନେ ତହିଁର ଯୋଗ୍ୟ ନୋହୁ । ଆପଣାମାନେ ଏହାଦ୍ୱାରା ନିଜର ଉଦାରତା ପ୍ରକାଶ କରିଛନ୍ତି । ଆପଣମାନଙ୍କର ସମସ୍ତ ପ୍ରଶଂସା ଓ ଧନ୍ୟବାଦ ଆମ୍ଭେ ସେହି ମଙ୍ଗଳମୟ ବିଧାତାଙ୍କ ଶ୍ରୀଚରଣରେ ଅର୍ପଣ କରୁଛୁ । ସେ ସମସ୍ତ ଅନୁଷ୍ଠାନର କାରଣ, ସମସ୍ତ ଭାବରେ ଆଧାର ଏବଂ ସକଳ ଚିନ୍ତା ଓ କାର୍ଯ୍ୟର ନିୟାମକ । ଆପଣମାନଙ୍କ ଉଦାରତା ଓ ସହାନୁଭୂତି ନିମନ୍ତେ ଆମ୍ଭେମାନେ କେତେଜଣ ନୋହୁ କିମ୍ବା ସତ୍ୟବାଦୀ ସ୍କୁଲର ବର୍ତ୍ତମାନ ଛାତ୍ର କେତେଜଣ ନୁହନ୍ତି; କିନ୍ତୁ ଯେଉଁମାନେ ଭବିଷ୍ୟତରେ ଏ କାର୍ଯ୍ୟର ପଥିକ ହେବେ ଏବଂ ଯେଉଁମାନେ ଜାତୀୟ ଉନ୍ନତି ନିମନ୍ତେ ଆତ୍ମୋତ୍ସର୍ଗ କରିବେ, ସେ ସମସ୍ତେ ଆପଣଙ୍କ ନିକଟରେ ଚିର କୃତଜ୍ଞ ।

 

ସତ୍ୟବାଦୀ ବନବିଦ୍ୟାଳୟରେ ଜାତୀୟ ଜୀବନର ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ତାର ପ୍ରବକ୍ତାମାନେ ଥିଲେ ଜାତୀୟ ଆନ୍ଦୋଳନର ସୂତ୍ରଧର । ବହୁ ବ୍ୟକ୍ତି ଏଥିପ୍ରତି ଆକୃଷ୍ଟ ହେଉଥିଲେ । ପୁରୀ ଯେପରି ଏକ ତୀର୍ଥ ଭୂମି, ସତ୍ୟବାଦୀ ସେହିପରି ଆଉଏକ ତୀର୍ଥ ଭୂମିରେ ପରିଣତ ହେଲ । ଦେଶର ବିଭିନ୍ନ ପ୍ରାନ୍ତରୁ ଶିକ୍ଷକ, ଦାର୍ଶନିକ, ଛାତ୍ର, ବୈଜ୍ଞାନିକ, କଳାକାର ପ୍ରଭୃତି ଆନନ୍ଦ ତଥା ଆତ୍ମତୃପ୍ତି ପାଇଁ ଏଠାକୁ ଆସୁଥିଲେ । ସମସ୍ତଙ୍କ ପ୍ରାଣରେ ଶାନ୍ତି ଓ ଆନନ୍ଦ ଦେବାରେ ବିଭୁତି ଏହି ବନବିଦ୍ୟାଳୟରେ ଥିଲା ।

 

ଏହି ବିଦ୍ୟାଳୟର ଆକର୍ଷଣୀ ଥିଲା ସୁଦୁର ପ୍ରସାରୀ । ଦେଶ ବିଦେଶ, ଶତ୍ରୁ ମିତ୍ର-ସମସ୍ତଙ୍କର ପ୍ରାଣକୁ ଏହା ଆକର୍ଷଣ କରିଥିଲା । New India ସମ୍ବାଦପତ୍ରର ତା ୮-୫-୧୯୧୫ ମସିହା ସମ୍ପଦକୀୟରେ ଏହି ବିଦ୍ୟାଳୟ ଉପରେ ଗୋଟିଏ ମୂଲ୍ୟବାନ ମନ୍ତବ୍ୟ ପ୍ରକାଶିତ ହୋଇଥିଲା । ତା ହେଉଛି-

 

“The whole spirit of Satyabadi School is one of self sacrffice and service, and the student’s naturaly catch it from the teachers.”

 

ସେବା ଓ ତ୍ୟାଗର ପ୍ରାଣାଧାର ଉପରେ ସତ୍ୟବାଦୀ ବିଦ୍ୟାଳୟ ପ୍ରତିଷ୍ଠିତ । ଶିକ୍ଷାର୍ଥୀଗଣ ଶିକ୍ଷକମାନଙ୍କଠାରୁ ଏହି ମହନୀୟ ଗୁଣ ଆହରଣ କରିବା ସ୍ୱାଭାବିକ ।

 

ଥରେ ୧୩୨୦ ସାଲ ଜ୍ୟେଷ୍ଠ ସଂଖ୍ୟା ‘‘ନବ୍ୟଭାରତ’’ରେ ସତ୍ୟବାଦୀ ବନବିଦ୍ୟାଳୟ ସମ୍ପର୍କରେ ଏକ ମନ୍ତବ୍ୟ ପ୍ରକାଶିତ ହୋଇଥିଲା । ତା ହେଉଛି—

 

‘‘ଗୋପବନ୍ଧୁଙ୍କ ଉଦ୍ୟମ ଫଳରେ ସତ୍ୟବାଦୀ ସ୍କୁଲ ସ୍ଥାପିତ ହୋଇଛି । ଗୋପବନ୍ଧୁ ଓ ନୀଳକଣ୍ଠ—ପୁନାର ଗୋଖଲେ ଏବଂ ବଙ୍ଗର ବିଦ୍ୟାସାଗରଙ୍କ ପରି । ଗୋପବନ୍ଧୁ ଉତ୍କଳର ଉନ୍ନତି ନିମନ୍ତେ କେବଳ ରକ୍ତପାତ ନୁହେଁ—ତିଳତିଳ କରି ଜୀବନପାତ କରିଛନ୍ତି ।’’

 

ସେହିପରି ୧୯୧୫ ମସିହା ଜୁନ୍ ୫ ତାରିଖ ‘‘The Bihar Advocate’’ ଲେଖିଥିଲା–

 

‘‘ଦେଶ ହିତୈଷଣା ଏବଂ ସ୍ୱାର୍ଥତ୍ୟାଗ ସମ୍ବନ୍ଧରେ ବହୁ ଲମ୍ବା ଲମ୍ବା ଭାଷଣ ଆମ୍ଭେମାନେ ଶୁଣିବାକୁ ପାଉଛୁ, କିନ୍ତୁ ଏ ଆଦର୍ଶକୁ ବାସ୍ତବ କର୍ମକ୍ଷେତ୍ରରେ ପରିଣତ କରି ଦେଖାଇ ଦେବାରେ ଅପୂର୍ବ କୃତିତ୍ୱ ଆମେ କେବଳ ସତ୍ୟବାଦୀରେ ଦେଖିବାକୁ ପାଇଲୁ ।’’

 

୧୯୧୩ ମସିହା ଡିସେମ୍ବର ୨୮ ଓ ୨୯ ତାରିଖରେ ପୁରୀଠାରେ ଉତ୍କଳ ସମ୍ମିଳନୀର ନବମ ଅଧିବେଶନ ବସିଥିଲା । ସେଥିରେ ସତ୍ୟବାଦୀ ବନବିଦ୍ୟାଳୟ ବିଷୟରେ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ଫକୀର ମୋହନ ସେନାପତି କହିଥିଲେ–

 

‘‘ଓଡ଼ିଶାର ଅନେକ ସ୍କୁଲ ଅଛି; କିନ୍ତୁ ଏପରି ସ୍କୁଲଟିଏ ନାହିଁ । ବର୍ତ୍ତମାନ ସତ୍ୟବାଦୀ ସ୍କୁଲ ଦେଖାଇଛି, କି ପ୍ରକାର ଶିକ୍ଷା ଆମ୍ଭମାନଙ୍କର ପ୍ରୟୋଜନ । ସେମାନେ ସାଧୁ ଓ ପରୋପକାରୀ । ସେମାନେ କେବଳ ବହି ପଢ଼ାରେ ସନ୍ତୁଷ୍ଟ ନୁହନ୍ତି । ସେମାନେ ମନୁଷ୍ୟର ଶିକ୍ଷା ଦେବା ଲାଗି ସର୍ବଦା ବ୍ୟସ୍ତ । ପିଲାମାନେ ଶିଖୁଅଛନ୍ତି କିପରି ଦେଶପାଇଁ ସ୍ୱାର୍ଥତ୍ୟାଗ କରିବାକୁ ହୁଏ । ପୁନାର ଫଗୁର୍ସନ କଲେଜ ପରି ଆମ୍ଭମାନେ ଯେବେ ସତ୍ୟବାଦୀ ସ୍କୁଲକୁ କରିପାରିବୁ, ତେବେ ଆମ୍ଭେମାନେ କେତେବଡ଼ ଗୋଟିଏ ଜାତୀୟ ବସ୍ତୁ ପାଇବୁ । ଏହି ଯୁବକମାନେ ସର୍ବଦା ଧନ୍ୟବାଦର ପାତ୍ର ।

 

ବନବିଦ୍ୟାଳୟର ଶିକ୍ଷାନୀତି

 

ସତ୍ୟବାଦୀ ବିଦ୍ୟାଳୟର ଶିକ୍ଷାନୀତି ଥିଲା ପ୍ରଚଳନ ଶିକ୍ଷାନୀତିଠାରୁ ଏକ ବ୍ୟତିକ୍ରମ । ପ୍ରଚଳିତ ଶିକ୍ଷା ପ୍ରତି ଲୋକମାନଙ୍କର ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଥିଲା ତାରି ଭିତରୁ ଏହି ନୂତନ ଶିକ୍ଷାପଦ୍ଧତିର ଜନ୍ମ । ଅନୋକାଂଶରେ ମହାତ୍ମା ଗାନ୍ଧୀଙ୍କ ପ୍ରଚଳନ ମୌଳିକ ଶିକ୍ଷାନୀତିର ଅନୁରୂପ ଥିଲା । ତେବେ ମାହାତ୍ମା ଗାନ୍ଧୀ ଗୋପବନ୍ଧୁଙ୍କ ପରେ ଏହି ନୀତି ଅନୁସରଣ କରିଥିଲେ ।

 

ସତ୍ୟବାଦୀ ବିଦ୍ୟାଳୟର ପ୍ରଧାନ ଆଭିମୁଖ୍ୟ ଥିଲା ‘‘ପ୍ରକୃତି’’ ଓ କର୍ମପ୍ରବଣତା । ଶିକ୍ଷକ ତଥା ଛାତ୍ର ଉଭୟଙ୍କର ପରମ ଗୁରୁ ହେଉଛି ପ୍ରକୃତି । ତାର ମୁକ୍ତ ପରିବେଶରେ ଶିଶୁମାନେ ନିଜର ସ୍ୱାଚ୍ଛନ୍ଦ୍ୟମୟ ଜୀବନକୁ ମିଶାଇ ଦେଇ ତୋରି ପୃଷ୍ଠାରୁ ଜୀବନର ମନ୍ତ୍ର ଆହରଣ କରିବାର ସୁଯୋଗ ଥିଲା ଓ ଶିକ୍ଷକମାନେ ପ୍ରକୃତିର ଜୀବନମୟ ପୁଷ୍ପିତ ପରିବେଶରୁ ଅସରନ୍ତି ପ୍ରେରଣା ଲାଭକରି ଛାତ୍ରମାନଙ୍କୁ ଶିକ୍ଷା ଦେବା ସହିତ ସାରସ୍ୱତ ସାଧନାରେ ବ୍ରତୀ ହେଉଥିଲେ ।

 

ପଣ୍ଡିତ ଗୋପବନ୍ଧୁ ତାଙ୍କର ସାପ୍ତାହିକ ସମାଜ ପତ୍ରିକା । ୧୨।୨।୧୯୨୭ ତାରିଖ ସଂଖ୍ୟାରେ ବନବିଦ୍ୟାଳୟର ଶିକ୍ଷାନୀତି ଉପରେ ଯେଉଁ ଭାଷଣ ଦେଇଥିଲେ ତାହା ପ୍ରଣିଧାନଯୋଗ୍ୟ । ସେ କହିଥିଲେ—

 

‘‘ସତ୍ୟବାଦୀ ସ୍କୁଲର କାର୍ଯ୍ୟ ରୀତିମତ ଆରମ୍ଭ ହୋଇଛି । ଏଥିମଧ୍ୟରେ ଅସ୍ପୃଶ୍ୟ ବର୍ଣ୍ଣର ଅନେକଗୁଡ଼ିଏ ପିଲା ନାମ ଲେଖାଇଛନ୍ତି । ନିକଟବର୍ତ୍ତୀ ଗ୍ରାମର ଅନ୍ୟ ବର୍ଣ୍ଣର ପିଲା ମଧ୍ୟ ଗୋଟିଏ ଗୋଟିଏ ସ୍କୁଲକୁ ଆସୁଛନ୍ତି । ସାଧାରଣ ଲୋକ ଜାଣିବା ନିମନ୍ତେ ଲେଖିବା ଆବଶ୍ୟକ ହେଉଛି ଯେ ସତ୍ୟବାଦୀ ସ୍କୁଲରେ ତୃତୀୟ ଶ୍ରେଣୀର ଛାତ୍ର ନିଆଯିବେ ଏବଂ ଶିକ୍ଷାବିଭାଗ ମଧ୍ୟ ପୃଥକ୍‌ ପୃଥକ୍ ହେବ । ଏହି ତିନି ବିଭାଗ ଶିକ୍ଷା–

 

୧.

ସାଧାରଣ ଶିକ୍ଷା

୨.

ବ୍ରହ୍ମଚର୍ଯ୍ୟ ଶିକ୍ଷା

୩.

ଲୌକିକ ଶିକ୍ଷା

 

ବର୍ତ୍ତମାନର ଅପର ପ୍ରାଇମେରୀ, ମାଇନର ବା ମାଟ୍ରିକ୍ୟୁଲେସନ ଆଦିରେ ଯେ ପାଠପଢ଼ା ହେଉଛି, ସାଧାରଣ ବିଭାଗରେ ତାହା ଶିକ୍ଷା ଦିଆଯିବ । ଅବଶ୍ୟ ସେଇ ସବୁ ବହି ପଢ଼ାଇଯାଇ ନ ପାରେ କିମ୍ବା ପାଠର ସମୟ ସେତିକି ନିର୍ଦ୍ଦିଷ୍ଟ ହୋଇ ନ ପାରେ । ଏ ସବୁରେ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ଆଜିକାଲି ସ୍କୁଲମାନଙ୍କରେ ଯେ ସବୁ ବହି ପଢ଼ାଯାଉଛି, ଛାତ୍ରମାନଙ୍କ ବୟସ ବୃଦ୍ଧି ବିବେଚନାରେ ସେଗୁଡ଼ିକ ଅନେକ ପରିମାଣରେ ଅପାଠ୍ୟ । ଦେଖିଚାହିଁ ସେସବୁରୁ ଅନେକ ଛାଡ଼ିବାକୁ ହେବ ଏବଂ ଅନେକଗୁଡ଼ିଏ ଯୋଗ କରିବାକୁ ହେବ ।

 

ଅଳ୍ପ ବୟସ୍କ ପିଲାମାନଙ୍କୁ ଯେତେ ସମୟ ପଢ଼ିବାକୁ ହେଉଛି, ତାହା ସେମାନଙ୍କ ଦେହ ଓ ମନର ବିକାଶ ପକ୍ଷେ କ୍ଷତିକାରକ । ପଢ଼ା ସମୟ କମାଇବାକୁ ହେବ । ସେମାନଙ୍କୁ ଅନେକଗୁଡ଼ିଏ ବିଷୟ ଶିକ୍ଷା ଦିଆଯାଉଛି । ଏ ବୟସରେ ସେଥିରୁ କେତେକ ବାଦ୍‍ ଦିଆଗଲେ ବେଶ୍‌ ଚଳିବ । ବୁଝି ବିଚାରି ତାହାକୁ ବାଦ ଦିଆଯିବ । ମାତ୍ର ମୋଟ ଉପରେ ସରକାରଙ୍କ ଶିକ୍ଷାବିଭାଗରେ ଯେ ପ୍ରକାର ଓ ପ୍ରଣାଳୀରେ ଶିକ୍ଷା ଦିଆଯାଉଛି, ଏ ସାଧାରଣ ବିଭାଗରେ ସେହି ପରିମାଣରେ ଶିକ୍ଷା ଦିଆଯିବ । ସରକାରୀ ଶିକ୍ଷା ବିଭାଗରେ ଏସବୁ ଶ୍ରେଣୀରେ ଯେ ବୟସର ଛାତ୍ରମାନେ ପଢ଼ିଥାନ୍ତି ସେଥିରେ ସେହି ବୟସର ପିଲାମାନଙ୍କୁ ନିଆଯିବ । ଏ ବିଭାଗରେ ପିଲାମାନେ କେତେଦୂର ପଢ଼ିବା ପରେ ମନେକଲେ ସରକାରୀ ସ୍କୁଲରେ ଯାଇ ଭର୍ତ୍ତି ହୋଇ ପାରନ୍ତି-। ସେଥିରେ ଆମ୍ଭମାନଙ୍କର ଆକ୍ଷେପ ବା ଆପତ୍ତି ହେବ ନାହିଁ ।

 

ଯେଉଁମାନେ ପରେ ସରକାରୀ ସ୍କୁଲରେ ପରୀକ୍ଷା ଦେବା ନିମନ୍ତେ ନାମ ଲେଖାଇବେ, ସେମାନଙ୍କ ପକ୍ଷେ ସାଧାରଣ ପାସ୍‍ ଏକପ୍ରକାର ଘରପଢ଼ା ହେବ । ଯେଉଁମାନେ ସରକାରୀ ସ୍କୁଲକୁ ନ ଯାଇ ବରାବର ସତ୍ୟବାଦୀ ସ୍କୁଲରେ ଶେଷ ପର୍ଯ୍ୟନ୍ତ ପଢ଼ିବାକୁ ଇଚ୍ଛା କରିବେ, ସେମାନଙ୍କ ଲାଗି ମଧ୍ୟ ବ୍ୟବସ୍ଥା ରହିବ ଏବଂ ସେମାନଙ୍କୁ ଜୀବନରେ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଅଭିପ୍ରାୟ ଓ ଅଭିରୁଚି ବୃଦ୍ଧି ଓ ବିଚକ୍ଷଣତା ଦେଖି ସାଧାରଣ ଶିକ୍ଷା, ବୈଷୟିକ ଶିକ୍ଷା ବା ଅନ୍ୟ କୌଣସି ଶିକ୍ଷାରେ ଉପଯୁକ୍ତ କରାଯିବ । ସାଧାରଣ ବିଷୟରେ ଛାତ୍ରମାନଙ୍କୁ ମାସିକ ବେତନ ଦେବାକୁ ପଡ଼ିବ । ନିକଟବର୍ତ୍ତୀ ଗ୍ରାମର ଛାତ୍ରମାନେ ପ୍ରତିଦିନ ଯାଇ ଆସି ପଢ଼ିପାରନ୍ତି । ଦୂରର ଛାତ୍ରମାନଙ୍କ ଲାଗି ବୋର୍ଡ଼ିଂରେ ରହିବାକୁ ସୁବିଧା କରି ଦିଆଯିବ ।

 

ଦ୍ୱିତୀୟ ବିଭାଗ ଅର୍ଥାତ୍ ବ୍ରହ୍ମଚର୍ଯ୍ୟ ବିଭାଗରେ ୧୫ ବୟସର ଛାତ୍ରମାନଙ୍କୁ ନିଆଯିବ । ଆଗରୁ ଏମାନଙ୍କର ଅପର ପ୍ରାଇମେରୀ ପର୍ଯ୍ୟନ୍ତ ଶିକ୍ଷା ହୋଇଥିବା ଦରକାର । ଏ ବିଭାଗରେ ଛାତ୍ରମାନେ ସାଧାରଣ ବିଭାଗର ଛାତ୍ରମାନଙ୍କର କିଛି ପାଠ ପଢ଼ିବେ । ମାତ୍ର ତାହା ଛଡ଼ା ଆଉ କେତେକ ବିଷୟରେ ଏମାନଙ୍କର ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥା ହେବ ।

 

ପାଠ ଅପେକ୍ଷା ଏମାନଙ୍କର ଜୀବନର ଗତି, ସ୍ଥିତି, ନୀତି ପ୍ରତି ବିଶେଷ ଦୃଷ୍ଟି ଦିଆଯିବ । ଏମାନେ ସବୁବେଳେ ଛାତ୍ରାବାସରେ ରହିବେ । ଏମାନଙ୍କୁ ଖୁବ୍ କମ୍‌ରେ ଆଠବର୍ଷ ପଢ଼ାଇବାକୁ ହେବ । ପ୍ରଥମ ପାଞ୍ଚ ବର୍ଷରେ ସାଧାରଣ ଜ୍ଞାନ ଓ ବ୍ୟୁତ୍ପତ୍ତି ଲାଗି ଭିନ୍ନ ଭିନ୍ନ ବିଷୟ ପଢ଼ିବେ । ଶେଷ ତିନିବର୍ଷ କୌଣସି ଗୋଟିଏ ବିଷୟରେ ଶିକ୍ଷାରେ କଟାଇବାକୁ ହେବ । କେହି ଯଦି କବିରାଜ ହେବାକୁ ଚାହାନ୍ତି ସେ ତିନି ବର୍ଷ କବିରାଜି ଗ୍ରନ୍ଥ କେବଳ ପଢ଼ିବେ । ସେହିପରି ଆଉ କେହି ବା ସଂସ୍କୃତ, କେହି ବା ଇତିହାସ ବା ଅନ୍ୟ କୌଣସି ବିଷୟ ପଢ଼ିପାରନ୍ତି । ଏ ଶ୍ରେଣୀରେ ଛାତ୍ରମାନଙ୍କୁ ମାସିକ ବେତନ ଦେବାକୁ ହେବ ନାହିଁ; ମାତ୍ର ଛାତ୍ରାବାସର ଖର୍ଚ୍ଚ ଏମାନଙ୍କୁ ବହନ କରିବାକୁ ପଡ଼ିବ । ଅବସ୍ଥା ଦୃଷ୍ଟିରୁ ଏ ଶ୍ରେଣୀରେ କୌଣସି କୌଣସି ଛାତ୍ରଙ୍କର ଆହାରାଦିର ବ୍ୟୟ ସ୍କୁଲରୁ ମଧ୍ୟ ଦିଆଯାଇପାରେ । ଏ ଶ୍ରେଣୀକୁ ବାଛିକରି ପିଲା ନିଆଯିବ ।

 

ତୃତୀୟ ମୌଳିକ ଶ୍ରେଣୀରେ ଗ୍ରାମ୍ୟ ଯୁବକମାନଙ୍କୁ ଶିକ୍ଷା ଦିଆଯିବ । ସହର ଓ ମଫସଲ ଗ୍ରାମମାନଙ୍କରେ ଖଣ୍ଡେଦୁର ପଢ଼ି ୧୮,୨୦,୨୫ ବର୍ଷର ପିଲାମାନେ ରହିଛନ୍ତି । କୌଣସି ଆଡ଼ୁ ଚାକିରି ପାଇବା ଭଳି ସେମାନଙ୍କର ସୁବିଧା ନାହିଁ । ଘରର କାର୍ଯ୍ୟ ସେମାନଙ୍କୁ ତେତେ ଲାଗିନାହିଁ । ଗ୍ରାମରେ ସେମାନେ କ’ଣ କରିବେ ଠିକ୍ କରି ପାରୁନାହାନ୍ତି ବା ଜାଣିପାରୁ ନାହାନ୍ତି । ସାମାନ୍ୟ ଶିକ୍ଷା ଓ ଚାଳନା ପାଇଲେ ଏମାନେ ଗ୍ରାମରେ ଅନେକ ସାଧାରଣ କାର୍ଯ୍ୟ କରିବାକୁ ସମର୍ଥ ହେବେ । ଆପଣା ଆପଣା ଗୃହ କାର୍ଯ୍ୟରେ ମଧ୍ୟ ସେମାନଙ୍କର ଅଧିକ ଆଗ୍ରହ ଓ ଉତ୍ସାହ ଜନ୍ମିବ ଏବଂ ସେମାନେ ଜଣେ ଜଣେ ଗ୍ରାମ୍ୟ ଓ ସ୍ଥାନୀୟ ନେତା ହୋଇ ବାହାରିବେ ।

 

ଆଜିକାଲି ଗ୍ରାମର ଲୋକେ ଭୋଟ ଦେବା କ୍ଷମତା ପାଇଛନ୍ତି । ଜିଲ୍ଲାବୋର୍ଡ଼ ଆଦିକୁ ମେମ୍ବର ହୋଇଯିବାର ଆକାଙ୍‌କ୍ଷା ଅନେକଙ୍କର ଜନ୍ମିଛି । ଏହା ଅସଙ୍ଗତ ନୁହେଁ ବରଂ ବାଞ୍ଛନୀୟ । ବର୍ତ୍ତମାନ ଗ୍ରାମରେ ଦରପାଠୁଆ ନିଷ୍କର୍ମା ଯୁବକମାନେ ଏହିସବୁ ଉଦ୍ଦେଶ୍ୟରେ ସାମାନ୍ୟ ଶିକ୍ଷା ଲାଭ କଲେ ଗ୍ରାମର ସାମାଜିକ ଓ ରାଜନୈତିକ ଜୀବନର ଅନେକ ଉନ୍ନତ କରି ପାରିବେ ।

 

ଲୌକିକ ଶ୍ରେଣୀରେ ଏହିସବୁ ଯୁବକମାନଙ୍କୁ ଛାତ୍ରରୂପେ ଗ୍ରହଣ କରାଯିବ । ବର୍ଷମଧ୍ୟରେ ତିନିମାସ ମାତ୍ର ଏମାନଙ୍କୁ ପଢ଼ିବାକୁ ହେବ । ଫେବୃୟାରୀ, ମାର୍ଚ୍ଚ, ଅପ୍ରେଲ ବା ଦେଶୀୟ ମାସ ଅନୁସାରେ ଫଗୁଣ, ଚୈତ୍ର, ବୈଶାଖ ଏହି ତିନିମାସ ମାତ୍ର ଏମାନଙ୍କୁ ପଢ଼ିବାକୁ ହେବ । ଏ ସମୟରେ ଗ୍ରାମରେ ବିଲବାଡ଼ି ଧନ୍ଦା କିଛି ନ ଥାଏ । ଏପରିକି ଅନେକ କାମିକା ଲୋକଙ୍କୁ ବୃଥାରେ ସମୟ କଟାଇବାକୁ ହୋଇଥାଏ । ତେଣୁ ଅଧିକ ପ୍ରବଣତା ଓ ଯୋଗ୍ୟତା ଲାଭ କରିବା ଲାଗି ବ୍ୟାବହାରିକ ଶିକ୍ଷା ଅର୍ଜନରେ ଏହି ସମୟ ବିତାଇବାକୁ ଅନେକ ସୁବିଧା କରିପାରିବେ ବୋଲି ଆଶା କରାଯାଏ । ଗ୍ରାମ୍ୟ ସ୍ୱାସ୍ଥ୍ୟ, ଗୃହଶିଳ୍ପ, ଗ୍ରାମସେବା ସଂଗଠନ, ଖବର କାଗଜ ଓ ପୁରାଣପାଠ ଆଦି ଏମାନଙ୍କୁ ଶିକ୍ଷା ଦିଆଯିବ ।

 

ଜିଲ୍ଳାବୋର୍ଡ଼, ମ୍ୟୁନିସପାଲଟି, ଗ୍ରାମପଞ୍ଚାୟତରେ ନିୟମ ବିଧାନ, ବର୍ତ୍ତମାନ ଶାସନ ପ୍ରଣାଳୀ ବିଷୟରେ ଉପଦେଶ ଦିଆଯିବ । କୌଣସି ସ୍ଥାନୀୟ ଆପତ୍ତି ଅଭିଯୋଗ କିପରି କରିବାକୁ ହେବ ତହିଁରେ କ୍ରମ ଓ କ୍ରିୟା ବୁଝାଇ ଦିଆଯିବ । ପଲ୍ଲୀ ସଂଗଠନ ବିଷୟକ ନାନା କଥା ଏମାନଙ୍କ ଶିକ୍ଷାର ଅନ୍ତର୍ଗତ ହେବ । ଏହି ଶିକ୍ଷା ଲାଗି ଭୂଗୋଳ ଇତିହାସ ବା ଅନ୍ୟ କୌଣସି ସାଧାରଣ ବିଷୟ ଯାହାକିଛି ଲୋଡ଼ା ଏମାନେ ପଢ଼ିବେ । ସ୍ଥାନୀୟ ଅଭାବ ଅଭିଯୋଗମାନ ଖବରକାଗଜକୁ କିପରି ଜଣାଇବାକୁ ହେବ ତାହା ଲେଖି ଜଣାଇବେ । କୌଣସି ବିଷୟରେ ମଫସଲର ଳୋକମାନଙ୍କୁ ବୁଝାଇବା ଏବଂ ସେମାନଙ୍କ ମଧ୍ୟରେ ସଭା ସମିତି ସଂଗଠନ କରାଇବା ନିୟମ ବିଧାନର କ୍ରିୟା ଓ ପ୍ରଣାଳୀ ସମ୍ବନ୍ଧରେ ଶିକ୍ଷା ପାଇବେ । ଏହାଛଡ଼ା ସାମାନ୍ୟ ସାମାନ୍ୟ ରୋଗର ଚିକିତ୍ସା ମଧ୍ୟ କରି ଶିଖିବେ । ପାଠର ସମୟ ତିନିମାସ ମଧ୍ୟରେ, ବହି କାଗଜ ସମ୍ପର୍କୀୟ ଲେଖାପଢ଼ି ଛଡ଼ା ନିକଟବର୍ତ୍ତୀ କୌଣସି କୌଣସି ଗ୍ରାମରେ ଶିକ୍ଷା ଲାଗି ଏମାନଙ୍କୁ ଶିକ୍ଷକମାନଙ୍କର ତତ୍ତ୍ୱାବଧାନ ଓ ପରାମର୍ଶରେ ଗ୍ରାମ ସଂଗଠନ କାର୍ଯ୍ୟ କରିବାକୁ ହେବ । ବର୍ତ୍ତମାନ ୧୫ ଦିନରେ ୩ ଦିନ ମାତ୍ର ଏମାନଙ୍କର ପଢ଼ା କ୍ଳାସ ହେବ । ଅବଶିଷ୍ଟ ସମୟ ପାଇଁ ନିକଟବର୍ତ୍ତୀ ଗ୍ରାମର ଛାତ୍ରମାନେ ନିଜ ନିଜ ଗ୍ରାମକୁ ଚାଲିଯାଇ ପାରନ୍ତି । ମାତ୍ର ଗ୍ରାମରେ ସେମାନଙ୍କୁ ପାଠ ବିଧାନ ଅନୁସାରେ ସଂଗଠନ କାର୍ଯ୍ୟ କରିବାକୁ ହେବ । ଶିକ୍ଷକ ମଧ୍ୟେ ମଧ୍ୟେ ଯାଇ ସେମାନଙ୍କ କାର୍ଯ୍ୟର ତତ୍ତ୍ୱାବଧାନ କରିବେ । ସେମାନେ ଗ୍ରାମରେ ଯାହା କରିବେ, ତାର ନୋଟ ରଖିବେ । ଆରପକ୍ଷରେ ସେମାନେ ସ୍କୁଲକୁ ଆସିଲାବେଳେ ଉକ୍ତ ନୋଟର ଆଲୋଚନା ଓ ତତ୍‌ସମ୍ବନ୍ଧୀୟ ଉପଦେଶ ଦିଆଯିବ । ଏହାଛଡ଼ା ବ୍ୟବହାରିକ ପ୍ରଚଳିତ ଆଇନ୍ କାନୁନ କେତେକ ଛାତ୍ର ଶିଖିବେ । ଦେଶର ଅନେକ ସଂଗତିସମ୍ପନ୍ନ, ମଧ୍ୟବିତ୍ତ ଶ୍ରେଣୀର ଯୁବକମାନଙ୍କ ପକ୍ଷେ ଏଭଳି ଶିକ୍ଷା ଅତ୍ୟନ୍ତ ପ୍ରୟୋଜନୀୟ ବୋଲି ମନେହୁଏ ।

 

ପଲ୍ଲୀରେ କାର୍ଯ୍ୟ କରିବାର ରାସ୍ତା ସେମାନେ ଟିକିଏ ଦେଖି ଗଲେ, ଶାସନପ୍ରଣାଳୀ ସମ୍ବନ୍ଧେ ସାଧାରଣ ପକତେକ ବିଷୟରେ ଅଭିଜ୍ଞତା ଳାଭ କଲେ ଏବଂ ବ୍ୟାବହାରିକ ସାଧାରଣ କାର୍ଯ୍ୟ ଚଳାଇବା ଲାଗି ଯୋଗ୍ୟତା ଲାଭ କଲେ ନିଜ ନିଜ ଅଞ୍ଚଳରେ ଜଣେ ଜଣେ ସୁଦକ୍ଷ କର୍ମୀ ଓ ଲୋକନାୟକ ହେବେ ବୋଲି ଆଶା କରାଯାଏ ।

 

ତିନି ମାସ ଶିକ୍ଷା ଶେଷ ହେଲେ ଦରକାର ହେଲେ କେହି କେହି ପୁଣି ଆରବର୍ଷ ସେହି ତିନିମାସ ବା ତହିଁରୁ ଅଳ୍ପ ସମୟ ଆସିପାରନ୍ତି । ତିନିମାସ ପରେ ଗ୍ରାମକୁ ଯାଇ ବର୍ଷମଧ୍ୟରେ ଯାହା ଯାହା କାର୍ଯ୍ୟ କରିବେ ତହିଁରେ ମାସିକ ବିବରଣମାନ ସତ୍ୟବାଦୀ ସ୍କୁଲକୁ ପଠାଇବେ । ସେଠାରୁ ସେମାନଙ୍କୁ ପ୍ରୟୋଜନୀୟ ଉପଦେଶ ମଧ୍ୟ ମିଳିବ ।

 

ଅଠର ବର୍ଷ ବୟସରୁ ତିରିଶ ବର୍ଷ ବୟସର ଯୁବକମାନେ ଶ୍ରେଣୀରେ ନିଆଯାଇ ପାରନ୍ତି । ଯେଉଁମାନେ ସରକାରୀ ଢଙ୍ଗରେ ଅପର ପ୍ରାଇମେରୀ ବା ମାଇନର ଇଂରାଜୀ ସ୍କୁଲରେ ନ ପଢ଼ି ପୁରୁଣା ଚାଟାଶାଳୀ ଢଙ୍ଗରେ କିଛି କିଛି ପଢ଼ିଛନ୍ତି; ଅଥଚ ଗ୍ରାମର ସାଧାରଣ କାର୍ଯ୍ୟ କରିବା ଲାଗି ସେମାନଙ୍କର ଉତ୍ସାହ, ଆଗ୍ରହ ଓ ବୁଦ୍ଧି ବିଚକ୍ଷଣତା ଅଛି, ସେମାନଙ୍କର ପଢ଼ିବା ଲାଗି ଏ ଶ୍ରେଣୀରେ କିଛି ଅସୁବିଧା ହେବ ନାହିଁ । ସତ୍ୟବାଦୀ ସ୍କୁଲରେ ପଢ଼ିବାବେଳେ ଏମାନେ ନିଜ ଖର୍ଚ୍ଚରେ ବୋଡ଼ିଂରେ ରହିପାରନ୍ତି । ଉପସ୍ଥିତ ଏମାନଙ୍କଠାରୁ କିଛି ବେତନ ନିଆଯିବ ନାହିଁ । ସ୍କୁଲର ସବୁ ଶ୍ରେଣୀରେ ସବୁ ବିଭାଗର ଛାତ୍ରମାନଙ୍କୁ ନିର୍ଦ୍ଦିଷ୍ଟ କିଛି ସମୟ ସୂତା କାଟିବାକୁ ହେବ । ହିନ୍ଦି ଶିଖିବାକୁ ହେବ । କୃଷି ଓ ବଗିଚା କାମ କରିବାକୁ ହେବ । ଏହାଛଡ଼ା ଆଉ ଯେ ଶିଳ୍ପର ବ୍ୟବସ୍ଥା ରହିବ, ଇଚ୍ଛା ଓ ଅଭିରୁଚି ଅନୁସାରେ ଛାତ୍ରମାନେ ସେଥିରେ ଯୋଗ ଦେବେ । ’’

 

ଗୋପବନ୍ଧୁଙ୍କର ଏହି ଶିକ୍ଷା ଯୋଜନା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ଆର୍ଥିକ ଦୁଃସ୍ଥିତ ଓ ପ୍ରତିକୁଳ ପରିସ୍ଥିତି ଭିତରେ ସତ୍ୟବାଦୀ ବିଦ୍ୟାଳୟର ବିପର୍ଯୟ ଘଟିଲା । ଛାତ୍ରମାନେ ଏଠାରୁ ପଢ଼ି ବିଭିନ୍ନ ସରକାରୀ କ୍ଷେତ୍ରରେ ଆଶାନୁରୂପ ସୁବିଧା ସୁଯୋଗ ହାସଲ କରି ପାରିଲେ ନାହିଁ । ସରକାରଙ୍କର ସମର୍ଥନ ଏହି ବିଦ୍ୟାଳୟ ଉପରୁ ଆସ୍ତେ ପ୍ରତ୍ୟାହୃତ ହେଲା । ଗୋପବନ୍ଧୁ ଅସହଯୋଗ ଆନ୍ଦୋଳନ ଓ ମହାତ୍ମା ଗାନ୍ଧୀଙ୍କ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେତେବେଳର ସରକାର ବିରୋଧୀ କାର୍ଯ୍ୟ ସମ୍ପାଦନ କରିବାକୁ କାରବରଣ କରିବାକୁ ପଡ଼ିଲା । ତେଣୁ ତାଙ୍କର ପ୍ରତ୍ୟେକ୍ଷ ପରିଚାଳନା ରହିଲା ନାହିଁ । ଏହି ବିଦ୍ୟାଳୟର ଦେଶପ୍ରେମୀ ଶିକ୍ଷକମାନଙ୍କର ଅବସ୍ଥା ମଧ୍ୟ ଅନୁରୂପ ହୋଇଥିଲା । ସେମାନେ ମଧ୍ୟ ଜାତୀୟ ରାଜନୀତିରେ ଭାଗ ନେଇ ସମଦଶା ଭୋଗ କରିଥିଲେ । ଅଭିଭାବକମାନେ ନିଜର ପିଲାମାନଙ୍କୁ ଏହି ବିଦ୍ୟାଳୟକୁ ପଠାଇବାକୁ ଦ୍ୱିଧା ବୋଧ କଲେ ।

 

୧୯୨୧ ସାଲରେ ସତ୍ୟବାଦୀ ବିଦ୍ୟାଳୟ ଜାତୀୟ ବିଦ୍ୟାଳୟରେ ପରିଣତ ହେବା ପରେ ଏହାର ପୂର୍ବ ମୌଳିକତା ଆସ୍ତେ ନଷ୍ଟ ହେଲା । ଚାରିପାଞ୍ଚ ବର୍ଷ ଚଳିବା ପରେ ଏହା ପୂରାପୁରି ବନ୍ଦ ହୋଇ ଯାଇଥିଲା । ଗୋପବନ୍ଧୁଙ୍କର ନୂତନ ଶିକ୍ଷାନୀତି ବିଶେଷ କାର୍ଯକାରୀ ହୋଇପାରିଲା ନାହିଁ ।

 

ସକ୍ରିୟ ରାଜନୈତିକ କାର୍ଯକ୍ରମ ଓ ଅର୍ଥାଭାବ ଭିତରେ ବନବିଦ୍ୟାଳୟର ଉଦିତ ସୂର୍ଯ୍ୟ ଅକାଳ ଅନ୍ଧକାର ଭିତରେ ବିଲୀନ ହେଲା । ଏତେ ବ୍ୟସ୍ତତା ଭିତରେ ଶିକ୍ଷାର ଏଇ ସଂସ୍କାରିତରୁପ ଅତ୍ୟନ୍ତ ସୁଚିନ୍ତିତ, ସୁନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଗୋପବନ୍ଧୁଙ୍କ ସ୍ୱପ୍ନ ଓ ପରିକଳ୍ପନା ରୂପ ପାଇବାକୁ ବିଧି ବିରୋଧ କଲା । ଏହି ବିଦ୍ୟାଳୟ ବନ୍ଦ ହୋଇଯିବାର ଦୁଇବର୍ଷ ପରେ ୧୯୨୮ ସାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।

 

ଆଜି ତାଙ୍କର ସେହି ସୁଚିନ୍ତିତ ଶିକ୍ଷାନୀତି ଦେଶବାସୀଙ୍କ ନିକଟରେ ତଥାପି ମଧ୍ୟ ରହିଛି-। ତାଙ୍କୁ ବର୍ତ୍ତମାନର ପରିପ୍ରେକ୍ଷୀରେ ସାମାନ୍ୟ ଏ ପାଖ ସେପାଖ କରି ଜାତୀୟ ଶିକ୍ଷାନୀତିରୂପେ ଗ୍ରହଣ କରାଯାଇ ପାରିଲେ ରୋଗଗ୍ରସ୍ତ ସମାଜପ୍ରତି ଏହା ଏକ ମହୌଷଧିରେ ପରିଣତ ହୁଅନ୍ତା । ଯେଉଁ ସତ୍ୟବାଦୀ ବନବିଦ୍ୟାଳୟ ଶିକ୍ଷା, ସେବା, ସ୍ୱାଧୀନତା ମନ୍ତ୍ର ନେଇ ଦିନେ ମୁଣ୍ଡ ଟେକିଥିଲା, ଆଜି ତାହା ନାହିଁ ସତ, କିନ୍ତୁ ମହାତ୍ମା ଗୋପବନ୍ଧୁଙ୍କର ଅତୃପ୍ତ ପ୍ରାଣ ଆଜି ମଧ୍ୟ ବ୍ୟାକୁଳିତ ହୋଇ ସେଇ ଛୁରୀଅନା ବକୁଳ ବନରେ ଘୂରି ବୁଲୁଛି । ତାଙ୍କର ବାଣୀକୁ, ଏ ଦେଶବାସୀ ସାର୍ଥକ କରିବାର ସମୟ ଆସିଛି; ତେଣୁ ପ୍ରତ୍ୟେକେ ତାଙ୍କର ବାଣୀ ହୃଦୟଙ୍ଗମ କରିବା ଉଚିତ ।

 

ଛାତ୍ରସମାଜ ପ୍ରତି ବାର୍ତ୍ତା

 

ଉତ୍ମଳମଣି ଗୋପବନ୍ଧୁ ଦାସ ଓ ପଣ୍ଡିତ ନୀଳକଣ୍ଠ ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଦୁଇଟି ସାରଗର୍ଭକ ଭାଷଣ ଦେଇଥିଲେ ତାହା ଏପରି ଭାବ ଓ ତଥ୍ୟପୂର୍ଣ୍ଣ ଯେ, ପ୍ରତ୍ୟେକ ଶିକ୍ଷକ, ଛାତ୍ର ଓ ଅଭିଭାବକ ଏହାକୁ ସବୁ ସମୟରେ ପାଠ କରିବା ଉଚିତ । ଏହି ଭାଷଣ ଦୁଇଟି ଶାଶ୍ୱତ, ସାରସ୍ୱତ ମୂଲ୍ୟରେ ପରିପୁରିତ ହୋଇଛି । ଶିକ୍ଷାର ନୀତି ଯାହ ହେଉନା କାହିଁକି, ଯେତେ ଖଣ୍ଡନ, ମଣ୍ଡନ ଓ ସଂସ୍କାର ହେଉନା କାହିଁକି, ପ୍ରତ୍ୟେକ ଶିକ୍ଷକ ସବୁବେଳେ କ’ଣ ହେବା ଉଚିତ ଏବଂ ଛାତ୍ରମାନେ କି ପ୍ରକାର ଛାତ୍ରତ୍ୱରେ ବିଭବରେ ମଣ୍ଡିତ ହେବା ବିଧେୟ, ତାହା ଏହି ଲେଖା ମାଧ୍ୟମରେ ପ୍ରକଟିତ ହୋଇଛି । ଗୋପବନ୍ଧୁଙ୍କର ଭାଷଣଟି ‘ଗୁରୁ-ଶିଷ୍ୟ’ ଶିରୋନାମାରେ ଓ ନୀଳକଣ୍ଠଙ୍କର ଭାଷଣଟି ‘ଶିକ୍ଷା କ’ଣ’ ଶିରୋନାମାରେ ସତ୍ୟବାଦୀରେ ପ୍ରକାଶିତ ହୋଇଥିଲା । ଏହି ଉଭୟ ଭାଷଣ ନିମ୍ନରେ ଦିଆଗଲା । ଆଶା କରାଯାଏ, ଏହା ବର୍ତ୍ତମାନର ପୃଷ୍ଠଭୂମିରେ ଆମ୍ଭମାନଙ୍କର ଦିଗ୍‌ଦର୍ଶକ ହେବ—

 

ପ୍ରିୟ ଶିଶୁମାନେ !

 

ତୁମ୍ଭେମାନେ ଦେଶର ନାନାସ୍ଥାନରୁ ପାଠ ପଢ଼ିବା ପାଇଁ ଏଠାରେ ଆସି ରୁଣ୍ଡ ହୋଇଅଛ-। ଆଜି ତୁମ୍ଭେ ଶିଶୁ, ବାଳକ, ତରୁଣ, କାଲି ବଡ଼ ହେବ, ସଂସାର କରିବ, ସଂସାରର ନାନା କ୍ଷେତ୍ରରେ କାମ କରିବ । ସମାଜରେ ତୁମ୍ଭର ଗୋଟିଏ ଗୋଟିଏ ସ୍ଥାନ ହେବ, ଶିକ୍ଷା ପାଇ ସମାଜରେ ଗୋଟିଏ ଗୋଟି, ଉପଯୁକ୍ତ ଲୋକ ହେବ । ସେଥିପାଇଁ ତୁମ୍ଭେମାନେ ଏଠାକୁ ଆସିଛ । ସେହି ଉଦ୍ଦେଶ୍ୟରେ ତୁମ୍ଭର ବାପା, ମାଆ, ଅଭିଭାବକମାନେ ଏଠାକୁ ପଠାଇ ଦେଇଅଛନ୍ତି । ତୁମ୍ଭେମାନେ ଆଜି ଏ ତରୁଣ ବୟସରେ ଆମ୍ଭମାନଙ୍କ ସାମନାରେ ଅଛ । ଆମ୍ଭମାନଙ୍କ ଶିକ୍ଷ୍ୟ ହୋଇଅଛ । ଆମ୍ଭେମାନେ ତୁମ୍ଭମାନଙ୍କ ଶାସକ, ତୁମ୍ଭମାନଙ୍କ ଗୁରୁ । ତୁମ୍ଭେମାନେ ସମସ୍ତେ ଆଜି ନିଜଠାରୁ ଆମ୍ଭମାନଙ୍କୁ ବଡ଼ ବୋଲି ବିଚାରୁଅଛ । ଆମ୍ଭେମାନେ ମଧ୍ୟ ଉଚ୍ଚ ଅଧିଷ୍ଠାନରେ ବସି ତୁମ୍ଭମାନଙ୍କର ଜୀବନ ଗଢ଼ୁଅଛୁ ବୋଲି ବିଚାରୁଅଛୁ । ଆମ୍ଭେମାନେ ମନୁଷ୍ୟ, ଅସଂଖ ତ୍ରୁଟି ଆମ୍ଭମାନଙ୍କ ନିକଟରେ ରହିଛି । ତଥାପି ତୁମ୍ଭମାନଙ୍କ ତ୍ରୁଟି ଦେଖିଲେ ପଦେ ପଦେ ତାହା ଆମ୍ଭେମାନେ ସଂଶୋଧନ କରୁଅଛୁ, ଯଥାସାଧ୍ୟ ତୁମ୍ଭମାନଙ୍କର ଭବିଷ୍ୟତ ଜୀବନ କଳ୍ପନା କରୁଅଛୁ ଏବଂ ତୁମ୍ଭମାନଙ୍କର ସେହି କଳ୍ପିତ ଭବିଷ୍ୟତ ଜୀବନକୁ ଆଗରେ ରଖି ଆମ୍ଭମାନେ ତୁମ୍ଭର ଜୀବନକୁ ନିୟମିତ କରୁଅଛୁ । କିନ୍ତୁ ଏକଥା ସବୁବେଳେ ମନେ ରଖିଥିବ—ଶିଶୁମାନେ ! ତୁମ୍ଭମାନଙ୍କର ଜୀବନ ନିୟମିତ କଲାବେଳେ, ତୁମ୍ଭମାନଙ୍କର ତ୍ରୁଟି ଦେଖି ତୀବ୍ର ଶାସନ କଲାବେଳେ ଆମ୍ଭେମାନେ ନିଜର ଦାୟିତ୍ୱ ଭୁଲୁ ନାହୁଁ, ନିଜର ନଗଣ୍ୟତା ବିସ୍ତୃତ ହୋଇନାହୁଁ । ଆମ୍ଭମାନଙ୍କର ଜୀବନ ଏକପ୍ରକାର ପରିଣତ ହୋଇଅଛି । ତୁମ୍ଭମାନଙ୍କର ଶିଶୁଜୀବନ । ଆଜି ସମ୍ଭାବନାରେ ପୂର୍ଣ୍ଣ । ଆମ୍ଭେମାନେ ଜୀବନରେ ଯାହା ହେବାର ତାହା ଏକପ୍ରକାର ହୋଇସାରିଛୁ । ତୁମ୍ଭେମାନେ ଭବିଷ୍ୟତରେ କ’ଣ ହେବ କିଏ କହିପାରେ ? ହୁଏତ ତୁମ୍ଭମାନଙ୍କ ଭିତରେ କେହି ବୁଦ୍ଧ, ଶଙ୍କର, ଚୈତନ୍ୟ, କେହି ବା ଅଶୋକ, ସିକନ୍ଦର ଥାଇପାରନ୍ତି । କିନ୍ତୁ ଆମ୍ଭେମାନେ ନଗଣ୍ୟ ହେଲେ ମଧ୍ୟ ଆଜି ତୁମ୍ଭମାନଙ୍କୁ ଶାସନ କରିବାର ଭାର ଭଗବାନ ଆମ୍ଭମାନଙ୍କୁ ଦେଇଅଛନ୍ତି । ସେହି କର୍ତ୍ତବ୍ୟବୋଧରେ ଆମ୍ଭେମାନେ ତୁମ୍ଭଙ୍କୁ ଶାସନ କରୁଅଛୁ, ତୁମ୍ଭର ତ୍ରୁଟି ଦେଖାଉଅଛୁ ଦୋଷରେ ଦଣ୍ଡ ବିଧାନ କରୁଅଛୁ, ପ୍ରମାଦରେ ସଂଶୋଧନର ପନ୍ଥା ଦେଖାଇ ଦେଉଅଛୁ । କଦାପି ବିଚାରନାହୁ, ଆମ୍ଭାମାନେ ପୂର୍ଣ୍ଣ ମନୁଷ୍ୟତା ଲାଭ କରି ତୁମ୍ଭକୁ ଶାସନ କରୁଅଛୁ । ଅତି ଭୟରେ, ଭକ୍ତିରେ ଆଦରରେ ଆମ୍ଭମାନେ ଏଠାରେ ସେହି ଈଶ୍ୱରଦତ୍ତ କର୍ତ୍ତବ୍ୟ, ଯତ୍‌କିଞ୍ଚିତ୍‌ ସମାଧାନ କରିପାରିଲେ କୃତାର୍ଥ ହେବୁ ବୋଲି ବିଚାରୁଛୁ । କାଲି ତୁମେ ବଡ଼ ହୋଇ ଯେତେବେଳେ ପଛକୁ ଚାହିଁବ, ସେତେବେଳେ ହୁଏତ ଆମ୍ଭ ଜୀବନର ବହୁତ ଅପୂର୍ଣ୍ଣତା, ତ୍ରୁଟି, ପ୍ରମାଦ ଦେଖିପାରିବ । କିନ୍ତୁ ମନେରଖ, ଏକଥା ମୁଁ ତୁମ୍ଭଙ୍କୁ ଅନେକଥର କହିଛି; ହୃଦୟର ଆବେଗରେ ଆମ୍ଭେମାନେ ତୁମ୍ଭର ସେହି ଦିନକୁ ଚାହିଁ ବସିଅଛୁ । ଗୁରୁ-ଶିଷ୍ୟର ଏହି ସମ୍ବନ୍ଧ ଘେନି ପ୍ରାଚୀନ ପୁରୁଷମାନେ କହିଛନ୍ତି—

 

‘‘ସର୍ବତ୍ର ଜୟ ମନ୍ୱିଷ୍ୟେତ୍

ଶିକ୍ଷାତିଚ୍ଛେତ୍ ପରାଜୟମ ।’’

 

ଅର୍ଥାତ୍ ଲୋକ ସବୁଠାରେ ଜୟ ଅନ୍ୱେଷଣ କଲେ ମଧ୍ୟ ଶିଷ୍ୟଠାରୁ ପରାଜୟ ଇଚ୍ଛା କରେ । ଶିଷ୍ୟକୁ ଆପଣାଠାରୁ ସର୍ବ ଗୁଣରେ ବଡ଼ ଦେଖିଲେ ଲୋକ କୃତାର୍ଥ ହୁଏ ।

 

ଏସବୁ କଥା ବୁଝିଲେ ମଧ୍ୟ କାର୍ଯ୍ୟରେ ବିଧିନିର୍ଦ୍ଦିଷ୍ଟ କର୍ତ୍ତବ୍ୟରେ ଆମ୍ଭେ ତୁମ୍ଭର ଶାସକ ଓ ଗୁରୁ । ଭବିଷ୍ୟତରେ ତୁମ୍ଭର ଯେ ସମ୍ଭାବନା ଥାଉ ନା କାହିଁକି, ତୁମ୍ଭର ସେ ଭବିଷ୍ୟତ ଆଜି ଆମରି ହାତରେ ଗଢ଼ା ହେବ । ଏପରି ସ୍ଥଳେ ତୁମର ଆମର ଗୁରୁ ଶିଷ୍ୟ ସମ୍ବନ୍ଧ ଭଲ କରି ବୁଝିବା ନିତାନ୍ତ ଆବଶ୍ୟକ । ତୁମ୍ଭେମାନେ ବାଳକ, ଏଠାରେ ବେଳେବେଳେ ଆମ୍ଭମାନଙ୍କ ହାତରେ ତୁମ୍ଭମାନଙ୍କ ଦଣ୍ଡ ପାଇବାକୁ ହୁଏ, ଦୁଃଖ ସହିବାକୁ ହୁଏ । ସେ ଦଣ୍ଡର ଅର୍ଥ ବେଳେବେଳେ ତୁମ୍ଭେମାନେ ବୁଝିନାହିଁ । ଦାୟିତ୍ୱ ଘେନି ତୁମ୍ଭମାନଙ୍କୁ ଦଣ୍ଡ ଦେଇ ଆମେମାନେ ଯେ ମର୍ମବେଦନା ଅନୁଭବ କରୁ ତାହା ତୁମ୍ଭେ ଜାଣ ନାହିଁ । ହୁଏତ ମନେମନେ ବିଚାର କର, ‘ଓଃ ! କି ଦୁଃଖ, କି ଯନ୍ତ୍ରଣା ! ପିତାମାତା ଅଭିଭାବକ ଆମକୁ କି କଷ୍ଟରେ ପକାଇଛନ୍ତି ।’

 

ମାତ୍ର ଟିକିଏ ବିଚାର କରି ଦେଖ, ଏ ଦୁଃଖ ତୁମ୍ଭର ଆଜି ଜୀବନରେ ନୂଆ ନୁହେଁ । ଏହା ଯଦି ଯନ୍ତ୍ରଣା ହୁଏ ତେବେ ଭଗବାନଙ୍କ ରାଜ୍ୟରେ ଯନ୍ତ୍ରଣା ହିଁ ଜୀବନ । ଆଜି ତୁମ୍ଭେ ନିତାନ୍ତ ଦୁଗ୍‌ଧପୋଷ୍ୟ ଶିଶୁ ନୁହଁ । ଟିକିଏ ବଡ଼ ହୋଇଛି । ମନର ବିକାଶ ପାଇଁ, ଜ୍ଞାନ ଅର୍ଜନ ପାଇଁ ଏଠାକୁ ଆସିଛି । କିନ୍ତୁ ତୁମ୍ଭେ ନିଜନିଜର ଶରୀରକୁ ଚାହିଁ । ତୁମ୍ଭର ଏ ହସ୍ତପଦ ଅବୟବ, ଏ ସାସ୍ଥ୍ୟ ଏ ଶରୀର ଗୋଟିଏ ଦିନର ଫଳ ନୁହେଁ । ତୁମେ ଯେଉଁଦିନ ଜନ୍ମ ହୋଇ ପୃଥିବୀରେ ପଡ଼ିଥିଲ, ସେହିଦିନଠାରୁ ଆଜି ପର୍ଯ୍ୟନ୍ତ କେତେ ରୋଗ ଦୁଃଖ ଯନ୍ତ୍ରଣା ଯାତନା ଭିତରେ ବଢ଼ିଅଛ, ତାହାର ଇୟତ୍ତା ନାହିଁ । ଆଜି ସୁଦୃଢ଼ ହସ୍ତପଦ ଅବୟବ ଘେନି ତୁମେ ସଂସାରରେ ବିଚରଣ କରୁଅଛ । କିନ୍ତୁ ଅବୟବର ଏ ଦୃଢ଼ତା, ସ୍ୱାଧୀନ ଭାବରେ ସଂଚରଣ କରିବାର ଏ ଶକ୍ତି ତୁମର କିପରି ହେଲା ଭାବିଛ କି । ଆଜି ତୁମର ମନ ଚଞ୍ଚଳ, ତୁମେ ସବୁବେଳେ ସ୍ୱାଧୀନତା ଲୋଡ଼ୁଅଛ, ତେଣୁ ସବୁ ଶାସନ ଲୋଡ଼ା ହେଉଅଛି । ତୁମେ ବିଚାରୁଛ, ତୁମର ଯାହା ଇଚ୍ଛା, ତୁମେ ତାହା କରିଯିବ, ଅନ୍ୟ କେହି ତୁମକୁ କିଛି କହିଲେ ତୁମକୁ ସୁଖ ଲାଗୁନାହିଁ । ବେଳେବେଳେ ବିଚାରୁଛ, ତୁମ ସ୍ୱାଧୀନତାରେ ବାଧା ଦେବାର ଅଧିକାର କାହାରି ନାହିଁ । ଏ ଭାବ ତୁମର ଆଜି ହୋଇନାହିଁ । ଜୀବନରେ ଶାସନ ଆଜି ତୁମର ହୋଇ ନାହିଁ । ଟିକିଏ ଭାବିଲେ ଦେଖିପାରିବ, ଜୀବନର ପ୍ରଥମରୁ ସବୁବେଳେ ତୁମେ ଶାସନରେ ବଢ଼ୁଅଛ । ପଦେ ତୁମର ସ୍ୱାଧୀନ ବୃତ୍ତି ଧକ୍‌କା ପାଉଛି । ତୁମର ଏ ସମସ୍ତ ଜୀବନ ଯେପରିକି ଏକ ଶାସନ ତାଡ଼ନାର ଅନନ୍ତଲୀଳା ।

 

କଥାଟି ବୋଧହୁଏ ଭଲ ବୁଝିଲା ନାହିଁ । ବିଚାର କର, ହସ୍ୱ, ଦୁର୍ବଳ କୋମଳ ହସ୍ତପଦ ଘେନି ଯେତେବେଳେ ତୁମେ ପୃଥିବୀରେ ପ୍ରଥମେ ପଡ଼ିଲ, ସ୍ୱାଧୀନ ଭାବରେ ହସ୍ତପଦ ଚଳାଇଲେ, ସେତେବେଳେ ମଧ୍ୟ ଏହି କଠୋର ତାଡ଼ନା ତୁମର ହସ୍ତପଦକୁ ସବଳ ଓ ସୁଦୃଢ଼ କରିଅଛି । ପୃଥିବୀରେ ପଡ଼ିବାମାତ୍ରେ ତୁମେ ଅବୟବର ସ୍ୱାଧୀନଲୀଳାରେ ପୃଥିବୀ ଉପରେ ହସ୍ତପଦ ଆଘାତ କଲ । ସଙ୍ଗେ ସଙ୍ଗେ ତାଡ଼ନା । ପୃଥିବୀ ସଙ୍ଗେ ସଙ୍ଗେ ତୁମର ସେ କଠୋର ପଦାଘାତକୁ ଶାସନ କଲେ, ତୁମେ ପଦାଘାତ କରିସାରି ଯନ୍ତ୍ରଣାରେ କାନ୍ଦି ଉଠିଲା । ବୋଧହୁଏ ବିଚାରିଲ, ଓଃ ! କି ଦୁଃଖ ! ମୋର ହସ୍ତପଦର ସ୍ୱାଧୀନ କ୍ରୀଡ଼ାରେ ଏକି ଅବୈଧ ପ୍ରତିବନ୍ଧକ । କିନ୍ତୁ ସେ ପ୍ରତିବନ୍ଧକ ନ ଥିଲେ, ଏହିପରି ପ୍ରତ୍ୟେକ ଅଙ୍ଗଚଳନାରେ ପ୍ରକୃତ ତୁମର ତାଡ଼ନା କରି ନ ଥିଲେ, ତୁମର ହସ୍ତପଦ ସବଳ ହୋଇ ନଥାନ୍ତା । ସେତିକି ନୁହେଁ, ପୁଣି ଦେଖ, କିଛିଦିନ ପରେ ତାଡ଼ନା ସହି ସହି ତୁମେ ଯେତେବେଳେ ମୁଣ୍ଡ ଉଠାଇ ଛିଡ଼ା ହେବାକୁ ଚେଷ୍ଟା କଲ, ସେତେବେଳେ ପ୍ରକୃତ ତୁମର ସେ ସ୍ୱାଧୀନତା ସହିଲେ ନାହିଁ । ତୁମେ ବାରମ୍ବାର ଉଠି ପଡ଼ିଲ । ପ୍ରକୃତି ତୁମକୁ ତୁମ ସ୍ୱାଧୀନତାରେ ବାରମ୍ବାର ଶାସନ କଲେ । ସେ ଶାସନର ଦୁଃଖ ସହି ତୁମେ କ୍ରମେ କ୍ରମେ ହସ୍ତପଦାଦିର ଯେ ସ୍ୱାଧୀନ ବ୍ୟବହାର ଲୋଡ଼ୁ୍‌ଥିଲ, ତାହା କରିବାକୁ ସମର୍ଥ ହୋଇଛ । ସେଥିପାଇଁ କହେ ତାଡ଼ନା ବିନା, ଶାସନ ବିନା ସ୍ୱାଧୀନତା ନାହିଁ । ଶାସନର ସଂସ୍ଥା ଥିଲେ, ସ୍ୱାଧୀନତା ଗୋଟିଏ ବିଶୃଙ୍ଖଳ ସ୍ୱେଚ୍ଛାଚାରିତ । ସେ ସ୍ୱେଚ୍ଛାଚାରିତାରେ ଜୀବନ ଗଠନ ଅସମ୍ଭବ ।

 

ପରମ ପିତା ବିଶ୍ୱବିଧାତା ସମସ୍ତ ବିଶ୍ୱ ଜଗତର ସ୍ରଷ୍ଟା ଓ ପାଳନ କର୍ତ୍ତା । ସେ ଆମମାନଙ୍କୁ ଯେପରି ସ୍ୱାଧୀନ ବୃତ୍ତି ଦେଇଅଛନ୍ତି, ସ୍ୱାଧୀନ ବୃତ୍ତି ସଙ୍ଗେ ସଙ୍ଗେ ସେହିପରି ପ୍ରକୃତିରେ ନାନା ଶାସନର ପନ୍ଥା ଫିଟାଇ ଦେଇଅଛନ୍ତି । ଜୀବଜନ୍ତୁଠାରୁ ନିରାଶ୍ରୟ ମାନବ ଶିଶୁ ପର୍ଯ୍ୟନ୍ତ ସମସ୍ତଙ୍କର ସ୍ୱାଧୀନଲୀଳାରେ ସଂଯତ ହେବାକୁ, ସ୍ୱେଚ୍ଛାଚାରିତ ଶାସନ କରିବାକୁ ଅନନ୍ତ ପ୍ରକୃତି ସୃଷ୍ଟି କରିଅଛନ୍ତି । ହସ୍ତପଦର ସ୍ୱେଚ୍ଛା ଚାଳନାରେ ପୃଥିବୀ ଆଘାତ ଦିଏ । ଶିଶୁ ସ୍ୱାଧୀନ ଭାବରେ ଆଖି ଫିଟାଇ ଚାହିଁଥାଏ । କେଉଁଠାରୁ ପବନ ଆସି ହଠାତ୍ ଶିଶୁର ଆଖି ବୁଜିଦିଏ । ଶିଶୁକୁ ଯେପରି କି ଶାସନ କରି କହେ—‘‘ବିଧାତାଙ୍କ ରାଜ୍ୟରେ ଏ ସ୍ୱେଚ୍ଛାଚାରିତା ତୋହର ଉଚିତ ନୁହେଁ । ଶିଶୁ, ତୋର ଯେତିକି ଚାହିଁବା ଉଚିତ, ତୁ ସେତିକି ଚାହିଁବୁ ! ଚାହିଁ ରହିବାର ଅନନ୍ତ ଶକ୍ତି ତୋତେ ଦିଆଯାଇ ନାହିଁ । ତୁ ସେ ଅନନ୍ତ ଶକ୍ତି ଦେଖାଇ ବସିଲେ ତୋତେ ସେଥିରୁ ନିବୃତ୍ତ କରାଇବା ପାଇଁ ଆମେମାନେ ନିଯୁକ୍ତ ଅଛୁ । ବିଧାତାଙ୍କ ରାଜ୍ୟରେ ତୋର ସେ ଅଧିକାର ନାହିଁ । ଏହିପରି ଖରା ବର୍ଷା, ଶୀତ, ବସନ୍ତ, ପୃଥିବୀ ଆକାଶ, ଜଳ ବାୟୁ, ନଦୀ ପର୍ବତ, ଜଡ଼ ଜୀବନ୍ତ ସମସ୍ତେ ଭଗବାନଙ୍କର ଶାସନ ଦଣ୍ଡ ଘେନି ଜନ୍ତୁର ସ୍ୱେଚ୍ଛାଚାରିତା ନିୟମିତ କରୁଅଛନ୍ତି । ପ୍ରକୃତ ସ୍ୱାଧୀନ ବ୍ୟବହାର ଫଟୁଅଛି । ସ୍ୱେଚ୍ଛାଚାରିତା ସଂଯମରେ ରସାଣିତ ହେଉଅଛି । ଆବେଗ ଶାସନରେ ସଂଯତ ହେଉଅଛି । । ବିଶ୍ୱତନ୍ତ୍ରର ନିୟମରେ ସମସ୍ତଙ୍କର କର୍ତ୍ତବ୍ୟ ନିର୍ଦ୍ଦିଷ୍ଟ ହେଉଅଛି ।

 

ତୁମମାନଙ୍କ ମଧ୍ୟରୁ ଅନେକ ବହୁବାର ଶୁଣିଅଛ—ପଶୁପକ୍ଷୀ ଇତର ଜନ୍ତୁଠାରୁ ମଣିଷ ଭିନ୍ନ । ପ୍ରକୃତ ଯେ ନିୟମରେ ଚଳାଉଛି, ପଶୁପକ୍ଷୀ ଇତର ଜନ୍ତୁମାନେ ସେ ନିୟମରେ ପ୍ରକୃତିର ସେହି ନିର୍ଦ୍ଦିଷ୍ଟ ଶାସନରେ ଚାଲୁଅଛନ୍ତି । କିନ୍ତୁ ସ୍ୱାଧୀନତା ମନୁଷ୍ୟର ବିଶେଷତ୍ୱ । ନିରାଶୟ ମାନବ ଶିଶୁ ଏକ ହିସାବରେ ଦେଖିଲେ ଇତର ଜନ୍ତୁ ପରି । ସେତେବେଳେ ତା’ର ସ୍ୱାଧୀନ ବୃତ୍ତି ବିକାଶ ପାଇ ନ ଥାଏ । କ୍ରମେ କ୍ରମେ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଯେପରି ଶୈଶବ ଅତିକ୍ରାନ୍ତ ହୁଏ ସେହିପରି ମାନବ ପ୍ରାଣରେ ସ୍ୱାଧୀନ ଭାବ ଜାଗି ଉଠେ । ସତ କଥା, ମାନବର ସ୍ୱାଧୀନ ଘେନି ସେ ସୃଷ୍ଟିରେ ଶ୍ରେଷ୍ଟ । ତେବେ ସେ ସ୍ୱାଧୀନ ଭାବରେ ଏତେ ଶୃଙ୍ଖଳ କାହିଁକି ? ଅତି ଶୈଶବରେ ମାନବ ଶିଶୁ ପରାଧୀନ । ପ୍ରକୃତିରେ ତାଡ଼ନାରେ ତାହାର ଜୀବନ ବିକାଶ ଲଭେ । କିନ୍ତୁ ସଙ୍ଗେ ସଙ୍ଗେ ପିତାମାତା, ବନ୍ଧୁ ସ୍ୱଜନ ତାହାର ଚତୁର୍ଦ୍ଦିଗରେ ଘେରି ବସନ୍ତି । ଜୀବନରେ ସେ ଯେତେବେଳେ ବିକାଶ ପାଏ, ପିତାମାତାଠାରୁ ଆରମ୍ଭ କରି ବନ୍ଧୁସ୍ୱଜନ, ପରିବାର, ସମାଜ, ଜାତି, ଦେଶ, ଧର୍ମ ପ୍ରଭୃତି ନାନା ମୁଖରେ ବିଶ୍ୱପିତା ସହସ୍ର ଦୃଷ୍ଟିରେ ଯେପରି କି ତାକୁ ଚାହିଁଥା’ନ୍ତି । ତାକୁ ଶାସନ କରନ୍ତି, ତାହାର ଜୀବନକୁ ପ୍ରତି ମୁହୂର୍ତ୍ତରେ ନିୟମିତ କରନ୍ତି । ଅପଚାର ଘଟିଲେ ରୋଗ ଶୋକ, ପରିତାପ, ଅପମାନ ପ୍ରଭୃତି ନାନା କଠିନ ଦଣ୍ଡରେ ମାନବ ଦଣ୍ଡିତ ହୁଏ ।

 

ଆହା ! ତୁମେ ଭାବି ଦେଖ, ମାତା—ତୁମର ସ୍ନେହମୟୀ ଜନନୀ ତୁମକୁ ବକ୍ଷରେ ଧରି କି ଆଦରରେ, କି ପ୍ରାଣଭରା ପ୍ରେମ ଦେଇ ସ୍ତନଧାରାରେ ହୃଦୟର ରକ୍ତଦାନ କରି ପାଳନ କରନ୍ତି । ତୁମେ ସମ୍ପଦରେ, ବିପଦରେ, ମାତୃକୋଳରେ କି ଶାନ୍ତି, କି ବିରାମ ଭୋଗ କର ! ରୋଗବେଳେ ସେହି ଜନନୀଙ୍କର ଅଜସ୍ର ଯତ୍ନ, ଶୟନେ, ସ୍ୱପନେ, ଜାଗରଣେ ସର୍ବଦା ସେହି ଜନନୀଙ୍କର ଅନନ୍ତ ଆଦର ତୁମ ଜୀବନର ପରମ ସ୍ଥିତି । କିନ୍ତୁ ଏ ସମସ୍ତ ସ୍ନେହ, ସମସ୍ତ ଆଦର ମଧ୍ୟରେ ବିଶ୍ୱପିତାଙ୍କର ସେହି କଠୋର ଶାସନ ଦଣ୍ଡ କେବେ ଦେଖିଛ କି ? ତୁମେ ସମସ୍ତେ ମନେ ରଖିଥିବ, ପିଲାଦିନେ କୋରା ଖାଇବାକୁ ତୁମକୁ କେଡ଼େ ସୁଖ ଲାଗେ ! ହୃଦୟର ଆଗ୍ରହରେ, ପ୍ରାଣର ଆହ୍ଲାଦରେ ତୁମେ ଖଜା ଦେଖିଲେ ଖାଇବାକୁ ଧାଇଁଯାଅ । ଏ ସମସ୍ତ ହୃଦୟଭରା ଆଗ୍ରହବେଳେ ତୁମର ସେହି ସ୍ନେହମୟୀ ମାତାଙ୍କର ତୀବ୍ରତା ଆଜି ମନେ ପଡ଼େ ତ ? ତୁମେ କୋରା ଖାଇବାକୁ, ଖଜା ଖାଇବାକୁ ଧାଇଁଲାବେଳେ ତୁମର ଜନନୀ କେତେଥର କଠୋର ଭାବରେ ବାରଣ କରି ଅଛନ୍ତି । ତୁମ୍ଭେ ଖାଇବାକୁ ହାତରେ ଧଇଲାବେଳେ ତୁମ୍ଭର ସ୍ନେହମୟୀ ଜନନୀ କଠୋର ହସ୍ତରେ ତାହା ଛିଡ଼ାଇ ଫିଙ୍ଗି ଦେଇଅଛନ୍ତି । କେତେବେଳେ ବା ତରତର ହୋଇ ପାଟିରେ କୋରା, ଗଜା ଭର୍ତ୍ତି କରି ଦେଇଅଛ । ତାହା ଦେଖି ଜନନୀଙ୍କର ପ୍ରାଣ ଫାଟି ଯାଇଛି । ସେ ତାଙ୍କର ଦୃଢ଼ ଅଙ୍ଗୁଳିରେ ତାହା ତୁମ୍ଭର ପାଟିର ବାହାର କରି ଦେଇଅଛନ୍ତି । ଅନନ୍ତ ପ୍ରେମମୟୀ ଜନନୀଙ୍କର ପ୍ରାଣରେ ଏ କଠୋରତା କିଏ ଦେଲା ? କାହିଁକି ବା ବିଧାତାଙ୍କର ନିୟମରେ ଅନନ୍ତ ପ୍ରେମ ଭିତରେ ଏ କଠୋରତା ଅଛି—ଏ କଥା ତୁମ୍ଭେ କେବେ ଭାବିଛ କି ? ଅବଶ୍ୟ ସେତେବେଳେ ଭାବି ନାହିଁ । ସେତେବେଳେ ଜନନୀଙ୍କର ସେ କ୍ରିୟାକୁ କଠୋର ମଣି ନିରାଶ୍ରୟ ହୋଇ ପ୍ରାଣ ବିକଳରେ କାନ୍ଦିଅଛ । ଭାବିବାର ଶକ୍ତି ଥିଲେ ବୋଧହୁଏ ଭାବିଥିବ—ଏ କି ଦୁଃଖ । କି ଯନ୍ତ୍ରଣା ! ମୁଁ ଟିକିଏ ସ୍ୱାଦୁ ଜିନିଷ ଖାଇବାକୁ ଇଚ୍ଛା କରୁଅଛି । ଯାହାଙ୍କ ଘେନି ମୋର ପ୍ରାଣ, ସେହି ଜନନୀଙ୍କର ଏଥିରେ କଠୋରତା କାହିଁକି ? ଯେ ମୋତେ ପ୍ରାଣ ଦେଇ ସୁଖ ପାଆନ୍ତି, ସେ ମୋର, ସ୍ୱାଦୁ ଖାଇବାର ସୁଖ ଟିକକରେ ଏତେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ? ମୋର ମାତା କି ସକାଶେ ମୋର ଶତୃ ହେଉଅଛନ୍ତି-? ବିଧାତା ତୁମ୍ଭ ଜୀବନକୁ ଗଢ଼ିବା ପାଇଁ କୋମଳ, ସ୍ନେହମୟୀ ମାତୃହସ୍ତରେ ଏ କଠୋର ଶାସନ ଦଣ୍ଡ ରଖିଅଛନ୍ତି । ମନେଥିବ, ଏ ଶାସନ ନ ମାନି ପିତା ମାତାଙ୍କୁ ଲୁଚାଇ କୋରା ଖଜା ଖାଇ ତୁମ୍ଭର ବେଳେ ବେଳେ କି ଅନିଷ୍ଟ ହୋଇଅଛି । କୃମି, କଫ, ଜ୍ୱର, ଅଜୀର୍ଣ୍ଣ ପ୍ରଭୃତି ବ୍ୟାଧିରୁ କେତେ ସାଂଘାତିକ ନିର୍ଯ୍ୟାତନା ତୁମ୍ଭଙ୍କୁ ସହିବାକୁ ପଡ଼ିଅଛି । ତୁମ୍ଭର ସ୍ୱେଚ୍ଛାଚାରିତ ଫଳରେ ତୁମ୍ଭେ ଏ ସବୁ ନିର୍ଯ୍ୟାତନା ପାଇଅଛ । ବିଚାର କର ମାତାର ସେହ୍ନମୟ ହସ୍ତରେ ତୀବ୍ର ଶାସନ ଦଣ୍ଡ ନ ଥିଲେ ତୁମ୍ଭେ ଆଜି ନ ଥା’ନ୍ତ, ତୁମ୍ଭର ଏ ଶରୀର ନ ଥା’ନ୍ତା । ଏହିପରି ଜୀବନରେ କେତେ ଅନ୍ୟାୟ, ଅପଚାର, ଉଚ୍ଛୃଙ୍ଖଳତା ବେଳେ ତୁମ୍ଭର ପିତାମାତା, ବନ୍ଧୁ ସ୍ୱଜନମାନେ ତୁମ୍ଭଙ୍କୁ ପଦେ ପଦେ ଶାସନ କରିଅଛନ୍ତି । କେତେବେଳେ କଥାରେ କହି ଅଛନ୍ତି କେତେବେଳେ ଗାଳି ଦେଇଅଛନ୍ତି, କେତେବେଳେ ମଧ୍ୟ ପ୍ରହାର କରିଅଛନ୍ତି । ଯଦି ସେ କଥା ସେ ପ୍ରହାର ତୁମ୍ଭେ ସହି ନଥାନ୍ତ, ତେବେ ଭାବ ତୁମ୍ଭର ଜୀବନ କ’ଣ ହୋଇଥାନ୍ତା । ବିଶ୍ୱପିତା ପିତାମାତା, ବନ୍ଧୁ ସ୍ୱଜନ ମଧ୍ୟରେ ତୁମ୍ଭପାଇଁ କଠୋର ଶାସନ ରଖିଅଛନ୍ତି । ସ୍ନେହର ନିର୍ଯ୍ୟାତନାରେ ତୁମ୍ଭଙ୍କୁ ବଢ଼ାଇଛନ୍ତି । ଜଗତରେ ଜୀବନର ବିକାଶରେ ସର୍ବତ୍ର ଏହି ନିୟମ । ମନେ ରଖିଥିବ ବାବୁ, ଯେ ପ୍ରାଣ ଦେଇ ସ୍ନେହ ନ କରେ ସେ ଶାସନ କରି ପାରିବ ନାହିଁ । ଯେ ତୁମ୍ଭଙ୍କୁ ଅମାର୍ଗରେ ଗଲାବେଳେ ଶାସନ ନ କରେ, ସେ ମୁହଁରେ ଯେତେ କହୁନା କାହିଁକି ତାହା ପ୍ରାଣରେ ସ୍ନେହ ନାହିଁ ।

 

ବିଧାତାଙ୍କର ବିଶ୍ୱ ପରିପାଳନରେ କୋମଳ ସ୍ନେହ ସଙ୍ଗେ କଠୋର ତାଡ଼ନାର ଏହି ମହା ସମ୍ମିଶ୍ରଣ ଗୋଟିଏ ଅତି ଅଦ୍ଭୁତ ବିଧାନ । ଯେ ଯାହାକୁ ସ୍ନେହ କରେ, ସେ ତାହାର ମଙ୍ଗଳ ଲୋଡ଼େ । କୋରାଟି ଖାଇଗଲେ ମାତା ଜାଣନ୍ତି ତୁମ ଶରୀରର ମଙ୍ଗଳ ହେବ ନାହିଁ । ସେଥିପାଇଁ ଶାସନର ପ୍ରୟୋଜନ । ତୁମର ଯେଉଁ ମଙ୍ଗଳ ତୁମର ମାତା ଚାହାନ୍ତି, ସେ ମଙ୍ଗଳ ଭବିଷ୍ୟରେ ଅଛି-। ଭବିଷ୍ୟତର ସେ ମଙ୍ଗଳ କଳ୍ପନା କରି ସେ ନିଜର ସ୍ନେହକୁ ନିୟମିତ କରନ୍ତି, ନିଜର ଶାସନ ବିଧାନ କରନ୍ତି । ଯେ ସେ ମଙ୍ଗଳ ଯେତେ ଦେଖିଅଛି—ଜାଣିଥିବ, ତା’ର ସ୍ନେହ କାର୍ଯ୍ୟରେ ସେତିକି ବେଶି ପ୍ରକାଶ ପାଇଛି । ଯେଉଁ ମାତା ଭବିଷ୍ୟତ ମଙ୍ଗଳ ଦେଖିନାହିଁ, ପିଲାର ଯଥେଚ୍ଛାଚାର ପ୍ରବୃତ୍ତିରେ ତରଳି ଯାଇଛି, ପିଲାର ଯେତେବେଳେ ଯାହା ଇଚ୍ଛା ନ ବିଚାରି, ଆଗକୁ ନ ଚାହିଁ, ପିଲାର ଭବିଷ୍ୟତ ପ୍ରତି ଦୃଷ୍ଟି ନରଖି, ତାହା ତାହାକୁ କରିବାକୁ ଦେଇଅଛି, ତାହାର ପିଲା ସେତିକି ଅସୁସ୍ଥ ଓ ରୁଗଣ ହୋଇଅଛି । ତାହାର ସ୍ନେହ ବାସ୍ତବରେ ସ୍ନେହ ନୁହେଁ, ତାହା ଗୋଟିଏ ମୋହ ।

 

ଏକଥା ସମସ୍ତେ ଊଣା ଅଧିକେ ଅଙ୍ଗେ ନିଭାଇ ଅଛନ୍ତି । ଆଜି ଟିକିଏ ବିଚାର କଲେ ଜାଣିପାରିବ, ଭଗବାନ ଯେଉଁମାନଙ୍କୁ ତୁମ୍ଭମାନଙ୍କ ଜୀବନ ଗଢ଼ିବା ପାଇଁ ନିଯୁକ୍ତ କରିଛନ୍ତି, ସେମାନେ କେହି ତୁମର ବର୍ତ୍ତମାନରେ ସନ୍ତୁଷ୍ଟ ନୁହନ୍ତି । ତୁମେ ଭବିଷ୍ୟତରେ କ’ଣ ହେବ; ଏ କଥା ସେମାନେ ବିଚାରୁଛନ୍ତି । ଅବଶ୍ୟ ଯେଉଁମାନେ ତୁମ୍ଭ ଶରୀରର ତତ୍ତ୍ୱ ନିଅନ୍ତି ସେମାନଙ୍କ ପକ୍ଷରେ ଟିକିଏ ଚେଷ୍ଟା କଲେ ତୁମ୍ଭର ଶାରୀରିକ ଭବିଷ୍ୟତ ଦେଖିବା ସେତେ କଷ୍ଟ କଥା ନୁହେଁ । ମନୁଷ୍ୟ ସୁସ୍ଥ ସବଳ ହେଲେ କ’ଣ ହୁଏ, ତାହା ସମସ୍ତେ ଦେଖିଅଛନ୍ତି । କ’ଣ ଖାଇଲେ କି ରୋଗ ହୁଏ, କି ଅପଚାରରେ କି ଅନିଷ୍ଟ ଜନ୍ମେ, ତାହା ଜାଣିବା ସେତେ କଷ୍ଟସାଧ୍ୟ ନୁହେଁ । ଯେଉଁ ପିତାମାତା ଟିକିଏ ଆଲୋଚନା କରି କାର୍ଯ୍ୟ କରନ୍ତି ସେମାନେ ବାଳକର ଲାଳନ ପାଳନରେ ପ୍ରାୟାଶଃ କୃତକାର୍ଯ୍ୟ ହୁଅନ୍ତି । ତୁମ୍ଭମାନଙ୍କର ମଧ୍ୟରୁ ଅନେକଙ୍କର ପିତା ମାତା ଏପ୍ରକାର କୃତକାର୍ଯ୍ୟ ହୋଇଅଛନ୍ତି । ଯଦି କେବଳ ଶରୀରରେ ମାନବର ସମସ୍ତ ଶେଷ ହୁଅନ୍ତା, କେବଳ ଶରୀରର ପୁଷ୍ଟି ବିଧାନ ଓ ସ୍ୱାସ୍ଥ୍ୟରେ ମାନବ ଜଗତର ଉଦ୍ଦେଶ୍ୟ ସିଦ୍ଧି ହୁଅନ୍ତା, ତେବେ ଏହିଠାରେ ସ୍ନେହର କିମ୍ବା ଶାସନର କାର୍ଯ୍ୟ ପରିସମାପ୍ତ ହୁଅନ୍ତା ।

 

କିନ୍ତୁ ମନୁଷ୍ୟକୁ ମନୁଷ୍ୟ କରିବାକୁ ହେଲେ କେବଳ ଶରୀରକୁ ଚାହିଁଲେ ଚଳିବ ନାହିଁ । ଅବଶ୍ୟ ଶରୀର ବରାବର ଛାଡ଼ିଦେବାର ଜିନିଷ ନୁହେଁ । ମାତ୍ର ଶରୀର ସଙ୍ଗେ ସଙ୍ଗେ ମନର ବିକାଶ ବାଞ୍ଚ୍ଥନୀୟ । ଜ୍ଞାନ, ଭାବ ଓ ନୈତିକତା ବିନା ମନୁଷ୍ୟ ଶରୀର ଜନ୍ତୁ ମାତ୍ର । ଜାଣ କି, ଏତେଦିନ ଯାଏ ତୁମର ପିତା ମାତା ସ୍ନେହଶାସନରେ ତୁମର ଶରୀରକୁ କେତେକ ପରିମାଣରେ ନିର୍ମାଣ କରି ତୁମ୍ଭର ମନର ପୁଷ୍ଟି ନିମନ୍ତେ, ଜ୍ଞାନ ଓ ନୈତିକତାର ବିକାଶ ନିମନ୍ତେ ତୁମ୍ଭଙ୍କୁ ଏହି ବିଦ୍ୟାଳୟକୁ ପଠା ଯାଇଛି । ଏଠାକୁ ମଧ୍ୟ ତୁମେ ଆସି ସେହି ସ୍ନେହ ଶାସନରେ ବଢ଼ିବ । ପିଲାଦିନେ କୋରା ଖାଇଲାବେଳେ ମା ଛଡ଼ାଇ ଫିଙ୍ଗିଦେଲେ ତୁମ୍ଭେ ଯେପରି ବ୍ୟସ୍ତ ହେଉଥିଲ, ଏଠାରେ ମଧ୍ୟ ସେହିପରି ଗୁରୁ ତୁମକୁ ଶାସନ କଲାବେଳେ ଥରେ ଥରେ ତୁମର ଅସହ୍ୟ ହୁଏ । ସେଥିପାଇଁ କହୁଥିଲି ତୁମ୍ଭେ ସେତେବେଳେ ବିଚାର–ଓଃ, କି ଦୁଃଖ ! କିନ୍ତୁ ବିଚାରି ଦେଖ ଏହି ଦୁଃଖ ମଧ୍ୟରେ ବିଶ୍ୱ ବିଧାତାଙ୍କର ସ୍ନେହ-ଶାସନ ତୁମର ଜୀବନକୁ ଗଢୁ଼ଅଛି । ତୁମ୍ଭର ଭବିଷ୍ୟତ କଲ୍ୟାଣ ନିମନ୍ତେ ଗୁରୁ ସର୍ବଦା ଜାଗ୍ରତ ରହି ତୁମ୍ଭଙ୍କୁ ପଦେ ପଦେ ତିଆରୁ ଅଛନ୍ତି । ଅନନ୍ତ ସ୍ନେହରେ ଶାସନ ମିଶାଇ ତୁମ୍ଭ ଜୀବନର ବିକାଶ କରାଉଛନ୍ତି । ଯେଉଁଠାରେ ତୁମ୍ଭର ଦୟାମୟ ପିତା ଓ ସ୍ନେହମୟୀ ମାତା ନିଜକୁ ଅକ୍ଷମ ମଣିଲେ, ସେହିଠାରେ ଗୁରୁଙ୍କର କାର୍ଯ୍ୟ ଆରମ୍ଭ ହେଲା ।

 

ଜୀବନରେ ଯେଉଁ ଶାସନ, ଯେଉଁ ତାଡ଼ନା ଜୀବନର ପଦେ ପଦେ ତୁମ୍ଭଙ୍କୁ ମନୁଷ୍ୟ କରିଅଛି, ତୁମ୍ଭଙ୍କୁ ଏତେଦିନ ବଞ୍ଚାଇ ରଖିଅଛି, ଏଠାରେ ମଧ୍ୟ ସେହି ଶାସନ ଓ ସେହି ତାଡ଼ନା ତୁମ୍ଭଙ୍କୁ ସହିବାକୁ ହେବ । ସେହି ତାଡ଼ନା ଭିତରେ ତୁମ୍ଭର ମନୁଷ୍ୟତା ଫିଟିବ । ଆନନ୍ଦର ଆଗ୍ରହରେ ପିତାମାତାଙ୍କର ଆଦେଶ ପାଳିଲେ ଯେପରି ତୁମ୍ଭର ମଙ୍ଗଳ ହୁଏ, ଗୁରୁଙ୍କର ଆଦେଶ ଉପଦେଶ ପାଳିଲେ ସେହିପରି ସହଜରେ ତୁମ୍ଭେ ମନୁଷ୍ୟ ହେବ ।

 

ଏବେ ତୁମ୍ଭେ ଏକପ୍ରକାର ବୁଝିଲ, ଗୁରୁଶିଷ୍ୟର ସମ୍ବନ୍ଧ କଣ । ପିତାମାତା ତୁମ୍ଭର ଶିଶୁକାଳର ଯେଉଁ କର୍ତ୍ତବ୍ୟ କରି ଆସୁଥିଲେ, ଯେତେବେଳେ ସେମାନେ ସେହି କର୍ତ୍ତବ୍ୟ କରିବାକୁ ଅକ୍ଷମ ହେଲେ ସେତେବେଳେ ତୁମ୍ଭର ଭାର ଗୁରୁଙ୍କ ଉପରେ ପଡ଼ିଲା । ପିତାମାତା ଏତେଦିନ ତୁମ୍ଭର ଜୀବନର ଭବିଷ୍ୟତ ଦେଖୁଥିଲେ, ଦେଖି ତୁମ୍ଭର ଲାଳନ ପାଳନ କରୁଥିଲେ । ଏବେ ଆମ୍ଭଠାରେ ଛାଡ଼ିଦେଇ ସେମାନେ ଯେପରି କି ନିଶ୍ଚିନ୍ତ ରହିଲେ । ଅବଶ୍ୟ ମୋର କହିବାର ଉଦ୍ଦେଶ୍ୟ ନୁହେଁ, ପୃଥିବୀର ସବୁ ପିତାମାତା ବାଳକର ମାନସ ବିକାଶରେ ନିଜକୁ ଅକ୍ଷମ ମଣି ଗୁରୁଙ୍କ ହାତରେ ଛାଡ଼ିଦିଅନ୍ତି । ତେବେ ଯେଉଁମାନେ ଏଠାକୁ ଆସିଅଛ, ଯେଉଁମାନଙ୍କର ଭାର ଆମ୍ଭେମାନେ ବହନ କରିଅଛୁ, ସେହିମାନଙ୍କୁ ମୁଁ ଆଜି ଏହା କହୁଅଛି ଏବଂ ପ୍ରାଚୀନ ଭାରତରେ ଆଦ୍ୟର ଏହା ଚିରନ୍ତନବିଧି ଥିଲା । ବାଳକର ମାନସିକ ତଥା ନୈତିକ ଉନ୍ନତି ନିମନ୍ତେ ପିତାମାତା ତାହାକୁ ଗୁରୁ ଗୃହକୁ ପ୍ରେରଣ କରୁଥିଲେ ।

 

ତୁମ୍ଭେମାନେ ଏଠାକୁ ଆସିଛ । ତୁମ୍ଭର ପିତାମାତା ଏକ ପ୍ରକାର ନିଶ୍ଚିତ ହୋଇଛନ୍ତି । ସେ ତୁମ୍ଭମାନଙ୍କୁ ଆମ୍ଭଠାରେ ଅର୍ପଣ କରିଛନ୍ତି । ତୁମ୍ଭେମାନେ ବେଳେ ବେଳେ ଆଦେଶ, ଉପଦେଶ, ଶାସନ, ତାଡ଼ନାରେ ବିଚଳିତ ହୁଅ ସତ, କିନ୍ତୁ ଥରେ ଟିକିଏ ଭାବି ବୁଝିଗଲେ ଗୁରୁଙ୍କଠାରେ ଆତ୍ମସମର୍ପଣ କରି ନିଶ୍ଚିତ ହେବ । ନିର୍ବିକଳ୍ପ ଭାବରେ ଆମ୍ଭର ଆଦେଶ ଉପଦେଶ ପାଳିବାକୁ ଜୀବନରେ ସୁଖ ମଣିବ । ମାତ୍ର ଗୋଟିଏ କଥା ଫଟାଉ କହେ, ଏଠାକୁ ପଠାଇ ଦେଇ ତୁମ୍ଭର ପିତାମାତା ନିଶ୍ଚିତ । ତୁମ୍ଭେ ଏଠାକୁ ଆସି ଗୁରୁଙ୍କଠାରେ ଆତ୍ମସମର୍ପଣ କରି ମଧ୍ୟ ଜୀବନରେ ଶାନ୍ତି ପାଇବ । କିନ୍ତୁ ଆମ୍ଭମାନଙ୍କର ଗତି କଣ ? ବାସ୍ତବିକ୍‌ ତୁମ୍ଭମାନଙ୍କ ମୁହଁକୁ ଚାହିଁ ଏ ଗୁରୁଦାୟିତ୍ୱ କଥା ଭାବିଲା ବେଳେ ଆମ୍ଭମାନଙ୍କର ଆତ୍ମା ସ୍ଥିର ହୁଏ । ତୁମ୍ଭର ପିତାମାତା ତୁମ୍ଭର ଯେ ଭବିଷ୍ୟତ ଦେଖିଥିଲେ, ଆମ୍ଭେମାନେ ଯେଉଁ ଭବିଷ୍ୟତ ଦେଖି କ୍ରିୟାବିଧାନ କରିବୁ ଏ ଦୁଇଟି ଭିତରେ ଘୋର ତାରତମ୍ୟ । ଏଠାରେ ତୁମକୁ ଜ୍ଞାନ ଦେବା ସଙ୍ଗେ ତୁମର ଭାବ ଓ ନୈତିକ ଜୀବନର ବିକାଶ କରିବାର ଭାର ଆମ ହାତରେ । ଜାଣନାହିଁ ବାଳକମାନେ ! ଜୀବନର ପ୍ରତି ମୁହୂର୍ତ୍ତରେ ଆମ୍ଭେମାନେ ନିଜେ ନିଜେ ଆମ୍ଭ ନିଜର ନୈତିକ ଜୀବନରେ କେତେ ସ୍ଖଳିତ ଓ ବିଚଳିତ ହେଉ । ମାନବ ମାତ୍ରେ ଦୁର୍ବଳ । ପ୍ରତ୍ୟେକେ ସେପରି ସ୍ଖଳିତ ଓ ବିଚଳିତ ହୁଅନ୍ତି । ସେଥିରେ ପୁଣି ଆଦର୍ଶ ସ୍ଥିର ରଖି ତୁମ୍ଭମାନଙ୍କ ଜୀବନରେ ଗତି ଫିଟାଇବାକୁ ହେବ ।

 

କି ଭୀଷଣ କଥା, କି ମହା ଦାୟିତ୍ୱ ! ବୁଝିବ ଯେତେବେଳେ ତୁମ୍ଭେ ଗୁରୁ ଆସନରେ ବସିବ । ତୁମ୍ଭେ ହେଲ ଆମର ଶିଷ୍ୟ, ଆମେ ତୁମର ଶିକ୍ଷକ । ତୁମେମାନେ ଶାସିତ ହେବ, ଆମ୍ଭେମାନେ ଶାସନ କରିବୁ । କିନ୍ତୁ ଏ ଅପୂର୍ଣ୍ଣ ମାନବ ଜୀବନରେ କେଉଁ ଆଦର୍ଶ ଘେନି କି ଉପାୟ ଅବଲମ୍ବନ କଲେ ଆମ୍ଭେମାନେ ତୁମ୍ଭଙ୍କୁ ଶାସନ କରିବାକୁ ସମର୍ଥ ହେବୁ ? ତୁମ୍ଭଙ୍କୁ ଶାସନ କରିବାରେ ଆମ୍ଭେମାନେ ଯେପରି ବ୍ୟାକୁଳ, ମନ ଫିଟାଇ କହୁଅଛୁ । ବାଳକମାନେ ! ଏ କଥା ଭାବିବାରେ ଆମ୍ଭେମାନେ ଦିବାରାତ୍ରି ସେହିପରି ବିବ୍ରତ ।

 

ଗୁରୁ-ଶିଷ୍ୟ ଆମ୍ଭର ଏ ପୁରାଣ ପ୍ରସିଦ୍ଧ ଦେଶରେ ଆଜିର କଥା ନୁହେଁ । ଶୈଶବ ଅତୀତ ହେଲେ ଭାରତବାସୀ ଚିରକାଳ କୈଶୋର, କୌମାର ଗୁରୁଗୃହରେ କଟାଇ ଆସୁଛନ୍ତି । ଗୁରୁ ଏ ଦେଶରେ ଚିରକାଳ ଶିଷ୍ୟର ଜୀବନର ଗତି ନିର୍ଦ୍ଦେଶ କରି ଆସୁଅଛନ୍ତି । ଗୁରୁ ଶିଷ୍ୟକୁ ଶାସନ କରନ୍ତି ଏବଂ ନିଜର ଶାସନ ପାଇଁ ଜୀବନକୁ ଅନନ୍ତ ସାଧନାରେ ସିଦ୍ଧ କରୁଥାଆନ୍ତି । ଏ ଜୀବନରେ ସେ କେତେଦୂର ସମ୍ଭବ ହେଉଅଛି, ତାହା ଆମ୍ଭେମାନେ କହିପାରିବୁ ନାହିଁ । କିନ୍ତୁ ଗୋଟିଏ କଥା ତୁମ୍ଭଙ୍କୁ ଏଠାରେ କହିବା ଉଚିତ ।

 

ଏ ଭୂମିରେ ଆର୍ଯ୍ୟର ଚିରକାଳ ବିଶ୍ୱାସ, ଭଗବାନ ଯେପରି ଜୀବଜନ୍ତୁ ଓ ଶିଶୁମାନବର ଶାସନ ନିମନ୍ତେ ପ୍ରକୃତିର ଅନନ୍ତ ଶକ୍ତି ସଜାଡ଼ି ରଖିଅଛନ୍ତି । ବାଲ୍ୟ-ଶୈଶବର ସ୍ନେହମିଶ୍ରିତ ଶାସନ ପାଇଁ ଯେପରି ପିତାମାତା, ସ୍ୱଜନମାନଙ୍କ ହୃଦୟରେ ନୈସଗକ ଆଦର୍ଶ ରଖିଅଛନ୍ତି, ଗୁରୁପାଇଁ ସେହିପରି ଶାସ୍ତ୍ର ଅଛି । ମାତା ପିଲାମାନଙ୍କୁ ଶାସନ କରେ, କିନ୍ତୁ ସେ ଶାସନ ପାଇଁ ଉପଯୁକ୍ତ ହେବାକୁ ନିଜେ ସର୍ବଦା ନିଜ ପ୍ରାଣର ସନ୍ତାନବାତ୍ସଲ୍ୟରୂପ ସ୍ୱାଭିବକ ବୃତ୍ତିରେ ଶାସିତ ହୁଏ । ଗୁରୁ ସେହିପରି ଶିଷ୍ୟର ଶାସନ କରନ୍ତି, କିନ୍ତୁ ନିଜେ ଶାସ୍ତ୍ରର ନୀତିରେ ଶାସିତ ହୁଅନ୍ତି ।

 

ମନୁଷ୍ୟର ନାନା ଆଦର୍ଶ ମଧ୍ୟରେ ବିଧାତାହିଁ ପରମ ଆଦର୍ଶ । ପ୍ରକୃତରେ ସେହି ବିଧାତାଙ୍କର ଶକ୍ତି ଶିଶୁକୁ ଶାସନ କରେ । ମାତାର ହୃଦୟରେ ସେହି ମହାଭାବ ସ୍ନେହରୂପେ ଜାଗ୍ରତ ହୁଏ ଏବଂ ସେହି ବିଧାତା ମଧ୍ୟ ଗୁରୁ-ଶିଷ୍ୟ ସମ୍ବନ୍ଧ ନିର୍ଦ୍ଦେଶ କରିଦିଅନ୍ତି । ସମସ୍ତ ଶାସ୍ତ୍ରର ନିର୍ଦ୍ଦେଶ ମଧ୍ୟରେ ଗୁରୁ ବିଧାତାଙ୍କର ଉପଦେଶ ଶୁଣେ । ଶିଷ୍ୟ ମଧ୍ୟ ଗୁରୁ ମୁଖରେ ସେହି ମୁଗ୍‍ଧ ଈଶବାଣୀ ଅନୁଭବ କରେ ଏବଂ ଏହି ଈଶ୍ୱର ଭାବରେ ବିଧାତାଙ୍କର ପରମ ଆଦର୍ଶରେ ଜଗତର ସକଳ ସମ୍ବନ୍ଧ ନିୟମିତ ହୁଏ । ଗୁରୁନିଜର ସାଧନାରେ ସର୍ବଦା ନିଜ ଭିତରେ ଈଶ୍ୱରଙ୍କର ସତ୍ତା ଅନୁଭବ କରିବାକୁ ପ୍ରୟାସ କରନ୍ତି ଏବଂ ଯେତେବେଳେ ସେହି ଭାବରେ ଅନୁପ୍ରାଣିତ ହୁଅନ୍ତି, ସେତେବେଳେ ଜୀବନରେ ‘‘ସୋଽହଂ’’ ଅର୍ଥାତ । ‘‘ମୁଁ ସେହି ଈଶ୍ୱର’’ ଏହି ବିଶ୍ୱାସରେ ସୃଷ୍ଟ ଈଶ୍ୱରମୟ ଏବଂ କର୍ତ୍ତବ୍ୟକୁ ବିଧାତାଙ୍କର ନିର୍ଦ୍ଦେଶ ବୋଲି ଦେଖନ୍ତି ।

 

ଏଇ ହେଲା ଗୋପବନ୍ଧୁଙ୍କର ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା । ଏହାକୁ ପାଠ କଲେ ଜଣାଯାଏ, ସତେ ଯେପରି କାଳ କାଳପାଇଁ ଗୁରୁସମାଜର ଛାତ୍ରସମାଜ ପାଇଁ ଏହା ମର୍ମବାଣୀ । ସେଇପରି ପଣ୍ଡିତ ନୀଳକଣ୍ଠଙ୍କର ଉଦ୍‌ବୋଧନ ତଳେ ଦିଆଗଲା !

 

ଛାତ୍ରମାନେ !

 

ତୁମେମାନେ ଶିଷ୍ୟ । ଆମ୍ଭେମାନେ ଗୁରୁ । ଛାତ୍ରମାନେ ଗୁରୁଙ୍କଠାରେ ନିର୍ଭୟରେ ଆତ୍ମସମର୍ପଣ ନ କଲେ ସେମାନଙ୍କର ଶିକ୍ଷା ମୋଟେ ହେବ ନାହିଁ । କହିଅଛି, ତୁମ୍ଭେମାନେ ବୃଥାଭୟ ଛାଡ଼ି ଶ୍ରଦ୍ଧା ଓ ଭକ୍ତିରେ ଆମ୍ଭଠାରେ ଆତ୍ମସମର୍ପଣ ନ କଲେ ତୁମ୍ଭର ଶିକ୍ଷା ହେବ ନାହିଁ । ତୁମ୍ଭେମାନେ ବାଳକ, ଅନନ୍ତ ସଂସାର ପଡ଼ିଛି । ଅଶେଷ କର୍ତ୍ତବ୍ୟ ଆଗରେ ରହିଛି, ସେଥିରୁ ଶିଖ ତୁମର ମଙ୍ଗଳ ହେବ । ଏସବୁ କଥାରୁ ହୁଏତ ତୁମେମାନେ କିଛି ବୁଝିପାରୁନାହଁ । ସେଥିପାଇଁ ତୁମେମାନେ ଶିକ୍ଷକଙ୍କଠାରେ ଆତ୍ମସମର୍ପଣ କରିବାକୁ କହୁଥିଲି ।

 

ପ୍ରଚଳିତ ଶିକ୍ଷାରେ ସମସ୍ତଙ୍କର ଦୃଷ୍ଟି ପାସ୍‍ ଉପରେ । ତୁମେ ମଧ୍ୟ ଏଥିପାଇଁ ପରୀକ୍ଷା ପୂର୍ବରୁ ଯେପରି ଶୀଘ୍ର ଶୀଘ୍ର ପାଠ ମୁଖସ୍ଥ କର, ରାତ୍ରି ଉଜାଗର ହୋଇ ମାନେ ବହି ପଢ଼, ବର୍ଷର ଅନ୍ୟ କୌଣସି ସମୟରେ କର ନାହିଁ । ତୁମେମାନେ ଯେ ଏହା କରନାହିଁ ତା ନୁହେଁ, ପଢ଼ାର ପଦ୍ଧତି ଯେପରି ହୋଇଛି ସେଥିରେ ଯେକେହି କରନ୍ତା । ବର୍ଷଯାକର ପଢ଼ା ବାର୍ଷିକ ପରୀକ୍ଷାରେ ଦେଖାଇବାକୁ ହେବ । ସେଥିରେ ହିଁ ତୁମ ଜୀବନର ଉପାୟ ହେବ । ପାଠ ଜାଣ ବା ନ ଜାଣ ପାଠ ଦେଖାଇବାକୁ ହେବ ।

 

ମୁଁ ଜାଣେ ଜଣେ ଛାତ୍ର ମାଟ୍ରିକ୍ୟୁଲେସନ ପରୀକ୍ଷା ପାଇଁ ପଚାଶଟିରୁ ବେଶି ପ୍ରବନ୍ଧ ମୁଖସ୍ଥ କରୁଥିଲେ । ଭାଗ୍ୟକୁ ସେଥିମଧ୍ୟରୁ ଦୁଇଟି ପରୀକ୍ଷାରେ ପଡ଼ିଗଲା । ସେ ବାଳକ ଇଂରାଜି ଭାଷାରେ ନିତାନ୍ତ ଅପଟ ଥିଲେ ମଧ୍ୟ ପ୍ରଥମ ଶ୍ରେଣୀରେ ପାସ୍‌ କଲେ । ସେ ଭଲ କରି ପାଠ ଦେଖାଇପାରିଲେ । ତୁମ୍ଭମାନଙ୍କ ଭିତରୁ ହୁଏତ ସେହିପରି ଅନେକ ଥିବେ । ଅନେକ କାହିଁକି ସମସ୍ତେ ଊଣା ଅଧିକେ ସେହି ଢାଞ୍ଚାରେ ଗଢ଼ା ହେଉଛନ୍ତି । ମୋଟଉପରେ ଯେପରି ପଢ଼ିଲେ ତୁମ ମନର ଓ ଆତ୍ମାର ଉନ୍ନତ ହେବ, ତୁମେ ପ୍ରକୃତ ଜ୍ଞାନ ଅର୍ଜନ କରିପାରିବ, ସେହିପରି ପଢ଼ା ବର୍ତ୍ତମାନ ସ୍କୁଲ କଲେଜରେ ହେଉନାହିଁ । ପାଠ ଜାଣ ବା ନ ଜାଣ ନିଜକୁ ପାଠ ଜାଣିଲାଭଳି ଦେଖାଇପାରିଲେ ହେଲା । ଜ୍ଞାନ ଅର୍ଜନ କରିବା ଦରକାର ନାହିଁ । ଜ୍ଞାନୀ ବୋଲି ଆପଣାକୁ ପରିଚୟ ଦେଇପାରିଲେ, ପରୀକ୍ଷକକୁ ଠକି ଦେଇପାରିଲେ ପାଠ ହେଲା—ସମସ୍ତେ ଜାଣିଲେ ତୁମର ପଢ଼ା ହୋଇଛି ।

 

ଭାବି ଦେଖ, ତୁମର ପ୍ରତିଦିନ ସେଇଆ ଲାଗିଛି । ତୁମେ ଯାହା ନୁହଁ, ତାହା ବୋଲି ନିତି ତୁମେ ଦେଖାଇହେବା ପାଇଁ ଲାଗିଛ । ଏହି ଦେଖାଇହେବା ହିଁ ତୁମ ସ୍କୁଲ କଳେଜରେ ପରିଶ୍ରମ କରି ଶିଖିଚ । ଏଥିରେ ତୁମର ପ୍ରକୃତ ଜ୍ଞାନ ହୋଇନାହିଁ । ସେଥି ସଙ୍ଗେ ସଙ୍ଗେ ଚରିତ୍ରହୀନ ହୋଇଯାଉଛି । ସେହିପରି ଶିକ୍ଷାରେ ଆମର ଜାତୀୟ ସଭ୍ୟତା ବଦଳିଯାଉଛି । ପ୍ରକୃତରେ ଗୁଣୀ ହୁଅ, କିନ୍ତୁ ଗୁଣୀ ବା ଜ୍ଞାନୀ ବୋଲି ଜଣେଇ ଦେବାକୁ ଚେଷ୍ଟା କର ନାହିଁ । ମର୍ଯ୍ୟାଦାବାନ୍‌ ହୁଅ, ଖାଲି ମର୍ଯ୍ୟାଦା ପାଇବାକୁ ଇଚ୍ଛା କର ନାହିଁ । ଏହିପରି ହେବାକୁ ଚେଷ୍ଟା କରିବାହିଁ ପ୍ରକୃତ ଶିକ୍ଷା । ଦେଖାଇ ହେବାକୁ ଆମର ପୂର୍ବପୁରୁଷ ଓ ଆର୍ଯ୍ୟ ଋଷିମାନେ ମିଥ୍ୟାଚାର ବୋଲି କହିଛନ୍ତି—ବଡ଼ ଘୃଣା କରିଛନ୍ତି ।

 

ଶିକ୍ଷକଙ୍କ ଆଦେଶକୁ ଏବେ ସମାଲୋଚନା କର ନାହିଁ । ତୁମର ସେ ସମୟ ଆସିନାହିଁ-। ହୋଇପାରେ ଆମ୍ଭେ ଯାହା କରୁଛୁ, ତାହା ସବୁବେଳେ ଠିକ୍‌ ହେଉନାହିଁ । ତୁମ୍ଭେମାନେ ଏ ଦେଶର ଭବିଷ୍ୟତ । ଦିନେ ତୁମେ ମଧ୍ୟ ଶିକ୍ଷକ ହେବ । ଗୁରୁ ହେବ । ସେ ଆଉ ବେଶି ଦିନ ନୁହେଁ-। ସେଦିନ ହୁଏତ ତୁମେ ଆମ କାର୍ଯ୍ୟର ଭୁଲ ଦେଖାଇବ । ଆମଠାରୁ ଆଉରି ଯୋଗ୍ୟତାର ସହିତ କାମ କରିବ । କର, ସେ ଦିନ ଆସୁ, ସେ ଦିନକୁ, ସେ ସାଧୁ ସମାଲୋଚନାକୁ, ଶିଷ୍ୟଠାରୁ ସେ ପରାଜୟକୁ ଆମେମାନେ ପ୍ରାଣର ସହିତ ଗ୍ରହଣ କରିବାକୁ ଚାହିଁ ବସିଛୁ । ଆମେମାନେ ସେତେବେଳେ ଇହଜଗତରେ ଥାଉଁ, ଆମର ବିଶ୍ୱାସ ତୁମର ସେଦିନ ଆମେ ଜାଣିବୁ, ଦେଖିବୁ । ସେଦିନ ଆମର ଆତ୍ମା ବିମଳ ମୁକ୍ତିଲାଭ କରିବ । ସେଦିନ ଆସିବ, ତୁମେ ଆମଠାରୁ ବେଶି ଉପଯୁକ୍ତ ବୋଲି ଭବିଷ୍ୟତରେ ପରିଚିତ ହେବ । ସେଥିରେ ସନ୍ଦେହ ନାହିଁ କିନ୍ତୁ ସେଥିପାଇଁ ଗୁରୁଙ୍କଠାରେ ଆତ୍ମସମର୍ପଣ କରିବା ଉଚିତ ।

 

ମୋ କଥାରୁ ତୁମେ ବର୍ତ୍ତମାନ ବୁଝିଲ, ଆଜି ଯେପରି ଶିକ୍ଷା ଚାଲିଛି, ଶିକ୍ଷା ଏପରି ହେବା ଉଚିତ୍‌ ନୁହେଁ । ତେବେ ଶିକ୍ଷା କିପରି ହେବା ଉଚିତ୍‌, ତାହା ବୁଝିବା ଦରକାର । ଆତ୍ମବିକାଶ ହିଁ ଶିକ୍ଷାର ପ୍ରଥମ ଲକ୍ଷ୍ୟ । ଏହି ଆତ୍ମବିକାଶ ତେବେ କିପରି, ତାହା ବୋଧହୁଏ ଭଲକରି ବୁଝିନାହଁ-। ଗୋଟିଏ ଗଛର କଥା ଭାବ । ଗଛ ଚେରଦ୍ୱାରା ମାଟି ଭିତରୁ ଯେଉଁ ରସ ଦରକାର ହୁଏ ତାହା ଟାଣିନିଏ । ଆଲୁଅ ଓ ପବନରୁ ନିଜର ଖାଦ୍ୟ ସଂଗ୍ରହ କରେ । ଯାହା ଯେଉଁଠାରୁ ଆଣେ, ତାହା ନିଜର ଖାଦ୍ୟରେ ପରିଣତ କରେ । ତୁମେମାନେ ନିଜେ ଏଠାରେ କେତେ ଗଛ ପୋତୁଅଛ, ବଢ଼ାଉଅଛ । ଦେଖିବ ଗଛ ମୂଳରେ ତୁମେ ଖତ ଦିଅ, ପିଡ଼ିଆ ଦିଅ–ତାହା ଖାଇ ଗଛ ବଢ଼ିଥାଏ-। କିପରି ବଢ଼େ ? ତୁମେ ପାଠ ମୁଖସ୍ଥ କରି ପରୀକ୍ଷାରେ ଅବିକଳ କାଢ଼ିପକାଇଲା ପରି ଗଛ ପିଡ଼ିଆ ଖାଇ ପିଡ଼ିଆ କାଢ଼େ ନାହିଁ । ଖାଏ ପିଡ଼ିଆ, କାଢ଼େ ସୁନ୍ଦର ପତ୍ରଟିଏ, ଫୁଲଟିଏ, ଫଳଟିଏ । ତୁମେ ମଧ୍ୟ ପ୍ରତିଦିନ ଭାତ, ଡାଲି, ପରିବା ଖାଉଚ । ତୁମ ଦେହ ବଢ଼ୁଅଛି । ଖାଇବାରୁ ତୁମ ଦେହ ଉପରେ ଭାତ ଡାଲି ଲାଗିଯାଇ ଦେହ ବଢ଼ୁନାହିଁ । ଭାତ ଡାଲି ସବୁ ଶରୀରରେ ରକ୍ତ ମାଂସରେ ଓ ହାଡ଼ରେ ପରିଣତ ହେଉଛି । ପଢ଼ାରେ ମଧ୍ୟ ସେହିପରି ।

 

ଯାହା ଶିକ୍ଷା କରିବ, ତାହା ତୁମର ନିଜର ହୋଇଯିବା ଦରକାର । ତୁମେ ଯାହା ପଢ଼ିବ ବା ଶିଖିବ, ତାହା କେତେବେଳେ କେଉଁଠାରୁ ଶିଖିଛ ଜାଣିଦେଲେ ଶିକ୍ଷା ହେଲା ନାହିଁ । ଜ୍ଞାନ ବଢ଼ିଲେ ତୁମେମାନେ ନିଜେ ନିଜେ ଲେଖାପଢ଼ା ଆଲୋଚନା କରିପାରିବ । ପ୍ରବନ୍ଧ ଲେଖିଲାବେଳେ ଆମକୁ ବହିରେ ଏପରି ଲେଖାଅଛି ସେହିପରି ଲେଖିବ । ଅଙ୍କ କଷିଲାବେଳେ, ବହିରେ ଏହିପରି ଧାରାରେ କଷା ହୋଇଛି, ସେହିପରି କଷିଯିବ–ଏହା ଜାଣୁଥିବାତକ ପ୍ରକୃତ ଶିକ୍ଷା ହୋଇନାହିଁ । ତୁମେ ପ୍ରକୃତ ଜ୍ଞାନଲାଭ କରିନାହଁ । ଅନେକ ଶିଖି ପଢ଼ି ଯେତେବେଳେ ନିଜେ ଲେଖିପଢ଼ି ଆଲୋଚନା କରିପାରିବ, ସେତିକିବେଳେ ଜାଣିବ ତୁମର ପ୍ରକୃତ ଶିକ୍ଷା ହୋଇଛି । ତୁମର ଭିତର ବାହାର ସମାନ ହୋଇଅଛି । ତୁମେ ଭିତରେ ଯାହା ହୋଇଅଛ, ବାହାରେ ତାହାହିଁ ଦେଖାଇଛ । ଅନ୍ୟ ପ୍ରକାର ଦେଖାଇ ହେବାର ତମର କ୍ଷମତା ବା ଅଧିକାର ନାହିଁ । ଏହିପରି ଶିକ୍ଷା ପାଇବାକୁ ଥରେ ବିଚାରିଲେ ଦେଖିବ ତୁମର ବାଜେ ବହି, ପଢ଼ାପଢ଼ିର ପ୍ରଭେଦ ନାହିଁ । ପରୀକ୍ଷା ଚିନ୍ତାରେ ଆଉ ତୁମେ ବ୍ୟାକୁଳ ହେବ ନାହିଁ । ଶିକ୍ଷାରେ ତୁମର ପ୍ରକୃତ ଆତ୍ମବିକାଶ ହେବ । ଯେଉଁ ବହି ପଢ଼ିବ, ତାହା ତୁମକୁ ସୁଖ ଲାଗିବ । ତୁମେ ଜ୍ଞାନପାଇଁ ପାଠ ପଢ଼ିବ, ପରୀକ୍ଷା ପାଇଁ ନୁହେଁ, ଟଙ୍କା ରୋଜଗାର କରିବାପାଇଁ ନୁହେଁ, ସେଥିରେ ପ୍ରକୃତ ଶିକ୍ଷା ହେବ ନାହିଁ । ସେଥିରେ ଖାଲି ମିଥ୍ୟାଚାର ବଢ଼ିବ । ଜୀବନଟାଯାକ ଦେଖାଇ ହେବାର ଯିବ । ଆଜି ବୋଲି ଆଜି ନୁହେଁ, ସମସ୍ତ ଜୀବନ ମିଥ୍ୟାଚାରମୟ ହୋଇଯିବ ।

 

ପଢ଼ାର ଉଦ୍ଦେଶ୍ୟ ସଂସାରରେ ମନୁଷ୍ୟ ହେବା । ତୁମେମାନେ ବାଳକ, ସଂସାରରେ କିଛି ଜାଣ ନାହିଁ । ସଂସାରରେ କେତେ ପ୍ରକାର ଲୋକ ଅଛନ୍ତି । ପଣ୍ଡିତ, ମୂର୍ଖ, ଶାନ୍ତ, ଦୂରନ୍ତ, ବିବେକୀ, ଅବୁଝାମଣା, ଧନୀ, ଦରିଦ୍ର, ସୁସ୍ଥ, ରାଗୀ, ଦାମ୍ଭିକ, ଆର୍ତ୍ତ—ସମସ୍ତଙ୍କ ସଙ୍ଗେ ଚଳିବାକୁ ହେବ, ଖାଲି ବହି ପଢ଼ି ତୁମେ ସବୁ ପାରିବ କି ? ଗୋଟିଏ କଥା ଉଦାହରଣରେ ଦେଖ, ଯେଉଁମାନେ ବୋଡ଼ିଂରେ ନଥା’ନ୍ତି ସେମାନେ ବେଶି ଲୋକଙ୍କ ସାଥିରେ ଚଳି–ନାହାନ୍ତି । ସାମାନ୍ୟ ବିରକ୍ତ ହେଲେ ସେମାନେ ଯେତେ ରାଗିଯାନ୍ତି, ଯେତେ ମାନ କରି ବସନ୍ତି । ତୁମେମାନେ ଯେଉଁମାନେ ବୋଡ଼ିଂରେ ଅଛ, ସେତେ କର ନାହିଁ; କାରଣ ତୁମେ ବହୁ ଲୋକଙ୍କ ସଙ୍ଗେ ଚଳୁଅଛ । କିଏ କେତେବେଳେ ଗାଳି ଦେଉଛି, କିଏ ବା ସ୍ନେହ କରୁଛି, ଦେଖି ଦେଖି ତୁମେ କେତେ ପ୍ରକାର ଲୋକଙ୍କ ସଙ୍ଗେ ଚଳି ଶିଖିଗଲଣି । ତୁମେମାନେ ଯେଉଁ ରୋଗୀ ସେବା କର, ମନୁଷ୍ୟର ରୋଗବେଳର ଦୁଃଖ ଜାଣ, ରୋଗୀର ମଳମୂତ୍ର ପର୍ଯ୍ୟନ୍ତ ପରିସ୍କାର କରିବାରେ ତୁମର ଯେଉଁ ଆଦର ଥାଏ, ତୁମେ ଯେତେବେଳେ ତାହା ହାତରେ କରି ଶିଖିନଥିଲ, ସେତେବେଳେ ତାହା ତୁମର ଥିଲା କି ? ବହିରେ ତ ଏ ବିଷୟରେ ଅନେକ ଉପଦେଶ ଅଛି । ଉପଦେଶ ପଢ଼ି କାର୍ଯ୍ୟ ନ କଲେ ତହିଁରୁ କି ଫଳ ? ଜୀବନ ତିଆରି କରିବାକୁ ହେଲେ କେବଳ ଉପଦେଶରେ କିଛି ହୁଏ ନାହିଁ । କାର୍ଯ୍ୟ କରି, ଅନୁଭବ କରି ଶିଖିବାକୁ ହୁଏ । ଶିକ୍ଷା ବାଳକକୁ ମନୁଷ୍ୟ କରେ ।

 

× × ×

 

ସମାଜରେ ରହିବାକୁ ହେଲେ ପରୋପକାର ଓ ଲୋକସେବା ପ୍ରଧାନ କାର୍ଯ୍ୟ । ଈଶ୍ୱରଙ୍କ ରାଜ୍ୟରେ କୌଣସି କର୍ମ ବା ବ୍ୟବସାୟ ନୀଚ ନୁହେଁ । ସମସ୍ତେ ପରିଶ୍ରମ କରିବେ, ଜ୍ଞାନ ଲାଭକରି ସମସ୍ତେ ଜ୍ଞାନକୁ ଆପଣାର କରିନେବାକୁ ହେବ । ଯେଉଁମାନଙ୍କ ବହିରୁ ଓ କାର୍ଯ୍ୟରୁ ଆମ୍ଭେ ନୂଆ ଜ୍ଞାନ ପାଉଅଛୁ, ଆମ୍ଭେ ଜ୍ଞାନ ପାଇଁ ସେମାନଙ୍କର ପରି କିପରି ନୂଆ ନୂଆ କଥା ଦେଇଯିବୁ, ଏକଥା ବିଚାର କରି ପାଠ ପଢ଼ିବାକୁ ହେବ । ଚରିତ୍ରର ମଧ୍ୟ ସଙ୍ଗେ ସଙ୍ଗେ ଉନ୍ନତି କରିବା ଦରକାର । ସତ୍ୟ କହିବା ପରର ଉପକାର କରିବା, ଦେଶକୁ, ଦେଶର ଲୋକମାନଙ୍କୁ ଓ ପୂର୍ବପୁରୁଷଙ୍କ କାର୍ଯ୍ୟକୁ ଭଲ ପାଇବା ଉଚିତ । ଏଥିରେ ଯେଉଁ ପବିତ୍ର ଆତ୍ମମର୍ଯ୍ୟାଦା ଅଛି, ତାହା ଭଲକରି ବୁଝିବା ଓ ସେହି ଅନୁସାରେ କାର୍ଯ୍ୟ କରି ବିଶ୍ୱପିତାଙ୍କ ରାଜ୍ୟରେ ପ୍ରକୃତ ମନୁଷ୍ୟ ହୋଇ ତାଙ୍କରି ଇଚ୍ଛା ପୂର୍ଣ୍ଣ କରିବା ଶିକ୍ଷାର ଉଦ୍ଦେଶ୍ୟ । ସେଥିପାଇଁ କହୁଥିଲି କେବଳ ବହିପଢ଼ାରେ ଶିକ୍ଷା ନାହିଁ । କେବଳ ପରୀକ୍ଷା ପାଇଁ ପାସ ମନୁଷ୍ୟକୁ ମନୁଷ୍ୟ କରେ ନାହିଁ । ଶିଖିବା ପାଇଁ ସମସ୍ତ ଜଗତ ଓ ଅନନ୍ତ କର୍ତ୍ତବ୍ୟ ପଡ଼ି ରହିଛି, ସେଥିରୁ ଶିକ୍ଷା କରିବାକୁ ହେବ । ନାନା କାରଣରୁ ଆଜି ପରୀକ୍ଷା ପାଇଁ ପଢ଼ିବାକୁ ତୁମେ ବାଧ୍ୟ ହେଉଅଛ ସତ୍ୟ, କିନ୍ତୁ ତା’ ସଙ୍ଗେ ସଙ୍ଗେ ଏଭଳି ପ୍ରକୃତ ଶିକ୍ଷା ଆଡ଼କୁ ତୁମର ଯେତେ ଦୃଷ୍ଟି ପଡ଼େ, ତୁମର ଶିକ୍ଷକ, ଅଭିଭାବକମାନେ ଯେତେ ଏକଥା ଭାବନ୍ତି, ସେତେ ତୁମର ମଙ୍ଗଳ ହେବ । ଦେଶର କଲ୍ୟାଣ ହେବ ।

 

‘‘ଆମ୍ଭେମାନେ ଭାରତର ସନ୍ତାନ । ଭାରତ ଚିରକାଳ ଜ୍ଞାନର ଦେଶ, ମନୁଷ୍ୟତାର ଦେଶ । ଭାରତ କେବେ ଧନ ପାଇଁ ବିଦେଶ ଲୁଣ୍ଠନ କରିନାହିଁ । ସେ କଥା ଆମ ଜାତିର ପ୍ରକୃତି ନୁହେଁ, କିନ୍ତୁ ସମସ୍ତ ପୃଥିବୀ ଯେତେବେଳେ ଅଜ୍ଞାନ ଅନ୍ଧକାର ମଧ୍ୟରେ ଥିଲା, ସେହି ଆଦି ଯୁଗରେ ଭାରତର ଋଷିକୂଳ ପୃଥିବୀରେ ଜ୍ଞାନଦୀପ ଜାଳିଥିଲେ । ଭାରତର ଜ୍ଞାନଦାନରେ ପୃଥିବୀ ଦିନେ ପରିପୁଷ୍ଟ ହୋଇଥିଲା ଏବଂ କେବେ ଯଦି ଭାରତ ପୃଥିବୀରେ ପ୍ରତିଷ୍ଠା ପାଇବ, ତେବେ ପାଇବ ସେହି ଜ୍ଞାନରେ । ସେହି ଜ୍ଞାନର ଆଦିଭୂମି, ଆମ୍ଭମାନଙ୍କର ମାତୃଭୂମି, ଭାରତର ଶିକ୍ଷାପ୍ରଣାଳୀ ଓ ପଦ୍ଧତି ଯାହା ଥିଲା, ମନେରଖ ଆଜି ସୁସଭ୍ୟ ଦେଶସବୁ ମଧ୍ୟ ସେହି ସୁନ୍ଦର ପ୍ରଣାଳୀ ପାଇଛନ୍ତି କି ନା ସନ୍ଦେହ । ଜ୍ଞାନ ପାଇଁ, ମନୁଷ୍ୟତା ପାଇଁ ଏ ଦେଶରେ ଶିକ୍ଷା ଦିଆଯାଉଥିଲା । ସେଥିପାଇଁ କେବଳ ଲୋକମାନେ ଶିକ୍ଷା କରୁଥିଲେ, ଟଙ୍କା ପଇସା ପାଇଁ ନୁହେଁ । ବ୍ୟାସ, ବାଲ୍ମିକୀଙ୍କ ପରି ମନୀଷୀମାନ, ଆର୍ଯ୍ୟଭଟ୍ଟ, ଶଙ୍କର, ମଲ୍ଲୀନାଥଙ୍କ ପରି ପଣ୍ଡିତଗଣ ଏ ଦେଶରେ ଟଙ୍କା ପାଇଁ ବିଦ୍ୟାଲୋଚନା କରୁ ନଥିଲେ । ପଲ୍ଲୀରେ, ଚତୁଷ୍ପାଠୀରେ, ବନର ଗୁରୁକୂଳରେ ଶିଷ୍ୟମାନେ ଶିକ୍ଷକଙ୍କ ସହ ବାସ କରି ସର୍ବଦା ସର୍ବପ୍ରକାର ଶିକ୍ଷା ଲାଭ କରୁଥିଲେ । ଭିକ୍ଷାଟନ, ଜନସେବାଠାରୁ ବିଲରେ କାମ କରିବା, ଗାଈ ଜଗିବା ପର୍ଯ୍ୟନ୍ତ ଗୁରୁଙ୍କ ତତ୍ତ୍ୱବଧାନରେ ହେଉଥିଲା । ଗ୍ରନ୍ଥ ପାଠ ସଙ୍ଗେ ସଙ୍ଗେ ଏସବୁ କାର୍ଯ୍ୟ ଶିକ୍ଷାର ଅଙ୍ଗୀଭୂତ ଥିଲା । ଏହିପରି ସୁଶିକ୍ଷାରେ ବଢ଼ ଯେତେବେଳେ ଶିଷ୍ୟ ଉପଯୁକ୍ତ ହେଲାଣି ବୋଲି ଗୁରୁ ବିଚାରୁଥିଲେ, ସେତେବେଳେ ଶିଷ୍ୟକୁ ବିଦାୟ ଦେଉଥିଲେ-।’’

 

‘‘ଦେଶର ଶିକ୍ଷାର ଭାର କାଲି ତୁମମାନଙ୍କ ଉପରେ ପଡ଼ିବ । ସେଥିପାଇଁ ପ୍ରସ୍ତୁତ ହୁଅ । ଜୀବନକୁ ଏହି ଦିନୁ ତିଆରି କର, ସଂକଳ୍ପ କର, ଦେଶରେ ଯେପରି ସଦ୍‌ଗୁରୁ ସତ୍‌ ଅଭିଭାବକମାନଙ୍କର ଅଭାବ ନ ହୁଏ । ତୁମ ଜୀବନରେ ତୁମେ ଯେପରି ଏ ଅଭାବ ପୂର୍ଣ୍ଣ କର । ତୁମର ପୂର୍ବପୁରୁଷ ପୃଥିବୀକୁ ଜ୍ଞାନଲୋକ ଦେଇଥିଲେ, ସତ୍‌ ଶିକ୍ଷା, ସାଧୁ ମନୁଷ୍ୟତା, ସରଳ ସଭ୍ୟତା କ’ଣ ତାହା ଜଗତକୁ ଦେଖାଇଥିଲେ । ମନେରଖ ସେହି ଶିକ୍ଷା, ସରଳ ସଭ୍ୟତା, ସାଧୁ ମନୁଷ୍ୟତା ପୃଥିବୀରେ ପ୍ରତିଷ୍ଠିତ କରିବା ତୁମ ପକ୍ଷରେ ବି ଗହନ କଥା ନୁହେଁ । ଏହା ତୁମର ପୈତୃକ ସମ୍ପତ୍ତି । ଏଥିପାଇଁ ତୁମଙ୍କୁ ଅନ୍ୟ ଦେଶକୁ ଯିବାକୁ ପଡ଼ିବ ନାହିଁ । ପର ଦ୍ୱାରରେ ଭିକ୍ଷା କରିବାକୁ ହେବନାହିଁ । ଏହା ତୁମ ରକ୍ତ ମାଂସରେ ରହିଅଛି । ସେ କଥା ମନେରଖି ଜୀବନରେ ପ୍ରସ୍ତୁତ ହୁଅ । ଜ୍ଞାନ ପାଇଁ ବିଦ୍ୟାର୍ଥୀ ହୁଅ । ବାବୁ, ଦିନ ଆସିବ ଯେଉଁଦିନ ତୁମେ ପ୍ରକୃତରେ ଜ୍ଞାନମାତା ଭାରତବର୍ଷର ଋଷିକୁଳ ସନ୍ତତି ବୋଲି ଗର୍ବର ସହିତ ଅନୁଭବ କରିବାକୁ ସମର୍ଥ ହେବ-।’’

 

ଏହି ପ୍ରବନ୍ଧଟି ପାଠ କରିବା ପରେ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକମାନଙ୍କର ଛାତ୍ରମାନଙ୍କ ସହିତ ସଂପର୍କ କିପରି ଥିଲା ଓ ଶିକ୍ଷାର ଆଭିମୁଖ୍ୟ କ’ଣ ଥିଲା, ତାହା ସହଜରେ ଅନୁମେୟ । ଆଜିର ଶିକ୍ଷାପ୍ରଣାଳୀ କିପରି ବିଫଳତାର ପ୍ରତୀକ ଓ ଏହା ସାମାଜିକ ଜୀବନକୁ କିପରି ବିଷାକ୍ତ କରିବାକୁ ଯାଉଛି, ତାର ଚିତ୍ର ଏଥିରେ ପ୍ରତିଫଳିତ ।

 

ଭାରତ ଆଧ୍ୟାତ୍ମିକତାର ଦେଶ । ସେ ତାର ଗୁରୁକୁଳ ଶିକ୍ଷା ପଦ୍ଧତିକୁ ଛାଡ଼ିବା ପରେ ନୈତିକ ସଙ୍କଟର ସମ୍ମୁଖୀନ ହୋଇଛି । ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରେ ଆଜି ତା’ର ସାମାଜିକ, ପାରିବାରିକ, ତଥା ରାଷ୍ଟ୍ରିୟ ଜୀବନ ବିପନ୍ନ । ଯେଉଁ ଦେଶର ଜ୍ଞାନ ସୂର୍ଯ୍ୟ ସାରା ପୃଥିବୀକୁ ଆଲୋକିତ କରିଥିଲା, ଆଜି ତାହା ଅସ୍ତମୀତ ହୋଇଛି । ଏ ମାଟିର ସନ୍ତାନ ଆଜି ତାର ତ୍ୟାଗମୟ, ଜ୍ଞାନଦୀପ ସମୃଦ୍ଧ ଜୀବନକୁ ତ୍ୟାଗ କରି ଭୋଗସର୍ବସ୍ୱ, ଜ୍ଞାନହୀନ, ଯତ୍ରଣାସର୍ବସ୍ୱ ଜୀବନକୁ ଆଦରି ନେଇଛି । ସେଥିପାଇଁ ତାର ଜୀବନ ଆଜି ଦୁର୍ବହ ହୋଇଉଠିଛି ।

 

ଛାତ୍ରସମାଜ ହିଁ ଦେଶର ସମ୍ପତ୍ତି । ଗୁରୁକୁଳ ହିଁ ତାର ରକ୍ଷକ । ଏ ସମ୍ପତ୍ତିକୁ ରକ୍ଷା କରିବା ଓ ମହାନ ଶକ୍ତିର ସଦୁପଯୋଗ କରିବା ପ୍ରତ୍ୟେକ ରାଷ୍ଟ୍ରର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ତାକୁ ବିଭ୍ରାନ୍ତ କରି ଓ ସୁଚିନ୍ତିତ ପଥ ପ୍ରଦର୍ଶନ ନ କରି ବିଷମୟ ପରିଣତି ପାଇଁ ବିଳାପ କରିବା ଘୋର ଅବିବେକିତାର କାର୍ଯ୍ୟ ।

 

ଆଜି ମଧ୍ୟ ସମୟ ଯାଇନି । ଗୋପବନ୍ଧୁଙ୍କର ସୁଚିନ୍ତିତ ଶିକ୍ଷାନୀତି ତାଙ୍କ ନିଜର ସ୍ୱାନୁଭୂତି ସମ୍ଭୁତ । ମହାତ୍ମା ଗାନ୍ଧୀଙ୍କର ମୌଳିକ ଶିକ୍ଷା ଏ ଦେଶରେ ପ୍ରହସନରେ ପରିଣତ ହେଲା-। କିନ୍ତୁ ଏହାର ଆଭିମୁଖ୍ୟ ଗୋପବନ୍ଧୁଙ୍କ ଶିକ୍ଷାନୀତିର ଆଭିମୁଖ୍ୟ ସହିତ ପ୍ରାୟ ସମାନ ଥିଲା । ଏହାର ବିଫଳତା ପାଇଁ ଏ ଦେଶର ରୂପକାରମାନେ ଦାୟୀ । ଯାହା ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ଛାତ୍ରସମାଜକୁ ସେଇ ଚିନ୍ତାଧାରାରେ ଗଢ଼ିବା ପାଇଁ, ସେମାନେ ତାଙ୍କର ରକ୍ଷଣଶୀଳ ପୁରାତନ ମନୋଭାବକୁ ଦୂର କରି ପାରିଲେ ନାହିଁ । ତେଣୁ ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇ ପାରିଲା ନାହିଁ ।

 

ଅବଶ୍ୟ ବର୍ତ୍ତମାନ ଜାତୀୟ ଶିକ୍ଷାନୀତି ସ୍ଥିର ହେବାକୁ ଗଲାଣି ଓ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ରାଷ୍ଟ୍ରୀୟ ସ୍ତରରେ ବ୍ୟାପକ ଉଦ୍ୟମ ହେଉଛି—ଏହା ଆଜିର ସଙ୍କଟ ଭିତରେ ଏକ ଆଶାପ୍ରଦ ପଦକ୍ଷେପ । ତେବେ ନୈତିକ ଶିକ୍ଷାପ୍ରତି ଦୃଷ୍ଟି ଦିଆ ନଗଲେ ଅନ୍ୟ କୌଣସି ଉପାୟରେ ସାମାଜିକ ଶୃଙ୍ଖଳା ରକ୍ଷା କରାଯାଇ ପାରିବ ନାହିଁ । ଏ କ୍ଷେତ୍ରରେ ସଂକୀର୍ଣ୍ଣ ମନୋଭାବକୁ ପରିହାର କରି ବ୍ୟାପକ ଭିତ୍ତିରେ ନୈତିକ ଶିକ୍ଷାର ବ୍ୟବସ୍ଥା କରିବା ଉଚିତ ସେ ଶିକ୍ଷା ଏପରି ହେବ, ଯାହା ଫଳରେ ଶିଶୁ ଓ ଯୁବକ ନିଜକୁ ମାନବିକ ଗୁଣରେ ମଣ୍ଡିତ କରି ପାରିବେ ।

 

ଏ ଶତାବ୍ଦୀର ଅଶାନ୍ତ ପରିବେଶ ମଧ୍ୟରେ ସତ୍ୟବାଦୀର ବନବିଦ୍ୟାଳୟରେ ହା ପ୍ରମାଣିତ ହୋଇଛି । ଯେଉଁମାନେ ସତ୍ୟବାଦୀ ବିଦ୍ୟାଳୟର ଛାତ୍ର ଥିଲେ, ସେଥିମଧ୍ୟରୁ ଅଧିକାଂଶ ଆଜି ସମାଜର ଉଚ୍ଚ ସ୍ଥାନରେ ଅଛନ୍ତି ଓ ସେମାନଙ୍କର ଜୀବନଧାରା ଅନ୍ୟମାନଙ୍କଠାରୁ ସବୁଦିଗରେ ଉନ୍ନତ । ଏହି ପରୀକ୍ଷିତ ପ୍ରଣାଳୀକୁ ଜାତୀୟ ଶିକ୍ଷାନୀତି ସହିତ ବିଚାର କରିବାର ସମୟ ଆସିଛି । ଆଧ୍ୟାତ୍ମିକତା ଯେଉଁ ଜାତିର ପ୍ରାଣ ସ୍ପଦନ ତାକୁ ଦୂରେଇ ନେଇ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ହୁଏତ ଯୁକ୍ତି ଦୃଷ୍ଟିରୁ କେତେକଙ୍କ ମତରେ ସମୟୋଚିତ ହୋଇପାରେ; କିନ୍ତୁ ବୋଧହୁଏ ଆଦୌ ନୀତି ସମ୍ମତ ହେବନାହିଁ । ଶିକ୍ଷା ପ୍ରଥମେ ମଣିଷକୁ ମଣିଷ କରୁ ତାପରେ ଜୀବନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ତାରି ଭିତରୁ ତାଙ୍କୁ ସଞ୍ଜୀବନୀ ମନ୍ତ୍ର ନିଶ୍ଚୟ ମିଳିବ ।

 

ସତ୍ୟବାଦାର ଜୀବନ ଚିତ୍ର–

 

ସତ୍ୟବାଦୀ ବିଦ୍ୟାଳୟ ଥିଲା ଏକ ପ୍ରସ୍ଫୁଟିତ ପୁଷ୍ପ, ଯାହାର ସୌରଭରେ ଦିଗନ୍ତ ଆମୋଦିତ ହେଉଥିଲା । ପୂର୍ବ ପୃଷ୍ଠାମାନଙ୍କରେ ସେ ଚିତ୍ତ ଉଲ୍ଲାସକ ଆକର୍ଷଣୀର ଚିତ୍ର ଦିଆଯାଇଛି-। ବର୍ତ୍ତମାନ ତାହାର ଦୈନିନ୍ଦିନ ତଥା ପାରମ୍ପରିକ ଜୀବନର ମହନୀୟତା ବିଷୟରେ ଆଲୋଚନା କରିବା ।

 

ସତ୍ୟବାଦୀ ବିଦ୍ୟାଳୟର ଶିକ୍ଷକମାନେ ଥିଲେ ଜାତିର ସର୍ବଶେଷ୍ଠ ପ୍ରତିଭାବାନ୍‌ ବ୍ୟକ୍ତି । ରାଜନୀତି, ସାହିତ୍ୟ, ଦର୍ଶନ, ବିଜ୍ଞାନ, ଅର୍ଥନୀତି ଓ ସମାଜନୀତି ସହିତ ଶିକ୍ଷାନୀତିରେ ସେମାନେ ଅତ୍ୟନ୍ତ ଧୁରଣୀ ଥିଲେ । ମାନବବାଦ ହିଁ ଥିଲା ତାଙ୍କର ଧର୍ମ । ସତ୍ୟବାଦୀ ବିଦ୍ୟାଳୟ ଥିଲା ସେହି ଧର୍ମର ମନ୍ଦିର । ଏହାର ଛାତ୍ରସମାଜ ଥିଲା ଆରାଧ୍ୟ ଦେବତା, ଶିକ୍ଷକମାନେ ବୋଧହୁଏ ସେହି ବାଳଗୋପାଳମାନଙ୍କର ପୂଜକ ଥଲେ । ମାନବତା ଥିଲା ସେହି ପୂଜାୟନର ପଦ୍ଧତି ଯାହାକୁ ‘ଧର୍ମ’ ବୋଲି କୁହାଯାଉଛି ।

 

ପୂଜକର ଶକ୍ତିରେ ପିତୁଳାର ପ୍ରାଣ ପ୍ରତିଷ୍ଠା ହୁଏ, ନତୁବା ପିତୁଳା ରହିଯାଏ ପୌତ୍ତଳିକତା ଭିତରେ.... କାଠ, ପାଷାଣ, କଂସା, ପିତ୍ତଳ ମଧ୍ୟରେ । ଶିକ୍ଷକମାନଙ୍କର ଆତ୍ମଶକ୍ତିର ସ୍ପର୍ଶ ନେଇ ଛାତ୍ରମାନଙ୍କ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ସେମାନେ ଥିଲେ ଶାନ୍ତ, ମଧୁର, ନମ୍ର ଓ ଆଚାରବାନ । ଶୃଙ୍ଖଳା ଥିଲା ସେମାନଙ୍କର ଜନ୍ମଗତ ସ୍ୱଭାବଗତ ଆଚରଣ । ସରଳ ଜୀବନ ଓ ଉଚ୍ଚ ଚିନ୍ତା ପାଇଁ ସେମାନଙ୍କୁ ଗଢ଼ାଯାଉଥିଲା । ସେମାନେ ଥିଲେ ନିରାଡ଼ମ୍ବର । ବିଳାସମୟ ଜୀବନଠାରୁ ସେମାନେ ବହୁ ଦୂରରେ ଥିଲେ । ପଲ୍ଲୀ ସୁଲଭ ସରଳତା ସେମାନଙ୍କ ମଧ୍ୟରେ ପ୍ରକାଶିତ ହୋଇଥିଲା । ତମାଳ ବନର ପତ୍ର ପୁଷ୍ପ ମଣ୍ଡିତ ବୃକ୍ଷପରି ସେମାନେ ବିନୟାବନତ ଥିଲେ ।

 

ଶିକ୍ଷକମାନେ ଥିଲେ ସଂସ୍କାରବାଦୀ । ସେମାନେ ସାହିତ୍ୟରେ, ଭାଷଣ ପ୍ରସଙ୍ଗରେ, ଆଲୋଚନାରେ ଓ ଆଚରଣରେ ସଂସ୍କାରର ପ୍ରଚାର କରୁଥିଲେ । ସମାଜର ରକ୍ଷଣଶୀଳ ଗୋଷ୍ଠୀ ସତ୍ୟବାଦୀର ଗୌରବରେ ଗର୍ବିତ ହେବା ଦୂରେ ଥାଉ, ତାକୁ ଧ୍ୱସଂ କରିଦେବାକୁ ସତତ ଚେଷ୍ଟିତ ଥିଲେ । ସେଇଥିପାଇଁ ତାଙ୍କର ସଂସ୍କାରବିରୋଧି ମନ ଏକ ଜଘନ୍ୟ କାଣ୍ଡ ସୃଷ୍ଟି କରିଥିଲା । ଦଳେ ଅସହିଷ୍ଣୁ ବ୍ୟକ୍ତି ୧୯୧୨ ମସିହା ମାର୍ଚ୍ଚ ୨୬ ତାରିଖରେ ବନବିଦ୍ୟାଳୟର ଶ୍ରେଣୀପ୍ରକୋଷ୍ଠଗୁଡ଼ିକରେ ଅଗ୍ନି ସଂଯୋଗ କରି ଭସ୍ମସାତ୍ କରିଦେଇଥିଲେ । ବହୁ ବଦାନ୍ୟ ବ୍ୟକ୍ତିଙ୍କର ଦାନରେ ଯେଉଁ ବିଦ୍ୟାଳୟ ମୁଣ୍ଡ ଟେକିଥିଲା, ତାହା ଆଖିପିଛୁଳାକେ ଭସ୍ମରେ ପରିଣତ ହେଲା । ଏହା ଗୋପବନ୍ଧୁଙ୍କ ମନରେ ଦାରୁଣ ଯନ୍ତ୍ରଣା ଦେଇଥିଲେ ମଧ୍ୟ ସେ ଭାଙ୍ଗିପଡ଼ି ନ ଥିଲେ । ବିଚିତ୍ର, ଏ ସୃଷ୍ଟି ! ଉପକାରର ପୁରସ୍କାର ଏ ସୃଷ୍ଟିରେ ଏଇପରି ଭାବରେ ମିଳେ ।

 

ସଂସ୍କାରପ୍ରୟାସୀ ଶିକ୍ଷକମାନଙ୍କ ମଧ୍ୟରେ କୌଣସି ଗୋଷ୍ଠୀଭାବ ନଥିଲା । ସଂକୀର୍ଣ୍ଣ ଜାତୀୟତାଠାରୁ ସେମାନେ ବହୁ ଦୂରରେ ଥିଲେ । ତାଙ୍କ ଜାତୀୟ ଥିଲା ଦିଗ୍‌ବଳୟ ପରି ବ୍ୟାପକ । ଅସ୍ପୃଶ୍ୟତାର ସେମାନେ ଘୋର ବିରୋଧୀ ଥିଲେ । ଜାତି, ଧର୍ମ ନିର୍ବିଶେଷରେ ସେମାନେ ସମସ୍ତଙ୍କୁ ଭକ୍ତି, ଶ୍ରଦ୍ଧା, ସମ୍ମାନ ଓ ସେବା ଦେଉଥିଲେ । ଅଚ୍ଛବ ଶ୍ରେଣୀର ଛାତ୍ରମାନେ ତାଙ୍କ ବିଦ୍ୟାଳୟରେ ସ୍ଥାନ ପାଉଥିଲେ । ପାଖରେ ବସି ଭୋଜନ କରୁଥିଲେ । ରୋଗଶଯ୍ୟାରେ ଶିକ୍ଷକମାନେ ସେମାନଙ୍କର ପଦସେବା କରୁଥିଲେ । ବ୍ରାହ୍ମଣ ଗୋଷ୍ଠୀର କ୍ରୋଧାଗ୍ନି ଏମାନଙ୍କ ବିପକ୍ଷରେ ସର୍ବଦା ଜଳୁଥିଲା ।

 

ଏହି ବିଦ୍ୟାଳୟର ଶିକ୍ଷକମାନେ ତାଲିମପ୍ରାପ୍ତ ନଥିଲେ; କିନ୍ତୁ ସେମାନଙ୍କର ଶିକ୍ଷା ପ୍ରଣାଳୀ ଥିଲା ଅତ୍ୟନ୍ତ ଉଚ୍ଚକୋଟୀର । ଅବଶ୍ୟ ଗୋଦାବରୀଶ ପରେ ତାଲିମ ପାଇଁ କଲିକତା ଯାଇଥିଲେ । ଯେଉଁ ଶିକ୍ଷକମାନେ ପିତାମାତାଙ୍କ ପରି ପିଲାର ମନକଥା ଜାଣନ୍ତି, ସେମାନେ ଶିଶୁମନଗ୍ରାହୀ ଶିକ୍ଷା ଦେବାର ତାଲିମର ଆବଶ୍ୟକତା କିଛି ନାହିଁ । ଶିକ୍ଷକମାନଙ୍କର ଶିକ୍ଷାଦାନରେ ଗଭୀର ନିଷ୍ଠା ଥିଲା ।

 

ଏଠାରେ ପଢ଼ାଯାଉଥିବା ପୁସ୍ତକଗୁଡ଼ିକ ମଧ୍ୟରୁ ଅଧିକାଂଶ ପୁସ୍ତକ ଅତି ଉଚ୍ଚ ଧରଣର । ସେଗୁଡ଼ିକ ଓଡ଼ିଶାର ବିଶିଷ୍ଟ ଲେଖକମାନଙ୍କଦ୍ୱରା ଲିଖିତ । ଏହି ବିଦ୍ୟାଳୟର ଶିକ୍ଷକମାନଙ୍କ ସ୍ୱଲିଖିତ ପୁସ୍ତକଗୁଡ଼ିକ ମଧ୍ୟ ଏଠାରେ ପାଠ କରାଯାଏ । ତାହା ସବୁ ଓଡ଼ିଆ ସାହିତ୍ୟର ଅମୂଲ୍ୟ ବିଭବ । ଶିକ୍ଷାବିଭାଗଦ୍ୱାରା ମଞ୍ଜୁରୀପ୍ରାପ୍ତ ପୁସ୍ତକ ପଢ଼ାଯିବାର ଧରାବନ୍ଧା ନିୟମ, ଏଠାରେ ନଥିଲା-। ଯେଉଁ ପୁସ୍ତକ ଉପାଦେୟ, ଶିଶୁମନ ଉଲ୍ଲାସକ ଓ ଚରିତ୍ର ଗଠନ କରିବାରେ ସାହାଯ୍ୟକାରୀ, କେବଳ ସେ ସବୁ ପୁସ୍ତକ ଏଠାରେ ପଢ଼ା ଯିବା ପାଇଁ ବ୍ୟବସ୍ଥା ଥିଲା ।

 

ପାଠ୍ୟପୁସ୍ତକମାନଙ୍କ ଭିତରେ ରାଧାନାଥଙ୍କ ଚିଲିକା, ଭକ୍ତକବି ମଧୁସୂଦନ ରାଓଙ୍କ ‘‘କୁସୁମାଞ୍ଜଳି’’ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଏହା ବ୍ୟତୀତ ବନବିଦ୍ୟାଳୟର ଶିକ୍ଷକମାନଙ୍କ ଲେଖା ମଧ୍ୟରୁ ‘‘ପ୍ରବନ୍ଧ ପ୍ରବେଶ, ବାରବାଟୀ ଦୁର୍ଗ, ମଡ଼େଲ ଡ୍ରଇଁ ପୁସ୍ତକ ଓ ପ୍ରବନ୍ଧ ପ୍ରକାଶ’’ ପ୍ରଭୃତି ପୁସ୍ତକଗୁଡ଼ିକ ଅତି ଉଚ୍ଚକୋଟୀର । ସେଗୁଡ଼ିକର ପୁନଃପ୍ରକାଶ ନିତାନ୍ତ ଆବଶ୍ୟକ । ଆଜିର ପାଠ୍ୟପୁସ୍ତକ ଲେଖକମାନଙ୍କ ପାଇଁ ସେ ସବୁ ପୁସ୍ତକଗୁଡ଼ିକ ପଥପ୍ରଦର୍ଶକ ରୂପେ କାମ କରନ୍ତା । ଏ ପୁସ୍ତକଗୁଡ଼ିକ ବର୍ତ୍ତମାନ ଦୁଷ୍ପ୍ରାପ୍ୟ । ତେବେ କୌଣସି କୌଣସି ପ୍ରେସ, ବହିଦୋକାନ, ବ୍ୟକ୍ତିଗତ ଲୋକଙ୍କ ଲାଇବ୍ରେରୀ କିମ୍ବା ସ୍କୁଲ ଲାଇବ୍ରେରୀମାନଙ୍କର ଥାଇପାରେ । ତାହାକୁ ଜାତୀୟ ଗ୍ରନ୍ଥ ରୂପେ ସାଇତି ରଖି ପୁନଃ ମୁଦ୍ରଣର ବ୍ୟବସ୍ଥା କରାଯିବା ଉଚିତ ।

 

ସତ୍ୟବାଦୀ ବିଦ୍ୟାଳୟରେ ଶରୀର ଚର୍ଚ୍ଚା ସଙ୍ଗୀତ ଓ ଚିତ୍ରାଙ୍କନ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉଥିଲା । ମନ ସହିତ ଶରୀରର ସମ୍ପର୍କ ନିବିଡ଼ । ଶରୀର ଉନ୍ନତ ନ ହେଲେ ମନର ସରସତା ରକ୍ଷା କରାଯାଇ ପାରିବ ନାହିଁ । ଶରୀରଚର୍ଚ୍ଚା ପାଇଁ ଏହି ବିଦ୍ୟାଳୟରେ ଜଣେ ବ୍ୟାୟାମ ଶିକ୍ଷକ ନିଯୁକ୍ତ ହୋଇଥିଲେ । ସେ ଛୋଟ ବଡ଼ ସମସ୍ତ ଛାତ୍ରମାନଙ୍କୁ ବ୍ୟାୟାମ ଶିକ୍ଷା ଦେଉଥିଲେ । ଏହାଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ହେଉଥିଲା ଓ ସେମାନେ ସତେଜ ଓ ପ୍ରଫୁଲ୍ଲ ଦେଖା ଯାଉଥିଲେ ।

 

ସଙ୍ଗୀତ ହିଁ ପ୍ରାଣର ସମସ୍ତ ବେଦନାର ମହୌଷଧି । ଏହା ହୃଦୟକୁ ଶାନ୍ତି ଦାନ କରେ, ପ୍ରାଣକୁ କୋମଳ କରେ, ମନୁଷ୍ୟ ସୁକୁମାର ଗୁଣାବଳିରେ ଭୂଷିତ ହୁଏ । ଛାତ୍ରମାନେ ସଙ୍ଗୀତ ଶିକ୍ଷା କରିବା ପାଇଁ ଓ ସଙ୍ଗୀତର ମୌଳିକ ନିୟମଗୁଡ଼ିକ ବିଷୟରେ ଧାରଣା ପାଇବା ପାଇଁ, ଜଣେ ସଙ୍ଗୀତ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା । ସେ ଥିଲେ ପାରଳାଖେମୁଣ୍ଡିର ଗାୟକରତ୍ନ ଅନ୍ଧ ଅପର୍ଣ୍ଣା ପଣ୍ଡା । ତାଙ୍କର କଣ୍ଠ ଯେପରି ମଧୁର, ସଙ୍ଗୀତ ଜ୍ଞାନ ସେପରି ଅନନ୍ୟସାଧାରଣ । ଛାତ୍ରମାନଙ୍କୁ ତାଳ, ଲୟ ମାନ ଓ ମାଧୁର୍ଯ୍ୟ ବିଷୟରେ ଶିକ୍ଷା ଦେଉଥିଲେ । ଏ ବ୍ୟବସ୍ଥା ଅଧିକ ଦିନ ରହିପାରିଲା ନାହିଁ । କୌଣସି କାରରରୁ ସେ ଏଠାରୁ ଚାଲିଯାଇଥିଲେ ।

 

ଛାତ୍ରାବାସ–

 

ସତ୍ୟବାଦୀ ବିଦ୍ୟାଳୟର ଛାତ୍ରାବାସ ଥିଲା ଉତ୍କଳୀୟ ନବ ଚେତନାର ପ୍ରାଣପୀଠ । ଗୋଟିଏ ଜାତିର ପରମ୍ପରା ସଂସ୍କୃତି, ସଭ୍ୟତା, ଅନୁଚିନ୍ତା, ସାହିତ୍ୟ, କଳା, ରାଜନୀତି ଓ ବିପ୍ଳବର ବିକାଶ ପାଇଁ ଏ ମାଟିରେ ମଞ୍ଜି ପୋତା ଯାଇଥିଲା । ଆଜିର ଛତୁଫୁଟା ବିଦ୍ୟାଳୟର ଛାତ୍ରାବାସ ପରି, ଛାତ୍ରାବାସ ନ ଥିଲା, ଯେଉଁଠାରେ ଛାତ୍ରମାନଙ୍କୁ ମେଣ୍ଢା ଗୋଠରେ ରଖିଲା ପରି ଆବଦ୍ଧ କରି ରଖା ଯାଇଥାଏ । ତାଙ୍କର ଶାରୀରିକ ମାନସିକ ଉନ୍ନତ ପାଇଁ ପ୍ରଧାନ ଶିକ୍ଷକଙ୍କଠାରୁ ଆରମ୍ଭ କରି ଛାତ୍ରାବାସର ପରିଚାଳକ ତଥା ଅନ୍ୟାନ୍ୟ ଶିକ୍ଷକମାନେ ଦୃଷ୍ଟି ଦିଅନ୍ତି ନାହିଁ । ଛାତ୍ରମାନେ ପେଟପୁରା ମୁଠାଏ, ପାଟିପୂରା ଟୋପାଏ ତରକାରୀ ପାଆନ୍ତି ନାହିଁ । ଡାଲିପାଣି ଶ୍ରାବଣର କର୍ଦ୍ଦମାକ୍ତ ଜଳପରି ରଙ୍ଗିଳ ତଥା ବେଗମାନ । ଛାତ୍ରମାନଙ୍କର ନୈତିକ ଶିକ୍ଷା ଶରୀରଚର୍ଚ୍ଚା ଓ ଆମୋଦ ପ୍ରମୋଦ ପାଇଁ କିଛି ବ୍ୟବସ୍ଥା ନ ଥାଏ । ସରକାରଙ୍କ ପ୍ରଦତ୍ତ ଛାତ୍ରମାନଙ୍କ ପଡ଼ିକାର୍ଡ଼ରୁ ଲାଭ ଉଠାଇବା ପାଇଁ ପ୍ରଧାନ ଶିକ୍ଷକ ତଥା ଛାତ୍ରାବାସ ପରିଚାଳକଙ୍କ ଭିତରେ ସଦାସର୍ବଦା ଦ୍ୱନ୍ଦ ଲାଗି ରହିଥାଏ । ଏ ପ୍ରକାର ଛାତ୍ରାବାସକୁ ସମାଧିଶାଳା କହିଲେ ବିଶେଷ ଭୁଲ ହେବନି । ପିତାମାତାଙ୍କୁ ଛାଡ଼ି ଆସିଥିବା କୋମଳମତି ବାଳକ ବାଳିକାମାନେ ଏ ପ୍ରକାର ଛାତ୍ରାବାସରେ ରହି ତିଳେ ତିଳେ ଦଗ୍‌ଧ ହୁଅନ୍ତି ।

 

ସତ୍ୟବାଦୀ ବିଦ୍ୟାଳୟର ଛାତ୍ରାବାସ ଭିନ୍ନ ଧରଣର । ଏହା ଶିକ୍ଷକ ତଥା ଉଭୟଙ୍କର ବାସ ଭୂମି ଥିଲା । ଛାତ୍ରମାନଙ୍କ ସହିତ ଶିକ୍ଷକମାନେ ରହୁଥିଲେ । ଜଣେ ଶିକ୍ଷକ ଛାତ୍ରାବାସର ମୋଟାମୋଟି ଦାୟିତ୍ୱରେ ଥିଲେ ମଧ୍ୟ ପ୍ରତ୍ୟେକ ଶିକ୍ଷକଙ୍କ ଅଧୀନରେ ବିଭିନ୍ନ କାର୍ଯ୍ୟଭାର ଅର୍ପଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ହେଉଛନ୍ତି ଛାତ୍ରାବାସର ପ୍ରଧାନ କର୍ତ୍ତା । ପ୍ରତ୍ୟେକ ବ୍ଲକ ଜଣେ ଜଣେ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହୁଏ । ଅନ୍ୟାନ୍ୟ ଶିକ୍ଷକମାନଙ୍କୁ ବହୁବିଧି ଦାୟିତ୍ୱ ତୁଲାଇବାକୁ ଦିଆ ଯାଇଥାଏ ।

 

ସକାଳୁ ଉଠ ନିତ୍ୟକର୍ମ ସାରି ଛାତ୍ର ଓ ଶିକ୍ଷକ ବ୍ୟାୟାମ, କୁସ୍ତି, କସରତ ପ୍ରଭୃତି କରନ୍ତି-। ବିଭିନ୍ନ ପ୍ରକାର ଦେଶୀ ଖେଳ ପିଲାମାନେ ଖେଳନ୍ତି । ଗାଧୋଇ ସାରିବା ପରେ ସଭାଗୃହରେ ଛାତ୍ରମାନେ ସମବେତ ହୁଅନ୍ତି । ସେଠାରେ ଗୀତା ପାଠ ହୁଏ । ଆଧ୍ୟାତ୍ମିକ ଆଲୋଚନା ଓ ସ୍ରୋତପାଠ ପ୍ରଭୃତି ହୁଏ । କିଛି ସମୟ ପାଇଁ ସୂତାକଟା ଚାଲେ । ତାପରେ ପିଲାମାନେ ଓ ଶିକ୍ଷକମାନେ ଭୋଜନଶାଳାକୁ ଯାଆନ୍ତି । ପଂକ୍ତି ଭୋଜନରେ ସମସ୍ତେ ବସି ଜଳଖିଆ ପ୍ରଭୃତି କରନ୍ତି । ଜାତି ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଛାତ୍ର ପଂକ୍ତିରେ ବସନ୍ତି ଭୋଜନ ବେଳେ ମଧ୍ୟ ଏହି ବ୍ୟବସ୍ଥା । ଛାତ୍ରମାନେ ପାଳି କରି ପରିବେଷଣ କରନ୍ତି । ଶୃଙ୍ଖଳା ସେମାନଙ୍କର ଏପରି ମଜ୍ଜାଗତ ହୋଇଥାଏ ଯେ, ଟିକିଏ ବି ପାଟିତୁଣ୍ଡ ବାସନ ଝଣଝାଣ ଶୁଣାଯାଏ ନାହିଁ । ଶିକ୍ଷକମାନଙ୍କ ଭିତରୁ କେତେଜଣ ପିଲାମାନଙ୍କ ଭିତରେ ବୁଲି ବୁଲି ସେମାନଙ୍କର ସୁବିଧା ଅସୁବିଧା ଦେଖନ୍ତି । ଶିକ୍ଷକ ଓ ଛାତ୍ରମାନଙ୍କ ଭୋଜନ ସାମଗ୍ରୀରେ ବିଭିନ୍ନତା କିମ୍ବା ଅସମାନତା କିଛି ନ ଥାଏ । ଛାତ୍ରମାନେ ଯାହା ଖାଇବେ, ଶିକ୍ଷକ ମାନେ ମଧ୍ୟ ସେଇଆ ଖାଇବେ ।

 

ଛାତ୍ରାବାସରେ ପ୍ରତିଦିନର ସନ୍ଧ୍ୟା ପ୍ରାର୍ଥନା ଅତ୍ୟନ୍ତ ମନୋରମ । ଶିକ୍ଷକମାନେ ଛାତ୍ରମାନଙ୍କ ସହିତ ସମସ୍ୱରରେ କଣ୍ଠକୁ କଣ୍ଠ ମିଳାଇ ପ୍ରାର୍ଥନା ସଙ୍ଗୀତ ଗାନ କରନ୍ତି । ସେହି ସଙ୍ଗୀତଗୁଡ଼ିକ ଅଧିକ ଭାବରେ ଭକ୍ତକବି ମଧୁସୂଦନଙ୍କର । ଏହାବ୍ୟତୀତ ବିଦ୍ୟାଳୟର ଶିକ୍ଷକମାନଙ୍କ ସଙ୍ଗୀତ ମଧ୍ୟ ଗାନ କରାଯାଏ । ପ୍ରାଣମୟ ସଙ୍ଗୀତର ମୂର୍ଚ୍ଛନାରେ ବକୁଳବନ ଉଲ୍ଲସି ଉଠେ । ହୃଦୟ ହୁଏ ପ୍ରେମାପ୍ଳୁତ, କଣ୍ଠ ହୁଏ ଗୀତିନିର୍ଝର, ପ୍ରାଣ ହୁଏ ଭକ୍ତିପୂର୍ଣ୍ଣ ପ୍ରେମମୟ ସାଗର ।

 

ଏହାପରେ ଶିକ୍ଷକମାନେ କିଛି ସମୟ ପାଇଁ ଧର୍ମାଲୋଚନା କରନ୍ତି । ବାଳସଭାରେ ମଧ୍ୟେ ମଧ୍ୟେ ନୀତିଗର୍ତ୍ତିତ ଭାଷଣ ଶିକ୍ଷକମାନେ ଦିଅନ୍ତି । ସେ ଭାଷଣଗୁଡ଼ିକ ଏପରି ସୁଚିନ୍ତିତ ଓ ମୂଲ୍ୟବାନ ଯେ, ତାହା ଛାତ୍ରମାନଙ୍କର ହୃଦ ସମ୍ପୁଟରେ ଚିରଦିନ ପାଇଁ ଅମୂଲ୍ୟ ବସ୍ତୁରୂପେ ସାଇତା ହୋଇ ରହିଯାଏ । ଜଗନ୍ନାଥଙ୍କ ସାନ୍ଧ୍ୟ ଆଳତୀ ଦେଖିବା ପାଇଁ ଯେପରି ବହୁ ଭକ୍ତଙ୍କର ସମାଗମ ଶ୍ରୀମନ୍ଦିରରେ ହୋଇଥାଏ, ସେପରି ସତ୍ୟବାଦୀ ବିଦ୍ୟାଳୟର ସନ୍ଧ୍ୟା ପ୍ରାର୍ଥନା ଦେଖିବାପାଇଁ ବହୁ ଆଗନ୍ତୁକ, ଅତିଥି, ବିଦେଶାଗତ ଦର୍ଶକ ଓ ପଡ଼ୋଶୀ ଗ୍ରାମୀଣମାନଙ୍କର ଭିଡ଼ ହୁଏ । କି ପ୍ରାଣପୂର୍ଣ୍ଣ ଆକର୍ଷଣୀ । ସତେ ଯେପରି ଛାତ୍ରାବାସ ଥିଲା ଦେବମନ୍ଦିର । ତାର ପବିତ୍ର ବାୟୁମଣ୍ଡଳ, ଗନ୍ଧାମୋଦିତ ପରିବେଶ ପ୍ରତ୍ୟେକ ପ୍ରାଣକୁ ବିମୋହିତ କରିବା ସହିତ ନିର୍ମଳ ଆନନ୍ଦ ପ୍ରଦାନ କରୁଥିଲା । ଆହା...ସେ ପ୍ରାର୍ଥନା ଭିତରେ ପ୍ରାଣର କି ବିକଳ ନିବେଦନ ଥିଲା...ଆଜି ତାହା ଗଲା କୁଆଡ଼େ ?

 

Unknown

ରାତ୍ର ୯ଟାବେଳେ ଘଣ୍ଟା ବାଜେ । ପିଲାଏ ଲଣ୍ଠନ ଲିଭାଇ ଶୋଇବାକୁ ଯାଆନ୍ତି, କିନ୍ତୁ ଶିକ୍ଷକଙ୍କ ଲଣ୍ଠନ ରାତ୍ରି ଅର୍ଦ୍ଧ ପର୍ଯ୍ୟନ୍ତ ଜଳୁଥାଏ–ସେମାନେ ବାଣୀ ଆରାଧନାରେ ଲାଗନ୍ତି ।

 

୧୯୨୫ ମସିହାବେଳକୁ ସତ୍ୟବାଦୀ ବନବିଦ୍ୟାଳୟ ଉନ୍ନତିର ଉଚ୍ଚତମ ସୋପାନରେ ଅଧିରୂଢ଼ ହୋଇ ସାରିଥିଲା । ସେତେବେଳେ ଏହାର ଛାତ୍ରସଂଖ୍ୟା ଥିଲା ୪୩୭ ଓ ସେଥିମଧ୍ୟରୁ ୩୧୭ ଜଣ ଛାତ୍ର ବିଦ୍ୟାଳୟର ଛାତ୍ରାବାସରେ ରହୁଥିଲେ । ସେତେବେଳେ ବିଦ୍ୟାଳୟରେ ଥିବା ଲାଇବ୍ରେରୀରେ ୧୧୫୦ ଖଣ୍ଡ ପୁସ୍ତକ ଥିଲା ଓ ପ୍ରତି ମାସରେ ଏହାର ପୁସ୍ତକ ସଂଖ୍ୟା ବଢ଼ୁଥିଲା । ଲାଇବ୍ରେରୀରେ ଥିବା ପୁସ୍ତକଗୁଡ଼ିକ ଅତି ଉପାଦେୟ ଓ ଉଚ୍ଚକୋଟୀର । ଏଥିରେ ଅନେକ ଦରକାରୀ ବିଜ୍ଞାନ ପୁସ୍ତକ ଥିଲା । ବିଜ୍ଞାନସମ୍ମତ ଜ୍ଞାନଦାନ ପାଇଁ ଏହା ଉଦ୍ଦିଷ୍ଟ । ଛାତ୍ର ଓ ଶିକ୍ଷକ ଏଥିରୁ ପୁସ୍ତକ ନେଉଥିଲେ ।

 

ସେତେବେଳେ ସ୍କୁଲରେ ପ୍ରାୟ ୧୪ ଜଣ ଶିକ୍ଷକ ଥିଲେ । ସେମାନଙ୍କ ମଧ୍ୟରୁ ସମସ୍ତଙ୍କର ସଂସ୍କୃତ ପ୍ରତି ଗଭୀର ଅନୁରାଗ ଥିଲା । ଛାତ୍ରାବାସରେ ୬ଟି ବ୍ଲକ ଥିଲା ଓ ଗୋଟିଏ, ସୁବିସ୍ତୃତ ଭୋଜନାଳୟ ସମସ୍ତଙ୍କ ପାଇଁ ସମୂହଭାବରେ ଥିଲା । ଆଚାର୍ଯ୍ୟ ମହାଶୟେ ଛାତ୍ରାବାସର ଚାଳକ । ରାତିରେ ଖଟ ଖଣ୍ଡେ ବାହାରେ ପକାଇ ଶୁଅନ୍ତି । କିଏ, ଝାଡ଼ାଯିବ, ପରିସ୍ରା କରି ଉଠିବ ତାକୁ ଉଠାଇ ବାହାରକୁ ନିଅନ୍ତି । ଏକାଧାରରେ ସେ ପିଲାଙ୍କ ବାପ ଓ ମା ।

 

ଛାତ୍ରାବାସରେ ପିଲାମାନେ ଛାତ୍ରାବାସକୁ ନିଜର ଘରଠାରୁ ବଳି ଭଲ ପାଉଥିଲେ । ଏଠାରେ ପ୍ରତ୍ୟେକ ପର୍ବଦିବସଗୁଡ଼ିକ ପ୍ରାୟ ପାଳିତ ହୁଏ । ପର୍ବମାନଙ୍କ ମଧ୍ୟରେ ଗଣେଶ ପୂଜା, ସରସ୍ୱତୀ ପୂଜା, ଗୋପାଷ୍ଟମୀ, ବିଦ୍ୟାଳୟ ପ୍ରତିଷ୍ଠା ଦିବସଗୁଡ଼ିକ ପ୍ରଧାନ ।

 

ଗଣେଶ ଓ ସରସ୍ୱତୀ ପୂଜା ପାଇଁ ଶିକ୍ଷାର୍ଥୀମାନଙ୍କର ପିତାମାତା ଭାଇ ଭଉଣୀମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଏ । ଗ୍ରାମର ଲୋକମାନେ ମଧ୍ୟ ନିମନ୍ତ୍ରିତ ହୁଅନ୍ତି । ସମସ୍ତେ ଛାତ୍ରମାନଙ୍କ ଗହଣରେ ନିଷ୍ଠାର ସହିତ ପୂଜାରେ ଯୋଗଦେଇ ପୁଷ୍ପାଞ୍ଜଳି ଅର୍ପଣ କରନ୍ତି । ଜାତିଧର୍ମ ନିର୍ବିଶେଷରେ ସମସ୍ତେ ଗୋଟିଏ ପଂକ୍ତିରେ ବସି ପ୍ରସାଦ ସେବନ କରନ୍ତି । ଆଚଣ୍ଡାଳ ବ୍ରାହ୍ମଣ ଏକତ୍ର ବସି ଭୋଜନ କରିବାର ଜଗନ୍ନାଥ ଧର୍ମ ପ୍ରତିଷ୍ଠିତ ହୁଏ । ବିଶ୍ୱ ଭ୍ରାତୃତ୍ୱ ପ୍ରତିଷ୍ଠିତ ହେବାରେ ଏହା ସାହାଯ୍ୟ କରେ । ମୂର୍ତ୍ତି ବିସର୍ଜନ ସମୟର ଦୃଶ୍ୟ ବିସ୍ମୟ ସୃଷ୍ଟି କରେ । ଶତାଧିକ ଛାତ୍ର, ଶିକ୍ଷକ ଗ୍ରାମୀଣ ବିରାଟ ଶୋଭାଯାତ୍ରାରେ ମୂର୍ତ୍ତି ନିଅନ୍ତି । ନୀଳକଣ୍ଠ, ଗୋଦାବରୀଶ ପ୍ରଭୃତିଙ୍କ ରଚିତ ସଂକୀର୍ତ୍ତନ ଓ ସ୍ତୋତ୍ର ସମସ୍ତେ ମତ୍ତହୋଇ ଗାନ କରି କରି ଚାଲିଥାନ୍ତି । ଗ୍ରାମବାସୀଙ୍କ ଭିତରେ ଅପୂର୍ବ ଉନ୍ମାଦନା । ସଂକୀର୍ତ୍ତନଗୁଡ଼ିକ ଜାତୀୟ ପ୍ରୀତି ଓ ବିଭୁପ୍ରୀତିରେ ରସାଳ । ନିମ୍ନରେ ନୀଳକଣ୍ଠଙ୍କ ଗୋଟିଏ ସଂକୀର୍ତ୍ତନ ଦିଆଗଲା । ଏହା ସତ୍ୟବାଦୀ ପ୍ରଥମ ଖଣ୍ଡ ପ୍ରଥମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ।

 

‘‘ଜୟ ଭାରତ ଜୟ ଭାରତ ରାଣୀ

ବ୍ରହ୍ମବିଳାସିନୀ ଜୟ ମା ବାଣୀ । (ଘୋଷା)

ଦୀକ୍ଷା କର ହେ କର୍ମର ମନ୍ତ୍ର

ଭେଦି ହୃଦୟ ଉଠୁ ସାଧନତନ୍ତ୍ର

ସତ୍ୟ ନିଷେବଣ କର୍ମର ପୂଜା ସାରସ୍ୱତ

ସେ ସାଧନ ନିଷ୍ଠା

ବ୍ରହ୍ମବିଦୀପିତ ଯଜ୍ଞେ ଲାଭ ହେ ଜଗତେ

ପ୍ରାଣ ପ୍ରତିଷ୍ଠା ।।

ତ୍ରିଭୁବନ ଶୁଣୁ ତବ ବେଦର ଗୀତ

ଉଠିବ ଉଜ୍ଜଳି ତବ ପୁଣ୍ୟ ଅତୀତ

ଜୟ ଭାରତ ଜୟ ।’’

 

ଗୋପବନ୍ଧୁଙ୍କ ଉଦ୍‌ବୋଧନ ସଙ୍ଗୀତ

* (ଶିଷ୍ୟମାନଙ୍କ ଗହଣରେ ସେ କଣ୍ଠକୁ କଣ୍ଠ ମିଳାଇ ଏ ଗୀତଟି ଗାଉଥିଲେ)

 

ଉଲ୍ଲସି ଉଠୁ ପ୍ରାଣରେ

ବାଜୁ ନିଗମ ଗାନରେ

ବ୍ରହ୍ମ ଜନନ ବୋଧନ ଧନ

ଭାରତୀ ତବ ନାମରେ ।

ଶତ ମୁଖ ଉଠୁ ଭାରତୀ ସତୀ

ବେଦ ଜନନୀ ଜୟ ଭଗବତୀ

କହ ଚିନ୍ମୟୀ ଭାବନାମୟୀ

ପ୍ରାଣ ପୁଲକ ତାନରେ ।

 

ଫୁଟୁ ଦିଶି ଦିଶି ସାଧନ ପଥ

ଜ୍ଞାନ କରମ ଫୁଟିଉଠୁ ଶତ

ପାବନ ତବ ଶାଶ୍ୱତ ଶିରୀ

ଦିଶୁ ବନ, ବିଲ, ଗ୍ରାମରେ

ଶୁଭ୍ର ମହତ ହିମଗିରି ଶିର

ଭରତ ଚିର ଜ୍ଞାନ ଧବଳ

ବ୍ରହ୍ମ ମନ୍ତ୍ର କର୍ମ ତନ୍ତ୍ର

ଉଠୁ ଭାରତ ଧାମରେ ।

 

* (କବି ଗୋଦାବରୀଶ ପୃଷ୍ଠା ୬)

ନିମ୍ନରେ ଆଉ ଗୋଟିଏ ‘‘ବିନାୟକ ସ୍ତୋତ୍ର’’ ଯାହାକି ସଂକୀର୍ତ୍ତନ ରୂପେ ପାଠ କରାଯାଉଥିଲା, ଦିଆଗଲା–

ଜୟ ଜୟ ସୁରପତି ବିଘ୍ନ ବିନାଶୀ

ଜୟ ହେ ଚିନ୍ମୟ ଭୁବନ ନିବାସୀ

ନବ ଶରଦେ ନବ ପୁଣ୍ୟ ବିକାଶେ

ବିହଗ ନିକୁଜିତ କାନନ ଦେଶେ

ଚାରୁ ଗଗନ ଛବି ସୁନ୍ଦର ଶସ୍ୟ

ତବ ଏ ସୁନ୍ଦର ଭାରତବର୍ଷ

ଆସ ପ୍ରଭୁ ବିଶ୍ୱ ବାନ ବିକାଶି ।

ବିଦ୍ୟାଳୟରେ ‘‘ପ୍ରତିଷ୍ଠା ଦିବସ’’ ପ୍ରତିବର୍ଷ ପାଳିତ ହୁଏ । ଏହା ଏକ ଉତ୍ସବମୁଖର ଦିବସ । ଏଥିରେ ଛାତ୍ର, ଶିକ୍ଷକ, ଅଭିଭାବକ, ବିଶିଷ୍ଟ ଅତିଥି ଓ ଗ୍ରାମବାସୀ ଯୋଗ ଦିଅନ୍ତି । ସମସ୍ତଙ୍କର ସମ୍ମେଳନରେ ଗୋଟିଏ ସଭା ହୁଏ । ସେଥିରେ ଜାତୀୟଭାବାପନ୍ନ ସଙ୍ଗୀତ ଓ ଭକ୍ତିସଙ୍ଗୀତ କୀର୍ତ୍ତନ କରାଯାଏ । ସେତେବେଳର ବାତାବରଣ ପ୍ରକୃତରେ ଉଦ୍ଦୀପନାମୟ । ଭକ୍ତି ସଙ୍ଗୀତର ଗୋଟିଏ ନମୁନା ତଳେ ଦିଆଗଲା–

‘‘ଖିଳ ସେ ନିୟମର ମାନବମାନେ

ବିଶ୍ୱ -ବିଭବ ଗଣି କାଳ ବିଧାନେ

ସମ୍ପଦେ ବିପଦେ ନ ଭୁଲି ତବ ପଦେ

ଉତ୍ସବ କରୁ ବିଭୁ ନବ ବରଷେ

ଦେଇଚ ବିଭୁ ବହୁ ବିପଦ ପରୀକ୍ଷା

ତୁମ୍ଭରି ମଣୁ ସବୁ ସମ୍ପଦ ଦୀକ୍ଷା

ତବ ସେ ଲୀଳା କରୁ ହେ ଖେଳା

ଶିଶୁ ହୃଦ ସୁସରଳ ଭକ୍ତିରସେ ।’’

 

ଛାତ୍ରାବାସଟି ଅନ୍ୟ ପକ୍ଷରେ ଥିଲା ସେତେବେଳେର ଏକ ସେବାକେନ୍ଦ୍ର । ପୁରୀର ରଥଯାତ୍ରାବେଳେ ଏଠାରୁ ଛାତ୍ରମାନେ ଯାଇ ଯାତ୍ରୀମାନଙ୍କର ସେବା କରୁଥିଲେ । ସ୍ୱାସ୍ଥ୍ୟରକ୍ଷା, ରୋଗୀସେବା, ଅନାଥ ଲୋକ ମୃତ୍ୟୁମୁଖରେ ପଡ଼ିଲେ ଶିକ୍ଷକମାନଙ୍କ ସହିତ ଶବ ସଂସ୍କାର ପ୍ରଭୃତି କରୁଥିଲେ । ଯାତ୍ରୀମାନଙ୍କ ଗହଣରେ ବୁଲି ବୁଲି ସେମାନଙ୍କର ସୁବିଧା ଅସୁବିଧା ଦେଖିବା, ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବା, କୌଣସି ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ଦେବା ଏମାନଙ୍କର କାର୍ଯ୍ୟ ଥିଲା ।

 

ଯେତେବେଳେ ବନ୍ୟା ଦାଉରୁ ଶହ ଶହ ଗାଁ ଗଣ୍ଡା ଭାସିଯାଏ, ଲୋକମାନେ, ଗାଈଗୋରୁ, ମେଣ୍ଢା, ଆସବାବପତ୍ର ପ୍ରଭୃତି ଭାସିଯା’ନ୍ତି ସେତେବେଳର ହୃଦୟବିଦାରକ ଦୃଶ୍ୟ ପ୍ରକୃତରେ ମର୍ମପୀଡ଼କ । ସେହି ଅସମୟରେ ଦୁର୍ଭାଗ୍ୟଗ୍ରସ୍ତ ଲୋକମାନଙ୍କ ମଧ୍ୟରେ ଏହି ଛାତ୍ର ଓ ଶିକ୍ଷକମାନେ ପ୍ରାଣର ଏକାନ୍ତ ବନ୍ଧ ପରି ବୁଲି ବୁଲି ଚୁଡ଼ା ଚାଉଳ ବାଣ୍ଟନ୍ତି । ଧୋତି କମ୍ବଳ ବାଣ୍ଟନ୍ତି । ରୋଗଗ୍ରସ୍ତର ସେବା କରନ୍ତି । ହଇଜା ମହାମାରୀ ଓ ସଂକ୍ରାମକ ରୋଗରୁ ଳୋକଙ୍କୁ ମୁକ୍ତ କରିବାକୁ ଔଷଧ ପ୍ରଭୃତି ବାଣ୍ଟନ୍ତି । ଶୋକାର୍ତ୍ତକୁ ଆଶ୍ୱାସନ ଦିଅନ୍ତି, ଦୁଃଖାର୍ତ୍ତକୁ ଦୟା ଦେଖାନ୍ତି, କ୍ଷୁଧାର୍ତ୍ତକୁ ଅନ୍ନଦାନ କରନ୍ତି, ତୃଷାର୍ତ୍ତକୁ ଜଳ ଦାନ କରନ୍ତି । ସେତେବେଳେ ସେମାନେ ସାକ୍ଷାତ ଦେବଶିଶୁ ପରି ଆର୍ତ୍ତ ବୁଭୁକ୍ଷୁର ସେବା କରନ୍ତି । କି କରୁଣ ! କୋମଳ ମୁର୍ତ୍ତି ସେମାନଙ୍କର ।

 

ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳରେ ସେମାନେ ବୁଲି ବୁଲି ଅନାହାରକ୍ଳିଷ୍ଟ ଜନତା ମଧ୍ୟରେ ଖାଦ୍ୟଦ୍ରବ୍ୟ ବଣ୍ଟନ କରନ୍ତି । ଅନଛତ୍ର, ଜଳଛତ୍ର ଖୋଲି ଲୋକଙ୍କୁ ସାହାଯ୍ୟ କରନ୍ତି । ସେମାନଙ୍କ ସେବାରେ କେତେ ଶିଶୁ, ମହିଳା, ସର୍ବହରା ଜୀବନର କରୁଣାପୂର୍ଣ୍ଣ ଆଶୀର୍ବାଦ ଲାଭ କରନ୍ତି ।

 

ବନ୍ୟା ଦୁର୍ଭିକ୍ଷ ସମୟ ବ୍ୟତୀତ ଅନ୍ୟ ସମୟରେ ସେମାନେ ସଂସ୍କାରମୂଳକ କାର୍ଯ୍ୟରେ ସେମାନଙ୍କର ପିତୃପ୍ରତିମ ଶିକ୍ଷକମାନଙ୍କୁ ସାହାଯ୍ୟ କରନ୍ତି । ଅନାଥ ଶିଶୁମାନଙ୍କର ରକ୍ଷଣାବେକ୍ଷଣ, ପତିତା ଉଦ୍ଧାର, ଅସ୍ପୃଶ୍ୟତା ନିବାରଣ, ସାକ୍ଷରତା କାର୍ଯ୍ୟକ୍ରମ, ଗ୍ରାମମଙ୍ଗଳ କାର୍ଯ୍ୟକ୍ରମ ପ୍ରଭୃତିରେ ମନୋନିବେଶ କରୁଥିଲେ । ଶିକ୍ଷକମାନଙ୍କ ପରି ସେମାନେ ଥିଲେ ସେବାର ଅବତାର । ଉତ୍କଳ ସମ୍ମିଳନୀବେଳେ ସେମାନେ ସ୍ୱେଚ୍ଛାସେବକରୂପେ କାମ କରୁଥିଲେ । ଆଜି ବିଦ୍ୟାଳୟମାନଙ୍କରେ ସେ ଛାତ୍ରାବାସ ନାହିଁ, ସେ ଶିକ୍ଷକ ନାହାନ୍ତି....ସେ ଛାତ୍ର ଓ ଅଭିଭାବକ ନାହାନ୍ତି; କିନ୍ତୁ ସମସ୍ତେ ଅଛନ୍ତି ଅନ୍ୟ ରୂପରେ । ନୈତିକତାର କୈନ୍ଦ୍ରିକ ଚାପରୁ ସମସ୍ତେ ଦୂରରେ ଅଛନ୍ତି । ଆଧ୍ୟାତ୍ମିକ ଭାବର ଅଧୋପତନ ହୋଇଛି । ଆଜି ପ୍ରତ୍ୟେକେ ସ୍ୱାର୍ଥାନ୍ଧ...ମୋହାଚ୍ଛନ୍ନ । ଆଜି ବି ସମୟ ଯାଇନି-। ସେଇ ପୂର୍ବ ସାହସ, କର୍ତ୍ତବ୍ୟଜ୍ଞାନ ଓ ମହନୀୟତାର ପୂଜାଦ୍ୱାରା ଅତୀତକୁ ଫେରି ପାଇବା, କାରଣ ଅତୀତ ହିଁ ଆଜିର ବର୍ତ୍ତମାନ ଭିତରେ ସୁପ୍ତ ଏବଂ ଭବିଷ୍ୟତ ହିଁ ବର୍ତ୍ତମାନର ଗର୍ଭରେ ପରିପାଳିତ । ଏଇ ଅବସରରେ ‘‘ଥିଓଡ଼ର୍‌’’ଙ୍କ ପଦିଏ କଥା ମନେ ପଡ଼େ ।

 

“If we are to be really great people, we must strive in good faith to play a great part in the world.”

 

ଆମେ ଯଦି ପ୍ରକୃତରେ ବଡ଼ ହେବାକୁ ଇଚ୍ଛା କରୁ, ତେବେ ବିଶ୍ୱରେ ଏକ ମହନୀୟ ଭୂମିରେ ଅବତୀର୍ଣ୍ଣ ହେବାପାଇଁ ବିଶ୍ୱାସବଦ୍ଧ ହେବା ଉଚିତ ।

 

ସତରେ ବର୍ଷର ସାର୍ଥକ ଅଭିନୟ ପରେ ସତ୍ୟବାଦୀ ରଙ୍ଗମଞ୍ଚରେ ଯବନିକା ପଡ଼ିଲା, ତାହା ବହୁ ଚେଷ୍ଟା ସତ୍ତ୍ୱେ ଆଉ ଉଠିଲା ନାହିଁ । ୧୯୨୬ ସାଲ ଓଡ଼ିଶା ଇତିହାସର ଏକ ଅନ୍ଧକାରମୟ ବର୍ଷ । ତାରି କରାଳ କୃଷ୍ଣ ଗର୍ଭରେ ସତ୍ୟବାଦୀ ବିଦ୍ୟାଳୟରୂପକ ଯୁଗଦୀପର ଦୀପ୍ତ ଝଳକ ଲିଭିଗଲା । ଗୋପବନ୍ଧୁ ଯେପରି କ୍ଷଣଜନ୍ମା ଥିଲେ, ତାଙ୍କର ସାରସ୍ୱତ ପୀଠ ମଧ୍ୟ ସେଇପରି ଥିଲା କ୍ଷଣସ୍ଥାୟୀ । ଜୀବନକୁ ଯଦି ବର୍ଷ, ମାସ, ଦିନର ମାନଦଣ୍ଡରେ ମପାଯିବାର ନୁହେଁ, ତେବେ ଗୋପବନ୍ଧୁ ଥିଲେ ଯୁଗପୁରୁଷ ଓ ସତ୍ୟବାଦୀ ବିଦ୍ୟାଳୟ ଥିଲା ଯୁଗଜ୍ୟୋତି । ଏ ଜାତି ବଞ୍ଚିଥିବା ପର୍ଯ୍ୟନ୍ତ ସେ ଅନନ୍ତ କାଳଗର୍ଭରୁ ତାର ପ୍ରେରଣା ଦେବ । ତାର ଆଲୋକ ଦେବ ।

 

୧୯୦୯ ମସିହାରୁ ୧୯୨୧ ମସିହା ପର୍ଯ୍ୟନ୍ତ ସୁନ୍ଦର ଭାବରେ ବିଦ୍ୟାଳୟଟି ଚଳିତଥିଲା । ତାପରେ ଏହା ଜାତୀୟ ବିଦ୍ୟାଳୟରେ ପରିଣତ ହେଲା । ବିଶ୍ୱବିଦ୍ୟାଳୟର କଠୋର ସର୍ତ୍ତ ପାଳିତ ହୋଇ ନ ପାରିବାରୁ ସମର୍ଥନ ଓ ମଞ୍ଜରୀ ମିଳିଲା ନାହିଁ । ଫଳରେ ଛାତ୍ରମାନେ ଭବିଷ୍ୟତର ଅନିଶ୍ଚିତତା ଦୃଷ୍ଟିରୁ ବ୍ୟସ୍ତ ହୋଇ ଉଠିଲେ ଓ ପରେ ପରେ ଛାତ୍ରସଂଖ୍ୟା କମିଗଲା ଓ ୧୯୨୬ରେ ଶେଷ ଯବନିକା ପଡ଼ିଲା ।

 

ମିଥ୍ୟାବାଦୀର ସତ୍ୟବାଦୀ

 

ଓଡ଼ିଶା ଚିରଦିନ ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷର ଦେଶ । ଚିରଦିନ ପାଇଁ ଏହା ଅଭିଶପ୍ତ ଓ ଏହାର ଦୁଃଖ ଦୁର୍ଗତିର ଅନ୍ତ ନାହିଁ । ୧୮୮୬ର ଭୟାବହ ନ’ଅଙ୍କ ଦୁର୍ଭିକ୍ଷ ପରଠାରୁ ପ୍ରାୟ ପ୍ରତି ବର୍ଷ କିମ୍ବା ମଝିରେ ବର୍ଷେ ଅଧେ ଛାଡ଼ି ସେଇ ତାଣ୍ଡବ ଲୀଳା ଘଟୁଥାଏ । ଗୋପବନ୍ଧୁ ତାଙ୍କର ସାଥୀମାନଙ୍କୁ ନେଇ ଦୁର୍ଭିକ୍ଷ ଅଞ୍ଚଳରେ କାମ କରୁଥାନ୍ତି ।

 

ଗୋପବନ୍ଧୁ ଦେଖିଲେ ଲେଖନୀର ବିନା ସାହାଯ୍ୟରେ ବିପ୍ଳବର ପ୍ରଚାର କରାଯାଇ ପାରେ ନାହିଁ । ଫରାସି ବିପ୍ଳବକୁ ଯଦି ସଫଳ କରାଯାଇ ପାରିଲା, ତା’ହେଲେ ସେ ସଫଳତାର ଗୌରବ ବହନ କରିବେ ସେ ସମୟର ଲେଖକମାନେ । ସାହିତ୍ୟକୁ ଦୂରରେ ରଖି ରାଜନୀତି, ଦେଶସେବା, ବିପ୍ଳବ କିଛି କରାଯାଇ ପାରିବ ନାହିଁ । ଶିକ୍ଷାର ପ୍ରସାର ସମ୍ପୂର୍ଣ୍ଣ ଅସମ୍ଭବ । ସେଥିପାଇଁ ସେ ବହୁନରୁ ସ୍ୱପ୍ନ ଦେଖୁଥିଲେ ଗୋଟିଏ ସାହିତ୍ୟ ପତ୍ରିକା ପ୍ରକାଶ କରିବାକୁ । ସେ ପତ୍ରିକା ମାଧ୍ୟମରେ ସେ ନିର୍ଭୀକ ଭାବରେ ନିଜର ମନୋଭାବ ପ୍ରକାଶ କରିବେ । ତାଙ୍କର ସୁଧୀ ଶିକ୍ଷକମାନଙ୍କର ମହନୀୟ ଚିନ୍ତାର ପରିପ୍ରକାଶ ଘଟିବ । ଯେଉଁ ଛାତ୍ରମାନଙ୍କୁ ଭବିଷ୍ୟତର ରୂପକାର ରୂପେ ଗଢ଼ିଛନ୍ତି, ସେମାନଙ୍କର ଆବେଗର ଆତ୍ମପ୍ରକାଶ ହେବ ।

 

ଗୋପବନ୍ଧୁ ଯେତେବେଳେ ବିହାର-ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ, ସେତେବେଳେ ଓଡ଼ିଶାର ଚରମ ଦୁର୍ଗତିର ଚିତ୍ର ସେଠାରେ ଉତ୍‌ଥାପନ କରି ଚହଳ ପକାଉଥିଲେ । ଇଂରେଜ ସରକାର ସେ ଚମକପ୍ରଦ ଲୋମହର୍ଷଣକାରୀ ବର୍ଣ୍ଣନାରେ ବିଚଳିତ ହୋଇପଡ଼ୁଥିଲା । ସେମାନେ ଜାଣୁଥିଲେ ବିଦ୍ରୋହର ମର୍ମବାଣୀ କିପରି ଭାବରେ ପ୍ରକାଶିତ ହେବାକୁ ଯାଉଛି । ଏହି ଅଗ୍ନିମୟୀ ବାଣୀର ଅଗ୍ନିଝଲକୁ ଲିଭାଯାଇ ନ ପାରିଲେ ସମୟ ଆସିବ ଯେତେବେଳେ ଏହା ବ୍ରିଟିଶ ଶାସନ ସଂସ୍ଥାକୁ ଏଇ ମାଟିରେ, ପାଉଁଶରେ ପରିଣତ କରିଦେବ ।

ସେତେବେଳର ପୁରୀ ଜିଲ୍ଲାର ମାଜିଷ୍ଟ୍ରେଟ୍‌ ଗୋପବନ୍ଧୁଙ୍କ ନିଭୀକ ବାସ୍ତବ ଉକ୍ତିରେ ଏତେ ବିଚଳିତ ହୋଇପଡ଼ିଥିଲେ ଯେ, ନିଜର ପଦବୀର ସୁରକ୍ଷା ପାଇଁ ବିପଦ ଘନେଇ ଆସୁଥିବାର ଅନୁଭବ କରୁଥିଲେ । ସେ ଥରେ ମତପ୍ରକାଶ କରିଥିଲେ ଯେ, ‘‘ପୁରୀଜିଲ୍ଲାରେ ଦୁଇଟି ପ୍ରଧାନ ସମସ୍ୟା ରହିଛି, ଗୋଟିଏ ହେଉଛି ଦୁର୍ଭିକ୍ଷ ଓ ଅନ୍ୟଟି ହେଉଛି ଗୋପବନ୍ଧୁ ଦାସ’’ । ସେ ଥିଲେ ସେତେବେଳର ଶାସକମାନଙ୍କ ପାଇଁ ଧୂମକେତୁ ଓ ଓଡ଼ିଶାର ଦୁର୍ଗତ ଜନତା ପ୍ରତି ପ୍ରୀତି ଧ୍ରୁବ ତାରା ।

ବିହାର-ଓଡ଼ିଶାର ଛୋଟ ଛୋଟ ଲାଟ ଥିଲେ ଗେଟେ ସାହେବ ଓ କମିଶନର ଥିଲେ ଗ୍ରୁନିଂ ସାହେବ । ଛୋଟ ଲାଟ ସ୍ୱଚକ୍ଷୁରେ ଦୁର୍ଭିକ୍ଷର କରାଳ ଚିତ୍ର ଦେଖିଯିବା ପାଇଁ ଓ ସରକାରଙ୍କ ତରଫରୁ ଦୁର୍ଭିକ୍ଷ ଘୋଷଣା କରାଯିବ କି ନାହିଁ ସ୍ଥିର କରିବା ପାଇଁ ଓଡ଼ିଶା ଆସିବାକୁ ଗୋପବନ୍ଧୁଙ୍କ ଦାବୀ କ୍ରମେ ଆଦେଶପ୍ରାପ୍ତ ହୋଇଥିଲେ । ଗ୍ରୁନିଂ ସାହେବ ବହୁବାର ବ୍ୟବସ୍ଥା ସଭାରେ ଗୋପବନ୍ଧୁଙ୍କୁ ଜଣେ ମିଥ୍ୟାବାଦୀ ବୋଲି ପ୍ରମାଣ କରାଇବାକୁ ଚେଷ୍ଟା କରି ସଫଳ ହୋଇଥିଲେ । ଏଥର ମଧ୍ୟ ଏହା ଭଣ୍ଡୁର କରିବାକୁ ଚେଷ୍ଟା କରି ବିଫଳ ହେଲେ ଓ ଗୋପବନ୍ଧୁଙ୍କ ପ୍ରକାଶିତ ତଥ୍ୟ ଅତିରଞ୍ଜନ ସ୍ପର୍ଶ କରିନାହିଁ ବୋଲି ପ୍ରମାଣିତ ହେଲା ।

ସରକାରଙ୍କ ଚକ୍ଷୁରେ ମିଥ୍ୟାବାଦୀ ଓ ଜନତାର ପ୍ରାଣରେ ସତ୍ୟବାଦୀ ଲୋକବନ୍ଧୁ ଗୋପବନ୍ଧୁ ତାଙ୍କର ନିର୍ଭୀକ ଚିନ୍ତାର ପରିପ୍ରଚାର ପାଇଁ ୧୯୧୪ ମସିହାରେ ସତ୍ୟବାଦୀ ପତ୍ରିକା ପ୍ରକାଶ କଲେ ।

‘‘ସତ୍ୟବାଦୀ’’ ପତ୍ରିକା ଜାତୀୟଭାବଦ୍ୟୋତକ ସମାଜବାଦୀ ଗଭୀର ମନନଶୀଳ ପତ୍ରିକା । ଏଥିରେ ଅତି ଉଚ୍ଚକୋଟିର ଲେଖା ପ୍ରକାଶ ପାଉଥିଲା । ଓଡ଼ିଶାର ଅତ୍ୟନ୍ତ ଚିନ୍ତାଶୀଳ ମହାନ ମନୀଷୀମାନଙ୍କ ଲେଖନୀର ଆଶୀର୍ବାଦ ନେଇ ଏହି ପରିପୁଷ୍ଟ ହେଉଥିଲା । ଏଥିରେ ମୁଖ୍ୟତଃ ବନବିଦ୍ୟାଳୟର ଶିକ୍ଷକମାନେ ଓ ଛାତ୍ରମାନେ ଚିନ୍ତାଶୀଳ ପ୍ରବନ୍ଧ ଓ ଆଲୋଚନା ଲେଖୁଥିଲେ । ଏହା ଦୁଇ ଭାଗରେ ବିଭକ୍ତ ଥିଲା । ସାଧାରଣ ବିଭାଗ ଶିକ୍ଷକ ଓ ଅନ୍ୟମାନଙ୍କ ପାଇଁ ଏବଂ ଶିଶୁ ବିଭାଗ ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଶିଶୁମାନଙ୍କ ମଧ୍ୟରେ କଳାର ଆକର୍ଷଣ ପାଇଁ ଏହା ଥିଲା ଏକ ଅପୂର୍ବ ସୁଯୋଗର ମାଧ୍ୟମ । କବି ଗୋଦାବରୀଶ ମହାପାତ୍ର (ନିଆଁ ଖୁଣ୍ଟା), ଚନ୍ଦ୍ରଶେଖର ମହାପାତ୍ର, ଚିନ୍ତାମଣି ଦାସ, ସଦାଶିବ ମିଶ୍ର ପ୍ରଭୃତି ଏହାର କୃତି ଛାତ୍ର ଥିଲେ । ସେମାନଙ୍କର ଅତି ଉପାଦେୟ ଲେଖାସବୁ ସତ୍ୟବାଦୀ ପତ୍ରିକାରେ ପ୍ରକାଶିତ ହେଉଥିଲା । ଓଡ଼ିଆ ସାହିତ୍ୟରେ ସେମାନେ ଯେ ଦିନେ ଗୋଟିଏ ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର ରୂପେ ଉଦ୍ଭାସିତ ହେବେ, ତାର ସୂଚନା ସେଇଦିନରୁ ମିଳୁଥିଲା ।

 

ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ ଓ ହରିହର ତାଙ୍କର ଲେଖନୀ ଏହି ପତ୍ରିକା ମାଧ୍ୟମରେ ଚଳାଇ ଉନ୍ନତ ସାହିତ୍ୟ ସୃଷ୍ଟି କରିଥିଲେ । ସାମାଜିକ ସଂସ୍କାର ପାଇଁ ପଥ ସୁଗମ ହୋଇ ପାରିଥିଲା । ଲୋକଶିକ୍ଷା, ନାରୀଶିକ୍ଷା, ନୀତିଶିକ୍ଷା, ସାମାଜିକ ଶିକ୍ଷା ପ୍ରଭୃତି ଦିଗରେ ଏମାନେ ସୁଚିନ୍ତିତ ପ୍ରବନ୍ଧାବଳି ଲେଖି ଜନମାନସକୁ ପ୍ରଭାବିତ କରୁଥିଲେ ।

 

ଏଥିରେ ଗଳ୍ପ ପ୍ରଭୃତି ପ୍ରକାଶିତ ହେଉ ନଥିବାରୁ ସାଧାରଣ ପାଠକମାନେ ବିଶେଷ ଆଗ୍ରହ ପୋଷଣ କରୁ ନ ଥିଲେ । ସେଥିପାଇଁ ଥରେ ଗୋପବନ୍ଧୁ ଓଡ଼ିଶାର ପ୍ରଖ୍ୟାତ ଗଳ୍ପସ୍ରଷ୍ଟା ଫକୀରମୋହନଙ୍କୁ ଏଥିରେ ଗଳ୍ପ ଲେଖିବାପାଇଁ ପରାମର୍ଶ ଓ ଅନୁରୋଧ କରିଥିଲେ । କିନ୍ତୁ ସତ୍ୟବାଦୀ ପତ୍ରିକା ଏତେ ଉଚ୍ଚଚିନ୍ତାର ବାହାକ ଥିଲା ଯେ, ଫକୀରମୋହନ ସେଥିରେ ଗଳ୍ପର ବାତାବରଣ ସୃଷ୍ଟି କରି ତାକୁ ଲଘୁ କରିଦେବାକୁ ଚାହିଁ ନଥିଲେ ।

 

କବି ଗୋଦାବରୀଶ ସତ୍ୟବାଦୀରେ ଚାରୋଟି ପର୍ଯ୍ୟାୟରେ ଧାରାବାହିକଭାବରେ ଲେଖୁଥିଲେ । ସେଗୁଡ଼ିକ ହେଲା, ‘‘ପଲ୍ଲୀ ପ୍ରସଙ୍ଗ, ସତ୍ୟବାଦୀର ପତ୍ର, ଧନ, ଶରୀରଭେଦ ଓ ସ୍ୱାସ୍ଥ୍ୟ ।’’

 

ପଲ୍ଲୀପ୍ରସଙ୍ଗ : ଏହା ସତ୍ୟବାଦୀ ପତ୍ରିକାର ଆଲୋଚନା ବିଭାଗ । ତଥାକଥିତ ଶିକ୍ଷିତ ଯୁବକଯୁବତୀଗଣ ପଲ୍ଲୀ ଜୀବନପ୍ରତି ବିମୁଖ ହୋଇ ସହର ସଭ୍ୟତାପ୍ରତି ଅତ୍ୟଧିକ ପରିମାଣରେ ଆକର୍ଷିତ ହେଉଥିବାରୁ ସେମାନଙ୍କ ମନକୁ ପଲ୍ଲୀମୁଖୀ କରାଇବା ଏ ବିଭାଗର ପ୍ରଧାନ ଆଲୋଚନାର ବିଷୟ ଥିଲା । ପଲ୍ଳୀ ଜୀବନର ବିକାଶ, ସାମାଜିକ ଜୀବନର ଉନ୍ନତି, ସାମାଜିକ ଶୃଙ୍ଖଳା ଓ ପଲ୍ଲୀ ସ୍ୱାସ୍ଥ୍ୟ ବିଷୟରେ ଏଥିରେ ପ୍ରାଞ୍ଜଳଭାବରେ ଆଲୋଚନା ହେଉଥିଲା ।

 

ସତ୍ୟବାଦୀର ପତ୍ର : ପତ୍ରିକାର ଏହି ବିଭାଗରେ; ଗୋଦାବରୀଶ କଲିକତାରୁ ଲେଖୁଥିବା ପତ୍ରଗୁଡ଼ିକ ପ୍ରକାଶ ପାଉଥିଲା । ଏଥିରେ ଲୋକାଚାର, ଜାତୀୟତା, ସ୍ୱଦେଶୀ ବସ୍ତ୍ର ବ୍ୟବହାରର ଉପକାରିତା, ବିଦେଶୀ ବର୍ଜନ, ଧୂମପାନର ଅପକାରିତା ପ୍ରଭୃତି ବିଷୟରେ ଅତି ସରଳ ଓ ପ୍ରାଞ୍ଜଳଭାବରେ ଆଲୋଚନା କରାଯାଉଥିଲା ।

 

ଧନ : ପତ୍ରିକାର ଏହି ବିଭାଗରେ ଗୋଦାବରୀଶ ବହୁ ଚିନ୍ତାମୂଳକ ତଥ୍ୟପୂର୍ଣ୍ଣ ପ୍ରବନ୍ଧ ଲେଖୁଥିଲେ । ଧନ କାହାକୁ କୁହାଯାଏ, ଏହାର ସଦୁପଯୋଗ, ଧନର ଅପବ୍ୟବହାର, ଜୀବନରେ ଧନର ଆବଶ୍ୟକତା, ସମାଜ ଜୀବନରେ ଧନର ସ୍ଥାନ, ଧନ ସଞ୍ଚୟ ପ୍ରଭୃତି ବିଷୟରେ ସେ କେତୋଟି ତଥ୍ୟପୂର୍ଣ୍ଣ ପ୍ରବନ୍ଧ ଲେଖିଥିଲେ । ଏହାର ଚିରନ୍ତନ ମୂଲ୍ୟ କାଳ କାଳକୁ ରହିବ ।

 

ଶରୀରଭେଦ ଓ ସ୍ୱାସ୍ଥ୍ୟ : ଏ ବିଭାଗଟିରେ ସ୍ୱାସ୍ଥ୍ୟନୀତି ଓ ଶରୀରତତ୍ତ୍ୱ ବିଷୟରେ ସେ ଆଲୋଚନା କରୁଥିଲେ । ମଣିଷକୁ ସେ ତିନି ଶ୍ରେଣୀରେ ବିଭକ୍ତ କରି ଆଲୋଚନା ସୂତ୍ର ବଢ଼ାଇଥିଲେ । ୧–ମାଂସାହାରୀ, ୨–ନିରାମିଷାଶୀ, ୩–ଉଭୟ ଭୋଜୀ । ଏହା ତିନି ଶ୍ରେଣୀର ଲୋକମାନଙ୍କର ପ୍ରକୃତ, ଚରିତ୍ର, ଗୁଣ, ବ୍ୟବହାର, ମାନସିକ ଆବେଗ, ଶାରୀରିକ ପ୍ରବଣତା ଓ ରୁଚି ପ୍ରଭୃତି ବିଷୟରେ ଗଭୀର ମନନଶୀଳ ପ୍ରବନ୍ଧ ରଚନା କରିଥିଲେ । ଏତିପାଇଁ ତାଙ୍କୁ ବହୁ ପୁସ୍ତକ ପାଠ କରିବାକୁ ପଡ଼ିଥିଲା । ତାଙ୍କର ଅନୁବାଦ – ନେପୋଲିଅନ ଓ ୱାସିଂଟନ୍‍ଙ୍କ ଜୀବନୀ ଅତି ଉପାଦେୟ ।

 

ସତ୍ୟବାଦୀ ପତ୍ରିକାରେ ନୀଳକଣ୍ଠଙ୍କର ସମାଲୋଚନାମୂଳକ ପ୍ରବନ୍ଧ ଓ ଚିନ୍ତାମୂଳକ ପ୍ରବନ୍ଧ ଅତି ଉପାଦେୟ । ତାଙ୍କର ଲାବଣ୍ୟବତୀର ସମାଲୋଚନା, ଗୁରୁଶିଷ୍ୟ, ଆର୍ଯ୍ୟଜୀବନ, ବାଣୀବନ୍ଦନା ପ୍ରଭୃତି ଉଲ୍ଲେଖଯୋଗ୍ୟ । ଆଚାର୍ଯ୍ୟ ହରିହରଙ୍କ ଗୀତା ଉପନିଷଦର ଅନୁବାଦ ଅତି ମୂଲ୍ୟବାନ ।

 

ଏଥିରେ ବହୁ ପ୍ରବନ୍ଧ କବିତା, ଅନୁବାଦ, ଇତିହାସର ବିଷୟବସ୍ତୁ ଓ ଦାର୍ଶନିକ ଭାବପୂର୍ଣ୍ଣ ନିବନ୍ଧସମୂହ ପ୍ରକାଶ ହେଉଥିଲା । ଗୋଦାବରୀଶ କୀଟସ, ବାଇରନ୍‌, ସେକ୍‌ସପିଅର ପ୍ରଭୃତି ଲେଖକମାନଙ୍କର ଲେଖାକୁ ଓଡ଼ିଆରେ ଅନୁବାଦ କରି ଉପସ୍ଥାପନ କରୁଥିଲେ ।

 

ଗୋପବନ୍ଧୁ ଭାରତ ତଥା ଓଡ଼ିଶାର ଜାତୀୟ ଜୀବନର ଘଡ଼ିସନ୍ଧି ସମୟରେ ତାଙ୍କରି ଲେଖନୀ ଚାଳନା କରିଥିଲେ । ସତ୍ୟବାଦୀ ଥିଲା ତାଙ୍କର ସାହିତ୍ୟକ ଉଚ୍ଛ୍ୱାସର ପରିପ୍ରକାଶ ଓ ପରେ ସମାଜ ପତ୍ରିକା ହେଲା ତାଙ୍କ ରାଜନୈତିକ ଜୀବନର ଆୟୁଧ । ତାଙ୍କର ଚିନ୍ତାଶୀଳ ଲେଖା ଆଲୋଚନା ପ୍ରଭୃତି ସତ୍ୟବାଦୀରେ ପ୍ରକାଶ ପାଉଥିଲା । ସତ୍ୟବାଦୀ ପତ୍ରିକାର ପ୍ରଥମ ବର୍ଷ ପ୍ରଥମ ସଂଖ୍ୟାରେ ସେ ଓଡ଼ିଆ ଭାଷାର ବିକାଶ ବିଷୟରେ ଆଲୋଚନା କରିଥିଲେ । ତାଙ୍କ ମତରେ ଜାତିକୁ ଗଢ଼ିବା ପାଇଁ ଓଡ଼ିଆ ସାହିତ୍ୟର ଉନ୍ନତି, ଏକାନ୍ତ ଆବଶ୍ୟକ । ଏଥିପାଇଁ ବିଶ୍ୱ ସାହିତ୍ୟର ଅମୂଲ୍ୟ ଭାବରାଜି ଓଡ଼ିଆ ସାହିତ୍ୟ ଭିତରେ ରୂପାୟିତ ହେବା ଦରକାର । ତାଙ୍କରି ଭାଷାରେ କହିବାକୁ ଗଲେ–

 

‘‘ଉତ୍କଳ ଭୂମିକୁ ବିଶ୍ୱଭାବରେ ଅନୁପ୍ରାଣିତ କରି ଓଡ଼ିଆମାନଙ୍କ ଜାତୀୟ ଜୀବନ ଗଢ଼ିବାକୁ ହେଲେ ଓଡ଼ିଆ ଭାଷା ମୁଖରେ ବିଶ୍ୱଭାବରାଶିର ପ୍ରକାଶ କରାଇବାକୁ ହେବ । ଭିନ୍ନ ଭିନ୍ନ ଦେଶ ଓ ଦେଶମାନଙ୍କରେ ବିଭିନ୍ନ ସମୟରେ ମାନବ ଚିନ୍ତା ଯେ ସମସ୍ତ ସତ୍ୟ ଆବିଷ୍କାର କରିଅଛି, ମାନବ ପ୍ରତିଭା ଯେଉଁ ଶୋଭାପଟଳ ପରିସ୍ପୁଟ କରିଅଛି, ମାନବ ପ୍ରଜ୍ଞା ଯେଉଁ ଆଲୋକ ପାଇଅଛି, ମାନବ ଜୀବନ ଯେଉଁ ଉଚ୍ଚ ଆଦର୍ଶ ଦେଖାଇଛି, ସେ ସବୁକୁ ଓଡ଼ିଆ ସାହିତ୍ୟର ସମ୍ପଦୀଭୂତ କରିବାକୁ ହେବ ।’’

 

‘‘ମାତୃଭାଷା ମାଧ୍ୟମରେ ଶିକ୍ଷା’’ ଉପରେ ସେ ସତ୍ୟବାଦୀ ପ୍ରଥମ ଖଣ୍ଡ ଦାମ ସଂଖ୍ୟାରେ ଆଲୋଚନା ପ୍ରସଙ୍ଗରେ କହିଛନ୍ତି–

 

‘‘ମନୁଷ୍ୟ ଜୀବନ ଅତି ଅଳ୍ପ, ଜ୍ଞାନ ଅନନ୍ତ । ଅଳ୍ପ ଯତ୍ନରେ ବହୁ ପାଳଲାଭର ପନ୍ଥା ଅବଲମ୍ବନ ନ କଲେ ଅନେକ ପରିଶ୍ରମ ପଣ୍ଡ ହେବ । ଯେଉଁ ଶିକ୍ଷାପ୍ରଣାଳୀରେ ବୈଦେଶିକ ଭାଷା ପ୍ରଧାନ ଅବଲମ୍ବନ, ତାହା ଜାତୀୟ ଶିକ୍ଷା ନୁହେଁ । କାରଣ ସେ ପ୍ରଣାଳୀରେ ଜାତିର ସକଳ ଶ୍ରେଣୀ ଲୋକଙ୍କ ନିକଟରେ ଶିକ୍ଷା ପହଞ୍ଚିପାରେ ନାହିଁ କିମ୍ବା ଉଚ୍ଚଭାବସବୁ ଜାତୀୟ ପ୍ରାଣକୁ ସେତେ ସ୍ପର୍ଶ କରେନାହିଁ । ବଂର ଭାଷା, ଭାବ ବିନିମୟରେ ଏକମାତ୍ର ଉପାୟ, ଶିକ୍ଷିତ ଓ ସାଧାରଣଙ୍କ ମଧ୍ୟରେ ଏକ ପ୍ରଧାନ ଅବଲମ୍ବନ ।’’

 

କୌଣସି ଜାତିର ଜାତୀୟ ସ୍ୱାସ୍ଥ୍ୟ ତାର ସାହିତ୍ୟ ଉପରେ ନିର୍ଭର କରେ ଓ ତାର ଆତ୍ମା ସୁସ୍ଥ ଶରୀରରେ ଅବସ୍ଥାନ କରେ । ଗୋପବନ୍ଧୁ ଜାତୀୟ ସ୍ୱାସ୍ଥ୍ୟକୁ ସତ୍ୟବାଦୀ ପତ୍ରିକାର ସାହିତ୍ୟ ଚର୍ଚ୍ଚା ଚର୍ଯ୍ୟା ଭିତରେ ଅକ୍ଷୁଣ୍ଣ ରଖିଥିଲେ । ଏହା ଥିଲା ବହୁ ଚିନ୍ତାର ବାହକ, ବହୁ ଭାବନାର ପ୍ରକ୍ଷାପକ । ଏହା ଥିଲା ଓଡ଼ିଆ ଜାତୀୟ ଜୀବନର ରସାଳ ପିଣ୍ଡ, ଯହିଁରୁ ଖାଦ୍ୟ ସଂଗ୍ରହ କରି ରାଜନୀତି, ବିଜ୍ଞାନ, ଦର୍ଶନ, ସାହିତ୍ୟ, ଇତିହାସ, ସମାଜ ଜ୍ଞାନ ପ୍ରଭୃତି ବହୁବିଧ ବୃକ୍ଷ ବିକଶିତ, ପୁଷ୍ପିତ ଓ ଫଳଭାରାରେ ଅବନତ ହୋଇଥିଲେ । ଦୁଃଖର କଥା ସତ୍ୟବାଦୀ ସାହିତ୍ୟ ପତ୍ରିକା ବେଶି ଦିନ ଓଡ଼ିଆ ଜାତିର ସେବା କରିପାରିଲା ନାହିଁ । ତାର ଅନୁଜ ‘‘ସମାଜ’’ ଆଜି ଓଡ଼ିଆ ଜାତୀୟ ଜୀବନରେ ଚେର ମୂଳ ବିସ୍ତାର କରି ଉନ୍ନତ ପଥରେ ଆଗେଇ ଚାଲିଛି ।

 

ସତ୍ୟବାଦୀ ପତ୍ରକାରୁ ସାଇତି ରଖିଲା ପରି କେତେକ ସାରସ୍ୱତ ସମ୍ପତ୍ତି ଖୋଜି ବସିଲେ ଭାରି ଭ୍ରମରେ ପଡ଼ିବାକୁ ହୁଏ । ସବୁଗୁଡ଼ିକ ସୁନା, ଖାଣ୍ଡି ସୁନା, ସୁନେଲି ପଟୁଦିଆ ପିତ୍ତଳ ନୁହେଁ, ତଥାପି ସେଥିରୁ କେତେକ ଅଧିକ ଆକର୍ଷଣୀୟ । ଗୋଖେଲେଙ୍କ ଜୀବନୀ, ଅଧ୍ୟାପକ ଜଗଦୀଶଚନ୍ଦ୍ରଙ୍କ ମହତ୍ ବାଣୀ, ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନ ଉପରେ ନିବନ୍ଧ, ପଣ୍ଡିତ ଗୋପୀନାଥ ନନ୍ଦଙ୍କ ସାହିତ୍ୟ ସାଧନା, ସାର୍‌ ଫିରୋଜ ସାହା ମେହେଟାଙ୍କ ସଂକ୍ଷିପ୍ତ ଜୀବନ ପ୍ରଭୃତି ଅତି ମୂଲ୍ୟବାନ । ସତ୍ୟବାଦୀ ସାହିତ୍ୟ ସଂକଳନ କରାଗଲେ ଆଜିର ପାଠକବୃନ୍ଦ ସେହି ମନମକରନ୍ଦ ପାନ କରିବାର ସୁଯୋଗ ଲାଭ କରନ୍ତେ ।

 

ସମାଜ

 

ଗୋପବନ୍ଧୁ ତାଙ୍କର ପଞ୍ଚସଖାଙ୍କ ସହିତ ଓଡ଼ିଆ ଜାତିକୁ ଉଠାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଓଡ଼ିଆ ଭାଷାର ଉନ୍ନତି, ଜାତୀୟ ଶିକ୍ଷାର ପ୍ରଚାର, ପ୍ରସାର ଓ ସଂସ୍କାର, ଦୁର୍ଭିକ୍ଷ ନିବାରଣ, ବନ୍ୟା ନିରୋଧ, ସାହିତ୍ୟର ଉନ୍ନତି ଓ ଓଡ଼ିଆମାନଙ୍କର ଜୀବନର ମାନବୃଦ୍ଧି ଥିଲା ଏମାନଙ୍କର ପ୍ରଧାନ କର୍ତ୍ତବ୍ୟ । ଏହାକୁ ରୂପ ଦେବାପାଇଁ ସେ ବହୁଦିନରୁ ଏକ ସମ୍ବାଦ ପତ୍ରର ଆବଶ୍ୟକତା ଅନୁଭବ କରିଥିଲେ । ସମ୍ବାଦପତ୍ର ହେବ ତାଙ୍କ ଚିନ୍ତା, ଦର୍ଶନ, ମନୋଭାବ ଓ ଅଭିରୁଚିର ବାହକ । ସେ ଏହା ମାଧ୍ୟମରେ ଲୋକଶିକ୍ଷା ପ୍ରସାର କରିପାରିବେ । ସଂସ୍କାରର ପଥ ସୁଗମ କରିପାରିବେ, ଲୋକମାନଙ୍କ ମନରେ ନବ ଚେତନାର ସୂତ୍ରପାତ କରିପାରିବେ । ବିପ୍ଲବର ମନ୍ତ୍ର ଜନତାର ପ୍ରତି ପ୍ରାଣରେ ଗୁଞ୍ଜରିତ କରିପାରିବେ । ନିର୍ଭୀକ ସମାଲୋଚନା, ମତାମତର ନିର୍ଭୀକ ପ୍ରକାଶ, ଆପତ୍ତି ଅଭିଯୋଗ ଗ୍ରହଣଯୋଗ୍ୟ କରାଇବାରେ ଏହା ସାହାଯ୍ୟ କରିବ । ଏହି ସମ୍ବାଦପତ୍ରଟି ହେବ ଶାସକ ଓ ଶାସିତ ମଧ୍ୟରେ ଯୋଗସୂତ୍ରକାରୀ ଓ ନୂତନ ବିପ୍ଲବର ବାହକ । ହଜାରେ ବକ୍ତୃତା ଯେତିକି ଜନମତ ସୃଷ୍ଟି କରି ନ ପାରିବ, ଖଣ୍ଡିଏ ସମ୍ବାଦପତ୍ର ତା ଅପେକ୍ଷା ଅଧିକ ଭାବରେ ଲୋକମତ ସୃଷ୍ଟି କରିବାକୁ ସମର୍ଥ ହେବ । ଏହି ଲକ୍ଷ୍ୟର ପରିପୂରଣ ପାଇଁ ସେ ୧୯୦୯ ମସିହା ଅକ୍ଟୋବର ୪ ତାରିଖ ବିଜୟାଦଶମୀ ତିଥିରେ ନିଜର ସମ୍ପାଦନାରେ ଗୋଟିଏ ସମ୍ବାଦପତ୍ର ପ୍ରକାଶ କଲେ । ତାର ନାମ ରହିଲା ‘‘ସମାଜ’’ ।

 

ପରାଧିନ ଭରତରେ ସମାଜର ଭୂମିକା ଥିଲା ଅତ୍ୟାଚାରୀ ବିଦେଶୀ ଶାସକ ପାଇଁ ବିଦ୍ରୋହର ବାର୍ତ୍ତାବହ ଧୂମକେତୁ । ତାର ଆର୍ବିଭାବ ଦିନଠାରୁ ଇଂରେଜ ସରକାର ଆତଙ୍କିତ ହୋଇଥିଲେ । ଗୋପବନ୍ଧୁଙ୍କ ଶକ୍ତିଶାଳୀ ସମାଲୋଚନା ଓ ରାଜ ଅତ୍ୟାଚାରର ନଗ୍ନ ଚିତ୍ର ଦେଶରେ ବିଦ୍ରୋହର ଅଗ୍ନି ଜାଳିଥିଲା । ଯେଉଁ ଇଂରେଜ ସରକାରଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ମହାତ୍ମାଗାନ୍ଧି କହିଥିଲେ,This Satanic Government could not be mended but to be ended . ଏହି ଶଇତାନ ସରକାରକୁ ସଂଶୋଧନ କରାଯାଇପାରିବ ନାହିଁ, ଏହାକୁ ଧ୍ୱଂସ କରିବାକୁ ପଡ଼ିବ ।’’ ଗୋପବନ୍ଧୁ ସେହି ସ୍ୱର ସହିତ ମିଶାଇ ‘‘ସମାଜ’’କୁ ସେହି ଅନୀତିର ସଂହାର ପର୍ବର ଆୟୁଧରୂପେ ବ୍ୟବହାର କରିଥିଲେ । ତାଙ୍କର ସ୍ୱପ୍ନ ସାର୍ଥକ ହେଲା.. ଭାରତ ସ୍ୱାଧିନତା ପାଇଲା । ସେ ଧ୍ରୁବଲୋକରେ ଥାଇ ତାଙ୍କର ମର୍ତ୍ତ୍ୟଧ୍ରୁବ ‘‘ସମାଜ’’ ରହି ସଫଳତା ଦେଖିଲେ ।

 

ସ୍ୱାଧୀନ ଭାରତର ଉନ୍ନତିକଳ୍ପେ ‘ସମାଜ’ର ଭୂମିକା ଆଜି ଧ୍ରୁବନୀତିର ପ୍ରଖ୍ୟାପକ ଭାବରେ କାମ କରୁଛି । ଗୋପବନ୍ଧୁଙ୍କ ଅମର ବାର୍ତ୍ତା ଯେତେଦିନ ସେ ବୁକୁରେ ବହନ କରି ଜାତୀୟ ସେବା ପଥରେ ଅଗ୍ରସର ହୋଇପାରିବ, ସେତେଦିନ ସେ ଓଡ଼ିଆର ଭାଗ୍ୟକାଶର ଧ୍ରୁବତାରା ପରି ହସିଉଠିବ । ଯେଉଁଦିନ ଜାତୀୟ ସ୍ୱାର୍ଥ, ସେବା ଓ ନୀତିରୁ ଓହରିଯାଇ ଦଳୀୟ ରାଜନୀତିର ଶିକାର ହେବ, ସେଦିନ ଗୋପବନ୍ଧୁଙ୍କ ଆଦର୍ଶର କବର ସାଜି ତାର ଧ୍ରୁବତ୍ୱ ନଷ୍ଟ କରିବ ।

 

‘‘ସମାଜ’’ ବକୁଳ ବନର ବିଦ୍ୟାଳୟରେ ପ୍ରଥମ ପ୍ରାଣ ପ୍ରତିଷ୍ଠା ଲାଭ କଲା । ସାକ୍ଷୀ ଗୋପୀନାଥ ମନ୍ଦିର ସାମନା ଚାଳଘରର ଗୋଟିଏ ବଖରାରୁ । ଏହାର ପ୍ରଥମ ଆକାର ଥିଲା କ୍ରାଉନ ଚାରି ପୃଷ୍ଠା । ପୁରୀର ଏମାରମଠ ମହନ୍ତ ଶ୍ରୀ ଶ୍ରୀ ଗଦାଧର ରାମାନୁଜ ଦାସ ଦାନ ସୁତ୍ରରେ ଗୋଟିଏ ଛୋଟ ହାତଚଳା ପ୍ରେସ ଦେଇଥିଲେ । ସେହି ପ୍ରେସରେ ‘ସମାଜ’ ସମ୍ବାଦ ପତ୍ରଟି ସପ୍ତାହିକ ରୂପରେ ପ୍ରକାଶିତ ହେଲା । ଛାପାକାର୍ଯ୍ୟ ପରିଚାଳନା ପାଇଁ କଟକରୁ କେତେଜଣ କମ୍ପୋଜିଟର ଅଣାଯାଇଥିଲେ । ଏହି ପ୍ରେସଟିର ନାମ ରଖାଯାଇଥିଲା ସତ୍ୟବାଦୀ ପ୍ରେସ ଓ ଏହାର ପରିଚାଳକ ଥିଲେ ଶ୍ରୀ ସତ୍ୟବାଦୀ ତ୍ରିପାଠୀ । କିନ୍ତୁ ଗୋପବନ୍ଧୁ ଥିଲେ ପ୍ରଥମ ସମ୍ପାଦକ ମୁଦ୍ରାକାର ଓ ପ୍ରକାଶକ । ପଣ୍ଡିତ କୃପାସିନ୍ଧ ମିଶ୍ର ସହ ସମ୍ପାଦକ ଭାବରେ କାର୍ଯ୍ୟ କଲେ ।

 

ପରେ ଶ୍ରୀ ରାଧାନାଥ ରଥ ସରକାରୀ ଚାକିରିରୁ ଇସ୍ତଫା ଦେଇ ଗୋପବନ୍ଧୁଙ୍କ ଅନୁରୋଧ କ୍ରମେ ସତ୍ୟବାଦୀ ପ୍ରେସର ପରିଚାଳନା ଭାର ଗ୍ରହଣ କରିଥିଲେ ଓ ସେ ସେହିଦିନଠାରୁ ଏହାର ପ୍ରତ୍ୟକ୍ଷ ପରିଚାଳନାରେ ରହି ଓ ସମ୍ପାଦକ ଭାବରେ କାର୍ଯ୍ୟଭାର ବହନ କରି ଏହାର ଉତ୍ତରୋତ୍ତର ଉନ୍ନତି ଦିଗରେ ଆଗେଇଛନ୍ତି ।

 

ପ୍ରଥମକରି ଓଡ଼ିଆ ଭାଷାରେ ପ୍ରକାଶିତ ହୋଇଥିବା ସମ୍ବାଦ ପତ୍ର ‘‘ସମାଜ’’ର ପ୍ରଥମ ସଂଖ୍ୟା ପ୍ରଥମ ପୃଷ୍ଠାରେ ଗୋପବନ୍ଧୁ ଦାସ ପ୍ରଥମ ସମ୍ପାଦକୀୟ ଲେଖିଥିଲେ–

 

‘‘ଆଜି ବିଜୟା ଦଶମୀ, ଭାରତରେ ବହୁ ଯୁଗରୁ ପାଳିତ ହେଉଥିବା ଉତ୍ସବ ଦିବସ । ବର୍ତ୍ତମାନ ଏଠାରେ ଦୁର୍ଭିକ୍ଷ ଓ ଅନାହାର ତଥାପି ପରମ୍ପରା ଅନୁସାରେ ଏହା ପାଳିତ ହେଉଛି । ମାତ୍ର ଏଥିରେ ଆଉ ଉତ୍ସାହ ଉନ୍ମାଦନା ନାହିଁ । ଆମ ଦେଶ ଏବେ ଚିର ଦରିଦ୍ର । ଖାଇବାକୁ ନ ପାଇ ଯେଉଁ ଦେଶରେ ଲୋକେ ମରନ୍ତି, ସେଠାରେ ଆନନ୍ଦ ଉତ୍ସବ କାହୁଁ ଆସିବ ? ମା’ ମଲା ପିଲାର ଷଠୀଘର କଣ ? ଯାହା ହେଉ ପରମ୍ପରା ଅନୁସାରେ ଭାରତର ଏହି ଜାତୀୟ ପର୍ବ ଦିବସରେ ଗୋଟିଏ କର୍ମ ଆରମ୍ଭ କରିଛୁ । ରାମ, ଯୁଧିଷ୍ଠିରଙ୍କ ପରି କେତେ ପୁଣ୍ୟକର୍ମ ଆଜି ଅନକୂଳ କରି ବହୁ ମହତ କାର୍ଯ୍ୟ କରିଛନ୍ତି । ଏହା ମନେ ପକାଇ ଆମ୍ଭେମାନେ ଭବିଷ୍ୟତ ଉପରେ ଆଶା ରଖିଛୁ କି ଆମ୍ବମାନଙ୍କ ଜାତିର ଦୁର୍ଦ୍ଦିନ ସବୁକାଳେ ରହିବ ନାହିଁ । ବିଜୟ ଦଶମୀ ସବୁଦିନେ ଏହିପରି ନୀରସ ହେବ ନାହିଁ । ମାଆ ଜଗଦମ୍ବା ଏ ଜାତିର ପ୍ରାଣରେ ଦିନେ ନା ଦିନେ ତେଜ, ବଳ, ଆଶା ଆଣିଦେବେ । ‘‘ସମାଜ’’ର ଏହି ଦୃଢ଼ ଅଟଳ ବିଶ୍ୱାସ ରହିଛି । ସେହି ବିଶ୍ୱାସରେ ମାନବ ସମାଜର ସବୁ ଜାତି, ସବୁ ସମ୍ପ୍ରଦାୟର ସାନବଡ଼ ସକଳ ଶ୍ରେଣୀର ଲୋକଙ୍କୁ ଅନ୍ତରର ଗଭୀର ସ୍ନେହ ଏବଂ ପ୍ରୀତି ସହକାରେ ଆଲିଙ୍ଗନ କରି ଆମ୍ଭେମାନେ ମଙ୍ଗଳମୟଙ୍କ ନିର୍ଦ୍ଦେଶରେ ‘ସମାଜ’ର କାର୍ଯ୍ୟ ଆରମ୍ଭ କରିଛୁ । ତାଙ୍କରି ମଙ୍ଗଳମୟୀ ଇଚ୍ଛା ପୂର୍ଣ୍ଣ ହେଉ ।

 

‘‘ଅୟମାରମ୍ଭ ଶୁଭାୟ ଭବତୁ ।’’

 

ସମାଜର ପ୍ରଥମ ସଂଖ୍ୟାରେ ପଣ୍ଡିତ ଗୋପବନ୍ଧୁ ଏକ ଅଗ୍ର ଲେଖାରେ ଭାରତ ଓ ଉତ୍କଳର ଜାତୀୟତା ମଧ୍ୟରେ କିପରି ଗୂଢ଼ ସମ୍ପର୍କ ରହିଛି ସେ ବିଷୟରେ ବର୍ଣ୍ଣନା କରି ଲେଖିଥିଲେ–

 

‘‘ଭାରତ ସହିତ ମିଳନ ଛଡ଼ା ଆମ୍ଭପକ୍ଷେ ନାନ୍ୟ ପନ୍ଥା ବିଦ୍ୟତେ ଅୟନାୟ ।’’

 

ଧାରାବାହିକ ଭାବରେ ‘ସମାଜ’ ପ୍ରକାଶିତ ହେଲା ସାପ୍ତାହିକ ସମ୍ପାଦପତ୍ର ଭାବରେ । ଏଥିରେ ଲୋକମାନଙ୍କର ଆପତ୍ତି ଅଭିଯୋଗ ଓ ସରକାରଙ୍କ ଦମନ ନୀତି ସ୍ପଷ୍ଟ ଭାବରେ ପ୍ରକାଶିତ ହେଲା । ନିର୍ଭୀକ ସମ୍ବାଦିକତା ପାଇଁ ତାଙ୍କୁ ବହୁ ଦୁଃଖ ଓ ଲାଞ୍ଛନା ଭୋଗ କରିବାକୁ ପଡ଼ିଥିଲା । ଏଥିପାଇଁ ତାଙ୍କ ବିପକ୍ଷରେ ବହୁବାର ମାନହାନୀ ମକଦ୍ଦମା ହୋଇଛି ଓ ସେ ବହୁବାର କାରାବରଣ କରିଛନ୍ତି ।

 

କଂଗ୍ରେସର ଜାତୀୟ ଆନ୍ଦୋଳନ ପ୍ରଚାର କରିବାରେ ‘ସମାଜ’ ଅଗ୍ରଣୀ ଥିଲା । ସେତେବେଳକୁ ଗୋପବନ୍ଧୁ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାର ସଦସ୍ୟ ଥିଲେ । ଉତ୍କଳ ପ୍ରଦେଶ କମିଟିର ସେ ମଧ୍ୟ ସଭାପତି ଥିଲେ । ସେ ଅବସର ସମୟରେ ସ୍ୱରାଜ ଆଶ୍ରମରେ ରହୁଥିଲେ ଓ ପ୍ରତି ସପ୍ତାହରେ ନିଜର ଳେଖା ସାପ୍ତାହିକ ସମାଜରେ ପ୍ରକାଶିତ ହେବା ପାଇଁ ପଠାଉଥିଲେ ।

 

୧୯୨୫ ମସିହାରେ ଗୋପବନ୍ଧୁ ପ୍ରେସଟିକୁ ସତ୍ୟବାଦୀରୁ ପୁରୀକୁ ଉଠାଇ ନେଇଥିଲେ । ସେଠାରୁ ମଧ୍ୟ ସାପ୍ତାହିକ ସମାଜ ରୀତିମତ ବାହାରିଲା; କିନ୍ତୁ ଘୋର ଆର୍ଥିକ ଅନାଟନ ମଧ୍ୟରେ ଏହା ଚାଲୁଥାଏ । ସେତେବେଳେ ପୁରୀ କଟକ ଉଭୟ ଜିଲ୍ଳାରେ ଭୟଙ୍କର ବନ୍ୟା ଓ ଦୁର୍ଭିକ୍ଷ । ସମାଜ ଦୁର୍ଭିକ୍ଷର କରାଳ ଚିତ୍ର ଓ ସରକାରଙ୍କ ଉଦାସୀନତାର ପ୍ରଚାର କରି ଚାଲିଥାଏ । ଏହାପରେ ୧୯୨୭ ମସିହାରେ ପୁରୀରୁ ପ୍ରେସଟିକୁ କଟକ ଅଣାଗଲା । ସେଠାରୁ ମଧ୍ୟ ସାପ୍ତାହିକ ‘ସମାଜ’ ପର୍ବପରି ଆର୍ଥିକ ଦୁଃସ୍ଥିତି ସତ୍ତ୍ୱେ ଗୋପବନ୍ଧୁଙ୍କ ସମ୍ପାଦନାରେ ବାହାରୁଥାଏ-

 

ଗୋପବନ୍ଧୁ ୧୭/୬/୧୯୨୮ ତାରିଖରେ ଇହଲୀଳା ସମ୍ବରଣ କଲେ । ମୃତ୍ୟୁ ପୂର୍ବରୁ ସେ ୧୯୨୬ ମସିହାରେ ଲାଲଜୀଙ୍କ ପରିଚାଳିତ ଲୋକସେବକ ମଣ୍ଡଳର ସଭ୍ୟ ହୋଇ ସାରିଥିଲେ । ତାଙ୍କର ଶେଷ ଇଚ୍ଛା ଅନୁସାରେ ସତ୍ୟବାଦୀ ପ୍ରେସ ଓ ସମାଜ ଲୋକସେବକ ମଣ୍ଡଳ ଦାୟିତ୍ୱରେ ଟ୍ରଷ୍ଟରୂପେ ଅର୍ପଣ କରାଗଲା । ଏହି ଅନୁସାରେ ସେ ମୃତ୍ୟୁକାଳୀନ ଇଚ୍ଛାପତ୍ରରେ ଦସ୍ତଖତ କରିଥିଲେ । ଗୋଟିଏ ଯୁଗ ଅବସାନ ହେଲା ଓ ନୂତନ ଯୁଗର ଆରମ୍ଭ ହେଲା ।

 

ଲୋକସେବକ ମଣ୍ଡଳର ପ୍ରତ୍ୟକ୍ଷ ପରିଚାଳନାରେ ସମାଜ ଧମନୀରେ ନୂତନ ରକ୍ତ ପ୍ରବାହିତ ହେଲା । ଗୋପବନ୍ଧୁଙ୍କ ରଚନାତ୍ମକ କାର୍ଯ୍ୟର ସଫଳ ରୂପାୟନ ପାଇଁ ଏହା ଲାଗିପଡ଼ିଲା-। ନୀଳକଣ୍ଠ, ଗୋଦାବରୀଶ, ପଣ୍ଡିତ ଲିଙ୍ଗରାଜ ପ୍ରଭୃତି ଏହାର ସମ୍ପାଦକ ଭାବରେ କିଛି କିଛି ଦିନପାଇଁ କାର୍ଯ୍ୟ କରିଥିଲେ ।

 

୧୯୩୦ ମସିହା ଓଡ଼ିଶା ରାଜନୈତିକ ଜୀବନର ଏକ ଶୁଭବର୍ଷ । ସେ ବର୍ଷ ମହାତ୍ମା ଗାନ୍ଧୀ ଲବଣ ଆଇନ ଭଙ୍ଗ କରିବାକୁ ଦାଣ୍ଡିଯାତ୍ରା ଆରମ୍ଭ କରିଥିଲେ । ସେଇ ଶୁଭଅବସରରେ ‘ସମାଜ’କୁ ଦୈନିକ ସମ୍ବାଦପତ୍ର ଭାବରେ ପ୍ରକାଶ କରାଗଲା ।

 

ଭାରତର ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତାବହ ରୂପେ ସମାଜ ଆଉରି ନବୀନ ଉତ୍ସାହରେ କାର୍ଯ୍ୟ କଲା । ଏଥିପାଇଁ ସରକାରଙ୍କ ଦମନ ନୀତିର ଶିକାର ହୋଇ ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ଲିଙ୍ଗରାଜ ମିଶ୍ର, ଶ୍ରୀଯୁକ୍ତ ରାଧାନାଥ ରଥ ପ୍ରଭୃତିଙ୍କୁ କାରାବରଣ କରିବାକୁ ପଡ଼ିଥିଲା । ୧୯୩୯ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଶ୍ରୀଯୁକ୍ତ ବିଶ୍ୱନାଥ ଦାଶ ଓ ସେ କଟକର ବକ୍ସିବଜାରରେ ‘‘ସମାଜ’’ ପାଇଁ ଖଣ୍ଡିଏ ଜମିପଟ୍ଟା ମଞ୍ଜୁର କଲେ ଓ ତାପରେ ଏଠାରେ ଗୋପବନ୍ଧୁଭବନ ନିର୍ମିତ ହେଲା । ଏହାର କଳେବର ଆଜି ବହୁଗୁଣିତ ହୋଇଛି-। ଏଥି ଭିତରେ ସମାଜର ପ୍ରକାଶନ ପାଇଁ ବହୁ ମୂଳ୍ୟବାନ ଅତି ଆଧୁନିକ ଛପା ମେସିନ କିଣାଯାଇଛି । ଯେଉଁ ସତ୍ୟବାଦୀ ପ୍ରେସ ଆରମ୍ଭରେ ମାତ୍ର ଚାରିଜଣଙ୍କୁ ନେଇ ଆରମ୍ଭ ହୋଇଥିଲା, ତାହାର କର୍ମଚାରୀ ସଂଖ୍ୟା ଶତାଧିକ ହୋଇଛି ।

 

ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କର ନବଭାରତ ପ୍ରେସଟିକୁ ମଧ୍ୟ ୧୯୬୪ ସମିହାରେ ଦାନ କରିଦେଇଥିଲେ; ତାହା ମଧ୍ୟ ସତ୍ୟବାଦୀ ପ୍ରେସର ପରିବାର ମଧ୍ୟରେ ରହି ପୂର୍ବର ଆତ୍ମିକ ମିଳନକୁ ରକ୍ଷା କରିଛି ।

 

ସମାଜର ଲୋକପ୍ରିୟତା ଏବେ ସବୁ ସମ୍ବାଦପତ୍ର ଅପେକ୍ଷା ଅଧିକ । ସାରା ପୃଥିବୀରେ, ଏହାର ଖ୍ୟାତି ଅଛି ଓ ଦେଶ ବିଦେଶକୁ ଏହା ପଠାଯାଉଛି । ଏହାର ପାଠକ ସଂଖ୍ୟା ସବୁଠାରୁ ଅଧିକ ।

 

ଏହି ଅନୁଷ୍ଠାନ ସହିତ ଗୋପବନ୍ଧୁ ସାହିତ୍ୟ ମନ୍ଦିର ଓ ସର୍ବସାଧାରଣ ଲାଇବ୍ରେରୀ ସଂଯୋଜିତ ହୋଇଛି । ଗୋପବନ୍ଧୁ ସାହିତ୍ୟ ମନ୍ଦର ତରଫରୁ ଗୋପବନ୍ଧୁଙ୍କ ପୁସ୍ତକ ବ୍ୟତୀତ ଅନ୍ୟ କେତେକ ଅତି ଉପାଦାୟ ପୁସ୍ତକ ପ୍ରକାଶ ପାଇଛି । ସୁସ୍ଥ ପ୍ରକାଶନ ହିଁ ଏହାର ମୂଳ ଲକ୍ଷ୍ୟ ।

 

ଏହି ଅନୁଷ୍ଠାନରୁ ଗରିବ ଛାତ୍ରମାନଙ୍କୁ ବହୁ ଛାତ୍ରବୃତ୍ତି ଦିଆଯାଏ । ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ସମୟରେ ଦୁର୍ଗତ ଲୋକମାନଙ୍କୁ ଯଥେଷ୍ଟ ଆର୍ଥିକ ସାହାଯ୍ୟ ଦିଆଯାଏ ।

 

ଆଜି ସମାଜ ଭିତରେ ଆମେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କୁ ଦେଖୁଛୁ ଓ ତାଙ୍କ ପ୍ରାଣର ବାର୍ତ୍ତା ଏହା ମଧ୍ୟରେ ପ୍ରତିଧ୍ୱନିତ ହୋଇ ତାଙ୍କର ପ୍ରିୟ ଦେଶବାସୀଙ୍କୁ ଉଦ୍‌ବୁଦ୍ଧ କରୁଛି ।

 

ଅସହଯୋଗ ଆନ୍ଦୋଳନ

 

ଉତ୍କଳମଣି ଗୋପବନ୍ଧୁ ଦାସ ତିନୋଟି ବିପ୍ଳବର ସୁତ୍ରଧର ଥିଲେ । ପ୍ରଥମଟି ହେଉଛି ସାଂସ୍କୃତିକ ବିପ୍ଳବ, ଦ୍ୱିତୀୟଟି ସାମାଜିକ ବିପ୍ଳବ ଓ ତୃତୀୟଟି ହେଉଛି ଜାତୀୟ ବିପ୍ଳବ । ଏହି ତିନୋଟି ବିପ୍ଳବର ତିନୋଟି ପାଠ ଥିଲା । ସାଂସ୍କୃତିକ ବିପ୍ଳବ ପାଇଁ ସତ୍ୟବାଦୀ ବନ ବିଦ୍ୟାଳୟର ସାଂସ୍କୃତିକ ପରିବେଶ, ସାମାଜିକ ବିପ୍ଳବ ପାଇଁ ଉତ୍କଳ ସମ୍ମିଳନୀ ଓ ଜାତୀୟ ବିପ୍ଳବ ପାଇଁ ମହାତ୍ମାଗାନ୍ଧୀଙ୍କ ପରିଚାଳିତ ଅସହଯୋଗ ଆନ୍ଦୋଳନ । ଜାତୀୟ ବିପ୍ଳବ ଓ ଜାତୀୟ ଚେତନା ଥିଲା ସର୍ବୋପରି । ସବୁରି ଭିତରେ ଥିଲା ମାନବତ୍ତା, ମାନବ ପ୍ରୀତି ଓ ମାନବୀୟ ସମ୍ବେଦନଶୀଳତା ଅତି ଉଚ୍ଚରେ ।

 

ମଣିଷକୁ ମଣିଷ ଭାବରେ ପାଇବା ପାଇଁ ମଣିଷଭାବେ ଦେଖିବାପାଇଁ, ମଣିଷ ପରି ଗ୍ରହଣ କରିବାପାଇଁ ଓ ମଣିଷର ସମ୍ମାନ ଦେବାପାଇଁ ତାଙ୍କର ଏହି ବିପ୍ଳବ । ଏଥିରୁ ଯାହା ସୁଫଳ ମିଳିବ ବୋଲି ସେ କଳ୍ପନା କରିଥିଲେ, ସ୍ୱପ୍ନ ଦେଖିଥିଲେ ତାହା ନିଜ ପାଇଁ ନୁହେଁ, ଜଣକ ପାଇଁ ନୁହେଁ, କେତେଜଣଙ୍କ ପାଇଁ ନୁହେଁ, ତାହା ଏ ଦେଶର ମଣିଷପାଇଁ, ଏ ବିଶ୍ୱର ମଣିଷପାଇଁ ।

 

ଗୋଟିଏ ମହାନ୍‌ ଲକ୍ଷ୍ୟର ପରିପୂର୍ତ୍ତି ପାଇଁ ତାଙ୍କର ଏ ବିପ୍ଳବ ପ୍ରତ୍ୟେକ ପ୍ରତ୍ୟେକର ପରିପୂରକ ।

 

ଗୋପବନ୍ଧୁ ୧୯୧୭ରୁ ୧୯୨୦ ପର୍ଯ୍ୟନ୍ତ ବିହାର ଓଡ଼ିଶା ବ୍ୟବସ୍ଥା ପରିସଦର ସଭ୍ୟ । ସେ ନିଜେ ନିର୍ବାଚନ ଲଢ଼େଇରେ ଭାଗୀଦାର ହେବାପାଇଁ ଇଚ୍ଛାକରି ନ ଥିଲେ । ତାଙ୍କର ସହଯୋଗୀ ଶୁଭେଚ୍ଛୁ ବନ୍ଧୁମାନଙ୍କର ପ୍ରଭାବ ଓ ମୁଖ୍ୟତଃ ଜାତିର କର୍ଣ୍ଣଧାରା ମଧୁସୂଦନଙ୍କ ଅନୁରୋଧ ଫଳରେ ସେ ଏହାର ସମ୍ମୁଖୀନ ହେଲେ ଓ ମଧୁବାବୁ ତାଙ୍କୁ ନିର୍ବାଚନରେ ଜିତାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଉତ୍କଳ ଗୌରବ ମଧୁସୁଦନଙ୍କ ଚେଷ୍ଟା କ’ଣ ବ୍ୟର୍ଥ ଯାଅନ୍ତା ! ସେ ଶେଷରେ ଜୟଯୁକ୍ତ ହେଲେ । ଗୋପବନ୍ଧୁ ବିଧାନ ପରିଷଦର ସଭ୍ୟରୂପେ ବିଚ୍ଛିନାଞ୍ଚଳରେ ମିଶ୍ରଣ, ଓଡ଼ିଆ ଭାଷାର ଉନ୍ନତି, ବନ୍ୟ ଓ ଦୁର୍ଭିକ୍ଷ ପ୍ରୀଡ଼ିତ ଅଞ୍ଚଳରେ ଜନସେବା ପାଇଁ ଅଧିକ ବ୍ୟବସ୍ଥା କରାଯିବାକୁ ସରକାରଙ୍କ ସହିତ ସର୍ବଦା ସଂଘର୍ଷ କରୁଥିଲେ । ତାଙ୍କର ଯୁକ୍ତି ଥିଲା ଅକାଟ୍ୟ-। ସରକାର ବହୁ କ୍ଷେତ୍ରରେ ତାଙ୍କ ପାଖରେ ମୁଣ୍ଡ ନୂଆଇଥିଲେ । ରେଭେନ୍‌ସା କଲେଜରେ ଏମ.ଏ. ଶ୍ରେଣୀ ଖୋଲିବାପାଇଁ, ଆଇନ୍‌ କଲେଜରେ ବି.ଏଲ୍‌. ଶ୍ରେଣୀ ଖୋଲିବାପାଇଁ ଓ କଟକରେ ଇଞ୍ଜନିୟରିଂ ଶ୍ରେଣୀ ଖୋଲିବାପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ଚିଲିକା ହ୍ରଦରୁ କିପରି ଲବଣ ଉତ୍ପାପନ କରାଯାଇପାରିବ ସେଥିପାଇଁ ବହୁ ମୂଲ୍ୟବାନ ମତାମତ ଦେଇଥିଲେ । ବ୍ରିଟିଶ ସରକାର ତାଙ୍କର ଯୁକ୍ତି, ଦାବୀ ଓ ପରାମର୍ଶ ପ୍ରତି ଯଥାର୍ଥ ସମ୍ମାନ ଦେଇଥିଲେ ।

 

ମହାତ୍ମାଗାନ୍ଧୀ ୧୯୧୫ରେ ଆଫ୍ରିକାରୁ ଭାରତକୁ ଫେରିଆସି କଂଗ୍ରେସରେ ଯୋଗ ଦେଲେ ଓ ଭାରତର ସ୍ୱାଧୀନତା ସଂଗ୍ରାମର ସାରଥି ହେଲେ । ଏଥିପାଇଁ ଯେଉଁ ରଚନାତ୍ମକ କାର୍ଯ୍ୟକ୍ରମଗୁଡ଼ିକ ସେ ହାତକୁ ନେଲେ ତା ଭିତରେ ସୂତାକଟା, ନିଶା ନିବାରଣ, ଅସ୍ପୃଶ୍ୟତା ନିବାରଣ, ଧନ୍ଦାଭିତ୍ତିକ ଶିକ୍ଷା, ରୋଗୀ ସେବା, ସ୍ୱଦେଶୀ ଆନ୍ଦୋଳନ ପ୍ରଭୃତି ପ୍ରଧାନ । ପଣ୍ଡିତ ଗୋପବନ୍ଧୁ ବହୁ ପୂର୍ବରୁ ଉତ୍କଳ ଭୂମିରେ ସେ ସବୁ ପ୍ରୟୋଗ କରିଥିଲେ । ଅସ୍ପୃଶ୍ୟତା ନିବାରଣ, ସୂତା କଟା, ଶିକ୍ଷା, ନାରୀ ଜାଗରଣ, ଗ୍ରାମ୍ୟ ପୁନର୍ଗଠନ ଓ ଦରିଦ୍ର ସେବା ଥିଲା ତାଙ୍କର ପ୍ରଧାନ ସବୁ ଦିଗରେ ସମାନ ଥିଲା ।

 

୧୯୨୦ ମସିହାରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ କଲିକତାଠାରେ କଂଗ୍ରେସ ଅଧିବେଶନ ବସିଥିଲା । ଏହାର ସଭାପତି ଥିଲେ ଲାଲା ଲଜପତ୍‌ ରାୟ । ଏହି କଂଗ୍ରେସ ଅଧିବେସନରେ ‘‘ଅସହଯୋଗ ଆନ୍ଦୋଳନକୁ ନୀତିରୂପେ ଗ୍ରହଣ କରାଗଲା । ଗୋପବନ୍ଧୁ ଓଡ଼ିଶାରେ କଂଗ୍ରେସ ଆନ୍ଦୋଳନର ନେତୃତ୍ୱ ନେଇ ଅସହଯୋଗ ଆନ୍ଦୋଳନର ବାର୍ତ୍ତା ଦେଶର ପ୍ରତ୍ୟେକ କୋଣକୁ ପଠାଇଥିଲେ । ତାଙ୍କ ସହିତ ତାଙ୍କର ସହକର୍ମୀ ଓ ଛାତ୍ରମାନେ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳକୁ ନେଇ ଭାଷାସୂତ୍ରରେ ଓଡ଼ିଶା ପ୍ରଦେଶ ଗଠନ କରିବାର ଦାବୀ ଉତ୍କଳ ସମ୍ମିଳନୀ ଜରିଆରେ ପୂର୍ବରୁ ସଦାସର୍ବଦା ଉପସ୍ଥାପନା କରାଯାଉଥିଲା । ସେ ଉତ୍କଳ କଂଗ୍ରେସ ସଂଗଠନର ସର୍ବମୟ କର୍ତ୍ତା ହିସାବରେ ଏହି ଦାବୀକୁ ଭାରତୀୟ କଂଗ୍ରେସ କମିଟିଦ୍ୱାରା କମିଟିଦ୍ୱାରା ଗୃହୀତ କରାଇନେଲେ ଓ ସେହିଦିନଠାରୁ ଭାଷା ଭିତ୍ତିରେ ପ୍ରଦେଶ ଗଠନ କରିବାର ଦାବୀ ଜାତୀୟ କଂଗ୍ରେସର ଏକ ଅନୁସୂତ ନୀତିରୂପେ ଗ୍ରହଣ କରାଗଲା । ଭାରତ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନରେ ପ୍ରଦେଶ ଗଠନର ଏହି ନୀତି ଗୃହୀତ ହେବାପରେ ଗୋପବନ୍ଧୁ ଉତ୍କଳସମ୍ମିଳନୀର ସ୍ୱତନ୍ତ୍ର ସ୍ଥତିର ଆବଶ୍ୟକତା ଅନୁଭବ କଲେନାହିଁ ଓ ଉଭୟର ଲକ୍ଷ୍ୟ ସମାନ ଥିବାରୁ ଉତ୍କଳ ସମ୍ମିଳନୀକୁ ଜାତୀୟ କଂଗ୍ରେସ ସହିତ ମିଶାଇ ଦେଲେ । ୧୯୧୯ ମସିହାରେ ଭାରତର ଜାତୀୟ ଆନ୍ଦୋଳନ ସହିତ ଉତ୍କଳ ସମ୍ମିଳନୀର ସଂଯୋଗ ଲାଗି ମଧୁବାବୁ, ଗୋପବନ୍ଧୁ ପ୍ରଭୃତି ସମ୍ମତ ଥିଲେ ଓ ସେହି ଅନୁସାରେ ସମ୍ମିଳନୀରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା !

 

ଗୋପବନ୍ଧୁ ଉତ୍କଳର ପୁରପଲ୍ଲୀରେ ଅସହଯୋଗର ମନ୍ତ୍ର ତାଙ୍କର ‘‘ସମାଜ’’ ପତ୍ରିକା ଜରିଆରେ ଏବଂ ଭାଷଣ ମାଧ୍ୟମରେ ପ୍ରଚାର କଲେ । ଗାଁ ଗାଁରେ ଏ ବାର୍ତ୍ତା ପ୍ରଚାରିତ ହୋଇଗଲା-। ଗୋପବନ୍ଧୁଙ୍କ ଅଗ୍ନିମୟୀ ବାଣୀ ପ୍ରତି ପ୍ରାଣରେ ଅଗ୍ନି ସଞ୍ଚାର କରିଥିଲା । ସମସ୍ତେ ମନ୍ତ୍ରମୁଗଧ ।

 

ତାଙ୍କର ସଭାରେ ହଜାର ହଜାର ଲୋକ ଜମା ହୁଅନ୍ତି । ସେ ସଭାକୁ ଭଣ୍ଡୁର କରିବା ପାଇଁ ସରକାରଙ୍କ ତରଫରୁ ଦମନ ଲୀଳା ଚାଲେ । ପୋଲିସର ଅତ୍ୟାଚାର ଅକଥନୀୟ ହୋଇଉଠେ । ତାଙ୍କ ବିପକ୍ଷରେ ବହୁ ମକଦ୍ଦମା କେତେକ ପ୍ରମାଣିତ ହୁଏ ଆଉ କେତେକ ମଧ୍ୟ ଅପ୍ରମାଣିତ ହୁଏ । ସେ ଏଥିପାଇଁ ବହୁବାର କାରାବରଣ କରିଥିଲେ ।

 

ଅସହଯୋଗ ଆନ୍ଦୋଳନ ହେତୁ ତାଙ୍କୁ ୧୯୨୨ରୁ ୧୯୨୪ ପର୍ଯ୍ୟନ୍ତ ଦୁଇବର୍ଷ ହଜାରୀବାଗ ଜେଲରେ କାରାଦଣ୍ଡ ଭୋଗ କରିବାକୁ ପଡ଼ିଥିଲା । ଏଠାରୁ ଖଲାସ ହେବାପରେ କଟକଠାରେ ଏକ ବିରାଟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସେହି ସଭାରେ ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର ରାୟ ତାଙ୍କୁ ଉତ୍କଳମଣି ପଦରେ ଭୂଷିତ କଲେ ଓ ସେହିଦିନଠାରୁ ସେ ଉତ୍କଳମଣି ଗୋପବନ୍ଧୁ ନାମରେ ନାମିତ ହେଲେ ।

 

ହଜାରୀବାଗ ଜେଲରେ ଥିବାବେଳେ ଉତ୍କଳମଣିଙ୍କ ଅମର ଲେଖନୀରୁ ‘‘ବନ୍ଦୀର ଆତ୍ମକଥା’’ ଓ ‘‘କାରା କବିତା’’ର ବେଦନାମୟ ଗୀତିନିର୍ଝର ନିର୍ଗତ ହୋଇଥିଲା । ତାହା ଥିଲା ଦେଶପ୍ରୀତିର ଜାହ୍ନବୀ । ଓଡ଼ିଆ ସାହିତ୍ୟ ଥିବାଯାଏ ଏହା ଅମୂଲ୍ୟ ସମ୍ପତ୍ତିରୂପେ ସାଇତା ହୋଇ ରହିବ ।

 

କବିଙ୍କର ‘‘ଧର୍ମପଦ’’ ମଧ୍ୟ ଏହି ବନ୍ଦିଜୀବନର ସାରସ୍ୱତ ଉଚ୍ଛ୍ୱାସ । ଏହା ଏକ ଜାତୀୟଭାବବାହୀ ଗାଥା କବିତା ପୁସ୍ତକ । ଏଥିରେ ଓଡ଼ିଆ ଜାତିର କଳା ପିପାଷା, ନିଷ୍ଠା, ଆଧ୍ୟାତ୍ମିକ ଚେତନା, ସାମାଜିକ ଚଳଣି, ଶିଶୁ ମନର ଆବେଗ, ପାରିବାରିକ ଜୀବନର ସ୍ନେହ, ଶ୍ରଦ୍ଧା, ଦ୍ୱନ୍ଦ ସଂଘର୍ଷ ଓ ସଂଘାତ, ସାମାଜିକ ଜୀବନର ରୁଚି, ଆଚାରଶୀଳତା ତଥା ଦେଶପ୍ରେମଭାବ ଜାଗରୁକ ।

 

ମହାତ୍ମାଗାନ୍ଧୀଙ୍କ ସ୍ୱଦେଶୀ ଆନ୍ଦୋଳନର ସେ ମଧ୍ୟ ପ୍ରବର୍ତ୍ତକ ଥିଲେ । ଓଡ଼ିଶାରେ ଗୋପବନ୍ଧୁଙ୍କ ଅସହଯୋଗ ଆନ୍ଦୋଳନ ତାକୁ ବହୁ ସଫଳତାର ବିଭୂତି ଦେଇଛି । ତାଙ୍କର ସ୍ୱପ୍ନ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ୧୯୩୬ ମସିହାରେ ତାଙ୍କ ମୃତ୍ୟୁପରେ କାର୍ଯ୍ୟରେ ପରିଣତ ହୋଇଛି ଓ ଭାରତର ସ୍ୱାଧୀନତା ଯାହାକି ତାଙ୍କର ସର୍ବୋତ୍ତମ ପବିତ୍ର କାମନା ଥିଲା, ତାହା ୧୯୪୭ ମସିହା ଅଗଷ୍ଟ ପନ୍ଦର ତାରିଖରେ ପୂର୍ଣ୍ଣ ହେଲା; କିନ୍ତୁ ସେ ତାହା ଦେଖିପାରିଲେ ନାହିଁ ।

 

ଅସହଯୋଗ ଆନ୍ଦୋଳନରେ ଗୋପବନ୍ଧୁ ଏପରି ପ୍ରମତ୍ତ ଥିଲେ ଯେ ସେ ସବୁ ଭୁଲି ଯାଇଥିଲେ । ତାଙ୍କ ମୃତ୍ୟୁରେ ମହାତ୍ମାଗାନ୍ଧୀ ଦୁଃଖାଭୀଭୂତ ହୋଇ ତାଙ୍କର ଏହି ମତ୍ତତାକୁ ଲକ୍ଷ୍ୟ କରି କହିଥିଲେ–

 

‘‘ଗୋପବନ୍ଧୁ ଅସହଯୋଗ ଆନ୍ଦୋଳନ ଭିତରେ ନିଜର ଆଇନ ବ୍ୟବସାୟ ଏବଂ ବ୍ୟବସ୍ଥା ପରିଷଦର ସଭ୍ୟପଦ ସଭ୍ୟପଦ ମଧ୍ୟ ଛାଡ଼ି ଦେଇଥିଲେ । ମାତ୍ର ଏଥିପାଇଁ ସେ କେବେ ଦ୍ୱିଧାଗ୍ରସ୍ତ ହୋଇନାହାନ୍ତି । ତାଙ୍କ ପକ୍ଷରୁ ଏହାଠାରୁ ଅଧିକ ତ୍ୟାଗ ହେଉଛି ଏହି ଯେ, ତାଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ସ୍କୁଲର ଅସ୍ତିତ୍ୱକୁ ମଧ୍ୟ ସେ ଭୁଲି ଯାଇଥିଲେ ।’’

 

କଲିକତା ଓଡ଼ିଆ ଶ୍ରମିକ ସଂଗଠନ

 

କଲିକତାରେ ଅସହଯୋଗ ଆନ୍ଦୋଳନ ଖୁବ୍ ଜୋରରେ ଚାଲିଥାଏ । ବିଦେଶୀ ବର୍ଜନ ଏହାର ପ୍ରାଧନ କାର୍ଯ୍ୟକ୍ରମର ଅଙ୍ଗ ଥିଲା । ବିଦେଶୀ ଜିନିଷ ବର୍ଜନ କରି ସ୍ୱଦେଶୀ ଜିନିଷ ବ୍ୟବହାର କରିବା ଲାଗି ଲୋକମାନଙ୍କୁ ଆହ୍ୱାନ ଦିଆଯାଉଥିଲା । ବିଦେଶୀ ଲୁଗା ବଦଳରେ ହାତତିଆରି ତନ୍ତ ଓ ହାତକଟା ଖଦଡ଼ ଲୁଗା ବ୍ୟବହାର କରିବାକୁ ଲୋକମାନଙ୍କୁ ପ୍ରେରଣା ଦିଆଯାଉଥିଲା । ଏହା ଫଳରେ ବିଦେଶୀ ଅର୍ଥନୀତି ଭୁଷଡ଼ି ପଡ଼ିବ ଓ ଭାରତୀୟ ଜୀବନର ଦୁର୍ଗତ ଅର୍ଥନୀତିର ରୂପ ବଦଳିଯିବ ।

 

କଲିକତାର ବଡ଼ ବଡ଼ ଦୋକାନୀମାନଙ୍କ ଦୋକାନ ସାମାନରେ ପିକେଟିଂ ଚାଲିଥାଏ । କେତେକ ବ୍ୟବସାୟ ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ବିଦେଶରୁ ଲୁଗା ସୂତା ଆଣିବା ବନ୍ଦ କରିଥିଲେ ସତ, କିନ୍ତୁ ‘‘ମୋଟିଆ’’ମାନେ ମୁଣ୍ଡରେ ଲୁଗା ଗାଣ୍ଠି ମୁଣ୍ଡାଇ ଦୋକାନମାନଙ୍କରେ ଦେଇ ଯାଉଥିଲେ । ଏହି ‘ମୋଟିଆ’ ହେଉଛନ୍ତି ଶ୍ରମିକ ଓଡ଼ିଆ । ସେମାନଙ୍କୁ ଯେତେ ବୁଝାଇଲେ ମଧ୍ୟ ବିଶେଷ କିଛି ଫଳ ମିଳୁନଥିଲା । ସେମାନେ ଅସହଯୋଗର ଅର୍ଥ କିଛି ବୁଝୁନଥିଲେ । ଜାତୀୟ କଂଗ୍ରେସର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇପଡ଼ୁଥିଲା । ଏହି ଅବସରରେ କଲିକତାକୁ ଆସି ଓଡ଼ିଆ ଶ୍ରମିକ ସମାଜକୁ ଅସହଯୋଗ ବାର୍ତ୍ତା ଦେବା ପାଇଁ ଉତ୍କଳମଣି ଗୋପବନ୍ଧୁଙ୍କୁ ନିମନ୍ତ୍ରଣ କରାଗଲା ।

 

ଗୋପବନ୍ଧୁ କଲିକତା ଆସିଲେ । ସଭାର ବିରାଟ ଆୟୋଜନ ହେଲା । ଗୋପବନ୍ଧୁଙ୍କ ନାଁରେ ବହୁଳ ପ୍ରଚାର ହେଲା । କଲିକତାର ଗଳିକନ୍ଦିରୁ ଓଡ଼ିଆ ଶ୍ରମିକ, ମଜୁରିଆ, ଶିକ୍ଷିତ ଅଶିକ୍ଷିତ ଭାଇ ଭଉଣୀମାନେ ପିମ୍ପୁଡ଼ିଧାର ପରି ସଭା ପଡ଼ିଆକୁ ଛୁଟିଲେ । ଏଥିରେ ଓଡ଼ିଆଙ୍କ ବ୍ୟତୀତ ବଙ୍ଗାଳୀ ଓ ଅନ୍ୟାନ୍ୟ ଜାତିର ବହୁ ଦର୍ଶକ ଯୋଗ ଦେଇଥିଲେ ।

 

ସଭାରେ ଗୋପବନ୍ଧୁ ଅଗ୍ନିମୟ ଭାଷାରେ ଜାତୀୟତା କଣ, କଂଗ୍ରେସର ଲକ୍ଷ୍ୟ ଓ ଭୂମିକା ବିଷୟରେ ଭାଷଣ ଦେଇଥିଲେ । ଅସହଯୋଗ ଆନ୍ଦୋଳନ ଓ ବିଦେଶୀ ବର୍ଜନ ଅସ୍ତ୍ରଦ୍ୱାରା ଭାରତ ଅଚିରେ ସ୍ୱାଧୀନତା ଲାଭ କରିପାରିବ ବୋଲି ସେ ଏପରି ଭାବରେ ଲୋକମାନଙ୍କୁ ବୁଝାଇଦେଇ ପାରିଲେ ଯେ ତାଙ୍କର ମଜ୍ଜିଲା କଥାରେ ଲୋକମାନଙ୍କର ଅମାନିଆ ମନ ମଜ୍ଜିଗଲା । ବହୁଲୋକଙ୍କର ବିଫୁଳ ସମାବେଶ ଭିତରେ କରତାଳି ଧ୍ୱନି ଓ ହର୍ଷଧ୍ୱନି ସଭାମଞ୍ଚକୁ ଚହଲାଇ ଦେଇଥାଏ । ଏ ପ୍ରକାର ଗଣସମାବେଶ କଲିକତା ଇତିହାସରେ ବିରଳ ନ ହେଲେ ମଧ୍ୟ ଅଧିକ ନୁହେଁ ।

 

ସଭା ପରେ ଆନ୍ଦୋଳନର ଧାରା ବଦଳିଗଲା । ‘ମୋଟିଆ’ ମାନଙ୍କର ମନ ବୁଝିଗଲା । ସେମାନେ ଆଉ ବିଦେଶୀ ଲୁଗା ଗାଣ୍ଠି ବୋହିଲେ ନାହିଁ । ଓଡ଼ିଆ ଶ୍ରମିକ ସମାଜ ଗୋପବନ୍ଧୁଙ୍କ ଆହ୍ୱାନରେ ଏକ ନୂତନ ରୂପ ଗ୍ରହଣ କଲା । ଓଡ଼ିଆମାନେ ହେଲେ ଏଣିକି ଅସହଯୋଗ ଆନ୍ଦୋଳନର ପୂର୍ଣ୍ଣ ସମର୍ଥକ । ଗୋପବନ୍ଧୁଙ୍କ କଥାର କୁହୁକ, ତେଜର ଆକର୍ଷଣୀ, ବ୍ୟକ୍ତିତ୍ୱର ଯାଦୁକରୀତା ଓ ସଂଗଠନ ଶକ୍ତିର ଚମତ୍କାରିତ ବଳରେ କଲିକତାରେ ଅସହଯୋଗ ଆନ୍ଦୋଳନ ପୂର୍ଣ୍ଣ ଭାବରେ ସଫଳ ହେଲା । ତାଙ୍କ ପ୍ରତି ଓଡ଼ିଆ, ବଙ୍ଗାଳୀ ଓ ଜାତି ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଲୋକ ଆକର୍ଷିତ ହେଲେ । ଭାରତୀୟ ଜାତୀୟ କଂଗ୍ରେସର ପ୍ରଦୀପ୍ତ ସୂର୍ଯ୍ୟ ମହାତ୍ମାଗାନ୍ଧୀଙ୍କ ପରେ ସେ ଥିଲେ ଅନ୍ୟ ଏକ ସୂର୍ଯ୍ୟ ଯାହାଙ୍କର ଧର୍ମ ଥିଲା ଅପରକୁ ବଶୀଭୂତ କରିବା । ଅପରକୁ ତନ୍ମୟ ବିଭୋର କରି ନିଜ ଭିତରେ ଲୀନ କରିଦେବା ।

 

ଗୋପବନ୍ଧୁ କଲିକତାରେ ବହୁ ଲୋକପ୍ରିୟ ନେତା ହିସାବରେ ସମ୍ମାନିତ ହେଲେ । ତାଙ୍କର ଜୟଗାନରେ ପତ୍ରପତ୍ରିକା ମୁଖର ହୋଇ ଉଠିଲା ।

 

ଗୋପବନ୍ଧୁ କଲିକତାର ଓଡ଼ିଆ ଶ୍ରମିକମାନଙ୍କ ଦୁଃଖଦୁର୍ଦ୍ଦଶା ସ୍ୱଚକ୍ଷୁରେ ବୁଲିବୁଲି ଦେଖିଥିଲେ, ଏହା ତାଙ୍କ ପ୍ରାଣରେ ଦାରୁଣ ବ୍ୟଥା ସୃଷ୍ଟି କରିଥିଲା । ସେ ଏମାନଙ୍କର ଦୁର୍ଗତି ଦୂରୀକରଣ ପାଇଁ ବ୍ୟକ୍ତିଗତ ଭାବରେ ନିଜକୁ ଉତ୍ସର୍ଗ କଲେ ଓ ୧୯୨୧ ରେ ଏଠାରେ ‘‘ଓଡ଼ିଆ ଶ୍ରମିକ ସଂଗଠନ’’ଟିଏ ଗଢ଼ିଲେ । ସେ ଯେତେବେଳେ ଶାସନ ପରିଷଦରେ ଯୋଗ ଦେବାକୁ ବିହାର ଆସନ୍ତି, ସେତେବେଳେ ଫେରିବା ବାଟରେ କଲିକତାରେ ରହି ଏହି ଶ୍ରମିକ ସଂଗଠନର କାର୍ଯ୍ୟ କରନ୍ତି ...ସେବା କରନ୍ତି । ଏଠାରେ ତାଙ୍କଦ୍ୱାରା କେତେକ ସ୍ୱେଚ୍ଛାସେବକ ନିଯୁକ୍ତ ହୋଇ ଏହି ଶ୍ରମିକମାନଙ୍କର ବହୁ ସମସ୍ୟା ସମାଧାନ କରୁଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ସଂଗଠନ ସହିତ ଓତପ୍ରୋତ ଭାବରେ ଜଡ଼ିତ ଥିଲେ । ଶ୍ରମିକମାନଙ୍କ ଭିତରୁ ନିରକ୍ଷରତା ଦୁରୀକରଣ, ଅସ୍ପୃଶ୍ୟତା ନିବାରଣ, ମଦ୍ୟପାନରୁ ବିରତି, ନାରୀଶିକ୍ଷା, ସ୍ୱାସ୍ଥ୍ୟ, ସମାଜ ସେବା ଓ ଅର୍ଥନୀତିର ବିକାଶ ଦିଗରେ ସେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିଲେ । ଶ୍ରମିକ ସମସ୍ୟାର ସମାଧାନ ଦିଗରେ ସେ ସର୍ବଦା ଚେଷ୍ଟିତ ଥିଲେ ।

 

ଉତ୍କଳ ସମ୍ମିଳନୀ

 

ଉତ୍କଳ ସମ୍ମିଳନୀ ଉତ୍କଳଗୌରବ ମଧୁସୂଦନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହା ପୂର୍ବରୁ ଅବଶ୍ୟ ‘‘ଉତ୍କଳ ସଭା’’ ନାମରେ ଏକ ସଭା ଥିଲା ଓ ତାହା ଓଡ଼ିଶାରେ ରାଜନୈତିକ ଅନୁଷ୍ଠାନ ରୂପେ ବିବେଚିତ ହେଉଥିଲା । କିନ୍ତୁ ତାହା ବିଧିବଦ୍ଧ ଭାବରେ ବସିପାରୁ ନଥିଲା ଓ ତହିଁରେ ଜଡ଼ିତ ଥିବା ସଭ୍ୟମାନେ ଏକମନ ଓ ଏକ ଆଦର୍ଶ ଭିତରେ ଗତି ନକରି ନାନା ତର୍କ ବିତର୍କ ଭିତରେ ଲିପ୍ତ ରହୁଥିଲେ । ଅବଶ୍ୟ ଉତ୍କଳ ସଭା ସହିତ ମଧୁବାବୁ ସକ୍ରିୟ ଭାବରେ ଜଡ଼ିତ ଥିଲେ ।

 

୧୯୦୩ ମସିହା ଜାନୁଆରୀ ୬ ତାରିଖରେ ‘‘ଉତ୍କଳ ସମ୍ମିଳନୀ’’ ମଧୁସୂଦନ ଦାସଙ୍କ ବାସଭବନରେ ତାଙ୍କରି ଦ୍ୱାରା ପ୍ରଥମେ ଆରମ୍ଭ କରାଯାଇଥିଲା । ଏଥିରେ ବହୁ ଶୁଭାନ୍ୱେଷୀ ବନ୍ଧୁ ଯୋଗ ଦେଇଥିଲେ । ଅନେକ ଜାତୀୟ ଭାବାପନ୍ନ ରାଜା ମହାରାଜା ମଧ୍ୟ ଏଥିରେ ଯୋଗ ଦେଇଥିଲେ । ପ୍ରତିବର୍ଷ ଉତ୍କଳ ସମ୍ମିଳନୀ ବସି ଓଡ଼ିଶାର ରାଜନୈତିକ, ସାଂସ୍କୃତିକ, ସାମାଜିକ ଉନ୍ନତି କଳ୍ପେ କାର୍ଯ୍ୟ କରିବାକୁ ସ୍ଥିର କରାଗଲା । ଏ ଦିନଟି ପ୍ରକୃତରେ ଉତ୍କଳୀୟମାନଙ୍କ ପାଇଁ ଏକ ପବିତ୍ର ଦିବସ । ଓଡ଼ିଆ ଲୋକକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଓଡ଼ିଆ ସାହିତ୍ୟ ଓ ଭାଷାର ସୁରକ୍ଷା ଏବଂ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଏହି ସମ୍ମିଳନୀ କାର୍ଯ୍ୟ କଲା । ଉତ୍କଳ ଦୀପିକାର ୧୦ । ୧। ୧୯୦୩ ତାରିଖରେ ଏ ସଂକ୍ରାନ୍ତରେ ପ୍ରକାଶିତ ପ୍ରବନ୍ଧ ଦ୍ରଷ୍ଟବ୍ୟ ।

 

ଗୋପବନ୍ଧୁ ସେତେବେଳେକୁ ଛାତ୍ର ଥିଲେ ବି ଉତ୍କଳ ସମ୍ମିଳନୀରେ ନିଜକୁ ବନ୍ଧୁମାନଙ୍କ ଗହଣରେ ଆସି ସ୍ୱେଚ୍ଛାସେବକ ରୂପେ କାମ କରୁଥିଲେ ଓ ପରେ ଉତ୍କଳ ସମ୍ମିଳନୀ ସହିତ ସେ ଅଙ୍ଗାଙ୍ଗୀଭାବରେ ଜଡ଼ିତ ହେଲେ । ସେ ବୁଝିଥିଲେ ଉତ୍କଳ ସମ୍ମିଳନୀ ହିଁ ଏକମାତ୍ର ରାଜନୈତିକ ଓ ସାଂସ୍କୃତିକ ଅନୁଷ୍ଠାନ, ଯାହା ମାଧ୍ୟମରେ ସେ ତାଙ୍କର ଲକ୍ଷ୍ୟ ପୂରଣ କରିପାରିବେ । ମଧୁସୂଦନ ମଧ୍ୟ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନ ପ୍ରତି ଆକର୍ଷିତ ହୋଇ ଉତ୍କଳ ସମ୍ମିଳନୀର ଜଣେ ମହନୀୟ ସଭ୍ୟ ଭାବରେ ତାଙ୍କୁ ଗ୍ରହଣ କରିଥିଲେ । ଏହା ହେଲା ଗୋପବନ୍ଧୁଙ୍କର ଜାତୀୟ ଭାବ ପ୍ରଚାର କରିବାର ପ୍ରଧାନ ଅନୁଷ୍ଠାନ । ‘ଉତ୍କଳସମ୍ମିଳନୀ’ ଉପରେ ପଣ୍ଡିତ ଗୋପବନ୍ଧୁଙ୍କର ମତାମତ ତାଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ପତ୍ରିକାର ଦ୍ୱିତୀୟ ସଂଖ୍ୟାରେ ପ୍ରକାଶିତ ହୋଇଥିଲା, ତାରା କିଛି ଅଂଶ ନିମ୍ନରେ ପ୍ରଦତ୍ତ ହେଲା –

 

‘‘ଉତ୍କଳସମ୍ମିଳନୀ’’ ଜଣେ ମନୁଷ୍ୟ ଜାତି ନୁହେଁ, ସେ ଏକ ବ୍ୟକ୍ତି । ଏହିପରି ଲକ୍ଷ ଲକ୍ଷ ଓ କୋଟି କୋଟି ଲୋକଙ୍କ ସମଷ୍ଟିରେ ଜାତି । ଲୋକ ଗୋଟିକେ ପ୍ରକୃତି ଗୋଟିଏ, ମୁନି ଗୋଟିକେ ମତ ଗୋଟିଏ । ତେବେ କୋଟି କୋଟି ଲୋକଙ୍କର ଗୋଟିଏ ମନ ଓ ଗୋଟିଏ ପ୍ରାଣ ହେବ କିପରି-? ତା ନ ହେଲେ ଜାତୀୟ ଜୀବନ ସମ୍ଭବ ହେବ କିପରି ? ମନୁଷ୍ୟ ପ୍ରକୃତି ଏପରି ଯେ, ତହିଁରେ ନାନା ଲୋକଙ୍କର ନାନା ରୁଚି, ନାନା ଭାବ ଏବଂ ନାନା ଭାବ ହେଲେ ସୁଦ୍ଧା ସମସ୍ତଙ୍କର ଏପରି ଏକ ସମୂହ ସ୍ୱାର୍ଥ ଅଛି, ଯହିଁରେ ସମସ୍ତେ ଏକ ଭୂମି ଉପରେ ଛିଡ଼ାହୋଇ ଏକପ୍ରାଣରେ ଏକ କାର୍ଯ୍ୟ କରନ୍ତି । ଏହି ସ୍ୱାର୍ଥକୁ କହନ୍ତି ଜାତୀୟ ବନ୍ଧନ । ଏହି ଭୂମିକୁ କହନ୍ତି ଦେଶ, ଏହି ପ୍ରାଣକୁ କହନ୍ତି ଜାତୀୟ ଜୀବନ ଏବଂ ଏହି କାର୍ଯ୍ୟକୁ କହନ୍ତି ଜାତୀୟ କାର୍ଯ୍ୟ । ଏହିପରି ଏକତ୍ର ହୋଇ ଏକ ଉଦ୍ଦେଶ୍ୟରେ କାର୍ଯ୍ୟ କରିବାର ଶକ୍ତି ବା ଶ୍ରେୟ ଯେଉଁମାନଙ୍କର ନାହିଁ, ସେମାନେ ମନୁଷ୍ୟ ସମଷ୍ଟି ମାତ୍ର, କିନ୍ତୁ ଜାତି ନୁହନ୍ତି । ତେଣୁ ସେମାନଙ୍କର ଦେଶ ନାହିଁ, ସାହିତ୍ୟ ନାହିଁ ବା ସମାଜ ନାହିଁ । ଦଳଗତ ଉଦ୍ୟମ ଜାତୀୟ ଜୀବନ ଗଠନର ପ୍ରକୃଷ୍ଟ ପଥ । ଓଡ଼ିଶାରେ ସାନ ବଡ଼ ଯେ ସମସ୍ତ ଦଳଗତ ଉଦ୍ୟମ ସ୍ଥାନେ ସ୍ଥାନେ ହେଉଛି, ବର୍ତ୍ତମାନ ଯୁଗର ଗତି ଦୃଷ୍ଟିରୁ ସେ ସବୁ ଯଥେଷ୍ଟ ନୁହେଁ । ଏକ କୋଟି ଉତ୍କଳ ଅଧିବାସୀଙ୍କ ମଧ୍ୟରେ ବଡ଼ ଦରର ଯୌଥ ପ୍ରଚେଷ୍ଟା ପ୍ରାୟ ନାହିଁ । ଯଥାବିଧିରେ ରାଜନୈତିକ ଆନ୍ଦୋଳନ ନିମନ୍ତେ ପ୍ରଶସ୍ତ କର୍ମକେନ୍ଦ୍ର ଏ ପର୍ଯ୍ୟନ୍ତ ଫିଟିନାହିଁ । ସାହିତ୍ୟ ଆଲୋଚନା ନିମନ୍ତେ ସତେଜ ଶକ୍ତିଶାଳୀ ପ୍ରତିଷ୍ଠାନ ନାହିଁ । ବରଂ ଯେଉଁ ସବୁ ମଠ ମନ୍ଦିର ଓ ପୁସ୍ତକାଗାରମାନ ପୂର୍ବେ ଧର୍ମାଲୋଚନାର କେନ୍ଦ୍ର ଥିଲା ସେ ସବୁ କ୍ରମେ ନିସ୍ତେଜ ଓ ବିଶୃଙ୍ଖଳ ହୋଇଅଛି । ବିଦ୍ୟା ବିସ୍ତାର ନିମସ୍ତେ ସମୂହ ଚେଷ୍ଟା ମଧ୍ୟ ନାହିଁ । ସମାଜରେ ଉନ୍ନତ ନୈତିକ ଜୀବନ ପ୍ରବର୍ତ୍ତନ ଲାଗି ସମଷ୍ଟି ଭାବରେ କାର୍ଯ୍ୟ ହୋଇଥିବାର ଦେଖାଯାଉନାହିଁ । ଏପରି ସକଳ ବିଭାଗରେ ଓଡ଼ିଶାର ଜାତୀୟ ଜୀବନ ନିସ୍ପନ୍ଦ ଦେଖିଲେ ଦୀର୍ଘନିଶ୍ୱାସ ପକାଇବାକୁ ହୁଏ । ତେବେ ବହୁକାଳର ପ୍ରତିଷ୍ଠିତ ଏହି ଜାତିର କି କୌଣସି ଭବିଷ୍ୟତ ନାହିଁ ? ଏହି ନିରାଶା ମଧ୍ୟରେ ଆମ୍ଭେମାନେ ‘‘ଉତ୍କଳସମ୍ମିଳନୀ ’’ରୁ ଆଶ୍ୱାସନା ପାଉଅଛୁ । ଏହାହିଁ ବର୍ତ୍ତମାନ ଆମ୍ଭମାନଙ୍କର ଏକମାତ୍ର ଜାତୀୟ ପ୍ରତିଷ୍ଠାନ ।’’ ତାଙ୍କ ମତରେ ଓଡ଼ିଶାର କେବଳ ଜୀବିତ ବ୍ୟକ୍ତିଙ୍କର ସମ୍ମିଳନୀ ନୁହେଁ । ଅଦ୍ୟାପି ଯେଉଁମାନେ ଜନ୍ମ ହୋଇନାହାନ୍ତି, ଶତ ଶତ ବର୍ଷ ପରେ ଆମ୍ଭମାନଙ୍କର ଯେଉଁମାନେ ଉତ୍ତରାଧିକାରୀ ହେବେ, ସେମାନଙ୍କର ଏହି ସମ୍ମିଳନୀ ।

 

× × ×

 

ପୂର୍ବରୁ କୁହାଯାଇଛି ଗୋପବନ୍ଧୁ ଉତ୍କଳ ସମ୍ମିଳନୀ ସହିତ ସମ୍ପୃକ୍ତ ହେଲେ ଓ ସମ୍ମିଳନୀର ଚତୁର୍ଦ୍ଦଶ ଅଧିବେଶନ (ତା ୧୯ । ୪ । ୧୯୧୯) ରେ ସଭାପତିରୂପେ କାର୍ଯ୍ୟଭାର ତୁଲାଇବାକୁ ସମ୍ମିଳନୀ ତରଫରୁ ତାଙ୍କୁ ଅନୁରୋଧ କରାଗଲା । ତାହା ପାଇଁ ସେ ବିଚଳିତ ହୋଇ ପଡ଼ିଲେ । ଉତ୍କଳ ସମ୍ମିଳନୀରେ ସଭାପତି ପଦମଣ୍ଡନ କରିବାର ଦାୟିତ୍ୱ ଏତେ ଗୁରୁତ୍ୱପୂର୍ଣ୍ଣ ଓ ଗର୍ବ ତଥା ଗୌରବର କଥା ଯେ ସେ ସେଥିପାଇଁ ନିଜକୁ ଉପଯୁକ୍ତ ମନେ କଲେ ନାହିଁ । ତେବେ ଏ ଡାକରା ପ୍ରତ୍ୟାଖ୍ୟାନ କରିବାର ଶକ୍ତି ତାଙ୍କର ନ ଥିଲା । ସେ ଭାବୁଥିଲେ, ‘ସତେ ଯେପରି ଏହା ପୁଅ ପ୍ରତି ମା’ର ଡାକରା । ’ ସେ ଗଭୀର ଉତ୍କଣ୍ଠା ଓ ଭାବବିହ୍ୱଳ ହୋଇ କହିଥିଲେ -

 

‘‘ମା ଉତ୍କଳ ଜନନୀ !, ଏ ଅଧମ ସନ୍ତାନଠାରେ ତୁମ୍ଭର ଯଦି ଏତେ ଦୟା, ଏହାର କର୍ତ୍ତବ୍ୟ ପଥରେ ତୁମେଇ ସହାୟ ହୁଅ । ମା, ଉପସ୍ଥିତ ଘଟଣାରେ ମୁଁ ଦେଶର ନାୟକ ନୁହେଁ, ତାହା ହେବା ମୋର କେବେ ବାଞ୍ଛା ନୁହେଁ; ତୁମ୍ଭର ନିୟତ ସେବକ ହେବା ହିଁ ମୋ ଜୀବନର ଚିର ଆକାଙ୍‍କ୍ଷା । ଆଜି ବିଶେଷ ଭାବରେ ସେ ସେବା କରିବାକୁ ମୋତେ ସୁଯୋଗ ଦେଇଅଛି । ମା, ଏ ଅଧମ ଅଜ୍ଞାନ ସନ୍ତାନ ତୋର କି ସେବା କରିବ ।

 

‘‘ତୋତେ ହିଁ ତୁହିଁ ରକ୍ଷାକର

ମୁଁ ଛାର ମନୁଷ୍ୟ ମାତର ।’’

 

ପଣ୍ଡିତ ଗୋପବନ୍ଧୁଙ୍କର ଏହି ଭାବାବେଗ ମଧ୍ୟରେ ତାଙ୍କ ଅମ୍ଳାନ ବ୍ୟକ୍ତିତ୍ୱର ଏକ ଉଜ୍ଜ୍ୱଳ ଚିତ୍ର ପ୍ରସ୍ଫୁଟିତ ହୋଇଛି । ସେ ଯେ ଆଦୌ ପ୍ରଭୁତ୍ୱ ତଥା କ୍ଷମତାର ଦାସ ନ ଥିଲେ, ତାହା ହିଁ ସ୍ପଷ୍ଟ ପ୍ରମାଣିତ । ସେବାହିଁ ଥିଲା ତାଙ୍କ ଜୀବନର ମନ୍ତ୍ର । ଯେ ସେବକ, ସେ କ୍ଷମତା ପାଇଁ ଲୋକଜିହ୍ନ ହୋଇ ପରିସ୍ଥିତିର ସୁଯୋଗ ନିଏ ନାହିଁ ।

 

ଏହି ସମ୍ମିଳନୀ କଟକ ମ୍ୟୁନିସିପାଲିଟି ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେ ଭାରତର ଜାତୀୟ ଆନ୍ଦୋଳନ ସହିତ ଓଡ଼ିଆ ଜାତିର ଆନ୍ଦୋଳନର ମିଶ୍ରଣ, ଓଡ଼ିଆ ଭାଷା ଓଡ଼ିଆ ଜାତୀୟତା ଓ ଈଶ୍ୱର ବିଶ୍ୱାସ ଉପରେ ଯେଉଁ ସାରଗର୍ଭକ ଭାଷଣ ଦେଇଥିଲେ ତାହା ଓଡ଼ିଶାର ରାଜନୈତିକ ଇତିହାସ ଓ ସାହିତ୍ୟରେ ସାଇତା ସମ୍ପଦ ଭାବରେ ରହିବ ।

 

ସେ ଭାରତର ଜାତୀୟ ଆନ୍ଦୋଳନ ସହିତ ଓଡ଼ିଶାର ସଂଯୋଗ ପ୍ରସଙ୍ଗରେ କହିଥିଲେ–

 

× × ‘‘ଏ ସମ୍ମିଳନୀ ଯେ ଭାରତୀୟ ଜାତୀୟ ଆନ୍ଦୋଳନରୁ ଅଲଗା ହୋଇ ରହିବ, ଏହା ଅନେକ ଓଡ଼ିଆ ଯୁବକଙ୍କ ଇଚ୍ଛା ନୁହେଁ । ଏହା ଏହି ଅବସ୍ଥାରେ ରହିଲେ ବିଶେଷ କିଛି ଅଗ୍ରଗତି କରିପାରିବ ନାହିଁ ବୋଲି ସମସ୍ତଙ୍କର ଧାରଣା ହୋଇ ସାରିଛି । କିନ୍ତୁ ଏତିକି ସ୍ୱୀକାର କରିବାକୁ ହେବ ଯେ, ଏ ସମ୍ମିଳନୀ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟ ଭାବ ଜାଗ୍ରତ କରିଛି ଏବଂ ଜାତୀୟ ଏକତା ଲାଗି ପ୍ରତ୍ୟେକଙ୍କୁ ଉଦ୍‍ବୁଦ୍ଧ କରିଛି ।

 

× × × ବର୍ତ୍ତମାନ ଏହା ସମସ୍ତେ ଅନୁଭବ କଲେଣି ଯେ ଭାରତୀୟ ଆନ୍ଦୋଳନ ସଙ୍ଗେ ସମ୍ମିଳନୀର ସମ୍ୱନ୍ଧ ଓ ସହଯୋଗିତା ରହିଲେ ଆମ୍ଭମାନଙ୍କ କାର୍ଯ୍ୟରେ ନୂତନ ଆଗ୍ରହ ଓ ନବଜୀବନର ସଞ୍ଚାର ହେବ । ଏହି ଭାରତ ମିଳନ ଛଡ଼ା ଆମ୍ଭମାନଙ୍କ ପକ୍ଷେ ‘‘ନାନ୍ୟଃ ପନ୍ଥା ବିଦ୍ୟତେ ଅୟନାୟ ।’’

 

ମହାତ୍ମା ଗୋପବନ୍ଧୁଙ୍କର ନୀତି ଥିଲା ମାନବବାଦୀ । ଭାରତର ସ୍ୱାର୍ଥପାଇଁ ଦରକାର ହେଲେ ଓଡ଼ିଶାର ସ୍ୱାର୍ଥକୁ ବଳି ଦିଆଯାଇପାରେ–ଏ ମନୋଭାବ ଓ ପ୍ରସାରିତ ମନେ ଭାବ ତାଙ୍କ ଭିତରେ ଥିଲା । ଭାରତର ସ୍ୱାଧୀନତା ବିନା ସେ ଓଡ଼ିଶାର ଉନ୍ନତି ଓ ସ୍ୱାତନ୍ତ୍ର୍ୟ କଳ୍ପନା କରିପାରୁ ନଥିଲେ । ଆମେ ସମସ୍ତେ ଭାରତ ଜାତିର ଅନ୍ତର୍ଗତ ବୋଲି ସେ କହୁଥିଲେ । ତାଙ୍କ ଭିତରେ ମହାଭାରତୀୟ ଭାବଧାରା ପ୍ରବାହିତ ହେଉଥିଲା । ଏକ ଜାତି, ଏକ ଧର୍ମ, ଏକ ଭାଷା ଓ ଏକ ଆଦର୍ଶର ସମନ୍ୱୟରେ ଭାରତ ଗଠିତ ହେଉ, ଏହା ତାଙ୍କର ଥିଲା ସର୍ବୋତ୍ତମ ଅଭିଳାଷ । ଉତ୍କଳ ତାର ସ୍ୱାତନ୍ତ୍ର୍ୟ ହରାଇବାଦ୍ୱାରା ଯଦି ଭାରତର ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠିତ ହୋଇପାରିବ ତେବେ ସେ ତାହା ସ୍ୱାଗତ କରିବେ ବୋଲି କହୁଥିଲେ; କିନ୍ତୁ ଯେ ପର୍ଯ୍ୟନ୍ତ ଭାରତ ଭିତରେ ବହୁ ଭାଷା, ଧର୍ମ, ଲିପି ଓ ସାମାଜିକତା ରହିଥିବ ସେ ପର୍ଯ୍ୟନ୍ତ ଓଡ଼ିଶାର ସ୍ୱାତନ୍ତ୍ର୍ୟକୁ ବଳି ଦେବାକୁ ସେ ପ୍ରସ୍ତୁତ ନଥିଲେ ।

 

ଭାରତରେ ଗୋଟିଏ ଭାଷା ନ ହେବାପର୍ଯ୍ୟନ୍ତ ଓଡ଼ିଆ ଭାଷା ଓ ସାହିତ୍ୟ କିପରି ତାର ସ୍ୱାତନ୍ତ୍ର୍ୟ ରକ୍ଷା କରିପାରିବ ସେଥିପାଇଁ ତାଙ୍କ ମନ ବ୍ୟାକୁଳିତ ହେଉଥିଲା । ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ ଦ୍ୱାରା ଓଡ଼ିଆ ଜାତି ଭାଷା ଓ ସାହିତ୍ୟକୁ ରକ୍ଷା କରାଯାଇପାରିବ ବୋଲି ସେ ଭାଷା ଭିତ୍ତିରେ ପ୍ରଦେଶ ଗଠନ ନିୟମକୁ କଂଗ୍ରେସଦ୍ୱାରା ଅନୁମୋଦିତ କରାଇଥିଲେ ଓ ଭାରତୀୟ ରାଜନୀତି ମଞ୍ଚରେ ଏହି ଦାବୀକୁ ପ୍ରତିଷ୍ଠିତ କରିଥିଲେ ।

 

ସେ ଭାଷଣ ପ୍ରସଙ୍ଗରେ କହିଥିଲେ–‘‘ଭାଇ ଉତ୍କଳବାସୀ ! ତୁମ୍ଭେ ଯେ ହୁଅ–ବଙ୍ଗାଳୀ, ଓଡ଼ିଆ, ତେଲଙ୍ଗା, ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ ଯେ ହୁଅ, ଉତ୍କଳ ଭୂମି ତୁମ୍ଭକୁ ଆପଣା ଶରୀରରେ ବହି ତୁମର କେତେ ଅଳି ଅର୍ଦ୍ଦଳି ସହୁଛନ୍ତି । ତୁମର ହେଉ କିମ୍ବା ତୁମ୍ଭର ଶିଶୁ ସନ୍ତାନମାନଙ୍କର ହେଉଏହା ଶୈଶବର ଲୀଳାଭୂମି, ଯୌବନର କର୍ମକ୍ଷେତ୍ର, ବାର୍ଦ୍ଧକ୍ୟର ବିଶ୍ରାମ ସ୍ଥାନ ଏବଂ ଅନ୍ତିମ କାଳର ଆଶ୍ରୟ । ଏ ଦେଶକୁ ଏପରି ଭାବରେ ଯେବେ ଗ୍ରହଣ କରିଥାଅ, ଦେଶାନୁରାଗର ପବିତ୍ର ସୂତ୍ରରେ ଏ ଦେଶର ଅନ୍ୟମାନଙ୍କ ସଙ୍ଗେ ଯଦି ଭାଗ୍ୟ ଆବଦ୍ଧ କରିଥାଅ, ଏ ଦେଶର ଜାତୀୟ ଭାଷା, ଶିକ୍ଷା ଓ ସଭ୍ୟତାର ଆତ୍ମସମର୍ପଣ କରିଥାଅ, ତେବେ ଏ ଦେଶାନୁସାରେ ତୁମର ଜାତି, ଏ ଦେଶର ଇତିହାସ ଓ ସଭ୍ୟତା ତୁମର; କାରଣ ଏ ଦେଶର ଅତୀତ ଇତିହାସର ଫଳ ଏବେ ତୁମ୍ଭେ ଭୋଗ କରୁଅଛ ଏବଂ ଏହାର ବର୍ତ୍ତମାନ ଓ ଭବିଷ୍ୟତ ଗଠନରେ ତୁମ୍ଭେ ଯୋଗ ଦେଇଅଛ, ସୁତରାଂ ତୁମ୍ଭେ ଓଡ଼ିଆ, ତୁମ୍ଭେ ଉତ୍କଳ ।’’

 

ଇଂରେଜମାନେ ଓଡ଼ିଆ ଅଧିକାର କରିବା ପରେ ଏ ଭାଷା ଉପରେ ଦ୍ୱିମୁଖୀ ଆକ୍ରମଣ ଚାଲୁଥିଲା । ଏକ ପକ୍ଷରେ ଇଂରେଜମାନଙ୍କର ଏ ଭାଷା ପ୍ରତି ଚରମ ଅବହେଳା ଓ ଅନ୍ୟ ପକ୍ଷରେ ବଙ୍ଗାଳୀମାନଙ୍କ ପ୍ରତିଶୋଧମୂଳକ ବୈରୀଭାବ । ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ, ଦେଶରୁ ଓଡ଼ିଆ ସ୍କୁଲ ସମୂହକୁ ଉଠାଇ ଦିଆଯାଇଥିଲା । ତା ବଦଳରେ ବଙ୍ଗଳା ଭାଷା ଶିକ୍ଷାପାଇଁ ବ୍ୟବସ୍ଥା ହୋଇଥିଲା । ‘‘ଓଡ଼ିଆ ଭାଷା ଭାଷା ନୟ ।’’ ଏହି ପ୍ରରାର ତଳଠାରୁ ଉପର ପର୍ଯ୍ୟନ୍ତ ଅତି ଉତ୍କଟ ଭାବରେ ପ୍ରସାରିତ ହୋଇଥିଲା । ଗୋପବନ୍ଧୁ ଓଡ଼ିଆ ଭାଷା ଓ ସାହିତ୍ୟ ସୁରକ୍ଷା ପାଇଁ କହିଥିଲେ ।

 

‘‘ମନେ ରଖିବାକୁ ହେବ ଯେ, ଓଡ଼ିଆ ଭାଷା ଉପରେ ଆମ୍ଭମାନଙ୍କର ଜାତୀୟ ସତ୍ତା ନିର୍ଭର କରେ । ଭାଷା ଲୋପ ପାଇଲେ ଓଡ଼ିଆ ଜାତି ଲୋପ ପାଇବ । ସୁତରାଂ ଭାଷା ଆମ୍ଭମାନଙ୍କ ପକ୍ଷେ ଜୀବନମରଣର ସମସ୍ୟା । ଅବଶ୍ୟ ଭାରତରେ ସମସ୍ତଙ୍କର ଏକ ଏକ ସାଧାରଣ ଭାଷା ହୋଇପାରିଲେ ପରମ ସୌଭାଗ୍ୟର ବିଷୟ ହୋଇପାରନ୍ତା । ସେଥିଲାଗି ଓଡ଼ିଆ ଭାଷାକୁ ତ୍ୟାଗ କରିବା ନିମନ୍ତେ ମୁଁ କୁଣ୍ଠିତ ନୁହେଁ । ଭାରତରେ ଏକ ଭାଷା ପ୍ରଚାର ନିମନ୍ତେ ଯେ କୌଣସି ସ୍ୱାର୍ଥତ୍ୟାଗ ବ୍ୟାକ୍ତି ବା ପ୍ରଦେଶ ବିଶେଷ ପକ୍ଷେ କଦାପି ଅତ୍ୟଧିକ ହୋଇ ନପାରେ । ଭାରତର ସମୂହ କଲ୍ୟାଣରେ ପ୍ରାଦେଶିକ ସ୍ୱାର୍ଥ ବଳିଦେବା ସମସ୍ତଙ୍କର ହେବା ଉଚିତ । ମାତ୍ର ଯେତେଦିନଯାଏ ଭାରତରେ ଏକ ପ୍ରାଦେଶିକ ସ୍ୱାତନ୍ତ୍ର ରହିଛି, ତେତେଦିନଯାଏ ଭାରତରେ ଓଡ଼ିଆ ଅକାରଣ ତାହାର ତାହାର ସ୍ୱାତନ୍ତ୍ୟ ହରାଇବାକୁ ପ୍ରସ୍ତୁତ ନୁହେଁ । × × × ଯେଉଁ ସ୍ଥାନ ବା ଅଞ୍ଚଳରେ ଯେଉଁ ଭାଷା ଲୋକଙ୍କର ସାଧାରଣ ଭାଷା ଅଥବା ଅଧିକ ସଂଖ୍ୟକ ଲୋକଙ୍କ ଭାଷା, ସେହି ଭାଷା ସେହି ସ୍ଥାନର ସର୍ବସାଧାରଣଙ୍କର ଭାଷା ହେବା ଉଚିତ ।’’

 

ଏହା ବ୍ୟତୀତ ପଣ୍ଡିତ ଗୋପବନ୍ଧୁ ତାଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ଓ ସମାଜ ପତ୍ରିକାରେ ଭାରତୀୟ ଆଦର୍ଶ, ନୀତି, ଶିକ୍ଷା, ସମାଜ ସଂସ୍କାର ପ୍ରଭୃତି ବିଷୟରେ ଯେପରି ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଥିଲେ, ସେହିପରି ଭାଷଣ ପ୍ରସଙ୍ଗରେ ଉତ୍କଳ ସମ୍ମିଳନୀରେ ବହୁ ସମସ୍ୟା ଉପରେ ଆଲୋଚନା କରି ଆଲୋକପାତ କରୁଥିଲେ । ତାଙ୍କର ଲେଖା ଥିଲା ବଳିଷ୍ଠ, ଭାଷଣ ଥିଲା ଅତ୍ୟନ୍ତ ହୃଦୟଗ୍ରାହୀ । ସବୁରୀ ଭିତରେ ମାନବ ପ୍ରେମ, ଜାତୀୟତା ଓ ବିଭୁପ୍ରୀତି ପ୍ରଧାନ ସ୍ଥାନ ଅଧିକାର କରିଥିଲା ।

 

ଯଥାର୍ଥରେ ସେ କହିଛନ୍ତି, ‘‘ଯେ ଯେଉଁ ଜାତିର ହୁଅନ୍ତୁ, ସେ ପ୍ରଥମେ ମନୁଷ୍ୟ–ଈଶ୍ୱରଙ୍କର ସନ୍ତାନ । ଏହି ସମତା ଏବଂ ଭ୍ରାତୃଭାବ ପ୍ରତ୍ୟେକ ଜାତିର ଧର୍ମ ଶାସ୍ତ୍ରରେ ପ୍ରତିପାଦିତ ହୋଇଅଛି ଏବଂ ଏହାହିଁ ଜାତୀୟ ଜୀବନରେ ମୂଳମନ୍ତ୍ର ହେବା ଉଚିତ ।’’

 

× × ×

 

ମାନବ ଆତ୍ମାର କ୍ରମେ ବିକାଶ ହେଉଅଛି । ମାନବ ସମାଜ କ୍ରମେ ବିଧାତାଙ୍କର ସୃଷ୍ଟି ନିୟମର ନୂତନ ଅଧ୍ୟାୟ ଫଟାଉଅଛି । ମାନବ ଜୀବନରେ କ୍ରମେ ଭଗବାନଙ୍କର ଇଚ୍ଛା ଅଧିକରୁ ଅଧିକତର ଭାବରେ ପରିସ୍ଫୁଟ ହେଉଅଛି । ମାନବ ଧର୍ମର ଏହି ଅଭ୍ୟୁଦୟ ଫଳରେ ପ୍ରତ୍ୟେକ ଜାତିର ଉନ୍ନତି, ସୁତରାଂ ଉଦାର ମାନବିକତା ପ୍ରତ୍ୟେକ ଜାତୀୟ ଅନୁଷ୍ଠାନର ଲକ୍ଷ୍ୟ ହେବା ଉଚିତ । ××× ସାର୍ବଜନନୀ ମାନବ ସମାଜ ଭଗବାନଙ୍କର ଅଭିବ୍ୟକ୍ତି, ମାନବ ସେବା ହିଁ ଭଗବତ ସେବା । × × ମାନବ ଭଗବାନଙ୍କର ସନ୍ତାନ ଏବଂ ଉଦାର ମାନବୀୟ ପୂର୍ଣ୍ଣପ୍ରାଣତା ପ୍ରତ୍ୟେକ ଜାତିର ଲକ୍ଷ୍ୟ-

 

ପଣ୍ଡିତ ଗୋପବନ୍ଧୁ ୧୯୨୪ ସାଲ ଉତ୍କଳ ସମ୍ମିଳନୀରେ ଜାତୀୟ ଜୀବନରେ ପ୍ରତ୍ୟେକ ନାଗରିକର ଭୂମିକା କ’ଣ ତାଉପରେ ଯେଉଁ ସୁଚିନ୍ତିତ ସାରଗର୍ଭକ ଭାଷଣ ଦେଇଥିଲେ, ତାର ମୂଲ୍ୟ ଚିରନ୍ତନ । ତାହା କାଳେ କାଳେ ଜାତିକୁ ଉଦବୁଦ୍ଧ କରିବ । ଜାତି ପାଇଁ ଏହା ଏକ ସଞ୍ଜିବନୀ ମନ୍ତ୍ର କହିଲେ ଅତ୍ୟୁକ୍ତି ହେବନାହିଁ । ଏହାକୁ ପାଠ କରିବା ଅର୍ଥ ନବ ପ୍ରେରଣା, ନବ ଚେତନା ଓ ନବ ଉନ୍ମାଦନାରେ ଉନ୍ମାଦିତ ହେବାର ସୁଯୋଗ ଲାଭ କରିବା । ସେ କହିଥିଲେ, ନନ୍ଦିଘୋଷ ରଥ ନିଶ୍ଚୟ ଲକ୍ଷ୍ୟ ସ୍ଥଳକୁ ଯିବ । ବର୍ଣ୍ଣ, ଧର୍ମ, ଜାତି ଭେଦ ଭୁଲି, ବ୍ୟକ୍ତିଗତ ଅହଂକାର ଅଭିମାନକୁ ପଛକୁ ପକେଇ, ଆସ ଭାଇ–ସମସ୍ତେ ଏ ରଥ ଦଉଡ଼ି ଧରି ପ୍ରାଣପଣେ ଟାଣିବା । ଆମ୍ଭମାନଙ୍କ ସମ୍ମଖୁରେ ଅସଂଖ୍ୟ କାର୍ଯ୍ୟ ରହିଛି । ଜୀବନର କୌଣସି କ୍ଷେତ୍ରକୁ ଦେଖିଲେ ତାହା ବିସ୍ତୃତ ପତିତ ପ୍ରାନ୍ତର ହୋଇପଡ଼ିଛି । ଚାଷ କରିବାକୁ ହେବ, ଖତ ଦେବାକୁ ହେବ, ପରେ ମଞ୍ଜି ବୁଣିବାକୁ ହେବ-। ଏଥିରେ ପୁଣି କେତେ ବାଧା ବିଘ୍ନ ଅଛି । ସେ ସବୁ ସହିବାକୁ ହେବ । ପ୍ରାଣରେ ଧୈର୍ଯ୍ୟ ଓ ବିଶ୍ୱାସ ରଖି କ୍ରମାଗତ ଚାଲିବାକୁ ହେବ । ଏଥିରେ ବିଶ୍ରାମ ନାହିଁ, କର୍ମର ବିରାମ ନାହିଁ । ତପସ୍ୟା ବିନା ଜଗତରେ କୌଣସି ଗୁରୁକାର୍ଯ୍ୟ ସାଧିତ ହୋଇ ପାରେନାହିଁ ।

 

ଓଡ଼ିଶାର ଚିରସହଚର ବନ୍ୟା ଓ ଦୁର୍ଭିକ୍ଷ

 

ଓଡ଼ିଶାର ଭାଗ୍ୟର ଗତି ବୈଚିତ୍ର୍ୟମୟ । ଭୌଗୋଳିକ ପରିସ୍ଥିତି ଦୃଷ୍ଟିରୁ ବିଚାର କଲେ ଏହାର ସ୍ଥିତି ଏପରି ଯେ, ଗୋଟିଏ ଦିଗରେ ପ୍ରକୃତ ଅନ୍ତନ ବିଭବରେ ପରପୂର୍ଣ୍ଣ ହୋଇଥିଲା ବେଳେ ଅନ୍ୟ ଏକ ଦିଗରେ ଏହା ଚରମ ଅଭିଶାପର ଶିକାର ହୁଏ । ଓଡ଼ିଶାର ଆଭ୍ୟନ୍ତରୀଣ ପ୍ରଦେଶ ପାହାଡ଼ ଓ ପର୍ବତ ପୂର୍ଣ୍ଣ । ଏହା ପ୍ରାକୃତିକ ଭୂସମ୍ପତ୍ତିରେ ପରିପୂର୍ଣ୍ଣ । ଉତ୍କଳ ଚିର ସୌନ୍ଦର୍ଯ୍ୟ ଶାଳିନୀ । ବର୍ଷାପୁଷ୍ଟ ଗିରିନଦୀ ଗୁଡ଼ିକରେ ଜଳସମ୍ପଦ ବର୍ଷଭରି ରହିପାରେ ନାହିଁ । ତେଣୁ ତିରୋଟ ପରିସ୍ଥିତିରେ ତାହା କୌଣସି ଉପକାରରେ ଆସିପାରେ ନାହିଁ ଏବଂ ଅକାଳ ଦୁର୍ଭିକ୍ଷ ହୁଏ । ବଡ଼ ବଡ଼ ନଦୀଗୁଡ଼ିକରେ ପ୍ରବଳ ବନ୍ୟା ଫଳରେ ସମୁଦ୍ର ଉପକୂଳ ଅଞ୍ଚଳ ବନ୍ୟାର କରାଳ ଦାଉରେ ପ୍ରପୀଡ଼ିତ ହୁଏ । ବନ୍ୟା ଓ ଦୁର୍ଭିକ୍ଷ ଏ ଦେଶର ଚିର ସହଚର । ଅବଶ୍ୟ ବର୍ତ୍ତମାନ ବନ୍ୟାକୁ ଆୟତ୍ତ କରାଯାଇପାରିଲାଣି । ପ୍ରତ୍ୟେକ ବଡ଼ ବଡ଼ ନଦୀ ମୁଣ୍ଡରେ ବନ୍ଧ ପକାଯିବା ଫଳରେ ଏହା ସମ୍ଭବ ହୋଇଛି । ବାକି ଯାହାକିଛି ଅଛି, ଅଳ୍ପଦିନ ଭିତରେ ସେ ସବୁ ସମ୍ପୂର୍ଣ୍ଣ ହୋଇଯିବ । ସମୟ ଆସିବ ଓଡ଼ିଶାର ପିଲାଏ ବହିରୁ କେବଳ ବନ୍ୟାର ବିବରଣୀ ପାଇବେ । ରିଲିଫ ମୋଡ଼େଲ ସାହାଯ୍ୟରେ ବନ୍ୟାର ରୂପ ଦେଖିବେ । ହୁଏତ ଆଉ କେତେବର୍ଷ ପରେ ଗୋପବନ୍ଧୁ ଜନ୍ମବାର୍ଷିକୀ ପାଳନ କଲାବେଳେ ବନ୍ୟା ଦୁର୍ଭିକ୍ଷ ଅଞ୍ଚଳର ଲୋକମାନଙ୍କ କରୁଣ କାହାଣୀ ଓ ଗୋପବନ୍ଧୁଙ୍କର ସେବା ବିଷୟକ ବର୍ଣ୍ଣନା ପିଲାମାନଙ୍କୁ ଗପପରି ମନୋହେବ ।

 

ବିଜ୍ଞାନ ଆଜି ‘ସମ୍ଭବଶତାବ୍ଦୀ’ ଭିତରେ ଗତି କରୁଥିବା ବେଳେ ଦୁର୍ଭିକ୍ଷ ଦାଉରେ ମଣିଷ ମରିବା ଏକ ବ୍ୟତିକ୍ରମ ସଂଘଟନ ବୋଲି ଭାବିବାକୁ ହେଉଛି । ବିଗତ ଶତାବ୍ଦୀ ୧୮୬୩-୬୬ରେ ନଅଙ୍କ ଦୁର୍ଭିକ୍ଷ ଉତ୍କଳର ଜୀବନତନ୍ତ୍ରକୁ ଛିନ୍ନ ବିଚ୍ଛିନ୍ନ କରି ଦେଇଥିଲା । ତାର କରାଳ ଲୀଳାରେ ଲକ୍ଷ ଲକ୍ଷ ଲୋକ ପୋକ ମାଛି ପରି ମରିଥିଲେ । ଗଛର ପତ୍ର ଓ ପଡ଼ିଆର ଘାସ ବି ଲୋକଙ୍କ ଖାଦ୍ୟରୂପେ ବ୍ୟବହୃତ ହୋଇ ଅଭାବ ପଡ଼ିଲା । ମଣିଷ ମାଂସ ମଣିଷ ଖାଇଲା ସେତେବେଳେ ଥିଲା ଏ ଦେଶରେ ବିଦେଶୀ ସରକାରଙ୍କ ଶାସନ । ସେମାନେ ଏ ଚିତ୍ର ଦେଖୁନଥିଲେ କିମ୍ବା ତାଙ୍କୁ ଏ ଚିତ୍ର ଦିଆଯାଉ ନ ଥିଲା ।

 

ନଅଙ୍କ ଦୁର୍ଭିକ୍ଷର ୯ । ୧୦ ବର୍ଷ ପରେ ପୁଣ୍ୟତ୍ମା ଗୋପବନ୍ଧୁଙ୍କର ଜନ୍ମ । ଧ୍ୱଂସର ଛାୟା ସେତେବେଳେ ସମ୍ପୂର୍ଣ୍ଣ ଭାବରେ ଲିଭିଯାଇଥାଏ । କ୍ଷତର ଯନ୍ତ୍ରଣା କମି ନଥାଏ । ସେଇ ଅବସ୍ଥାରେ ସଙ୍କଟ ଗର୍ଭରୁ ଜନ୍ମ ନେଇଥିଲେ ମହାମାନବ ଗୋପବନ୍ଧୁ । ସେ ଥିଲେ ଅନ୍ଧକାର ବୁକୁରେ ଆଶାର ନବୀନ ସୂର୍ଯ୍ୟ । ପିଲାଟି ଦିନରୁ ବଢ଼ି ଓ ମରୁଡ଼ି ଅଞ୍ଚଳରେ ସ୍ୱେଚ୍ଛାସେବକ ଭାବରେ କାମ କରିବା ହିଁ ଥିଲା ତାଙ୍କର ବ୍ରତ । ଯୌବନରେ ସେ ସେଇଥିପାଇଁ ପାଣପାତ ଉଦ୍ୟମ କରିଥିଲେ ।

 

ନଅଙ୍କ ଦୁର୍ଭିକ୍ଷ ପରେ ପରେ ପ୍ରାୟ ପ୍ରତିବର୍ଷ ପାଳିକରି ବନ୍ୟା ବା ଦୁର୍ଭିକ୍ଷ ଓଡ଼ିଶା ମାଟିକୁ ଆସନ୍ତି ୧୯୨୬ ମସିହାରେ ଓଡ଼ିଶାରେ ମଧ୍ୟ ଭୟାବହ ବନ୍ୟା ହୋଇଥିଲା । ସେ ଏକ ବନ୍ୟା କମିଠି ଗଠନ କରି ତା ମାଧ୍ୟମରେ ଦୁର୍ଗତ ଲୋକଙ୍କର ସେବା ପାଇଁ ବ୍ୟବସ୍ଥା କରିଥିଲେ । ସେତେବେଳେ ସେ ଲୋକସେବକ ମଣ୍ଡଳ ସହିତ ସଂପୃକ୍ତ ହୋଇ ସାରିଥିଲେ । ଏହି ମହାଭାରତୀୟ ସେବା ସଂସ୍ଥା ହିଁ ତାଙ୍କୁ ସବୁଦିଗରେ ସେକାର୍ଯ୍ୟ ପାଇଁ ଆଶାନୁରୁପ ସାହାଯ୍ୟ କରିଥିଲେ ।

 

ଓଡ଼ିଶାରେ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଥରେ ସେ ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା ଲାଲା ଲଜପତ ରାୟଙ୍କ ପାଖକୁ ଲେଖିଥିଲେ–

 

‘‘ବନ୍ୟା ଦୁର୍ଗତ ଅଞ୍ଚଳର ଲୋକମାନଙ୍କର ଅବସ୍ଥା ଦିନକୁ ଦିନ ଶୋଚନୀୟ ପରିସ୍ଥିତିକୁ ଗତି କରୁଛି । ଜାନୁଆରୀ ଦ୍ୱିତୀୟ ସପ୍ତାହଠାରୁ ମାରୁୱାଡ଼ ଦୁର୍ଭିକ୍ଷ ରିଲିଫ ସଂଘ ତାଙ୍କର ସାହାଯ୍ୟ ବନ୍ଦ କରିଦେଇଛନ୍ତି । ଅବଶ୍ୟ ପି. ଡବ୍‌ଲ୍ୟୁ. ଡି. ଓ ଡିଷ୍ଟ୍ରି୍କଟବୋର୍ଡ଼ ତରଫରୁ କର୍ମଯୋଗାଣ ବ୍ୟବସ୍ଥା ହୋଇଛି ଓ ଲୋକମାନେ ଊଣା ଅଧିକେ କାମ ପାଉଛନ୍ତି । ରିଲିଫ୍‌ କାମ ହେଉଥିବା ଅଞ୍ଚଳରେ ଆମେ ଚାଉଳ ଗୋଲା ଖୋଲିଛୁ । ଲୋକମାନେ ଅତି ଶସ୍ତାଦରରେ ଏଠାରୁ ଚାଉଳ ପାଉଛନ୍ତି, କିନ୍ତୁ ତା ବଦଳରେ ସେମାନେ କେତେକ ଛୋଟ ଛୋଟ କାମ ମଧ୍ୟ କରୁଛନ୍ତି । କୂଅ ଖୋଳା, ପୋଖରୀ ଖୋଳା, ଖାଲ ଜାଗା ପୂରାଇ ରାସ୍ତା ତିଆରି କରିବା ପ୍ରଭୃତି କାମ ଚାଲିଛି ।

ମଧ୍ୟବିତ୍ତ ପରିବାରର ଲୋକମାନଙ୍କ ଅବସ୍ଥା ସବୁଠାରୁ ଅଧିକ ଶୋଚନୀୟ । ସେମାନଙ୍କର ସାମାଜିକ ମର୍ଯ୍ୟାଦା ଦୃଷ୍ଟିରୁ ବାହାରେ ଯାଇ କାମ ଧନ୍ଦା କରିପାରୁ ନାହାନ୍ତି ଓ ମାଗଣା ରିଲିଫ୍‌ ଗ୍ରହଣ କରିବାକୁ ମଧ୍ୟ କୁଣ୍ଠିତ ହେଉଚନ୍ତି । ମୁଁ ଦେଖୁଛି, ସେମାନଙ୍କ ପାଇଁ ଚରଖା ଭାରି ସାହାଯ୍ୟ କରୁଛି । ମହାତ୍ମା ଗାନ୍ଧୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଗତ ପୁରୀ ଦୁର୍ଭିକ୍ଷ ପାଇଁ ଯେଉଁ ଅର୍ଥ ସଂଗ୍ରହ କରାଯାଇଥିଲା ତାର ଅନ୍ୟାନ୍ୟ ରିଲିଫ୍ କାମ ପାଇଁ ଅର୍ଥର ସୁବିଧା କରାଯାଇ ପାରିବ ବୋଲି ଆପଣ ତ ତାଙ୍କୁ ଜଣାଇଛନ୍ତି, ମୁଁ ସେହି ଉଦ୍‌ବୃତ୍ତ ଅର୍ଥକୁ ଚରଖା, ରିଲିଫ୍‌ କାମ ଓ ଚାଉଳ ଗୋଲା ଖୋଲିବାରେ ଖର୍ଚ୍ଚ କରୁଛି ।’’

ବନ୍ୟା, ଦୁର୍ଭିକ୍ଷ, ରୋଗ, ଶୋକ ଓ ଦୁର୍ବିପାକବେଳେ ପୁଣ୍ୟତ୍ମା ଗୋପବନ୍ଧୁ ଲୋକମାନଙ୍କର ଦୁଃଖ ଦାରିଦ୍ର୍ୟ, ଆପତ୍ତି ଅଭିଯୋଗ ଯେପରି ଗଭୀର ଆନ୍ତରିକତା ସହିତ ବୁଝୁଥିଲେ ସେହିପରି ସେମାନଙ୍କର ଦାବୀକୁ ନିର୍ଭିକ ଭାବରେ ସରକାରଙ୍କ ସପକ୍ଷରେ ଉପସ୍ଥାପନ କରି ପ୍ରତିକାରର ବ୍ୟବସ୍ଥା କରୁଥିଲେ । ଏଥିପାଇଁ ସେ ସଭାସମିତିରେ ଭାଷଣ ଦେଇ ଲୋକମତ ସୃଷ୍ଟି କରିବା ସହିତ ‘ସମାଜ’ରେ ଅବିରତଭାବରେ ଲେଖି ଅଧିକ ଜନସମର୍ଥନ ଆକର୍ଷଣ କରୁଥିଲେ । ସତ୍ୟ ଓ ନ୍ୟାୟର ଉପସ୍ଥାପନା ପାଇଁ ସେ ଅତ୍ୟନ୍ତ ଦୃଢ଼ ଥିଲେ । ଜନତାର ଦୁଃଖରେ ତାଙ୍କର ପ୍ରାଣ ଏପରି ଶୋକାତୁର ହୋଇ ପଡ଼ିଥିଲା ଯେ, ସେ ତାଙ୍କର ସାହିତ୍ୟ ମଧ୍ୟରେ ତାର ବେଦନାବିଧୁର ବିଳାପ ଛୁଟାଇଥିଲେ । ଯଥାର୍ଥରେ ସେ କହିଥିଲେ–

‘‘ଦେଖି ଏ ଦାରୁଣ ଦୃଶ୍ୟ ହୁଏ ମନ

ଅନଶନେ ଆଜି ତେଜନ୍ତି ଜୀବନ ।

ବଞ୍ଚିବାରୁ ବଳି ଦେଖି ଏ କଷଣ

ଶତଗୁର ଶ୍ରେୟ ମଣେ ମୁଁ ମରଣ ।’’

(ବନ୍ଦୀର ଆତ୍ମକଥା)

ଗୋପବନ୍ଧୁ ଦିନ ରାତି ଅବିଶ୍ରାନ୍ତ ଭାବରେ ଲୋକସେବାରେ ନିଜକୁ ନିୟୋଜିତ କରୁଥିଲେ । ଶୟନେ, ସ୍ୱପନେ, ଜାଗରଣେ ତାଙ୍କର ସେଇ ଗୋଟିଏ ଚିନ୍ତା । ସେ ନିଜ ଭୋକ, ଓପାସରେ ଷଢ଼ି ଷଢ଼ି ନିଜ ଜୀବନର ସର୍ବସ୍ୱ ସୁଖ-ସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ, ଖୋଲା ପାଦରେ ମାଇଲ ରାସ୍ତା ଚାଲି ଓ ଜୀବନକୁ ବିପନ୍ନ କରି ଲୋକମାନଙ୍କର ସେବା କରୁଥିଲେ । ଏପରି ମଧ୍ୟ ଘଟିଛି, ସେ ଭାର୍ଗବୀ ନଈ ହେବାବେଳେ ଡଙ୍ଗା ଓଲଟି ପଡ଼ିଥିଲା ଓ ଅଳ୍ପକେ ତାଙ୍କର ପ୍ରାଣ ରକ୍ଷା ହେଲା ।

ଦିନକର ଘଟଣା । ସେତେବେଳେ ଆଚାର୍ଯ୍ୟ ହରିହର ଥାଆନ୍ତି ସତ୍ୟବାଦୀ ବିଦ୍ୟାଳୟ ଛାତ୍ରାବାସର ପରିଚାଳକ । ସେ ଖଟ ଖଣ୍ଡେ ପକାଇ ବାହାରେ ଶୋଇଥା’ନ୍ତି । ଲଣ୍ଠନଟି ଦିକି ଦିକି ହୋଇ ଜଳୁଥାଏ । ରାତି ଅଧବେଳକୁ ହଠାତ୍‌ କାହାର କ୍ରନ୍ଦନ ଶବ୍ଦରେ ତାଙ୍କର ନିଦ ଭାଙ୍ଗିଗଲା । ସେ ଶୁଣିଲେ କେହି ଜଣେ ସକ୍‌ ସକ୍‌ ହେଇ କାନ୍ଦୁଛି, ଭାବିଲେ ବୋଧହୁଏ କୌଣସି ପିଲାର କିଛି ଅସୁବିଧା ହେଲା । ଯାଇ ଦେଖନ୍ତି, ବିଚିତ୍ର ଘଟଣା । ସ୍ୱୟଂ ଗୋପବନ୍ଧୁ ଶେଯ ଉପରେ ବସି କାନ୍ଦୁଚନ୍ତି । ସେ ରାହା ଫିଟାଇ କହିଲେ, ‘‘ଆପଣ ! କାନ୍ଦୁଛନ୍ତି କାହିଁକି ? କ’ଣ ହେଲା କି ?’’ ଗୋପବନ୍ଧୁ କିଛି ସମୟ ପରେ କଇଁ କଇଁ ହୋଇ କହିଲେ, ‘‘ଶୋଇଥିଲି–ସପନରେ ଦେଖିଲି, ବଢ଼ି ଯୋଗୁଁ ଯୋଉଲୋକଙ୍କ ଘର ଦ୍ୱାର ଭାସି ଯାଇଛି, ସେମାନେ ତ ବନ୍ଧ ହୁଡ଼ାରେ ଖୋଲା ଆକାଶତଳେ ଶୀତ କାକର ଭୋଗୁଥିଲେ, ଆଜିର ବର୍ଷାରେ ସେମାନଙ୍କର ଅବସ୍ଥା ଅତି ଉଦବେଗପୂର୍ଣ୍ଣ ହୋଇଛି । ଭାବୁଛି, କି ଦୁଃଖ ତାଙ୍କର ପିଲାଛୁଆଏ ପାଉ ନ ଥିବେ । ଆହାଃ, ଭଗବାନଙ୍କର କ’ଣ ବିଚାର ଏଇଆ ?

ପଣ୍ଡିତ ଗୋପବନ୍ଧୁ ପ୍ରକୃତରେ ଥିଲେ କରୁଣାମୟ, ଏଜାତି କିନ୍ତୁ କୃତଘ୍ନ । ତାଙ୍କର ଏତେ ତ୍ୟାଗ, ଏତେ ଆଦର୍ଶ, ଏତେ ସେବାର ପ୍ରତିଦାନରେ ତାଙ୍କୁ କେତେକ ସ୍ୱାର୍ଥନ୍ଧ ବ୍ୟକ୍ତି କଟୁ ସମାଲୋଚନା କରିବାକୁ ଛାଡ଼ି ନ ଥିଲେ । ସେମାନେ ସେତେବେଳେ ପ୍ରଚାର କଲେ–

ମହାତ୍ମା ଗୋପବନ୍ଧୁ ସାରା ଜୀବନ ଯେଉଁ ତ୍ୟାଗ ସ୍ୱୀକାର କରିଥିଲେ, ଯେଉଁ ଜାତିପାଇଁ ଜୀବନ ଉତ୍ସର୍ଗ କରିଥିଲେ, ଯେଉଁ ଜାତିର ସମୃଦ୍ଧି କରିବା ତାଙ୍କର ଇହଜନ୍ମ ଓ ପରଜନ୍ମର, ଏକାନ୍ତ କାମନା, ସେଇ ଜାତିର ଲୋକେ ତାଙ୍କ ଆଜୀବନ ପୁଣ୍ୟର ପ୍ରତିଦାନରୂପେ କୁତ୍ସା କଳଙ୍କର ବୋଝ ତାଙ୍କଠିଁ ଲଦି ଦେଇଥିଲେ ।

ଉତ୍କଳ ଦୀପିକା ଓ ୟଙ୍ଗ୍‌ ଉତ୍କଳରେ ତାଙ୍କ ନାମରେ ପ୍ରଚାରିତ ହେଲା ଯେ, ଦାସ ଆପଣେ ବନ୍ୟା ପାଣ୍ଠି ଖାଇଗଲେ ।’’ ଅବଶ୍ୟ ଏକ ବିରାଟ ଜନସଭାରେ ଏହାର ଅସାରତା ଓ ଅବନ୍ତରତା ପ୍ରମାଣିତ ହେଲା । ଏ ପ୍ରଚାର ନିତାନ୍ତ ଅଭିସନ୍ଧିମୂଳକ ଓ ସ୍ୱାର୍ଥପ୍ରଣୋଦିତ ବୋଲି ପ୍ରତିବାଦ କରାଯାଇଥିଲା । ସେ ପ୍ରତିବାଦର ପ୍ରତ୍ୟୁତ୍ତର ମିଳିଲା ନାହିଁ ।

ଗୋପବନ୍ଧୁ କୋମଳ ପ୍ରାଣକୁ, ଏହି ପ୍ରଚାର କ୍ଷତବିକ୍ଷତ କରିଥିଲା । ଅପବାଦର ବୋଝ ବହନ କରି ତଥାପି ସେ କର୍ତ୍ତବ୍ୟ ପଥରେ ଆଗେଇଥିଲେ ସେଇ ଜନସେବାର ମନ୍ତ୍ର ପ୍ରଚାର କରିବା ପାଇଁ । ଏହା ତାଙ୍କର ଭାବପ୍ରବଣ ସ୍ୱାସ୍ଥ୍ୟକୁ ନଷ୍ଟ କରିଥିଲା ଓ ତାହା ଫଳରେ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥିଲା । ସେ ନିଜ ବିଷୟରେ ନିଜେ ଯାହା କହିଥିଲେ ତାହାହିଁ ପ୍ରଣିଧାନଯୋଗ୍ୟ ।

 

‘‘ମୁଁ କି ଦୋଷୀ ? ପଚାରିଲେ

ଅନ୍ତରେ ଅନାଇଁ

ଅନ୍ତରୁ ଉତ୍ତର ଆସେ

ନାହିଁ ନାହିଁ ନାହିଁ ।

ନୁହେଁ ନରହନ୍ତା କି ବା

ପରଧନହାରୀ

ପରଶି ନାହିଁ ଏ ତନୁ

କେବେ ପର ନାରୀ ।

ଜ୍ଞାତସାରେ ଦେଇ ନାହିଁ

ପରପ୍ରାଣେ ପୀଡ଼ା

ଅପରାଧେ ଅନ୍ୟ ପାଶେ

ହୋଇନାହିଁ ଛିଡ଼ା ।

କରି ନାହିଁ ପର ନିନ୍ଦା

ଈର୍ଷା ସହକାରେ

ଅପରାଧେ କଳୁଷିତ

କେବେ କି ପ୍ରକାରେ ।’’

 

(କାରା କବିତା)

 

ଏହା ଥିଲା ତାଙ୍କ ଅପାପବିଦ୍ଧ ପ୍ରାଣର ଅଭିବ୍ୟକ୍ତି । ଅବଶ୍ୟ ସେ କାରାବାସ ଦଣ୍ଡରେ ଦଣ୍ଡିତ ଥିବା ଅବସ୍ଥାରେ କାରାଗୃହରେ ଏ କବିତା ଲେଖିଥିଲେ; କିନ୍ତୁ ଏହା ଭିତରେ ତାଙ୍କ ପୂର୍ଣ୍ଣ ବ୍ୟକ୍ତିତ୍ୱର ପ୍ରତିଚ୍ଛାୟା ଦେଖିବାକୁ ମିଳେ । ସେ ଜୀବନକୁ ବାସ୍ତବ ନୟନରେ ଦେଖିବାକୁ ଯାଇ ଲଖିଛନ୍ତି–

 

‘‘ଅଳପ ବୟସରେ ମୋର ବହୁ ଅନୁଭବ

ହୃଦ ନିଷ୍ପେଷିତ ମୋର ବିରହ କଷଣେ

ତୁଟିଛି ମୋ କଳ୍ପନାର ବିଳାସ ବୈଭବ

ଦେଖେ ମୁଁ ଜୀବନ ଗତି ବାସ୍ତବ ନୟନେ ।’’

 

ସାହିତ୍ୟ ସୃଷ୍ଟି

 

ଗୋପବନ୍ଧୁ ଥିଲେ ଏ ଜାତିର ବିରଳ ବ୍ୟକ୍ତି ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ତାଙ୍କର ବ୍ୟକ୍ତିତ୍ୱ ଥିଲା ସୁଦୂରପ୍ରସାରୀ । ସେ ଏକାଧାରରେ ସେବକ, ଶିକ୍ଷକ, ସଂସ୍କାରକ; ସଂସ୍ଥାପକ, ସଂଗଠକ, ଲେଖକ, ଦାର୍ଶନିକ, ରାଜନୀତିଜ୍ଞ ଓ ସାମ୍ବାଦିକ ଥିଲେ । ଲେଖକ ହିସାବରେ ତାଙ୍କର ସୃଷ୍ଟି ଅଧିକ ନ ହେଲେ ମଧ୍ୟ ସେଗୁଡ଼ିକ ଦୁର୍ଲଭ ଭାବରାଜିର ଗୋଟିଏ ସାରସ୍ୱତ ଦୁର୍ଗ । ଓଡ଼ିଆ ସାହିତ୍ୟ ଓ ଜାତି ଥିବା ପର୍ଯ୍ୟନ୍ତ ଏହା ଏଜାତିକୁ ପ୍ରେରଣା ଦେବ, ଜୀବନ ସଞ୍ଚାର କରିବ ଓ ଭାଷା ଦରବାରରେ ଉପଯୁକ୍ତ ଆସ୍ଥାନ ଦେବ । ତାଙ୍କ ଲେଖା ମଧ୍ୟରେ ଗମ୍ଭୀର ଭାବ ଥିଲା କିନ୍ତୁ ଭାବପ୍ରବଣତା ନ ଥିଲା; କଳ୍ପନା ଥିଲା କିନ୍ତୁ କଳ୍ପନାର କୁହୁକ ନ ଥିଲା, ଭାଷା ଥିଲା କିନ୍ତୁ ଭାଷାର ଭସାଣିଆ ପରିବେଶ ନ ଥିଲା । ଥିଲା ନଥିଲାର ଲୁଚକାଳି ଭିତରେ ତାଙ୍କ ସାହିତ୍ୟର ସୃଷ୍ଟି । ମାନବିକତାର ପ୍ରଚାର ହିଁ ଥିଲା ତାଙ୍କ କଳା ସୃଷ୍ଟିର ଆତ୍ମିକ ନିବେଦନ ।

ସେ ଥିଲେ ଜନମାନସର କବି । ଅଶ୍ରୁର କାଳିରେ ତାଙ୍କର ଅଧିକାଂଶ କବିତା ରଚିତ ହୋଇଥିଲେ ମଧ୍ୟ ତାଙ୍କୁ ଦୁଃଖବାଦୀ ବୋଲି କୁହାଯାଇପାରିବ ନାହିଁ । ଦୁଃଖର କଳା ମେଘ କୋଳରେ ଆଶାର ସୌଦାମିନୀ ଲକ୍ଷ୍ୟପଥରେ ଆଗେଇଯିବାକୁ ଆଲୋକ ଦେଉଥିଲେ । ସେ ଭାବୁଥିଲେ ଏ ସଂସାର ଅମୃତମୟ.. ଏ ଜୀବନ ଅମୃତମୟ । ଆତ୍ମା ପରମାତ୍ମାଙ୍କର ଅଂଶବିଶେଷ ଓ ଏହାର ଶୁଦ୍ଧତାରେ ଜୀବନର ଶୁଦ୍ଧତା । ସେଥିପାଇଁ ସେ ଉଦାର କଣ୍ଠରେ ଗାଇଥିଲେ–

‘‘ଦେଶବାସୀଙ୍କର ହେଲେ ଆତ୍ମଶୁଦ୍ଧି

ସତ୍ୟେ ଅନୁରାଗ ଧର୍ମେ ଦିବ୍ୟ ବୁଦ୍ଧି

ମେଣ୍ଟିବ ଦୁର୍ଗତି ଦୁଃଖ ଯିବ କ୍ଷୟ

ଆସିବ ସୁଦିନ ହେବ ସୂର୍ଯ୍ୟୋଦୟ ।’’

ଆଧ୍ୟାତ୍ମକତାର ସ୍ପର୍ଶ ତାଙ୍କ କବିତାର ଛତ୍ରେ ଛତ୍ରେ ପ୍ରସ୍ଫୁଟିତ ହୋଇଥିଲା । ପ୍ରାଣର ଉଚ୍ଛାସ ହିଁ ତାଙ୍କର କବିତା ଓ ପ୍ରାଣହିଁ ମହାପ୍ରାଣର ସତ୍ତାବିଶେଷ । ସେ ଆଶାର ଆଲୋକରେ ଉଦ୍ଦୀପିତ ହୋଇଛନ୍ତି ସୁଦିନର ସୂର୍ଯ୍ୟୋଦୟ ହେବ ବୋଲି ।

ଉତ୍କଳୀୟମାନଙ୍କର ଦୁଃଖ ନିଶ୍ଚୟ ଦୂର ହେବ ଓ ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ନ୍ୟାୟରେ ସମସ୍ତ ଦୁର୍ଦ୍ଦଶାର ମୋଚନ ହେବ ବୋଲି ସେ ଗଭୀର ଆଶା ପୋଷଣ କରିଥିଲେ । ସେଥିପାଇଁ ସେ ଲେଖିଥିଲେ–

‘‘ନ ହୁଅ ନିରାଶ, ନ ହୁଅ ଦୁଃଖିତ

ଉତ୍କଳର ଦେଖି ଦୁଃଖମୟ ଚିତ୍ର

ସୁଖ ଦୁଃଖ ଚିତ୍ର ଘରେ ନିରନ୍ତର

ଏକ ପରେ ଅନ୍ୟ ଆସିବ ମୁକର ।’’

ସେ ଭାରତର ଜାତୀୟ ସଂହତି ପାଇଁ ସର୍ବଦା ତତ୍ପର ଥିଲେ । ତାଙ୍କର ଧାରଣା, ଭାରତର ଜାତୀୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ଏକ ଅସମ୍ଭବ କଳ୍ପନା । ଭାରତର ଜାତୀୟ ସ୍ୱାର୍ଥ ସହିତ ଓଡ଼ିଶାର ସ୍ୱାର୍ଥ ଆତ୍ମମୟଭାବରେ ଜଡ଼ିତ । ସେଇଥିପାଇଁ ସେ ଲେଖିଥିଲେ–

ହିନ୍ଦୁ ମୁସଲମାନ ବୌଦ୍ଧ ଖ୍ରୀଷ୍ଟିଆନ

ଶିଖ, ଜୈନ ଯେତେ ଭାରତ ସନ୍ତାନ

ଯେତେ ଧର୍ମ ଯେତେ ବର୍ଣ୍ଣ ଜାତି କୁଳ

ଭାରତ ଜନନୀ ସମସ୍ତଙ୍କ ମୂଳ ।

ଏକ ଆଶା ଏକ ଲକ୍ଷ୍ୟ ଏକ ଧ୍ୟାନ

ଏକତ୍ର ଏନ୍ତୁଡ଼ି ଏକତ୍ର ଶ୍ମଶାନ

ଏକ କର୍ମ ଖେଳ ଏକ ମାତୃ ପଦେ

କର ଏକ ପ୍ରାଣ ସମ୍ପଦେ ବିପଦେ

ଏକତା ମନ୍ତ୍ରରେ ରଖ ସଦା ମତି

ହେବ ଏହି ଭାବେ ସ୍ୱରାଜ ପ୍ରାପତି ।

ପଣ୍ଡିତ ଗୋପବନ୍ଧୁ ଯେତେବେଳେ ନିର୍ଭୀକଭାବରେ ତାଙ୍କର ଲେଖନୀ ଚାଳନା କରୁଥିଲେ, ସେତେବେଳେ ସେ ଥିଲେ ପରାଧୀନ ଭାରତର ନାଗରିକ । ନିଜ ଘରେ ନିଜ ଦେଶରେ ଦାସ ପରି ଜୀବନଯାପନ କରିବା ଅତ୍ୟନ୍ତ ଯନ୍ତ୍ରଣାମୟ । ସେ ସେହି ତୀବ୍ର ଆତ୍ମଯାତନା ଭିତରେ ମୁକ୍ତିର ମନ୍ଦାକିନୀ ଖୋଜି ବୁଲୁଥିଲେ । ସ୍ୱରାଜ ହିଁ ଥିଲା ତାଙ୍କର ପରମ କାମନା । ସେଥିପାଇଁ ସେ ଆବେଗାପ୍ଳୁତ କଣ୍ଠରେ କହିଛନ୍ତି–

‘‘ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲିଯାଆନ୍ତୁ ପିଠିରେ

ଦେଶର ସ୍ୱରାଜ ପଥେ ଯେତେ ଗାଡ଼

ପୁରୁ ତହିଁ ପଡ଼ି ମୋ ମାଂସ ହାଡ଼ ।’’

ଉତ୍କଳୀୟମାନଙ୍କର ଅଧୋଗତି ଦେଖି ତାଙ୍କ ପ୍ରାଣ ବିଦୀର୍ଣ୍ଣ ହୋଇଥିଲା । ଯେଉଁ ଜାତି ଦିନେ ବିଶ୍ୱରେ ତାର ସାତନ୍ତ୍ର୍ୟ ପ୍ରତିଷ୍ଠା କରିପାରିଥିଲା, ତାର ଜଗତନାଥ ଜଗନ୍ନାଥଙ୍କ ପାଇଁ, ତାର କଳାର ଉତ୍କର୍ଷତା ପାଇଁ, ଧର୍ମର ମହନୀୟତା ପାଇଁ ଯେ ଦିନେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା, ଯେଉଁ ଜାତିର ଦେବଦରବାରରେ ବିଶ୍ୱ ମୈତ୍ରୀ ଓ ଭ୍ରାତୃତ୍ୱ ଚିରପୂଜିତ, ସେହି ଜାତିର ଅଧଃପତନରେ ସେ ମୁହ୍ୟମାନ ହୋଇ ଗାଇଥିଲେ–

‘‘ନାହିଁ ପୂର୍ବ ବଳ ନାହିଁ ପୂର୍ବ ଧର୍ମ

ନାହିଁ ପୂର୍ବ ସତ୍ୟ ନାହିଁ ପୂର୍ବ କର୍ମ;

ଉତ୍କଳବାସୀର ଦେଖି ଏ ଦୁର୍ଗତି

ଦାରୁଭୂତ ଏବେ ନୀଳାଚଳପତି;

ମାତ୍ର ବୁଝ ଭାଇ ହେଲେ ଧର୍ମବଳ

ନବତେଜେ ପୁଣି ଜାଗିବ ଉତ୍କଳ ।’’

ଉତ୍କଳର ପୁନଃଜାଗରଣ ପାଇଁ ସେ ଆଶାୟୀ ଥିଲେ । ଉତ୍କଳବାସୀ ଆତ୍ମସମୀକ୍ଷା କରି ତାଙ୍କର ପୂର୍ବ ପଥକୁ ଫେରି ଆସିଲେ ସେମାନଙ୍କର ଲୁପ୍ତ ଗୌରବ ପୁଣି ଫେରିଆସିବ । ସେ ସେଥିପାଇଁ ସେମାନଙ୍କଠାରୁ ଆଶା କରିଥିଲେ ଜାତିପ୍ରୀତି ଓ ମାନବ ପ୍ରୀତି ।

ଜାତୀୟ ମମତା ବିଶ୍ୱଜନ ପ୍ରୀତି

ଉତ୍କଳବାସୀର ହେଉ ଏହା ନୀତି;

ଛାଡ଼ ତେବେ ମନୁ ଭେଦ ଅଭିମାନ

ବେଦ କୋରାନରେ କର ସମଜ୍ଞାନ ।

 

ବ୍ରିଟିଶ ଶାସନର ରଥଚିତ୍ର ତଳେ ଅଗଣିତ ଓଡ଼ିଆ ଜୀବନ ପିଷ୍ଟ ହୋଇଥିଲା । ସେମାନେ ଥିଲେ ସ୍ୱେଚ୍ଛାଚାରୀ । ସେମାନଙ୍କ ଚକ୍ଷୁରେ ଶାସନର ଅର୍ଥ ଥିଲା ଅତ୍ୟାଚାର, ଉତ୍ପୀଡ଼ନା, ଶୋଷଣ । ଶାସକର ପବିତ୍ର ସଂଜ୍ଞା ସେ ଜାଣି ନ ଥିଲେ । ପ୍ରଜାର ଅସନ୍ତୋଷ ବହ୍ନି ସାରା ଦେଶରେ ପ୍ରଜ୍ୱଳିତ ହୋଇଥିଲା । ପ୍ରାଚ୍ୟ ଦୃଷ୍ଟିଭଙ୍ଗୀ କିନ୍ତୁ ଭିନ୍ନ । ଶାସନର ଅର୍ଥ ଆତ୍ମଶାସନ । ପ୍ରଜାପାଳନ ହିଁ ରାଜଧର୍ମ । ପ୍ରଜାର ଶାନ୍ତି ସନ୍ତୋଷ ନେଇ ରାଜଲକ୍ଷ୍ମୀ ରାଜ୍ୟରେ ବିରାଜମାନ କରନ୍ତି । ପ୍ରଜାର ଅସନ୍ତୋଷ ଆଗ୍ନେୟଗିରିତୁଲ୍ୟ ତାହା ରାଜଶିରୀକୁ ଭସ୍ମ କରେ । ସେ ଆଦର୍ଶ-ପ୍ରଜାପାଳନର କଳ୍ପନା କରି ଲେଖିଥିଲେ–

 

‘‘ରହିବ ନାହିଁ ଏ ନୀତି କାଳେ କାଳେ

ନାଶ ଯିବ ସତ୍ୟ ନ୍ୟାୟ କାରବାଳେ ।

ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି

ପ୍ରଜା ଲାଗି କରେ ଇନ୍ଦ୍ର ଜଳ ବୃଷ୍ଟି ।

ପ୍ରଜା ଲାଗି ରବି ଶଶୀ ତାରା

ପ୍ରଜା ଲାଗି ବହେ ଶତ ନଦୀ ଧାରା ।

ପ୍ରଜା ଲାଗି ରାଜ୍ୟ ପ୍ରଜାର ଶାସନ

ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ ।’’

 

ପଣ୍ଡିତ ଗୋପବନ୍ଧୁ ବୁଝିଥିଲେ ଗ୍ରାମ ହିଁ ଭାରତର ପ୍ରାଣପିଣ୍ଡ । ଗ୍ରାମକୁ ବାଦ୍‌ ଦେଲେ ଭାରତ ବା ଉତ୍କଳର ଅସ୍ତିତ୍ୱ ରହିବ ନାହିଁ । ଗ୍ରାମ ସଂଗଠନ ନ ହେଲେ ଭାରତୀୟ ଜୀବନର ବିକାଶ ସମ୍ପୂର୍ଣ୍ଣ ଅସମ୍ଭବ । ଭାରତୀୟ ସଭ୍ୟତା ପଲ୍ଲୀ ସଭ୍ୟତା । ଏହାର ଉନ୍ନତି ପାଇଁ ସେ ସବୁବେଳେ ସ୍ୱପ୍ନ ଦେଖିଥିଲେ । ସାମାଜିକ ଜୀବନକୁ ସୁସ୍ଥ, ସଂଯତ ଓ ସୁଖମୟ କରିବାପାଇଁ ସେ ଗ୍ରାମ ସଂଗଠନ ଉପରେ ଅଧିକ ଦୃଷ୍ଟି ଦେଇଥିଲେ । ସେଥିପାଇଁ ତାଙ୍କ ଲେଖନୀ ମୁଖର ହୋଇ ଉଠିଥିଲା ।

 

‘‘ଗ୍ରାମ ବିଚାରରେ ସକଳେ ସମାନ

ଛାଡ଼ ମନୁ ବଡ଼ ସାନ ଅଭିମାନ ।

× × ×

ଛାଡ଼ ଉଚ୍ଚ ନୀଚ ଭେଦ ଅହଙ୍କାର

ହେଉ ନୀଳାଚଳୁ ସମତା ପ୍ରଚାର ।

ଚୋରି ନାରୀ ନିଶା ଆଦି ଦୁରାଚାର

ନ କରୁ ଦୁଷିତ ଗ୍ରାମ ପରିବାର ।

ସତ୍ୟ ଶାନ୍ତି ପଥେ ଚାଲ ଅବିରତ

ଗ୍ରାମେ ଗ୍ରାମେ ସର୍ବେ କର ପଞ୍ଚାୟତ ।

ପିନ୍ଧ ଦେଶୀ ଲୁଗା ହେଉ ଅଙ୍ଗ ଶୁଦ୍ଧି

ମାମଲାରେ ଆଉ ନ ଖେଳାଅ ବୁଦ୍ଧି ।

× × ×

ମେଣ୍ଟିବ ଦୁର୍ଗତି ଦୁଖଃ ଯିବ କ୍ଷୟ

ଆସିବ ସୁଦିନ ହେବ ସୁଖୋଦୟ ।’’

 

ଦିବ୍ୟ ଜ୍ଞାନୀ ଗୋପବନ୍ଧୁ ପରମ ତାତ୍ତ୍ୱିକ ଥିଲେ । ତାଙ୍କର ରାଜନୀତି, ସେବା, ସାହିତ୍ୟ ଓ ଜୀବନ ପର୍ଯ୍ୟାୟରେ ଆଧ୍ୟାତ୍ମିକ ଚେତନା ସର୍ବଦା ଜାଗରୂକ ହେଉଥିଲା । ଏ ସବୁ ଭିତରେ ଥିଲା ଦିବ୍ୟ ଭାବନାର ଦ୍ୟୋତନା । ସେ ପ୍ରାଣକୁ ସୂର୍ଯ୍ୟ ସହିତ ତୁଳନା କରିଥିଲେ । ଦିବାନିଶିର ସଂଘଟନ ମଣିଷର ଶରୀର ଭିତରେ ଦେଖିବାକୁ ପାଇଥିଲେ । ସୂର୍ଯ୍ୟ ହିଁ ସୃଷ୍ଟିର ଆଧାର । ପ୍ରାଣ ହିଁ ସୂର୍ଯ୍ୟର ପ୍ରତୀକ । ସେଇଥିପାଇଁ ସେ ଗାଇଥିଲେ–

 

‘‘ପ୍ରାଣ ସୂର୍ଯ୍ୟ ପ୍ରତି ନ ହୁଅନ୍ତୁ ଉଦିତ

ପ୍ରାଣେ ପୁଣି ପ୍ରତିଦିନ ଯାନ୍ତି ଅସ୍ତମିତ ।

ଦିବାନିଶି ସମ ଦୃଷ୍ଟି ପ୍ରଳୟ ବିଧାନ

ପ୍ରାଣୁ ସୂର୍ଯ୍ୟ ସୃଷ୍ଟି ପୁଣି ପ୍ରାଣେ ତିରୋଧାନ ।’’

 

ମହାନ୍‌ଯଶା ଗୋପବନ୍ଧୁଙ୍କର ସାହିତ୍ୟକୃତି ବିଷୟରେ ଆଲୋଚନା କଲେ ଗୋଟିଏ ବିରାଟ ପୁସ୍ତକ ହେବ । ଏହି କ୍ଷୁଦ୍ର ପୁସ୍ତକରେ ତାହା ସମ୍ଭବ ନୁହେଁ ।

 

ତାଙ୍କ ଲିଖିତ ପୁସ୍ତକଗୁଡ଼ିକ ମଧ୍ୟରୁ ଧର୍ମପଦ, ବନ୍ଦୀର ଆତ୍ମକଥା, ଅବକାଶ ଚିନ୍ତା, କାରା କବିତା, ନଚିକେତା ଉପାଖ୍ୟାନ, ଗୋ-ମହାତ୍ମ୍ୟ ପ୍ରଭୃତି ପ୍ରଧାନ । ଏଗୁଡ଼ିକ କବିତା ପୁସ୍ତକ । ସତ୍ୟବାଦୀରେ ସେ ଅସରନ୍ତି ପ୍ରବନ୍ଧ ଲେଖିଛନ୍ତି, ଯାହାକି ଓଡ଼ିଆ ସାହିତ୍ୟ ମଞ୍ଜୁଷାରେ ଅମୂଲ୍ୟ ରତ୍ନରୂପେ ଚିରଦିନ ଜାଜ୍ୱଲ୍ୟମାନ ହୋଇ ରହିବ ।

 

ଧର୍ମପଦ ଏକ ଗାଥା କବିତା । ଓଡ଼ିଶାର ଜାତୀୟ ସଂସ୍କୃତି ଅସରନ୍ତି ଗାଥାର ମାଧୁର୍ଯ୍ୟମୟ ପ୍ରକାଶ । ସତ୍ୟର ସମ୍ଭାର ନେଇ, ଆଦର୍ଶର ଆତ୍ମା ବହନ କରି ଲୌକିକତାର ସୁସ୍ଥ ସଂଯୋଜନା ହିଁ ଗାଥାର ଗାମ୍ଭୀର୍ଯ୍ୟ ପ୍ରକାଶ କରେ । ଧର୍ମପଦରେ ଓଡ଼ିଆ ଜାତୀୟତା, ତାର ସଂସ୍କୃତି, ସାମାଜିକ ରୀତି ଓ ପାରିବାରିକ ଜୀବନର ଏକ ଉଚ୍ଛାସଭରା ଚିତ୍ର ଦେଖିବାକୁ ମିଳେ । କୋଣାର୍କ ମାଟି ପଥରର କୋଣାର୍କ ନୁହେଁ, ଏହା କଳାର କୋଣାର୍କ । ଧର୍ମପଦ କାବ୍ୟ ଭିତରେ ଅଶ୍ରର ଯେଉଁ ଚନ୍ଦ୍ରଭାଗା ପ୍ରବାହିତ ହୋଇଛି, ତାରି ଭିତରେ ଧର୍ମ ଦର ସ୍ମୃତି ହିଁ ଏକ କରୁଣ କୋଣାର୍କ । କବିଙ୍କର ଧର୍ମପଦ କାବ୍ୟ ଆଜି କୋଣାର୍କକୁ ବହନ କରିଛି ଓ କୋଣାର୍କ ଆଜି ତାର ଭଗ୍ନ ଶରୀରରେ ଦେବଶିଶୁ ଧର୍ମପଦକୁ ବହନ କରି କୀର୍ତ୍ତିମୟ ହୋଇଛି ।

 

ବନ୍ଦୀର ଆତ୍ମକଥାରେ ଗୋପବନ୍ଧୁଙ୍କର ପୌରୁଷର ବିଜେ ବାର୍ତ୍ତା ଶୁଣିବାକୁ ମିଳେ । ସେ ଏଥିରେ ସଂଗ୍ରାମୀର ଭୂମିକା ନେଇଛନ୍ତି । ସତ୍ୟ, ମୁକ୍ତି, ନ୍ୟାୟ, ମାନବିକତା ପାଇଁ ମନୁଷ୍ୟ ତାର ଜୀବନକୁ ସଂଘର୍ଷ ଭିତରେ ଆଗେଇ ନେବାର ଆଗ୍ନେୟ ଶପଥ ତା ମଧ୍ୟରେ ଅଛି । ଏହାର ଭାଷାରେ ଏପରି ଉତ୍ତେଜନା ଓ ଦରଦ ଅଛି, ଯାହାକୁ ପାଠ କଲେ ହୃଦୟ ଅନ୍ୟାୟ ବିରୁଦ୍ଧରେ ବିଦ୍ରୋହ କରିବା ସହିତ ମାନବିକ ସମ୍ବେଦନଶୀଳତାରେ ପରିପୂର୍ଣ୍ଣ ହୋଇଉଠେ ।

 

ଅବକାଶ ଚିନ୍ତାରେ ପ୍ରେମ, ଭକ୍ତି, ଜାତୀୟତାବୋଧ ଓ ମାନବିକତାର ପୂଜା ବିଷୟରେ ବର୍ଣ୍ଣନା କରିଛନ୍ତି । ସଂସାରର ଅଗଣିତ ଦୀନହୀନ ସର୍ବହରା ପାଇଁ ତାଙ୍କ ପ୍ରାଣ ବ୍ୟାକୁଳ ହୋଇଛି । ସେ ମଣିଷକୁ ବାହ୍ୟ ଧର୍ମାଚରଣ ପରିବର୍ତ୍ତେ ଅନ୍ତଦର୍ଶନ ପାଇଁ ବୁଝାଇ କହିଛନ୍ତି ‘‘ପ୍ରକୃତରେ ମଣିଷର ହୃଦ କପିଳାସରେ ପ୍ରେମର ଝର ନିର୍ଗତ ହେଉଛି । ସେଠାରେ ଶଙ୍କର ସ୍ୱୟଂ ବିଦ୍ୟମାନ । ମଣିଷ ଶୁଚିସାତ ହୋଇ, ଭକ୍ତିରସ ଢାଳି, ଜ୍ଞାନଦୀପ ଜାଳି ତାଙ୍କର ପୂଜା କଲେ ମନୋବାଞ୍ଛା ପୂର୍ଣ୍ଣ ହେବ । ସେ ଭଗବାନଙ୍କୁ ଏଇପରି ଭାବରେ ମଣିଷ ଭିତରେ ଦେଖୁଥିଲେ ।

 

କାରା କବିତାରେ ସେ ତାଙ୍କ ବିଷାଦମଥିତ ଜୀବନର ଉଚ୍ଛ୍ୱାସ ପ୍ରକଟିତ କରିଛନ୍ତି । ଆତ୍ମସମୀକ୍ଷା ତାରି ଭିତରେ ଫୁଟି ଉଠିଛି, ତଥାପି ସେଇ ବେଦନାତୁର ଅଭିବ୍ୟକ୍ତି ଭିତରେ ନୈରାଶ୍ୟର କୃଷ୍ଣରେଖା ନାହିଁ ।

 

ନଚିକେତା ଉପାଖ୍ୟାନରେ ସେ ବ୍ରହ୍ମବାଦର ବିଶ୍ଳେଷଣ କରିଛନ୍ତି । ନ୍ୟାୟ, ଧର୍ମର ପ୍ରାଣ ପ୍ରତିଷ୍ଠା ହୋଇଛି ତା ଭିତରେ । ପ୍ରାଣ, ମହାପ୍ରାଣ ଓ ମହାସତ୍ତାର ମହାମିଳନ ସେଇ ଲେଖା ଭିତରେ ହୋଇଛି ।

 

ଗୋ-ମହାତ୍ମ୍ୟରେ ଗୋ-ଜାତିର ପୂଜା ସେବାପାଇଁ ସେ ଓଡ଼ିଶାର ଧର୍ମପ୍ରାଣ ଜନତାକୁ କେବଳ ଉପଦେଶ ନ ଦେଇ ଧର୍ମତତ୍ତ୍ୱ ଭିତରେ ଏହାର ପରାକାଷ୍ଠା ପ୍ରତିପାଦନ କରିଛନ୍ତି ।

 

ଗୋପବନ୍ଧୁଙ୍କ ସାହିତ୍ୟ ସୃଷ୍ଟି ମାନବିକତା ଓ ଦେବତ୍ୱର ସମବାୟରେ ସମୃଦ୍ଧ ।

 

ନିର୍ବାପନ

 

୧୯୨୮ ମସିହା, ଜନ୍ମ ସତର ତାରିଖ । ଚକାଡୋଳାଙ୍କର ନେତ୍ର ଉତ୍ସବ ଚାଲିଥାଏ । ସେ ନେତ୍ର ଖୋଲିଥିଲେ, ଦୁଃଖାର୍ତ୍ତ, ଶୋକାର୍ତ୍ତ, ଅନୁସରିତ, ଅପେକ୍ଷିତ, ଉପେକ୍ଷିତ—ସମସ୍ତଙ୍କୁ ଦର୍ଶନ ଦେଇ ଦୁଃଖ ହରଣ କରିବେ ବୋଲି, ତାଙ୍କ ଆଖି ବୁଜିହୋଇଗଲା ଚିରଦିନ ପାଇଁ ।

 

ଦେବତାର ପଦଯୁଗରେ ଭକ୍ତ ଚିରଦିନ ଆଖିବୁଜି ପ୍ରାର୍ଥନା କରେ ଭକ୍ତି ଅର୍ଘ୍ୟଦାନ କରି-। ଆଜି ଜଗତର ନାଥ ଜଗନ୍ନାଥଙ୍କର ପରମ ଭକ୍ତ ବୋଧହୁଏ ଦେବତାର ଚକ୍ଷରୁ ଦିବ୍ୟ ଜ୍ୟୋତି ଆହରଣ କରି ଚିରଦିନ ପାଇଁ ଆଖି ବୁଜିଛି ଅନନ୍ତ ଭକ୍ତିରେ ନିଜକୁ ନିମଜ୍ଜିତ କରି ।

 

ଉତ୍କଳଜନନୀ ତାଙ୍କର ବରପୁତ୍ରଙ୍କୁ ହରାଇଲେ । ଜନତା ତାର ସେବକ, ସାଧକ, ଗୁରୁ ଓ ତପସ୍ୱୀକୁ ହରାଇଲା ଚିରଦିନ ପାଇଁ । ସେବା ଓ ତ୍ୟାଗର ଉଜ୍ଜ୍ୱଳ ଅଧ୍ୟାୟର ପରିସମାପ୍ତି ଘଟିଲା-

 

ବିଧିର ବିଧାନ ବଡ଼ ବିଚିତ୍ର । ପଣ୍ଡିତ ଗୋପବନ୍ଧୁ ମୃତ୍ୟୁର ଅଳ୍ପଦିନ ପୂର୍ବରୁ ଉତ୍କଳ ଗୌରବ ମଧୁସୂଦନଙ୍କ ଠାରୁ ଖଣ୍ଡିଏ ପତ୍ର ପାଇଥିଲେ । ସେଥିରେ ଲେଖାଥିଲା–

 

‘‘ମୋର ଅନ୍ତିମ ମୁହୂର୍ତ୍ତ ନିକଟ ହୋଇ ଆସିଲାଣି, ମୁଁ ଆଉ ଅଳ୍ପଦିନ ଭିତରେ ବିଦାୟ ନେଇ ଚାଲିଯିବି । ଏଇ ଶେଷ ମୁହୂର୍ତ୍ତରେ ତମ ସହିତ ବସି ଭଗବତ୍‌ ପ୍ରାର୍ଥନା କରିବା ମୋର ଆନ୍ତରିକ ଇଚ୍ଛା ।’’

 

ଆଖି ପିଛୁଳାକେ ସବୁ ଓଲଟପାଳଟ । କାଳର କ୍ରୁର ଡାକରା ପ୍ରଥମେ ମିଳିଲା ଗୋପବନ୍ଧୁଙ୍କୁ । ତାଙ୍କୁ ବିଦାୟ ନେବାକୁ ପଡ଼ିଲା ପ୍ରିୟ ଜନ୍ମମାଟିର ସ୍ନେହସିକ୍ତ କୋଳରୁ । ଚକାଡ଼ୋଳା ଜାଣନ୍ତି, ତାଙ୍କର ନେତ୍ର ଉତ୍ସବରେ ଏ ଜାତିର ନେତ୍ରକୁ ଅପହରଣ କଲେ କାହିଁକି ? ଜାତିର ନନ୍ଦିଘୋଷର ସାରଥି ଚାଲିଗଲେ ଚିରଦିନ ପାଇଁ । ରଥ ହେଲା ଅଚଳ ।

 

ପଣ୍ଡିତ ଗୋପବନ୍ଧୁ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଲୋକସେବକ ମଣ୍ଡଳର ବାର୍ଷିକ ଅଧିବେଶନରେ ଯୋଗଦେବା ପାଇଁ ଲାହୋର ଯାଇଥିଲେ । ସାଥିରେ ଥିଲେ ପଣ୍ଡିତ ଲିଙ୍ଗରାଜ । ସେଠାରେ ଟାଇଫଏଡ଼୍‌ ରୋଗରେ ଆକ୍ରାନ୍ତ ହେଲେ । ସେଠାରେ ବିଶ୍ରାମ ନେଇ ଚିକିତ୍ସା କରିଥିଲେ ହୁଏତ ଅବସ୍ଥା ବିଶେଷ ଖରାପ ହୋଇ ନଥାନ୍ତା, କିନ୍ତୁ ସେ ଫେରିଆସିବା ପାଇଁ ଇଚ୍ଛାପ୍ରକାଶ କଲେ-। ସେହି ଅବସ୍ଥାରେ ସେ ଆସିଲେ; କିନ୍ତୁ ହାବଡ଼ା ଷ୍ଟେସନରେ ପହଞ୍ଚିଲା ବେଳକୁ ତାଙ୍କର ଅବସ୍ଥା ଗୁରୁତର ହେଲାଣି । କୌଣସି ମତେ ତାଙ୍କୁ ସତ୍ୟବାଦୀକୁ ଅଣାଗଲା । ବିହିତ ଚିକିତ୍ସା ପରେ ସେ ଆରୋଗ୍ୟ ହେଲେ ।

 

ଦୁର୍ବଳତା କମି ନଥାଏ । ଏ ଅବସ୍ଥାରେ ସେ ବିଭିନ୍ନ କାମରେ ତଥାପି ମଗ୍ନ ଥାଆନ୍ତି । ହଠାତ୍‌ କଲିକତା ଶ୍ରମିକ ସଂଗଠନରୁ ଡାକରା ପାଇଲେ ଯିବାପାଇଁ । ଶରୀର ଯେତେବେଳେ ସମ୍ପୂର୍ଣ୍ଣ ବିଶ୍ରାମ ଆବଶ୍ୟକ କରୁଥିଲା, ସେତିକିବେଳେ ଏ ଡାକରା । ବନ୍ଧୁମାନେ ଯେତେ ବାରଣ କଲେ ମଧ୍ୟ ସେ ମାନିଲେ ନାହିଁ । ସେ କହିଲେ, ଜନସେବା ହିଁ ମୋର ସ୍ୱାସ୍ଥ୍ୟ ପାଇଁ ଏକମାତ୍ର ମହୌଷଧି । ମୁଁ ତାକୁ ଉପେକ୍ଷା କରିପାରିବି ନାହିଁ । ଈଶ୍ୱରଙ୍କର ଯେତେବେଳେ ଯାହା ଇଚ୍ଛା, ତାହାହିଁ ପୂରଣ ହେବ । ଯେ କର୍ମୀ ତା ଜୀବନରେ ବିଶ୍ରାମର ସ୍ଥାନ କାଇଁ ! ମୃତ୍ୟୁ ତାର ଏକମାତ୍ର ବିଶ୍ରାମ ।

 

ଅମାନିଆ ଲୋକ । କାହାରି ଉପଦେଶ ଶୁଣନ୍ତି ନାହିଁ । ସେ ଚାଲିଲେ କଲିକତାର ଶ୍ରମିକବସ୍ତି ଅଞ୍ଚଳକୁ । ସେଠାରେ ଗୋଟିଏ ଅସ୍ୱାସ୍ଥ୍ୟକର ଘରେ ରହି ଶ୍ରମିକ ବସ୍ତିରେ ବୁଲି ବୁଲି ସେମାନଙ୍କର ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଲାଗିପଡ଼ିଲେ । କିଛିଦିନ ଅକ୍ଳାନ୍ତ ପରିଶ୍ରମ କରିବା ପରେ ପୁଣି ଥରେ ଟାଇଫଏଡ଼୍‌ ଜ୍ୱରରେ ପଡ଼ିଲେ ଓ ଏଠାରୁ ତାଙ୍କୁ ସତ୍ୟବାଦୀ ଫେରାଇ ଅଣାଗଲା । ଦିନକୁଦିନ ଅବସ୍ଥା ହେଲା ଉଦ୍‌ବେଗଜନକ । ବହୁ ଯତ୍ନ ଓ ଚିକିତ୍ସା ସତ୍ତ୍ୱେ ଜୁନ୍‌ ମାସ ୧୭ ତାରିଖ ଦିନ ତାଙ୍କର ମହାପ୍ରୟାଣ ହେଲା ।

 

ମହାନ୍‌ ଜ୍ୟୋତିର ନିର୍ବାପନ ହେଲା । ତାଙ୍କରି ଭାଷାରେ ଜୀବନକୁ ମାପିଲେ–

 

‘‘ମଣିଷ ଜୀବନ ନୁହଇ କେବଳ

ବର୍ଷ ମାସ ଦିନ ଦଣ୍ଡ

କର୍ମେ ଜୀଏ ନର କର୍ମ ଅଟେ ତାର

ଜୀବନର ମାନଦଣ୍ଡ ।’’

Image